ପରକୀୟା ପ୍ରୀତିରେ କଣ୍ଟା ସାଜିଲା ଝିଅ, ପ୍ରେମିକ ସହ ମିଶି ହତ୍ୟା କଲା ଜନ୍ମଦାତ୍ରୀ

author img

By

Published : Mar 16, 2023, 9:34 AM IST

Woman paramour kill her daughter

ପ୍ରେମ ଆଗରେ ତୁଚ୍ଛ ହେଲା ମମତା । ପ୍ରେମ ପାଇଁ ନିଜ ଝିଅକୁ ହତ୍ୟା କଲା ଜନ୍ମଦାତ୍ରୀ । ପଢନ୍ତୁ ପୁରା ଖବର

କୋଲକାତା: ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ । ମରିଗଲା ମାଆର ମମତା । ପରକୀୟା ପ୍ରୀତି ପାଇଁ ବଳିପଡିଲା ଝିଅ । ପ୍ରେମକୁ ପାଇବା ପାଇଁ ୧୦ମାସ ୧୦ ଦିନ ଗର୍ଭରେ ରଖି ଜନ୍ମ କରିଥିବା ଝିଅକୁ ମାରିଦେଲା ପିଶାଚୀ ମାଆ । ଯେଉଁ ହାତରେ ଲାଳନପାଳନ କରି ବଡ କରିଥିଲା ସେହି ହାତରେ ୨୩ ବର୍ଷର ଝିଅକୁ ହତ୍ୟା କରିଲା । ଏଭଳି ଏକ ଅଭାବନୀୟ ଛାତିଥରା ଘଟଣା କୁଚବେହରା ଜିଲ୍ଲାର ଚଙ୍ଗ୍ରବନ୍ଧ ଅଞ୍ଚଳରୁ ସାମ୍ନାକୁ ଆସିଛି । ଏହି ଘଟଣା ସେମବାର ଘଟିଥିବା ବେଳେ ଗତକାଲି(ବୁଧବାର) ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ଯୁବତୀ ହେଲେ ୨୩ ବର୍ଷୀୟ ଅର୍ପିତା ।

ଏହି ଘଟଣା ନେଇ ମୃତ ଅର୍ପିତାଙ୍କ ଦାଦା ଥାନାରେ ଏତଲା ଦେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ମହିଳା ନିଜ ବୟଫ୍ରେଣ୍ଡ ସହ ଖସି ପଳାଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପିଛା କରି ଦୁଇଜଣକୁ ଧରିଲା ପୋଲିସ । ଏନେଇ ଯୁବତୀଙ୍କ ଦାଦା ଥାନାରେ ଅଭିଯୋଗ କରି କହିଛନ୍ତି, " ମୋ ଭାଇ ବଳରାମ ମଲ୍ଲିକ ଘରେ ନଥିବା ବେଳେ ସୋମବାର ଦିନ ଘରୁ ଜୋରରେ ପାଟି କରୁଥିବା ଶବ୍ଦ ଶୁଣିବାକୁ ମିଳିଥିଲା । ଏହାପରେ ଆମେ ଦୌଡିଯାଇଥିଲୁ । ଘରେ ମୋ ଭାଉଜ ନିଜ ପୁରୁଷ ବନ୍ଧୁ ସମଶେର ସହ ମିଶି ଅର୍ପିତାଙ୍କୁ ବାଡିରେ ଆକ୍ରମଣ କରିଥିଲେ । ବାଡିରେ ବାଡେଇବା ଯୋଗୁଁ ଅଧିକ ରକ୍ତସ୍ରାବ ହୋଇଥିଲା । ଏହାପରେ ପଡୋଶୀଙ୍କ ସାହାଯ୍ୟ କ୍ରମେ ଅର୍ପିତାଙ୍କୁ ଉଦ୍ଧାର କରି ପ୍ରଥମେ ଚଙ୍ଗ୍ରବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲୁ । ତେବେ ମୋ ଝିଆରୀ ଅର୍ପିତାର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସିଲିଗୁଡିର ଏକ ବେସରକାରୀ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଥିଲା । "

ବିମଳ ଆହୁରି ଅଭିଯୋଗ କରି କହିଛନ୍ତି, ସମଶେର ମୋ ଭାଇ ବଳରାମଙ୍କ ଘରେ ଭଡାରେ ରହୁଥିଲେ । ଭଡାରେ ରହି ଭାଉଜ ସହ ଅବୈଧ ସମ୍ପର୍କ ରଖିଥିଲେ । ଏହି ବିଷୟରେ ଅର୍ପିତା ଜାଣିଦେଇଥିଲା । ତେଣୁ ସେମାନେ ତାକୁ ରାସ୍ତାରୁ ହଟାଇଦେବା ପାଇଁ ଚିନ୍ତା କରିଥିଲେ । ବାଡିରେ ଆକ୍ରମଣ କରି ଜୀବନ ନେଇଗଲେ ।"

ମେଖଲିଗଞ୍ଜ ପୋଲିସ ପକ୍ଷରୁ କୁହାଯାଇଛି ଯେ, " କୁଚବେହରା ଜିଲ୍ଲାର ଚଙ୍ଗ୍ରବନ୍ଧ ଅଞ୍ଚଳର ୨୩ ବର୍ଷୀୟ ଝିଅ ଅର୍ପିତାକୁ ହତ୍ୟା କରାଯାଇଛି । ନିଜ ମାଆ ଏବଂ ପ୍ରେମିକ ମିଶି ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଅର୍ପିତାର ମୃତ୍ୟୁ ହୋଇଛି । ଅଭିଯୁକ୍ତ ଦୁର୍ଗା ମଲ୍ଲିକ ଏବଂ ତାଙ୍କ ବୟଫ୍ରେଣ୍ଡ ସମଶେରକୁ ଗିରଫ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.