Waseem Rizvi କିଏ ? ଜାଣନ୍ତୁ ୱସିମରୁ ଜିତେନ୍ଦ୍ର ସାଜିଥିବା ଏହି ବ୍ୟକ୍ତିଙ୍କ ବାବଦରେ

author img

By

Published : Dec 7, 2021, 10:13 PM IST

Waseem Rizvi କିଏ ? ଜାଣନ୍ତୁ ୱସିମରୁ ଜିତେନ୍ଦ୍ର ସାଜିଥିବା ଏହି ବ୍ୟକ୍ତିଙ୍କ ବାବଦରେ

ଇସଲାମ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ସୟଦ ୱସିମ ରିଜଭି(Waseem Rizvi) କିଏ, କଣ ପାଇଁ ସେ ଇସଲାମ ଧର୍ମ ପରିବର୍ତ୍ତନ କରିଛନ୍ତି ଜାଣନ୍ତୁ ।

ହାଇଦ୍ରାବାଦ: ଇସଲାମ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ସୟଦ ୱସିମ ରିଜଭି (Waseem Rizvi) ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ହିନ୍ଦୁ ଧର୍ମ ଗ୍ରହଣ ପରେ ତାଙ୍କ ନାମ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗୀକୁ ପରିବର୍ତ୍ତୀତ ହୋଇଛି । ସେ କେବଳ ଇସଲାମ ଧର୍ମ ପରିବର୍ତ୍ତନ କରିନାହାନ୍ତି ବରଂ ଇସଲାମ ଧର୍ମରେ ଥିବା ବିଭିନ୍ନ ନୀତି ନିୟମ ଉପରେ ଆପତ୍ତି ଉଠାଇଛନ୍ତି । ତେବେ ଆସନ୍ତୁ ଜାଣିବା ୱସିମରୁ ଜିତେନ୍ଦ୍ର ବନିଥିବା ଏହି ବ୍ୟକ୍ତିଙ୍କ ବାବଦରେ ।

ୱସିମ କିଏ:-

ୱସିମ ରିଜଭି ଜଣେ ଦ୍ୱିତୀୟ ଶ୍ରେଣୀ ରେଳ କର୍ମଚାରୀଙ୍କ ପୁଅ । ସେ କଲେଜ ପାଠପଢା ଶେଷ କରିନଥିଲେ । 2000 ରେ ରିଜଭି ଲକ୍ଷ୍ନୌରେ ସମାଜବାଦୀ ପାର୍ଟି(SP) ସଦସ୍ୟ ଭାବରେ ସ୍ଥାନୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଓଲ୍ଡ ସିଟି ଲକ୍ଷ୍ନୌର କାଶ୍ମୀର ମୋହାଲ୍ଲା ୱାର୍ଡରୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ସମାଜବାଦୀ ପାର୍ଟିରେ ଥିବାବେଳେ ରିଜଭି ଦଳର ବରିଷ୍ଠ ନେତା ଆଜାମ ଖାନଙ୍କ ନିକଟତର ହୋଇଥିଲେ ।

2008 ରେ, ରିଜଭି ଶିଆ ୱାକଫ୍ ବୋର୍ଡର ସଦସ୍ୟ ହୋଇଥିଲେ । ଏହି ପଦବୀରେ ଥିବା ସମୟରେ ତାଙ୍କର, ପ୍ରଭାବଶାଳୀ ଶିଆ ଧର୍ମଗୁରୁ କାଲବେ ଜୱାଦଙ୍କ ସହ ତୀବ୍ର ମତଭେଦ ସୃଷ୍ଟି ହୋଇଥିଲେ । ପରବର୍ତ୍ତୀ ସମୟରେ ଜୱାଦ ତାଙ୍କ ନାମରେ ପାଣ୍ଠିରୁ ଲୁଟ୍ କରିଥିବା ଅଭିଯୋଗ ଆଣିଥିଲେ ।

2012 ରେ, ଜୱାଦଙ୍କ ଅଭିଯୋଗ କ୍ରମେ ରିଜଭିଙ୍କୁ ସମାଜବାଦୀ ପାର୍ଟିରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଥିଲେ । ଏହାଦ୍ୱାରା ଶିଆ ୱାକଫ ବୋର୍ଡର ବିଲୋପ ଘଟିଥିଲା । ତେବେ ରିଜଭି କୋର୍ଟରୁ ଆସ୍ବସ୍ଥି ପାଇଥିଲେ ଏବଂ ପରେ ପୁନଃସ୍ଥାପିତ ହୋଇଥିଲେ । 2017 ରେ ଉତ୍ତରପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କ୍ଷମତାକୁ ଆସିବା ପରେ ରିଜଭି ପୁଣି ଚର୍ଚ୍ଚାକୁ ଆସିଥିଲେ ।

ନଭେମ୍ବରରେ ରିଜଭି ତାଙ୍କ ପୁସ୍ତକ 'ମହମ୍ମଦ'ର ପ୍ରକାଶନ ପରେ ବିଭିନ୍ନ ଧର୍ମଗୁରୁଙ୍କ ଅକ୍ରୋଶର ଶିକାର ହୋଇଥିଲେ । କାରଣ ରିଜଭିଙ୍କ ପୁସ୍ତକ 'ମହମ୍ମଦ'ର କଭରରେ ଜଣେ ଅର୍ଦ୍ଧ ଉଲଗ୍ନ ମହିଳାଙ୍କ ସହ ଜଣେ ପୁରୁଷ ଥିବା ଚିତ୍ରିତ ହୋଇଥିଲା । ଏହି ପୁସ୍ତକର କଭର ଫଟୋକୁ ନେଇ ଉତ୍ତରପ୍ରଦେଶର ଅନେକ ଧର୍ମଗୁରୁ କ୍ରୋଧିତ ହୋଇଯାଇଥିଲା ।

ଧର୍ମଗୁରୁମାନେ ମଧ୍ୟ ରିଜଭିଙ୍କୁ ମହମ୍ମଦଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବାର ଅଭିଯୋଗ କରିଥିଲେ । ଅଲ-ଇଣ୍ଡିଆ ଶିଆ ବ୍ୟକ୍ତିଗତ ଆଇନ ବୋର୍ଡ (AISPLB) ସମେତ କେତେକ ଧାର୍ମିକ ସଂଗଠନ ତାଙ୍କୁ ଏଥିପାଇଁ ନୋଟିସ୍ ପଠାଇଥିଲେ । ଆଉ କେତେକ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କ ନିକଟରେ ମାମଲା ରୁଜୁ ପାଇଁ ଅନୁରୋଧ କରିଥିଲେ ।

ନଭେମ୍ବର 4 ରେ ନରସିଂହାନନ୍ଦ ସରସ୍ୱତୀଙ୍କ ଉପସ୍ଥିତିରେ ଗାଜିଆବାଦର ଦଶନା ଦେବୀ ମନ୍ଦିରରେ ଏହି ପୁସ୍ତକ ଉନ୍ମୋଚନ ହୋଇଥିଲା । ପ୍ରକାଶ ଥାଉକି, ନଭେମ୍ବର 15 ରେ ରିଜଭି ତାଙ୍କ ଫେସବୁକ ପେଜରେ ବହିର କଭର ଫଟୋ ଏବଂ ବହିର ମୂଲ୍ୟ ଲିଙ୍କ ପୋଷ୍ଟ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ଏହି ପୁସ୍ତକକୁ ଉଭୟ ସୁନ୍ନି ଏବଂ ଶିଆ ମୁସଲିମ ବିରୋଧ କରିଥିଲେ ।

ଅତୀତରେ ବିବାଦୀୟ ମନ୍ତବ୍ୟ:-

50 ବର୍ଷର ରିଜଭି ବିବାଦ ପାଇଁ ନୂଆ ନୁହଁନ୍ତି । ତିନି ତଲାକ ଏବଂ ଅଯୋଧ୍ୟା ବିବାଦ ଭଳି ପ୍ରସଙ୍ଗ ଉପରେ ତାଙ୍କ ବିବୃତ୍ତି, ଦୁର୍ନୀତି ମାମଲା ଏପରିକି ତାଙ୍କୁ ହତ୍ୟା ଧମକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସେହିପରି କୋରାନରେ ଥିବା ୨୬ ‘ଆୟତ’ ବା ପଦକୁ ହଟାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ରିଜଭି । ଆତଙ୍କବାଦ ଏବଂ ଜିହାଦକୁ ଏହି ପଦ ପ୍ରୋତ୍ସାହିତ କରୁଥିବା ସେ ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।

ଏହାପରେ ରିଜଭି ଇସଲାମ ସମ୍ପ୍ରଦାୟର ଲୋକଙ୍କ ଅକ୍ରୋଶର ଅଧିକ ଶିକାର ହୋଇଥିଲେ । ଅନ୍ୟପଟେ ସୁପ୍ରିମକୋର୍ଟରେ ରିଜଭିଙ୍କ ଏହି ଆବେଦନ ଖାରଜ ହୋଇଯାଇଥିଲା ସତ, ମାତ୍ର ସେ ପରବର୍ତ୍ତୀ ସମୟରେ ଏକ ନୂଆ କୋରାନ ଲେଖିଥିବା ଦାବି କରିଥିଲେ । ସେ ଭାରତର ସମସ୍ତ ମଦ୍ରାସା ଏବଂ ମୁସଲମାନ ଅନୁଷ୍ଠାନରେ ‘ନୂଆ କୋରାନ’ର ବ୍ୟବହାରକୁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଥିଲେ ।

ଟ୍ରିପଲ୍ ତାଲାକ୍ ବିଲ୍:-

2017 ରେ ଯେତେବେଳେ ଲୋକସଭାରେ ଟ୍ରିପଲ୍ ତାଲାକ ବିଲ ପାରିତ ହୋଇଥିଲା, ସେତେବେଳେ ଏହି ଆଇନ ଉପରେ ଆପତ୍ତି ଉଠାଇଥିବା ଅନେକଙ୍କୁ 10 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ରିଜଭି ।

ମଦ୍ରାସା ବନ୍ଦ ଦାବି:-

2018 ରେ, ରିଜଭି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ମଦ୍ରାସାକୁ ରଦ୍ଦ କରିବାକୁ ଅନୁରୋଧ କରିଥିଲେ । ଏଥିସହ ମଦ୍ରାସା ମୁସଲମାନମାନଙ୍କ ପାଇଁ ଚାକିରିର ବ୍ୟବସ୍ଥା କରିବା ପରିବର୍ତ୍ତେ ଆତଙ୍କବାଦୀ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଥିଲେ ।

ଜାନୁଆରୀ 2019 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ଚିଠିରେ ରିଜଭି ଅନୁରୋଧ କରିଛନ୍ତି ଯେ, ପ୍ରାଥମିକ ମଦ୍ରାସାକୁ ତୁରନ୍ତ ବନ୍ଦ କରନ୍ତୁ । ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଥିବା ଅନ୍ୟ ଏକ ଚିଠିରେ ରିଜଭି ଦାବି କରିଛନ୍ତି ଯେ, 1991 ସ୍ଥାନ ପୂଜାପାଠ ଅଧିନିୟମ ରଦ୍ଦ କରାଯାଉ ଏବଂ ପ୍ରାଚୀନ ମନ୍ଦିର ଉପରେ ନିର୍ମିତ ମସଜିଦରୁ ଜମି ପୁନରୁଦ୍ଧାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ । ଏଥିସହ ସେ କହିଛନ୍ତି ଯେ 'ପଶୁ ପରି ସନ୍ତାନ ପ୍ରସବ କରିବା' ଦେଶ ପାଇଁ କ୍ଷତିକାରକ ।

ତେବେ ଗତ କିଛିଦିନ ତଳେ ମଧ୍ୟ ରିଜଭି ନିଜ ୱସିୟତ ନାମା(ହ୍ବିଲ)କୁ ସାର୍ବଜନୀନ କରି ଚର୍ଚ୍ଚାରେ ରହିଥିଲେ । ମୃତ୍ୟୁ ପରେ ତାଙ୍କ ଅନ୍ତିମ ସତ୍କାର ହିନ୍ଦୁ ରୀତିନୀତିରେ କରିବାକୁ ସେ କହିଛନ୍ତି । ଏପରିକି ତାଙ୍କ ମୁଖାଗ୍ନି ୟେତି ନରସିଂହାନନ୍ଦ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଥିଲେ ଯେ, କିଛି ଲୋକ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛନ୍ତି ଏବଂ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ମଧ୍ୟ କବରରେ ସ୍ଥାନ ଦିଆଯିବ ନାହିଁ ବୋଲି କହିଛନ୍ତି । ତେଣୁ ମୋ ମୃତଦେହକୁ ହିନ୍ଦୁ ରୀତିନୀତିରେ ଦାହ କରାଇବେ ବୋଲି ସେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କଲେ SWB ପୂର୍ବତନ ସଭାପତି ୱାସିମ ରିଜବୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.