Pathaan Controversy: ଆସାମ ମୁଖ୍ୟମନ୍ତ୍ରୀ କହିଲେ ଶାହରୁଖ ଖାନ କିଏ ?

author img

By

Published : Jan 22, 2023, 9:25 AM IST

Updated : Jan 22, 2023, 5:55 PM IST

Pathaan Controversy

ଶାହରୁଖ ଖାନ କିଏ । ମୁଁ ତାଙ୍କ ଫିଲ୍ମ ପଠାନ ସମ୍ପର୍କରେ କିଛି ଜାଣିନି । ଜାଣନ୍ତୁ ଏମିତି କାହିଁକି କହିଲେ ଆସାମ ମୁଖ୍ୟମନ୍ତ୍ରୀ ।

ଗୌହାଟୀ: ପଠାନ ଫିଲ୍ମକୁ ନେଇ ବିବାଦ ଥମିବାର ନାଁ ନେଉନି । ୨୫ ତାରିଖରେ ଏହି ଫିଲ୍ମ ରିଲିଜ ହେବାକୁ ଥିବାବେଳେ ବିଭିନ୍ନ ସ୍ଥାନରେ ଏହାକୁ ପ୍ରବଳ ବିରୋଧ କରାଯାଉଛି । ଏହାରି ଭିତରେ ଏହି ବିବାଦୀୟ ଫିଲ୍ମକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଏକ ବୟାନ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଶାହାରୁଖ ଖାନ କିଏ ? ମୁଁ ତାଙ୍କ ଫିଲ୍ମ ପଠାନ ସମ୍ପର୍କରେ କିଛି ଜାଣିନି ।'' ଗତ ଶୁକ୍ରବାର ଦିନ ବଜରଙ୍ଗ ଦଳର କର୍ମୀମାନେ ଆସାମ ରାଜ୍ୟର ନାରେଙ୍ଗିରେ ଥିବା ଏକ ସିନେମା ହଲରେ ପଶି ଏହି ଫିଲ୍ମ ପୋଷ୍ଟର ଚିରିବା ସହ ହଙ୍ଗାମା କରିଥିଲେ । ଏହି ବିରୋଧ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନରେ ବିଶ୍ବଶର୍ମା ଏପରି କହିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି ଯେ, ''ଶାହାରୁଖ ଖାନ ମୋତେ ଫୋନ କରିନାହାନ୍ତି । ବଲିଉଡର ଅନେକ କଳାକାର ସେମାନଙ୍କ ସମସ୍ୟା ବିଷୟରେ ମୋତେ କୁହନ୍ତି । ଯଦି ଖାନ ସେପରି କରିଥାନ୍ତେ ତେବେ ମୁଁ ଏହି ବିଷୟ ପ୍ରତି ଦୃଷ୍ଟି ଦେଇଥାନ୍ତି । ତେବେ ଯଦି କେହି ନିୟମ ଉଲ୍ଲଙ୍ଘନ କରେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ମାମଲା ରୁଜୁ ହେବ ।'' ଶୁକ୍ରବାର ବଜରଙ୍ଗ ଦଳର କର୍ମୀ ନାରେଙ୍ଗିରେ ଗୋଟିଏ ହଲ୍‌ରେ ପଶି ଫଠାନ ଫିଲ୍ମ ପୋଷ୍ଟର ଚିରିବା ସହ ପୋଡାଜଳା କରିଥିଲେ ।

ରିଲିଜ୍ ପୂର୍ବରୁ ହିଁ ବିବାଦ ଭିତରେ ଛନ୍ଦି ହୋଇଛି ଶାହରୁଖ ଖାନଙ୍କ ପଠାନ ଫିଲ୍ମ । ସିନେମାକୁ ବ୍ୟାନ୍ କରିବାକୁ ବିକ୍ଷୋଭ, ରାଲି ଓ କୁଶପୁତ୍ତଳିକା ଦାହ ହେଉଛି । ଫିଲ୍ମର ପ୍ରଥମ ଗୀତ ‘ବେଶରମ ରଙ୍ଗ’କୁ ନେଇ ଏହି ବିରୋଧ କରାଯାଇଛି । ଏଥିରେ ଅଶ୍ଳୀଳତା ରହିଛି ବୋଲି ଅଭିଯୋଗ ହେଉଛି । ଦୀପିକା ପାଦୁକୋନ ଏହି ଗୀତରେ ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ଏତେ ହଙ୍ଗାମା ହେଉଛି ।

ଏହାମଧ୍ୟ ପଢନ୍ତୁ: Book on Sushant Singh Rajput: ସୁଶାନ୍ତଙ୍କ ହତ୍ୟାକାରୀ କିଏ ? ଖୁଲାସା କରିବ ଏହି ବୁକ୍‌

ଗେରୁଆ ବସ୍ତ୍ର ସାଧୁସନ୍ଥମାନେ ପରିଧାନ କରୁଥିବାରୁ ଏହି ହିନ୍ଦୁ ଭାବନା ପ୍ରତି ଆଘାତ ବୋଲି ଅଭିଯୋଗ ହୋଇଛି । ସାଧୁ ସନ୍ଥମାନେ ମଧ୍ୟ ଏହି ଫିଲ୍ମକୁ ବଏକଟ୍ କରିବାକୁ ଦାବି କରୁଛନ୍ତି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କ ସମେତ ଅନେକ ବିଜେପି ନେତା ଏହି ଗୀତରେ ଅଭିନେତ୍ରୀ ଦୀପିକା ପିନ୍ଧିଥିବା ପୋଷାକ ଉପରେ ଆପତ୍ତି ଉଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 22, 2023, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.