Gujurat Election: କିଏ ନରେଶ ପଟେଲ ? ଯାହାଙ୍କୁ ନେଇ ସବୁଦଳ ଆଶାୟୀ

author img

By

Published : May 18, 2022, 10:27 PM IST

naresh patel

ଶ୍ରୀ ଖୋଡଲଧାମ ଟ୍ରଷ୍ଟ (Shri Khodaladham Trust)ର ମୁଖ୍ୟ ହେଉଛନ୍ତି ନରେଶ ପଟେଲ (Naresh Patel) । ଗୁଜୁରାଟର ପ୍ରଭାବଶାଳୀ ପାଟିଦାର ସମାଜର ଲିଉଆ ସମ୍ପ୍ରଦାୟର ଏକ ଜଣାଶୁଣା ନାଁ ହେଉଛନ୍ତି ନରେଶ । ଲିଉଆ ପଟେଲଙ୍କ କୁଳଦେବୀ ଖୋଡଲଧାମ ମାତା ମନ୍ଦିର ତଥା ଖୋଡଲଧାମ ଟ୍ରଷ୍ଟର ଅଧ୍ୟକ୍ଷ ରହିଛନ୍ତି ନରେଶ । ଧାର୍ମିକ ତଥା ସାମାଜିକ କାର୍ଯ୍ୟକ୍ରମ ପାଇଁ ନରେଶ ପଟେଲ ପାଟିଦାର ସମାଜରେ ବେଶ ପ୍ରଭାବ ରଖନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚଳିତ ବର୍ଷ ଶେଷ ଆଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଓ ଗୃହମନ୍ତ୍ରୀ ଅମିତ ଶାହ(Home Minister Amit Shah)ଙ୍କ ଗୃହରାଜ୍ୟ ଗୁଜୁରାଟ ବିଧାନସଭା ନିର୍ବାଚନ (Gujurat Assembly Election) ହେବ । ଏଥିପାଇଁ ସମସ୍ତ ପ୍ରମୁଖ ଦଳ ଏବେ ଠାରୁ ନିଜ ନିଜ ମୈଦାନ ପ୍ରସ୍ତୁତ କରୁଛନ୍ତି । ନିର୍ବାଚନ ଯୁଦ୍ଧ ପାଇଁ ଯୋଦ୍ଧା ମଧ୍ୟ ପ୍ରସ୍ତୁତ କରୁଛନ୍ତି । ନିକଟରେ ଶେଷ ହୋଇଥିବା 5 ଟି ରାଜ୍ୟ ନିର୍ବାଚନ ଫଳାଫଳ ଦେଖି ସମସ୍ତ ଦଳ ଭିନ୍ନ ରଣନୀତି ସହ ମୈଦାନକୁ ଓହ୍ଲାଇବା ନିଶ୍ଚିତ । ଏପରି ସ୍ଥଳେ ପଞ୍ଜାବ ଦଖଲ କରିଥିବା ଆମ ଆଦମୀ ପାର୍ଟି(Aam Aadmi Party) ଗୁଜୁରାଟରେ କମର କଷିବା ପାଇଁ ଯୋଜନା ସହ ରଣନୀତି ପ୍ରସ୍ତୁତ କରୁଛି । ଆଉ କଂଗ୍ରେସ (Congress) ମଧ୍ୟ ଗୁଜୁରାଟରେ କିଛି ଚମତ୍କାର କରିବାକୁ ଆଶାବାନ୍ଧିଛି ।

ଏପରି ସ୍ଥଳେ ପ୍ରଶ୍ନ ଉଠୁଛି, କେଜ୍ରିୱାଲଙ୍କ କ୍ରେଜ କାମ ଦେବ କି ଗୁଜୁରାଟରେ? ନା କଂଗ୍ରେସକୁ ଭରସା କରିବେ ରାଜ୍ୟବାସୀ ? ନା ମୋଦି ଶାହଙ୍କ ମାନ ରଖିବେ ଗୁଜୁରାଟବାସୀ ? ବର୍ତ୍ତମାନର ସ୍ଥିତି ଯାହା ଗୁଜୁରାଟ ଦଖଲ ପାଇଁ ଏତେ ସହଜ ହେବ ନାହିଁ ଉଭୟ କଂଗ୍ରେସ ଓ ଆପକୁ । କାରଣ ମୋଦି ଶାହଙ୍କ ଗୃହରାଜ୍ୟ ହେଉଛି ଗୁଜୁରାଟ । ଏପରି ସ୍ଥଳେ ନିଜ ହୋମ ଗ୍ରାଉଣ୍ଡରେ ଫର୍ମରେ ଥିବା ଭାଜପାକୁ ବିଜୟୀ କରାଇବା ପାଇଁ ଉଭୟ ନେତା କୌଣସି ଭୁଲ ସଟ ଖେଳି ନପାରନ୍ତି । ଏହାସହ ଗୁଜୁରାଟିଙ୍କ ଭାବାବେଗ ଓ ରାଷ୍ଟ୍ରବାଦ, ମୋଦିଙ୍କ ଚେହେରା, ଶାହଙ୍କ ଶକ୍ତ ରଣନୀତି ବିଜେପିକୁ ଫ୍ରଣ୍ଟଫୁଟରେ ଖେଳିବା ପାଇଁ କୌଣସି ଅସୁବିଧା ହୋଇନପାରେ ।

ଏପରି ସ୍ଥଳେ ସାଢେ 2 ଦଶନ୍ଧୀରୁ ଅଧିକ ସମୟ ଧରି ଗୁଜୁରାଟ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି(ବିଜେପି)କୁ କ୍ଷମତାରୁ ବାହାର କରିବା ପାଇଁ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଭିନ୍ନ ରଣନୀତି କରୁଛନ୍ତି। ଉଭୟ ଦଳ ମୋଦି ଶାହଙ୍କୁ ତଙ୍କରି ଗଡରେ ଚକମା ଦେବା ପାଇଁ ଏବେ ଆଖି ପକାଇଛନ୍ତି ଆଉ ଜଣେ ପାଟିଦାର ନେତାଙ୍କ ଉପରେ । ତାଙ୍କୁ ଦଳକୁ ଆଣି ବଡ ଗୋଟି ଚାଳଣା କରିବାକୁ ଯୋଜନା କରୁଛନ୍ତି । ଆଉ ସେହି ଚର୍ଚ୍ଚିତ ପାଟିଦାର ନେତା ହେଉଛନ୍ତି ନରେଶ ପଟେଲ (Naresh Patel) । ନିର୍ବାଚନ ପୂର୍ବରୁ ନରେଶଙ୍କୁ ନିଜ ପଟ୍ଟକୁ ଆଣି ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି । ଆମ ଆଦମୀ ପାର୍ଟି ମଧ୍ୟ ନରେଶଙ୍କୁ ଦଳରେ ସାମିଲ ହେବାକୁ ଆମନ୍ତ୍ରଣ କରିଛି। ଆଉ ବଡ କଥା ହେଉଛି ନରେଶ ମଧ୍ୟ ରାଜନୀତି ଇଂନିସ ଖେଳିବାକୁ ସଂକେତ ଦେଇଛନ୍ତି । ତେବେ କେଉଁ ଦଳରେ ସାମିଲ ହେବେ, କଣ ରହିବ ଭୂମିକା ତାହା ସ୍ପଷ୍ଟ ହୋଇନଥିବା ବେଳେ , ଉଭୟ କଂଗ୍ରେସ ଓ ଆପରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଛି ।

କିଏ ନରେଶ ପଟେଲ ?

ଶ୍ରୀ ଖୋଡଲଧାମ ଟ୍ରଷ୍ଟ (Shri Khodaladham Trust)ର ମୁଖ୍ୟ ହେଉଛନ୍ତି ନରେଶ ପଟେଲ (Naresh Patel) । ଗୁଜୁରାଟର ପ୍ରଭାବଶାଳୀ ପାଟିଦାର ସମାଜର ଲିଉଆ ସମ୍ପ୍ରଦାୟର ଏକ ଜଣାଶୁଣା ନାଁ ହେଉଛନ୍ତି ନରେଶ । ଲିଉଆ ପଟେଲଙ୍କ କୁଳଦେବୀ ଖୋଡଲଧାମ ମାତା ମନ୍ଦିର ତଥା ଖୋଡଲଧାମ ଟ୍ରଷ୍ଟର ଅଧ୍ୟକ୍ଷ ରହିଛନ୍ତି ନରେଶ । ଧାର୍ମିକ ତଥା ସାମାଜିକ କାର୍ଯ୍ୟକ୍ରମ ପାଇଁ ନରେଶ ପଟେଲ ପାଟିଦାର ସମାଜରେ ବେଶ ପ୍ରଭାବ ରଖନ୍ତି । ପାଟିଦାର ସମାଜ ମଧ୍ୟ ନରେଶଙ୍କୁ ବେଶ ଗୁରୁତ୍ବ ଦିଏ । ଏହାବାଦ ନରେଶଙ୍କ ଏକ ବଡ ବ୍ୟବସାୟ ରହିଛି । ଗୁଜୁରାଟରେ ଜଣେ ବିଶିଷ୍ଟ ଶିଳ୍ପପତି ମଧ୍ୟ ସେ । ଆର୍ଥିକ ସ୍ବଛଳ, ପାଟିଦାର ସମାଜରେ ଗ୍ରହଣୀୟ ଓ ସ୍ବଛ ଭାବମୂର୍ତ୍ତୀ ପାଇଁ ତାଙ୍କର ପ୍ରଭାବ ରାଜ୍ୟରେ ପ୍ରାୟ ସବୁ ଅଞ୍ଚରେ ଅଛି । ବିଶେଷ କରି 11 ଟି ଜିଲ୍ଲା ସମେତ ସୁରତ ସହରରେ ନରେଶ ବେଶ ପ୍ରଭାବ ରଖୁଛନ୍ତି । ଏପରି ସ୍ଥଳେ ତାଙ୍କୁ ନିଜ ପକ୍ଷଙ୍କୁ ଆଣି ଗୁଜୁରାଟ ଦଖଲ କରିବାକୁ ଉଦ୍ୟମ କରୁଛନ୍ତି କଂଗ୍ରେସ ଓ ଆମ ଆଦମୀ ପାର୍ଟି ।

ନରେଶ ପଟେଲଙ୍କୁ କଂଗ୍ରେସର ନିମନ୍ତ୍ରଣ

ପାଟିଦାର ସମାଜାର ଚର୍ଚିତ ଚେହେରା ନରେଶ ପଟେଲଙ୍କୁ କଂଗ୍ରେସରେ ସାମିଲ ହେବା ପାଇଁ ରାଜ୍ୟ ନେତୃତ୍ବ ନିମନ୍ତ୍ରଣ ଦେଇସାରିଛି । ଏହାସହ 2 ଥର ମଧ୍ୟ ଆଲୋଚନା କରିସାରିଛି । ଏପରିକି ନରେଶ ରାହୁଲ ଗାନ୍ଧୀ(Rahul Gandhi) ଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ହେଲେ ଏହି ଚର୍ଚ୍ଚାର କୌଣସି ଆଧାର ନାହିଁ । ଏହାବାଦ ଗତ କିଛି ମାସ ଧରି ଭିନ୍ନ ଭିନ୍ନ ସମୟରେ ନରେଶଙ୍କ ସହ କଂଗ୍ରେସର ବରିଷ୍ଠ ନେତା ଆଲୋଚନା କରିଛନ୍ତି । ନରେଶ ପଟେଲ ମଧ୍ୟ ରାଜନୀତିରେ ପ୍ରବେଶ ପାଇଁ ସଂକେତ ଦେଇଛନ୍ତି । ହେଲେ କଂଗ୍ରେସ ସହ ଯିବେ ନା ଆପକୁ ଭରଷା କରିବେ ତାହା ଏବେବି ସ୍ପଷ୍ଟ କରିନାହାଁନ୍ତି । କଂଗ୍ରେସ ମଧ୍ୟ ନରେଶଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ବୋଲି ପ୍ରଚାର ଆରମ୍ଭ କରିଦେଇଛି । ଗୁଜୁରାଟ କଂଗ୍ରେସ ମୁଖ୍ୟ ଜଗଦୀଶ ଠାକୁର(Gujarat Congress State President Jagdish Thakor) ଓ ବିରୋଧୀ ଦଳ ନେତା ମଧ୍ୟ ସାର୍ବଜନିନ ଭାବେ ନରେଶଙ୍କୁ ଖୋଲା ଆମନ୍ତ୍ରଣ କରିଛନ୍ତି । ଏହାସହ କଂଗ୍ରେସରେ ନରେଶଙ୍କ ପାଇଁ ଦ୍ବାର ଖୋଲାଥିବା କହିଛନ୍ତି । ଏପରି ସ୍ଥିତିରେ ଆମ ଆଦମୀ ପାର୍ଟି ମଧ୍ୟ ନେରଶଙ୍କୁ ନିଜ ପକ୍ଷକୁ ଟାଣି ଗୁଜୁରାଟରେ ହିଁ ବିଜେପିକୁ ଟକ୍କର ଦେବାକୁ ଆଶା ରଖିଛି ।

ବିଜେପି ମଧ୍ୟ ନରେଶଙ୍କ ଉପରେ ରଖିଛି ନଜର

ନରେଶ ପଟେଲଙ୍କ ଉପରେ ରାଜ୍ୟ ବିଜେପି ମଧ୍ୟ ନଜର ରଖିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ (Gujarat Chief Minister Bhupendra Patel) କହିଛନ୍ତି, ରାଷ୍ଟ୍ରସେବା ସହ ଦେଶର ବିକାଶ ପାଇଁ ଯିଏ ବି ଦଳରେ ସାମିଲ ହେବାକୁ ଇଛୁକ ବିଜେପି ସ୍ବାଗତ କରିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ସ୍ବୀକର କରି ଯିଏ ଦଳକୁ ଆସିବ ଆମ ବିଚାରଧାରକୁ ଗ୍ରହଣ କରିବ ଆମେ ତାଙ୍କୁ ସମ୍ମାନ ଦେବୁ ବୋଲି କହିଛନ୍ତି । ଯାହା ଅନେକ କିଛି ଇଙ୍ଗିତ କରୁଛି । ତଥାପି ନରେଶଙ୍କୁ ନେଇ କେନ୍ଦ୍ରୀୟ ବିଜେପି ଏଯାଏଁ କୌଣସି ଚିନ୍ତା କରିନାହାଁନ୍ତି ।

କେଉଁଠି ସମସ୍ୟା?

ଯଦି ନରେଶ ପଟେଲ ରାଜନୀତିକୁ ଆସନ୍ତି , ତେବେ ତାଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ପଦ ଛାଡିବାକୁ ହେବ । ଏହାକୁ ନେଇ ନରେଶ କହିଛନ୍ତି ଟ୍ରଷ୍ଟ ମାଧ୍ୟମରେ ସେ ନିଜ ସମ୍ପ୍ରଦାୟର ସେବା କରୁଛନ୍ତି । ରାଜନୀତିକୁ ଆସିଲେ ପୁରା ରାଜ୍ୟର ସେବା କରିପାରିବେ । ହେଲେ ରାଜନୀତିକୁ ଆସିଲେ, ସେ କଣ କରିବେ, କେଉଁ ଦଳକୁ ଯିବେ, କଣ ତାଙ୍କର ଭୂମିକା ହେବ, ସେନେଇ ନିଜ ସମ୍ପ୍ରଦାୟ ପାଟିଦାର ଲୋକଙ୍କ ସହ ଆଲୋଚନା କରୁଛନ୍ତି । ଏହାସହ ଚଳିତ ମାସ ଶେଷ ଶୁଦ୍ଧା ସେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି କହିଛନ୍ତି ।

ରାଜ୍ୟସଭା ପାଇଁ ଅଫର ଦେଇଥିଲା ଆପ...

ଗୁଜୁରାଟ ରଣନୀତିକୁ ସାମନାରେ ରଖି, ଆମ ଆଦମୀ ପାର୍ଟି ପଞ୍ଜାବରୁ ନରେଶ ପଟେଲଙ୍କୁ ରାଜ୍ୟସଭା(Rajya Sabha) ଯିବା ପାଇଁ ଅଫର ଦେଇଥିଲା । ଏହାଦ୍ବାରା ପଞ୍ଜାବ ଦେଇ ଗୁଜୁରାଟ ଦଖଲ କରିବାକୁ କେଜ୍ରିୱାଲ ଯୋଜନା କରିଥିଲେ । ହେଲେ ନରେଶ ଏହାକୁ ପ୍ରତ୍ୟାଖାନ କରିବା ସହ ନିଜ ଆଭିମୁଖ୍ୟ ଅସ୍ପଷ୍ଟ ରଖିଥିଲେ ।

ପାଟିଦାର ଭୋଟ ହେବ ନିର୍ଣ୍ଣାୟକ

ନରେଶ ପଟେଲ ପ୍ରତ୍ୟକ୍ଷ ରାଜନୀତିକୁ ଏଯାଏଁ ଆସିନାହାଁନ୍ତି ସତ । ହେଲେ ଗତ 15 ବର୍ଷ ହେଲା ରାଜ୍ୟ ରାଜନୀତିରେ ବେଶ ପ୍ରଭାବ ରଖୁଛନ୍ତି । ଶ୍ରୀ ଖୋଡଲଧାମ ଟ୍ରଷ୍ଟ ଦ୍ବାରା ମନ୍ଦିର ନିର୍ମାଣ ପରଠାରୁ ନରେଶ ଆହୁରି ପ୍ରଭାବଶାଳୀ ହୋଇଛନ୍ତି । ଗୁଜୁରାଟର ରାଜକୋଟ, ଜାମନଗର, ଅମରେଲୀ, ଭାବନଗର, ଜୁନାଗଡ, ପୋରବନ୍ଦର, ସୁରେନ୍ଦ୍ର ନଗର ଜିଲ୍ଲା ରେ ନରେଶଙ୍କ ପ୍ରଭାବ ରହିଛି । ଏପରି ସ୍ଥଳେ ନରେଶ ଯେଉଁ ଦଳକୁ ଯିବେ ସେହି ଦଳ ନିଶ୍ଚିତ ଭାବେ ଲାଭବାନ ହୋଇପାରେ ।

ପିକେଙ୍କ ଭରସାରେ ନରେଶ

କଂଗ୍ରେସରେ ସାମିଲ ହେବା ପାଇଁ ନରେଶ ମଧ୍ୟ ଚିନ୍ତା କରୁଛନ୍ତି । ହେଲେ ନିର୍ବାଚନ ରଣନୀତି ବିଶିଷ୍ଟ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଦ୍ବାରା କରାଇବା ପାଇଁ ଚାହୁଁଛନ୍ତି । ଏପରି ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ନହେବା ବଡ ସମସ୍ୟା ହୋଇଛି ନରେଶଙ୍କ ପାଇଁ । କାରଣ ନରେଶ ଚାହୁଁଥିଲେ ପ୍ରଶାନ୍ତ କଂଗ୍ରେସରେ ସାମିଲ ହୋଇ ଗୁଜୁରାଟ ରଣନୀତି ନିର୍ଦ୍ଧାରଣ କରନ୍ତୁ । ହେଲେ ତାହା ବର୍ତ୍ତମାନ ଅସମ୍ଭବ । ଯଦିଓ କଂଗ୍ରେସ ଓ ପ୍ରଶାନ୍ତଙ୍କ କମ୍ପାନୀ ଆଇ-ପ୍ୟାକ ମଧ୍ୟରେ ଗୁଜୁରାଟ ପାଇଁ ଚୁକ୍ତି ହୋଇଛି । ତଥାପି ନରେଶ ଏହାକୁ ନେଇ ସନ୍ଦିହାନରେ ଅଛନ୍ତି ।

ଅସଲ ଲଢେଇ ଲଢିବେ ମୋଦି -ଶାହ

ଗୁଜୁରାଟ ନିର୍ବାଚନ ବିଜେପି ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ । ତା ଠାରୁ ଅଧିକ ମୋଦି -ଶାହଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । କାରଣ ବିଜେପି ଦୀର୍ଘ 26 ବର୍ଷ ଧରି ଗୁଜୁରାଟ ଶାସନରେ ରହିଛି। ଗୁଜୁରାଟ ହେଉଛି ବିଜେପିର ଗଡ । ଗୁଜୁରାଟ ମେଡଲକୁ ନେଇ ମୋଦି ସାରା ଦେଶରେ ପରିଚିତ ହୋଇଥିଲେ । ଏହାସହ କୌଣସି ସ୍ଥିତିରେ ମଧ୍ୟ ଗୁଜୁରାଟ ହାତଛଡା କରିବାକୁ ଚାହିଁବେ ନାହିଁ ମୋଦି ଶାହ । ନିଜ ଗୃହରାଜ୍ୟରେ ଅପରାଜୟ ରହି ସାରା ଦେଶରେ ଦଳର ବିସ୍ତାର ବିଜୟ ରଣନୀତିକୁ ଆହୁରି ସୁଦୃଢ କରିବାକୁ ଚାହିଁବେ । ହେଲେ ବିଜେପି କାହାକୁ ରାଜ୍ୟରେ ଚେହେରା କରି ନିର୍ବାଚନ ଲଢିବ ନା ମୋଦିଙ୍କ ଚେହେରା ରେ ଲଢିବ ତାହା ନିର୍ବାଚନ ବେଳେ ସ୍ପଷ୍ଟ ହେବ । ଚେହେରା ଯିଏ ବି ହୁଅନ୍ତୁ ଗୁଜୁରାଟ ବିଜେପି ପାଇଁ କିନ୍ତୁ ଅସଲ ଲଢେଇ ଲଢିବେ ମୋଦି-ଶାହ ଯୋଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.