Dharmendra To Contest Election: ଧର୍ମେନ୍ଦ୍ରଙ୍କ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ

author img

By

Published : Jan 23, 2023, 7:56 PM IST

Dharmendra Pradhan Will Contest Election

ଧର୍ମେନ୍ଦ୍ରଙ୍କ ନିର୍ବାଚନ ଲଢିବି ଘୋଷଣା ପରେ ଏବେ ରାଜ୍ୟ ରାଜନୀତି ସରଗରମ । ଉତ୍ସାହିତ ବିଜେପି କ୍ୟାମ୍ପ ଏବଂ ଧର୍ମେନ୍ଦ୍ରଙ୍କ ସମର୍ଥକ । ଅଧିକ ପଢନ୍ତୁ

Dharmendra Pradhan Will Contest Election: ଧର୍ମେନ୍ଦ୍ରଙ୍କ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ବର: ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପିର କ୍ୟାପଟେନ ହେବେ ଧର୍ମେନ୍ଦ୍ର । ନିର୍ବାଚନରେ ପୁଣି ଥରେ ନେବେ ରାଜ୍ୟ ବିଜେପିର ନେତୃତ୍ବ । ଏଥର କିନ୍ତୁ ପରୋକ୍ଷ ନୁହେଁ ପ୍ରତ୍ୟେକ୍ଷ ଭାବେ ଲଢିବେ ଧର୍ମେନ୍ଦ୍ର । ଦଳକୁ କ୍ଷମତାସୀନ କରାଇବା ପାଇଁ ନିଜେ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ରାଜ୍ୟରେ ପଦ୍ମଫୁଟାଇବା ପାଇଁ ବିଜେପି ପୁରା ଯୋଜନା ପ୍ରସ୍ତୁତ କରୁଛି । ଯାହାର ଏକ ଅଙ୍ଗ ହେବ ଧର୍ମେନ୍ଦ୍ର ନିର୍ବାଚନ ଲଢିବା । ନିଜ ଖୋଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହା ଘୋଷଣା କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଧର୍ମେନ୍ଦ୍ର କହିଛନ୍ତି, ‘‘ମୁଁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ । ଏଥିପାଇଁ ଦଳକୁ ମଧ୍ୟ ଅନୁରୋଧ କରିଛି ।’’ ତେବେ କେଉଁ ନିର୍ବାଚନ ଲଢିବେ ? ଲୋକସଭା ନା ବିଧାନସଭା ? କେଉଁ ଆସନରୁ ଲଢିବେ ତାହା ସ୍ପଷ୍ଟ କରିନାହାଁନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ରଙ୍କ ଏହି ଘୋଷଣା ପରେ ଏବେ ରାଜ୍ୟ ରାଜନୀତି ସରଗରମ । ଉତ୍‌ଫୁଲିତ ବିଜେପି କ୍ୟାମ୍ପ । ଉତ୍ସାହିତ ଧର୍ମେନ୍ଦ୍ରଙ୍କ ସମର୍ଥକ । ରାଜ୍ୟ ବିଜେପି ଆଶା ରଖିଛି, ଧର୍ମେନ୍ଦ୍ର ନିର୍ବାଚନ ଲଢିଲେ ନିଶ୍ଚିତ ଦଳ ପାଇଁ ଫାଇଦା ହେବ । ଦଳକୁ କ୍ଷମତାସୀନ କରାଇବାରେ ଧର୍ମେନ୍ଦ୍ର ବଡ ଭୂମିକା ତୁଳାଇବେ । ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ‘‘ଧର୍ମେନ୍ଦ୍ର ପ୍ରଧାନ କେବଳ ବିଜେପିର ନେତା ନୁହଁନ୍ତି । ସେ ଓଡିଆ ଅସ୍ମିତା, ଓଡିଶା ସ୍ବାର୍ଥ ରକ୍ଷା ସହ ରାଜ୍ୟର ବିକାଶ ପାଇଁ ଗତ 9 ବର୍ଷ ହେଲା ଯେଉଁ କାମ କରିଆସୁଛନ୍ତି ନିଶ୍ଚିତ ଭାବେ ତାହା ପ୍ରଶଂସନୀୟ । ଏହି ଦୃଷ୍ଟିରୁ ଧର୍ମେନ୍ଦ୍ରଙ୍କ ନିର୍ବାଚନ ଲଢିବା ଜରୁରୀ । ସେ ନିର୍ବାଚନ ଲଢିଲେ ବିଜେପି ପାଇଁ ଲାଭ ହେବ ।’’

ସେପଟେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, ‘‘ଓଡିଶାରେ ବିଜେପିର ଚେହେରା କହିଲେ ଧର୍ମେନ୍ଦ୍ର ପ୍ରଧାନ ବୁଝାଉଥିଲା। ସେ 2014 ରେ କେନ୍ଦ୍ର ମନ୍ତ୍ରୀ ହେଲେ। ସେବେଠାରୁ ଓଡିଶାରେ ଚେହେରା ଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଚାର କରି କାମ ହେଉଛି। ତା ସତ୍ତ୍ୱେ ବି 2019ରେ ସେ ପ୍ରତିଦ୍ୱନ୍ଦିତା କଲେ ନାହିଁ। ସେହିପରି ରାଜ୍ୟର ଗୋଟିଏ ଆଞ୍ଚଳିକ ଦଳ ଅଛି ଦୀର୍ଘ 23 ବର୍ଷ ହେଲା ଶାସନ କରିଆସୁଛି। ତେଣୁ ଏକ ବିକଳ୍ପ ନେତୃତ୍ୱର ଆବଶ୍ୟକତା ଅଛି। ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ଆଗାମୀ ନିର୍ବାଚନରେ ଲଢିବେ ଏହା ବିଜେପି ପାଇଁ ଶୁଭଙ୍କର ହେବ । ଯଦି ବିଜେପିକୁ ଓଡିଶାରେ ବିକଳ୍ପ କରିବାକୁ ଚାହୁଁଛନ୍ତି ତାଙ୍କୁ ମଇଦାନକୁ ଆସିବାକୁ ପଡିବ । ଲୋକମାନଙ୍କ ପାଖକୁ ଯିବାକୁ ପଡିବ । ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିବା ଓଡ଼ିଶା ବିଜେପି ପାଇଁ ଶୁଭ ସଙ୍କେତ ହେବ।’’

ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ ମଧ୍ୟ ପ୍ରଦେଶ ( 2018)ରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ଶିକ୍ଷା ସମେତ ଦକ୍ଷତା ବିକାଶ ଭଳି ମନ୍ତ୍ରଣାଳୟର ମନ୍ତ୍ରୀ ହୋଇଛନ୍ତି । ମୋଦି ସରକାରଙ୍କ ପୁରା ପ୍ରଥମ ପାଳି ଓ ଦ୍ବିତୀୟ ପାଳିର କିଛି ସମୟ ମଧ୍ୟ ପଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ । ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଧର୍ମେନ୍ଦ୍ର ପ୍ରଧାନ 2000 ମସିହାରେ ଅନୁଗୋଳ ପାଲଲହଡା ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ 2004 ମସିହାରେ ସେତେବେଳର ଦେଓଗଡ ଲୋକସଭା ଆସନରୁ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ 2009 ସାଧାରଣ ନିର୍ବାଚନରେ ପରାସ୍ତ ହୋଇଥିଲେ । 2009 ସାଧାରଣ ନିର୍ବାଚନରେ ପରାସ୍ତ ହୋଇଥିଲେ ମଧ୍ୟ ଧର୍ମେନ୍ଦ୍ର ଜାତୀୟ ରାଜନୀତିରେ ସକ୍ରିୟ ରହିଥିଲେ । ଏକାଧିକ ରାଜ୍ୟରେ ସାଂଗଠନିକ ଦାୟିତ୍ବ ନେଇ ଦଳ ପାଇଁ କାମ କରିଛନ୍ତି । ତାଙ୍କର ଏହି ସାଂଗଠନିକ ଦକ୍ଷତା ଦେଖି ବର୍ଷ 2012 ରେ ବିଜେପି ତାଙ୍କୁ ବିହାରରୁ ରାଜ୍ୟସଭାକୁ ପଠାଇଥିଲା ।

ସୂଚନାଯୋଗ୍ୟ ଯେ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଅଘୋଷିତ ପୋଷ୍ଟରବୟ । ତାଙ୍କ ନେତୃତ୍ବରେ ଓ ନିୟନ୍ତ୍ରଣରେ କାମ କରୁଛି ଓଡିଶା ବିଜେପି । କୁହାଯାଏ ଧର୍ମେନ୍ଦ୍ରଙ୍କ ବିନା ପ୍ରବାହରେ ରାଜ୍ୟ ବିଜେପିରେ ପତ୍ର ଟିଏ ହଲେ ନାହିଁ । 2017 ପଞ୍ଚାୟତ ନିର୍ବାଚନ ସମେତ 2019 ନିର୍ବାଚନ ମଧ୍ୟ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ବିଜେପି ଲଢିସାରିଛି । ଧର୍ମେନ୍ଦ୍ର ମଧ୍ୟ ରାଜ୍ୟ ବିଜେପିକୁ ନୂଆ ଗତ ଦେଇଛନ୍ତି । ହେଲେ ଦଳର ନିର୍ଦ୍ଦିଷ୍ଟ କିଛି ବର୍ଗର ନେତାଙ୍କ ଦ୍ବାରା ସେ ଗ୍ରହଣୀୟ ହୋଇପାରୁନାହାଁନ୍ତି । ଯାହାକୁ ନେଇ ରାଜ୍ୟ ବିଜେପିରେ ଗୋଷ୍ଠୀକନ୍ଦଳ ରହିଥିବା ଚର୍ଚ୍ଚା ହୁଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.