ନ୍ୟୁଜିଲାଣ୍ଡରେ ସମୁଦ୍ରରେ ବୁଡି ଦୁଇ ଭାରତୀୟ ମୃତ

author img

By

Published : Jan 24, 2023, 10:36 PM IST

ନ୍ୟୁଜିଲାଣ୍ଡ ସମୁଦ୍ରରେ ବୁଡି ଦୁଇ ଭାରତୀୟ ମୃତ

ନ୍ୟୁଜିଲାଣ୍ଡ ପିହା ବେଳାଭୂମୀରେ ଅଘଟଣ । ସମୁଦ୍ରରେ ବୁଡି ଦୁଇ ଭାରତୀୟ ମୃତ । ଦୁଇ ମୃତକ ଗୁଜୁରାଟ ବାସିନ୍ଦା । ନୂଆଦିଲ୍ଲୀକୁ ଅବଗତ କଲା ଭାରତୀୟ ଦୂତାବାସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡର ପିହା ବେଳାଭୂମୀରେ ସମୁଦ୍ରରେ ବୁଡିଯାଇ ଦୁଇ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଉଭୟ ମୃତକ 28 ବର୍ଷୀୟ ସୌରିନ ନାରାୟଣ କୁମାର ପଟେଲ ଓ 31 ବର୍ଷୀୟ ଅଂଶୁଲ ଶାହ ଜଣାପଡିଛି । ଉଭୟ ଗୁଜୁରାଟର ବାସିନ୍ଦା । ଆଜି ଅପରାହ୍ନରେ ସେମାନେ ସମୁଦ୍ରରେ ଗାଧୋଇବା ବେଳେ ଗଭୀର ଜଳରାଶି ମଧ୍ୟକୁ ଭାସି ଯାଇଥିଲେ । ତେବେ କିଛି ଘଣ୍ଟାର ଉଦ୍ଧାର ଅପରେସନ ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଅଘଟଣ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ନ୍ୟୁଜିଲାଣ୍ଡରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ଅବଗତ କରାଇଛି । ଭାରତୀୟ ଉଚ୍ଚାୟୁକ୍ତଙ୍କ ସଚିବ ଦୁର୍ଗା ଦାସ ଏନେଇ ଦୁଖଃପ୍ରକାଶ କରିବା ସହ ଅଘଟଣ ସମ୍ପର୍କରେ ନୂଆଦିଲ୍ଲୀକୁ ଅବଗତ କରିଛନ୍ତି । ସୌରିନ ନାରାୟଣ କୁମାର ପଟେଲ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ ନଭେମ୍ବର ମାସରୁ ନ୍ୟୁଜିଲାଣ୍ଡରେ କାର୍ଯ୍ୟରତ ଥିଲେ । ସେହିପରି ଅନ୍ୟଜଣେ ମୃତକ ଶାହ ସେଠାରେ ଏକ ଗ୍ୟାସ ଷ୍ଟେସନରେ କାର୍ଯ୍ୟରତ ଥିଲେ । ଉଭୟ ଶନିବାର ବୁଲିବା ପାଇଁ ପିହା ଯାଇଥିଲେ ବେଳେ ଆଜି ସେମାନେ ସେଠାରେ ଗାଧାଉଥିବା ବେଳେ ଏହି ଅଘଟଣ ଘଟିଛି । ଅଘଟଣ ନେଇ ପରିବାର ସଦସ୍ୟଙ୍କୁ ମଧ୍ୟ ଅବଗତ କରାଯାଇଛି । ତେବେ ପରିବାର ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉଭୟ ପହଁରା ଜାଣିନଥିଲେ ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ସେମାନେ କୂଳରେ ଗାଧାଉଥିବା ବେଳେ ଗଭୀର ସମୁଦ୍ରକୁ ଭାସି ଯାଇଥିଲେ । ଅନ୍ୟ ସହପର୍ଯ୍ୟଟକଙ୍କ ଠାରୁ ସୂଚନା ପାଇ ନିକଟରେ ଥିବା ଲାଇଫଗାର୍ଡ ତୁରନ୍ତ ଉଦ୍ଧାର ଅପରେସନ କରିଥିଲେ । ରେସକ୍ୟୁ ବୋଟରେ ସେମାନଙ୍କୁ ଖୋଜା ଖୋଜି କରାଯାଇଥିଲା । କିଛି ସମୟର ଖୋଜାଖୋଜି କରିବା ପରେ କିଛି ଦୂରତାର ବ୍ୟବଧାନ ମଧ୍ୟରେ ଜଣଙ୍କ ପରେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ କୂଳକୁ ଅଣାଯାଇଥିଲା । ମୃତଦେହକୁ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ଭାରତ ଫେରାଇ ଅଣାଯିବା ନେଇ ପ୍ରକ୍ରିୟା ଆରମ୍ଭ ହେବା ନେଇ ମଧ୍ୟ ସୂଚନା ମିଳିଛି । ପିହା ବେଳାଭୂମି ନ୍ୟୁଜିଲାଣ୍ଡର ଏକ ବହୁଳ ଦୁର୍ଘଟଣାପୂର୍ଣ୍ଣ ବେଳାଭୂମି ତାଲିକାରେ ରହିଛି । ଏଠାରେ ବିଗତ ଦିନରେ ମଧ୍ୟ ଏକାଧିକ ପର୍ଯ୍ୟଟକ ବୁଡି ଯିବାର ନଜିର ରହିଛି । ଉକ୍ତ ସ୍ଥାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲାଇଫଗାର୍ଡ ମଧ୍ୟ ମୁତୟନ କରିଛି । ଏହି ଦୁଇ ଭାରତୀୟ ପହଁରା ଜାଣିନଥିବାରୁ ଏପରି ଅଘଟଣର ଶିକାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.