Tripura Assembly Election: ଏକାକୀ ଲଢିବ TMC, ପ୍ରଚାର କରିବେ ମମତା ବାନାର୍ଜୀ

author img

By

Published : Jan 22, 2023, 7:53 AM IST

Etv Bharat

ଖୁବଶୀଘ୍ର ତ୍ରିପୁରା ପାଇଁ ସମସ୍ତ 60 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ଟିଏମସି । ଟିଏମସି ଆଶା ରଖିଛି ଦଳ ତ୍ରିପୁରାରେ ଗତ ନିର୍ବାଚନ ତୁଳନାରେ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ । ଅଧିକ ପଢନ୍ତୁ

କୋଲକାତା: ତ୍ରିପୁରା ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ତୃଣମୂଳ କଂଗ୍ରେସ । ଦଳ ରାଜ୍ୟର ସମସ୍ତ 60 ଆସନରେ ଦଳୀୟ ପ୍ରାର୍ଥୀ ଦେବ । ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ତ୍ରିପୁରା ପର୍ଯ୍ୟବେକ୍ଷକ ରାଜୀବ ବାନାର୍ଜୀ ।

ରାଜୀବ ବାନାର୍ଜୀ କହିଛନ୍ତି ‘‘ଅଭିଷେକଙ୍କ ସହ ବୈଠକରେ ପ୍ରତ୍ୟେକ ଆସନକୁ ନେଇ ଗଭୀର ଆଲୋଚନା ହୋଇଛି । ରାଜ୍ୟରେ ଟିଏମସିର ଉପସ୍ଥିତି, ବିଜୟ ସମ୍ଭାବନା ଓ ପ୍ରାର୍ଥୀତ୍ବ ସମ୍ପର୍କରେ ଆଲୋଚନା ପରେ ଦଳ ଏକାକି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି । ତୃଣମୂଳ କଂଗ୍ରେସ ତ୍ରିପୁରା ପାଇଁ ପ୍ରତ୍ୟେକ ଆସନରୁ 2 ଜଣ ଲେଖାଏଁ ମୋଟ 120 ଜଣିଆ ପ୍ରାର୍ଥୀ ତାଳିକା ପ୍ରସ୍ତୁତ କରିଛି । ଏଥିରୁ ଚୂଡାନ୍ତ 60 ଜଣିଆ ତାଳିକା ଦଳ ମୁଖ୍ୟ ନିର୍ଣ୍ଣୟ କରିବେ ।’’

ରାଜୀବ ବାନାର୍ଜୀ ଆହୁରି କହିଛନ୍ତି ଦଳ ଖୁବଶୀଘ୍ର ତ୍ରିପୁରା ପାଇଁ ସମସ୍ତ 60 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ । ଟିଏମସି ଆଶା ରଖିଛି ଦଳ ତ୍ରିପୁରାରେ ଗତ ନିର୍ବାଚନ ତୁଳନାରେ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ । ତ୍ରିପୁରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ସମେତ ଦଳର ବରିଷ୍ଠ ନେତା ପ୍ରଚାର କରିବେ ।

ସୂଚନାଯୋଗ୍ୟ ଯେ, 60 ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ଆଗାମୀ ଫେବୃୟାରୀ 16ରେ ହେବ । ଫେବୃୟାରୀ 27ରେ ମେଘାଳୟ ଓ ନାଗଲାଣ୍ଡ ବିଧାନସଭା ନିର୍ବାଚନ ହେବ । ମେଘାଳୟ ଓ ନାଗଲାଣ୍ଡରେ ମଧ୍ୟ 60ଟି ଲେଖାଏଁ ବିଧାନସଭା ଆସନ ରହିଛି । ତିନି ରାଜ୍ୟର ନିର୍ବାଚନ ଫଳାଫଳ ମାର୍ଚ 2 ତାରିଖରେ ଆସିବ । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଶାସନ କ୍ଷମତାରେ ରହିଛି । ନାଗଲାଣ୍ଡ ଓ ମେଘାଳୟରେ ବିଜେପି ମେଣ୍ଟ ସରକାର ଅଶୀଂଦାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.