Pathaan row: ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ଶାହାରୁଖ ଖାନ କିଏ ? ରାତି 2ଟାରେ ଫୋନ୍‌ କଲେ ଶାହରୁଖ

author img

By

Published : Jan 22, 2023, 10:53 PM IST

ରାତି 2 ଟାରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କଲେ ଶାହରୁଖ ଖାନ

ପଠାନ ଚଳଚିତ୍ର ବିବାଦ ମଧ୍ୟରେ ରିଲିଜ ପୂର୍ବରୁ ଆସାମରେ ଭଙ୍ଗାରୁଜା । ରାତି 2ଟାରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କଲେ ଶାହରୁଖ । ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରତିଶୃତି ଦେଲେ ବିଶ୍ବଶର୍ମା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଶାହାରୁଖ ଖାନ କିଏ ବୋଲି କହିବାର ମାତ୍ର ଗୋଟିଏ ଦିନ ପରେ ଶାହାରୁଖ ଖାନ ତାଙ୍କୁ କଲ କରିଛନ୍ତି । ଆସାମରେ ଶାହାରୁଖଙ୍କ ଅଭିନିତ ଚଳଚିତ୍ର ପଠାନ ରିଲିଜ ହେବାକୁ ଥିବା ସିନେମା ହଲରେ ଭଙ୍ଗାରୁଜା ପରେ ଶାହାରୁଖ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କୁ ଫୋନ କରିଥଲେ । ରାତି ପ୍ରାୟ 2ଟା ବେଳେ ଶାହାରୁଖଙ୍କ କଲ ଆସିଥିଲା ବେଳେ ସେ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ସହ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ପ୍ରତିଶୃତି ଦେଇଥିବା ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।

  • Bollywood actor Shri @iamsrk called me and we talked today morning at 2 am. He expressed concern about an incident in Guwahati during screening of his film. I assured him that it’s duty of state govt to maintain law & order. We’ll enquire and ensure no such untoward incidents.

    — Himanta Biswa Sarma (@himantabiswa) January 22, 2023 " class="align-text-top noRightClick twitterSection" data=" ">

ଗତକାଲି ଶାହାରୁଖଙ୍କ ପଠାନ ରିଲିଜ ହେବାକୁ ଥିବା ହଲରେ ଭଙ୍ଗାରୁଜା କରାଯିବା ଘଟଣାରେ ସାମ୍ବାଦିକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ସାମାନ୍ୟ ଅଣଦେଖା ଭଙ୍ଗୀରେ ଉତ୍ତର ଦେଇଥିବା ଦେଖିବାକୁ ମିଳିଥିଲା । ଶାହାରୁଖ ଖାନ କିଏ ବୋଲି କହିଥିଲେ ବିଶ୍ବଶର୍ମା । ସେହିପରି ସେ ତାଙ୍କ ଠାରୁ କୌଣସି କଲ୍‌ ପାଇନାହାନ୍ତି କି ସେ ତାଙ୍କ ସିନେମା ପଠାନ ସମ୍ପର୍କରେ କିଛି ଜାଣନ୍ତି ନାହିଁ ବୋଲି ମଧ୍ୟ କହିଥିଲେ ।

ଚଳିତ ମାସ ୨୫ ତାରିଖରେ ଏହି ଶାହାରୁଖ ଖାନଙ୍କ ଏହି ଚର୍ଚ୍ଚିତ ତଥା ବିବାଦୀୟ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ ହେବା ଆରମ୍ଭ ହୋଇଗଲାଣି । ଆସାମରେ ଫିଲ୍ମ ରିଲିଜ ହେବାକୁ ଥିବା ହଲରେ ବ୍ୟାନର ଚିରିବା ସହ ଭଙ୍ଗାରୁଜା ହୋଇଥିଲା । ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କୁ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଥିଲେ, "ଶାହାରୁଖ ଖାନ କିଏ ? ସେ ମତେ କଲ କରିନାହାନ୍ତି । ମୁଁ ତାଙ୍କ ସିନେମା ସମ୍ପର୍କରେ କିଛି ଜାଣିନି ।" ବିଶ୍ବଶର୍ମା ଆହୁରି ମଧ୍ୟ କହିଥିଲେ, ଅନେକ ବଲିଉଡର କଳାକାର ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରନ୍ତି । ଯଦି ଶାହାରୁଖ ସେପରି କରନ୍ତି ତାହାଲେ ସେ ଏଥିପ୍ରତି ଦୃଷ୍ଟି ଦେବେ ।

ତେବେ ବିଶ୍ବଶର୍ମାଙ୍କର ଏପରି ବୟାନ ସମ୍ନାକୁ ଆସିବାର ମାତ୍ର ଗୋଟିଏ ଦିନ ପରେ ଶାହାରୁଖ ଖାନ ତାଙ୍କୁ କଲ କରି ଘଟଣା ସମ୍ପର୍କରେ ଉଦବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ମଧ୍ୟ ତାଙ୍କୁ ଆଇନ ଶୃଙ୍ଖଳା ସ୍ଥିତି ନେଇ ନିଶ୍ଚିତ ମଧ୍ୟ କରିଛନ୍ତି । ଚଳିତ ମାସ 25ରେ ରିଲିଜ ହେବାକୁ ଯାଉଛି ଶାହାରୁଖ ଖାନଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘‘ପଠାନ’’ । ଗୀତ ରିଲିଜ ହେବା ପରେ ଏହି ସିନେମା ବିବାଦରେ ରହିଆସିଛି । ଫିଲ୍ମରେ ଥିବା ବେସରମ ରଙ୍ଗ ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ଗେରୁଆ ରଙ୍ଗର କ୍ଷୁଦ୍ର ପରିଧାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ଫିଲ୍ମକୁ କେତେକ ରାଜ୍ୟରେ ରିଲିଜ କରିବାକୁ ଅନୁମତି ମିଳିବ ନାହିଁ ବୋଲି ମଧ୍ୟ କିଛି ରାଜନେତା ମନ୍ତବ୍ୟ ରଖିଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.