ସମଗ୍ର ଦେଶ ପାଇଁ ଜନସଂଖ୍ୟା ନୀତି ଏକାନ୍ତ ଜରୁରୀ: ଭାଗବତ

author img

By

Published : Oct 5, 2022, 4:08 PM IST

ସମଗ୍ର ଦେଶ ପାଇଁ ଜନସଂଖ୍ୟା ନୀତି ଏକାନ୍ତ ଜରୁରୀ: ଭାଗବତ

ଦେଶରେ ବ୍ୟାପକ ବିଚାର ବିମର୍ଶ ପରେ ଜନସଂଖ୍ୟା ନୀତି ଆସିବା ନିହାତି ଜରୁରୀ ବୋଲି କହିଲେ ସଂଘ ପ୍ରମୁଖ ମୋହନ ଭାଗବତ (RSS Chief on Religion Based Population for all) । ନହେଲେ ଧର୍ମ ଭିତ୍ତିକ ଅସନ୍ତୁଳନ ଓ ବଳପୂର୍ବକ ଧର୍ମାନ୍ତରୀକରଣ ଆଶଙ୍କାର ଦେଲେ ଚେତାବନୀ । ଆଜି ସଂଘ ପାଳୁଛି ବିଜୟା ଦଶମୀ ଉତ୍ସବ । ଅଧିକ ପଢନ୍ତୁ

ମୁମ୍ବାଇ: ସାମ୍ପ୍ରତିକ ସ୍ଥିତିରେ ଭାରତକୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି । ଯଦି ଏହା ଉପରେ ଆବଶ୍ୟକ ପଦକ୍ଷେପ ନିଆନଯାଏ, ତେବେ ଦେଶକୁ 'ଧର୍ମ ଭିତ୍ତିକ ଅସନ୍ତୁଳନ' ଏବଂ 'ବଳପୂର୍ବକ ଧର୍ମାନ୍ତରୀକରଣ' ଭଳି ସଙ୍କଟର ସାମ୍ନା କରିବା ପାଇଁ ବେଶି ସମୟ ଲାଗିବ ନାହିଁ ବୋଲି ସଂଘ ପ୍ରମୁଖ ମୋହନ ଭାଗବତ (RSS Chief on Religion Based Population for all) କହିଛନ୍ତି । ଆଜି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ବିଜୟା ଦଶମୀ ଉତ୍ସବ ପାଳନ କରୁଛି । ସଂଘ ମୁଖ୍ୟାଳୟ ପୁଣେରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାଗବତ ଏପରି କହିଛନ୍ତି ।

ଭାଗବତ କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ସହିତ ଧାର୍ମିକ ଆଧାରରେ ଜନସଂଖ୍ୟା ସନ୍ତୁଳନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଯାହାକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ । ଏହାକୁ ସମୟ ଥାଉ ଥାଉ ସଚେତନ ନହୋଇ ଅଣଦେଖା କଲେ ଫଳ ସଙ୍ଗୀନ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟାପକ ବିଚାର ବିମର୍ଶ ସହ ସାମଗ୍ରିକ ଜନସଂଖ୍ୟା ନୀତି ପ୍ରସ୍ତୁତ ହେବା ଉଚିତ ଏବଂ ଏହା ଦେଶର ସମସ୍ତ ନାଗରିକଙ୍କ ପାଇଁ ସମାନ ଭାବରେ ଲାଗୁ କରାଯିବା ଉଚିତ । ଦେଶର ଜନସଂଖ୍ୟା ଯେତେ ଅଧିକ ହେବ, ତାହା ଦେଶର ବିକାଶ ଉପରେ ବୋଝ ସଦୃଶ ।

ଜନସଂଖ୍ୟାକୁ ସଠିକ ଭାବେ ଉପଯୋଗ କରିପାରିଲେ ତାହା ଏକ ସମ୍ବଳ ସଦୃଶ ହୋଇଥାଏ । କିନ୍ତୁ ଅହେତୁକ ବୃଦ୍ଧି ଆଦୌ ଉଚିତ ନୁହେଁ । ଆଗାମୀ 50 ବର୍ଷ ପରେ ଆମ ଦେଶର ଲୋକସଂଖ୍ୟା କେତେ ହୋଇଥିବ ଓ ସେହି ଲୋକସଂଖ୍ୟାକୁ ପଚିଚାଳନା କରିବା ପାଇଁ ଆମ ପାଖରେ ଆବଶ୍ୟକୀୟ ଭିତ୍ତିଭୂମି ଓ ସମ୍ବଳ ଅଛି କି ନାହିଁ ତାହା ଆମକୁ ଏବେ ଠାରୁ ଚିନ୍ତା କରିବାର ଆବଶ୍ୟକତା ରହିଥିବା ଭାଗବତ କହିଛନ୍ତି । ଦେଶର ବର୍ତ୍ତମାନର ସ୍ଥିତିକୁ ନେଇ ଭାଗବତ କହିଛନ୍ତି, ଦେଶ ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ଅଗ୍ରଗତି କରିବାରେ ଲାଗିଛି । ବିଶ୍ବରେ ଭାରତ ପ୍ରତି ବିଶ୍ବସନୀୟତା ମଧ୍ୟ ଅନୁରୂପ ଭାବେ ବଢିବାରେ ମଧ୍ୟ ଲାଗିଛି । ବିକାଶରେ ସମାଜର ସବୁ ବର୍ଗର ସହଯୋଗ ଓ ସକ୍ରିୟ ଭାଗିଦାରୀର ଆବଶ୍ୟକତା ରହିଛି ।

ମହିଳାଙ୍କୁ ବାଦ ଦେଇ ସମାଜରେ ବିକାଶ ଆସିବା ସମ୍ଭବପର ନୁହେଁ । ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ସହ ସ୍ବାବଲମ୍ବୀ କରିବା ପାଇଁ ପ୍ରୟାସ ଜାରି ରଖିବାକୁ ହେବ । ଚଳିତ ବର୍ଷ କାର୍ଯ୍ୟକ୍ରମରେ ସଂଘ ଜଣେ ବିଶିଷ୍ଟ ତଥା ସଫଳ ମହିଳାଙ୍କୁ ଅତିଥି ଭାବେ ନିମନ୍ତ୍ରିତ ମଧ୍ୟ କରିଛି । ପ୍ରଖ୍ୟାତ ମହିଳା ପର୍ବାତରୋହୀ ସନ୍ତୋଷ ଯାଦବ ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସଂଘର କାର୍ଯ୍ୟକ୍ରମରେ ମହିଳାଙ୍କୁ ନିମନ୍ତ୍ରଣ କରିବାର ପରମ୍ପରା ପୁରାତନ ବୋଲି ମଧ୍ୟ ଭାଗବତ କହିଥିଲେ । ତେବେ 2024 ସାଧାରଣ ନିର୍ବାଚନ ପାଖଉଥିବା ବେଳେ ଭାଗବତଙ୍କ ପରୋକ୍ଷ ଇସାରା ଏବେ ଦେଶରେ ଖୁବଶୀଘ୍ର ‘‘ୟୁନିଫର୍ମ ସିଭିଲ କୋଡ’’ ଲାଗୁ ପ୍ରକ୍ରିୟା ଆରମ୍ଭ ଚର୍ଚ୍ଚାକୁ ମଧ୍ୟ ବଳ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.