ବୃଦ୍ଧି ପାଉଥିବା ବ୍ଲାକ ଫଙ୍ଗସ୍ ସଂକ୍ରମଣ : କିଛି ଜାଣିବା କଥା

author img

By

Published : May 14, 2021, 12:00 PM IST

ବୃଦ୍ଧି ପାଉଥିବା ବ୍ଲାକ ଫଙ୍ଗସ୍ ସଂକ୍ରମଣ : କିଛି ଜାଣିବା କଥା

କୋଭିଡ ମହାମାରୀ ମଧ୍ୟରେ ଭାରତରେ ବ୍ଲାକ ଫଙ୍ଗଲ ସଂକ୍ରମଣ ବା ମୁକ୍ରୋମାଇକୋସିସ ଏବେ ଆଉ ଏକ ସ୍ୱାସ୍ଥ୍ୟ ଆହ୍ୱାନ ସୃଷ୍ଟି କରିଛି । ଯେଉଁମାନେ ନିକଟରେ କୋଭିଡରୁ ସୁସ୍ଥ ହୋଇଛନ୍ତି, ସେମାନଙ୍କଠାରେ ଏହି ରୋଗ ଦେଖାଦେଉଛି । ଦେଶରେ କୋରୋନାର ନୂଆ ଷ୍ଟ୍ରେନ୍ ତାଣ୍ଡବ ସୃଷ୍ଟି କରିଥିବା ବେଳେ କୋଭିଡ ପରବର୍ତ୍ତୀ ସ୍ଥିତିରେ ଆକ୍ରମଣ କରୁଥିବା ବ୍ଲାକ ଫଙ୍ଗସ ଏବେ ଆଉ ଏକ ବଡ ଚିନ୍ତାର କାର ହୋଇଛି । ଶରୀରରେ ଏହା ଦ୍ରୁତ ଭାବେ ବିସ୍ତାର ହୋଇଥାଏ । ଆରମ୍ଭରୁ ଚିକିତ୍ସା ନ କଲେ ଏହା ମାରାତ୍ମକ ହୋଇଥାଏ । ଆଇସିଏମଆର୍ ଏ ସଂପର୍କରେ ଏକ ଆଡଭାଇଜରୀ ଜାରି କରିଛି । ଆସନ୍ତୁ ଏ ବାବଦରେ ଅଧିକ ଜାଣିବା ।

ସଂପ୍ରତି ଆମ ଦେଶ କୋରୋନାର ନୂଆ ଷ୍ଟ୍ରେନ୍ ସହ ଲଢେଇ କରୁଥିବା ବେଳେ ଏକ ନୂଆ ପୋଷ୍ଟ-ରିକଭରୀ ସ୍ଥିତି ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ତାହା ହେଲା ବ୍ଲାକ୍ ଫଙ୍ଗଲ ସଂକ୍ରମଣ । ଏହା ମୁକ୍ରୋମାଇକୋସିସ୍ ଭାବେ ବି ଜଣାଶୁଣା । ଏହି ସଂକ୍ରମଣ ଅତି ଦ୍ରୁତଗତିରେ ବିସ୍ତାର ହୋଇ ଜଟିଳ ହୋଇଥାଏ । ଠିକ୍ ସମୟରେ ଚିକିତ୍ସା ନ କଲେ ଏହା ମାରାତ୍ମକ ସାବ୍ୟସ୍ତ ହୋଇଥାଏ । ଅନିୟନ୍ତ୍ରିତ ସୁଗାର ଲେବଲ ସହ ଏହି ସଂକ୍ରମଣ ସଂପୃକ୍ତ । କୋଭିଡ-୧୯ ଚିକିତ୍ସାର ଅଂଶ ସ୍ୱରୂପ ଷ୍ଟେରଅଏଡ୍ ସେବନ କରିଥିବା ରୋଗୀଙ୍କଠାରେ ଏହି ସଂକ୍ରମଣ ଅଧିକ ଦେଖାଯାଏ । ବିଶେଷ କରି ମଧୁମେହ ରୋଗୀଙ୍କଠାରେ ବି ଫଙ୍ଗଲ ସଂକ୍ରମଣର ତୀବ୍ରତା ଅଧିକ । ଠିକ୍ ସମୟରେ ଚିହ୍ନଟ ହୋଇପାରିଲେ ବ୍ଲାକ ଫଙ୍ଗଲ ରୋଗର ଚିକିତ୍ସା ହୋଇପାରିବ ।


ମୁକ୍ରୋମାଇକୋସିସ୍ କ’ଣ ?

ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ ( ସିଡିସି ) ଅନୁସାରେ ମୁକ୍ରୋମାମାଇକୋସିସ ଏକ ଗମ୍ଭୀର କିନ୍ତୁ ବିରଳ ଫଙ୍ଗଲ ସଂକ୍ରମଣ । ମୁକ୍ରୋମାଇକୋସିସ୍ ନାମକ ଏକ ମୋଲ୍ଡ ଗ୍ରୁପ୍ ଦ୍ୱାରା ଏହି ସଂକ୍ରମଣ ହୋଇଥାଏ । ପରିବେଶରେ ଏହି ମୋଲଡ୍ ଗୁଡିକ ସକ୍ରିୟ ରହିଥାନ୍ତି । ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ମୁକ୍ରୋମାଇକୋସିସ ପ୍ରଭାବିତ କରିଥାଏ । ଏହାଛଡା ସେହି ଲୋକମାନଙ୍କୁ ବି ଏହା ପ୍ରଭାବିତ କରିଥାଏ, ଯେଉଁମାନଙ୍କର ଶରୀର ଭୂତାଣୁ ଓ ଅସୁସ୍ଥତା ସହ ଲଢେଇର ସାମର୍ଥ୍ୟ ହ୍ରାସ ପାଇଥାଏ । ମୁକ୍ରୋମାଇକୋସିସ ବାୟୁରୁ ଫଙ୍ଗଲ ସ୍ପୋର୍ ଆଘ୍ରାଣ ପରେ ସାଧାରଣତଃ ସାଇନସସ୍ ବା ଫୁସଫୁସକୁ ପ୍ରଭାବିତ କରେ । ଏହାଛଡା ଚର୍ମରେ କୌଣସି ପ୍ରକାର ଆଘାତ ହେଲେ ବି ଏହି ସଂକ୍ରମଣ ହୋଇଥାଏ ।

ରିସ୍କ ଫ୍ୟାକ୍ଟର, ଲକ୍ଷଣ

ପରିସ୍ଥିତି ଚିନ୍ତାଜନକ ହୋଇଥିବା ବେଳେ ଅଧିକରୁ ଅଧିକ ଲୋକ ଏହି ନିର୍ଦ୍ଦିଷ୍ଟ ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି । ବିଶେଷ କରି କୋଭିଡରୁ ସୁସ୍ଥ ହୋଇଥିବା ଲୋକ ଓ ମଧୁମେହ ରୋଗୀଙ୍କଠାରେ ଏହି ସଂକ୍ରମଣ ଦେଖାଦେଉଛି । ଏ ପରିପ୍ରେକ୍ଷୀରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ -ଆଇସିଏମଆର ପକ୍ଷରୁ ପ୍ରମାଣ ଭିତ୍ତିକ ଆଡଭାଇଜରୀ ଜାରି କରାଯାଇଛି ।


କେଉଁମାନେ ଅଧିକ ପ୍ରଭାବିତ ହେବେ ?

  • ଅନିୟନ୍ତ୍ରିତ ସୁଗାର ଲେବଲ ଥିବା ମଧୁମେହ ରୋଗୀ
  • ଷ୍ଟେରଏଡ୍ ନେଉଥିବା ବ୍ୟକ୍ତି
  • ଦୀର୍ଘ ଦିନ ଧରି ଆଇସିୟୁରେ ଥିବା ରୋଗୀ
  • ସହରୁଗଣତା ଥିବା ବ୍ୟକ୍ତି
  • ଭୋରିକୋନାଜଲ୍ ଥେରାପି ନେଇଥିବା ବ୍ୟକ୍ତି

ଲକ୍ଷଣ

  • ସାଇନସଟିସ୍ - ନାସାଲ ବ୍ଲକେଡ୍ ବା କଂଜେସନ, ନାକରୁ କଳା ପାଣି ବାହାରିବା, ମାଢିରେ ଯନ୍ତ୍ରଣା
  • ଏକପାଖିଆ ମୁଖପୀଡା, ମୁହଁ ଫୁଲିଯିବା
  • ନାସିକା ରନ୍ଧ୍ରରୁ କଳାପାଣି ବାହାରିବା
  • ଦାନ୍ତବିନ୍ଧା
  • ଆଖିକୁ ଝାପସା ଝାପସା ଦିଶିବା, ସବୁ ୨ଟା ଲେଖାଏଁ ଦିଶିବା, ଜ୍ୱର, ସ୍କିନ୍ ଲେସିଅନ୍‌, ଥ୍ରୋଂବୋସିସ୍ ଓ ନେକ୍ରୋସିସ୍
  • ଛାତି ଯନ୍ତ୍ରଣା, ପ୍ଲିଉରାଲ, ହେଇମୋପଟିସ୍‌ସ , ଶ୍ୱସନ ବ୍ୟବସ୍ଥା ଖରାପ ହେବ ଆଦି ଲକ୍ଷଣ ।

ସତର୍କତା, ଯାଂଚ ଓ ଚିକିତ୍ସା

୧. ହାଇପରଗ୍ଲିସେମିଆ ନିୟନ୍ତ୍ରଣ

୨. କୋଭିଡ-୧୯ରୁ ସୁସ୍ଥତା ପରେ ବ୍ଲଡ ଗ୍ଲୁକୋଜ ଲେବଲ ତଦାରଖ କରନ୍ତୁ ।

୩. ସତର୍କତା ଭାବେ ଷ୍ଟେରଏଡ ବ୍ୟବହାର କରନ୍ତୁ । ଠିକ୍ ସମୟରେ, ସଠିକ ଡୋଜ ଓ ଅବଧି ମଧ୍ୟରେ ନିଅନ୍ତୁ ।

୪. ଅକ୍ସିଜେନ ଥେରାପି ବେଳେ ହ୍ୟୁମିଡଫାୟର୍ସ ପାଇଁ ସ୍ୱଚ୍ଛ ପାଣି ବ୍ୟବହାର କରନ୍ତୁୁ ।

୫. ଆଂଟିବାୟୋଟିକ୍ସ ଓ ଆଂଟିଫଙ୍ଗଲସ୍ ସତର୍କତାର ସହ ବ୍ୟବହାର କରନ୍ତୁ ।

୬. କୌଣସି ଲକ୍ଷଣକୁ ଉପେକ୍ଷା କରନ୍ତୁ ନାହିଁ ।

୭. ନାକ ଅବରୋଧର ସବୁ ମାମଲାକୁ ବ୍ୟାକଟେରିଆଲ ସାଇନସିଟିସ୍ ବୋଲି ଭାବନ୍ତୁ ନାହିଁ ।

୮. ଫଙ୍ଗାଲ ଇଟିଓଲୋଜି ଚିହ୍ନଟ ପାଇଁ ଜୋରଦାର ଯାଂଚ କରନ୍ତୁ ।

୯. ସଂକ୍ରମଣ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା ଆରମ୍ଭ କରନ୍ତୁ ।

ବ୍ଲାକ୍ ଫଙ୍ଗଲ ସଂକ୍ରମଣର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆଇସିଏମଆର ଅନୁସାରେ ବ୍ଲାକ ଫଙ୍ଗସ୍ ଚିକିତ୍ସା ପାଇଁ ନିମ୍ନଲିଖିତ ବଶେଷଜ୍ଞମାନଙ୍କ ସହ ପରାମର୍ଶ କରାଯାଇପାରେ ।

୧. ମାଇକ୍ରୋବାୟୋଲୋଜିଷ୍ଟ

୨. ଇଂଟରନାଲ୍ ମେଡିସିନ ସ୍ପେଶାଲିଷ୍ଟ

୩. ଇଂଟେନସିଭିଷ୍ଟ

୪. ନ୍ୟୁରୋଲୋଜିଷ୍ଟ

୫. ଇଏନଟି ସ୍ପେଶାଲିଷ୍ଟ

୬. ଅପଥାଲମୋଲୋଜିଷ୍ଟ

୭. ଡେଂଟିଷ୍ଟ

୮. ସର୍ଜନ ( ମାକ୍ସିଲୋଫାସିଆଲ/ପ୍ଲାଷ୍ଟିକ )

୯. ବାୟୋକେମିଷ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.