ମନମୋହନ ସିଂଙ୍କ ଆଶୁଆରୋଗ୍ୟ କାମନା କଲେ ମୋଦି

author img

By

Published : Oct 14, 2021, 12:49 PM IST

ମନମୋହନ ସିଂଙ୍କ ଆଶୁଆରୋଗ୍ୟ କାମନା କଲେ ମୋଦି

ଅସୁସ୍ଥତା ହେତୁ ଦିଲ୍ଲୀ ଏମ୍ସ(AIIMS)ରେ ଭର୍ତ୍ତି ହୋଇଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଆଶୁଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଅସୁସ୍ଥତା ହେତୁ ଗତକାଲି ଦିଲ୍ଲୀ ଏମ୍ସ(AIIMS)ରେ ଭର୍ତ୍ତି ହୋଇଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଏନେଇ ତାଙ୍କର ଆଶୁଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ଯେ ‘ଡକ୍ଟର ମନମୋହନ ସିଂଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି’ ।

ସେହିପରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନଶୁଖ ମାଣ୍ଡଭିୟ ଆଜି ସକାଳେ ମନମୋହନ ସିଂଙ୍କୁ ହସ୍ପିଟାଲରେ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ଏହାପରେ ଏକ ଟ୍ବିଟ କରି ଆଶୁଆରୋଗ୍ୟ କାମନା କରିଛନ୍ତି । ତେବେ ଗତକାଲି ଜ୍ବର ଓ ଦୁର୍ବଳତା ଯୋଗୁଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ । ଏବେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍ପିଟାଲ ତରଫରୁ ସୂଚନା ମିଳିଛି ।

ଚଳିତ ବର୍ଷ ୧୯ ଏପ୍ରିଲରେ ମନମୋହନ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇ ୨୯ ଏପ୍ରିଲରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଙ୍କ ହୃଦରୋଗ କାରଣରୁ ବାଇପାସ ସର୍ଜରୀ ମଧ୍ୟ ହୋଇସାରିଛି । 1990 ୟୁକେରେ ହୋଇଥିଲା ତାଙ୍କର ପ୍ରଥମ ଅସ୍ତ୍ରୋପଚାର । ଏହାପରେ 2009ରେ ଏମ୍ସରେ ମନମୋହନଙ୍କ ଦ୍ବିତୀୟ ଅସ୍ତ୍ରୋପଚାର ମଧ୍ୟ ସଫଳ ରହିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.