ଆଜି ନୀତି ଆୟୋଗ ବୈଠକ: ମମତା ନୀତିଶଙ୍କ ସମେତ 6 ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେନି ସାମିଲ

author img

By

Published : May 27, 2023, 9:11 AM IST

ଆଜି ନୀତି ଆୟୋଗ ବୈଠକ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗ ପରିଚାଳନା ପରିଷଦର ଅଷ୍ଟମ ବୈଠକ ବସିବ । ୮ଟି ପ୍ରମୁଖ ବିଷୟ ଉପରେ ଆଲୋଚନା କରାଯିବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ପରିଚାଳନା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହେବ । ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ବସିବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ବୈଠକରେ 'ବିକଶିତ ଭାରତ@ ୨୦୪୭: ରୋଲ ଅଫ୍ ଟିମ୍ ଇଣ୍ଡିଆ' ଥିମ୍ ଉପରେ ଆଲୋଚନା ହେବ । ଏହାସହିତ ମହିଳା ସଶକ୍ତିକରଣ, ଏମଏସଏମଇ, ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ଗତିଶକ୍ତି ଯୋଜନା ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ । ୨୦୪୭ ସୁଦ୍ଧା ଭାରତକୁ ଏକ ସମୃଦ୍ଧ ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବା ଏହାର ମୂଳ ଉଦ୍ଦେଶ୍ୟ ।

ଆଜିର ନୀତି ଆୟୋଗ ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ, ବହୁ କେନ୍ଦ୍ରମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସମେତ ସଦସ୍ୟମାନେ ଯୋଗ ଦେବେ । ବୈଠକରେ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ସେଗୁଡିକ ହେଲା ବିକଶିତ ଭାରତ@2047, MSME କୁ ଗୁରୁତ୍ବ, ଭିତ୍ତିଭୂମି ଓ ନିବେଶ, ଅନୁପାଳନ ହ୍ରାସ, ମହିଳା ସଶକ୍ତିକରଣ, ସ୍ବାସ୍ଥ୍ୟ ଓ ପୋଷଣ, ଦକ୍ଷତା ବିକାଶ, ସମାଜିକ ଭିତ୍ତିଭୂମି ଓ ଆଞ୍ଚଳିକ ବିକାଶ ପାଇଁ ଗତି ଶକ୍ତି ।

ଅଷ୍ଟମ ପରିଚାଳନା ପରିଷଦ ବୈଠକ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ରୋଡମ୍ୟାପ ପ୍ରସ୍ତୁତ ଲାଗି ଅବସର ପ୍ରଦାନ କରୁଛି, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟଗୁଡିକ ଟିମ୍ ଇଣ୍ଡିଆ ରୂପେ ମିଳିତ ଭାବେ କାର୍ଯ୍ୟ କରିପାରିବେ । ନୀତି ଆୟୋଗ କହିବା ମୁତାବକ, ଆୟୋଗର ୮ମ ପରିଚାଳନା ବୈଠକ ଭାରତର ଜି-୨୦ ଅଧ୍ୟକ୍ଷତାର ପୃଷ୍ଠଭୂମିରେ ଆୟୋଜିତ କରାଯାଉଛି ।

ନୀତି ଆୟୋଗ ପରିଚାଳନା ପରିଷଦର ବୈଠକକୁ ଅନେକ ରାଜନୈତିକ ଦଳଗୁଡିକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏଥିରେ ଯୋଗ ଦେବନି ବୋଲି ପୂର୍ବରୁ ଘୋଷଣା କରିଛନ୍ତି ।

ଦିଲ୍ଲୀର ଶାସନ କ୍ଷମତାକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ପାଇଁ ବୈଠକରେ ଯୋଗ ଦେବେନି ବୋଲି କେଜ୍ରିୱାଲ ମୋଦିଙ୍କୁ ଚିଠି ଲେଖି ଜଣାଇଛନ୍ତି । ନୀତି ଆୟୋଗର ଉଦ୍ଦେଶ୍ୟ ହେଉଛି ଭାରତବର୍ଷର ଭିଜନକୁ ପ୍ରସ୍ତୁତ କରିବା ଓ ସହକାରୀ ସଂଘବଦ୍ଧତାକୁ ବଜାୟ ରଖିବା । ହେଲେ ଗତ କିଛି ବର୍ଷ ଧରି ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.