ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କୁ ଆଜୀବନ କାରାଦଣ୍ଡ

author img

By

Published : Sep 14, 2021, 8:18 PM IST

ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କୁ ଆଜୀବନ କାରାଦଣ୍ଡ

ସାଥୀ ଶ୍ରମିକର ହତ୍ୟା ଅଭିଯୋଗରେ ଓଡିଆ ଶ୍ରମିକ ମୁକୁନ୍ଦ ରନ୍ଧାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ତେଲେଙ୍ଗାନାର କୋର୍ଟ । ଅଭିଯୁକ୍ତ ମୁକୁନ୍ଦ ରନ୍ଧାରୀ ନବରଙ୍ଗପୁରର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର: ପଡୋଶୀ ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କୁ ଆଜୀବନ କାରାଦଣ୍ଡ । ସାଥୀ ଶ୍ରମିକର ହତ୍ୟା ଅଭିଯୋଗରେ ଅଭିଯୁକ୍ତ ମୁକୁନ୍ଦ ରନ୍ଧାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ । ଅଭିଯୁକ୍ତ ମୁକୁନ୍ଦ ରନ୍ଧାରୀ ନବରଙ୍ଗପୁରର ହୋଇଥିବା ଜଣାପଡିଛି ।

ଗତ ବର୍ଷ ମେ ୮ରେ ତେଲେଙ୍ଗାନାର ମେଡିପାଲ୍ଲି ପୋଲିସ କୋଥାକୋଟା ଭେଙ୍କଟେଶଙ୍କଠାରୁ ଏକ ଅଭିଯୋଗ ପାଇଥିଲା । ଅଭିଯୋଗ ଅନୁଯାୟୀ, ବୁଦ୍ଦ ନଗରରେ ପି. ୟେଲ୍ଲାପ୍ପାଙ୍କ ନିର୍ମାଣାଧିନ କୋଠାରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ କୋଥାକୋଟା ଭେଙ୍କଟେଶ । ତାଙ୍କ ସମ୍ପର୍କୀୟ ପି ସୁଧାକରଣ ମଧ୍ୟ ସେଣ୍ଟ୍ରିଂ କଣ୍ଟ୍ରାକ୍ଟର ଭାବରେ ସମାନ ବିଲ୍ଡିଂ ନିର୍ମାଣ ପାଇଁ ଠିକା ନେଇଥିଲେ ।

ଓଡିଶାରୁ ୨ ଶ୍ରମିକ ଜୟରାମ ଓ ମୁକୁନ୍ଦ ସୁଧାକରଙ୍କ ଅଧିନରେ କାମ କରିବା ସହିତ ଏହି ନିର୍ମାଣାଧିନ କୋଠାରେ ରହୁଥିଲେ । ଲକଡାଉନ କାରଣରୁ କାମ ବନ୍ଦ ହୋଇଯାଇଥିଲା । ସୁଧାକର ଜୟରାମଙ୍କୁ ୧୪ ହଜାର ଟଙ୍କା ଦେଇ ସାଥି ଶ୍ରମିକ ମୁକୁନ୍ଦ ମଧ୍ୟରେ ସମାନ ଭାବରେ ବାଣ୍ଟି ନେବାକୁ କହିଥିଲେ । ହେଲେ ନିଜର କୌଣସି ଆବଶ୍ୟକତା କାରଣରୁ ସବୁତକ ଟଙ୍କା ଖର୍ଚ୍ଚ କରିଦେଇଥିଲେ ଜୟରାମ । ଏହି କାରଣରୁ ୨୦୨୦ ମେ ୬ରେ ମୁକୁନ୍ଦ ଓ ଜୟରାମ ମଧ୍ୟରେ ଝଗଡା ହୋଇଥିଲା ।

ପାଟିତୁଣ୍ଡ ଶୁଣି ସେହି ବିଲ୍ଡିଂରେ ଆଉ କିଛି ଶ୍ରମିକ ଦୌଡିଯାଇ ଉଭୟ ଜୟରାମ ଓ ମୁକୁନ୍ଦଙ୍କୁ ଅଲଗା କରିଥିଲେ । ହେଲେ ରାଗରେ ଜୟରାମକୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର ରଚିଥିଲା ମୁକୁନ୍ଦ । ସେହିଦିନ ମୁକୁନ୍ଦ ପୁଣିଥରେ ଜୟରାମ ସହ ଝଗଡା କରିବା ଆରମ୍ଭ କରିଥିଲା । ମୁକୁନ୍ଦର ରାଗ ଏତେମାତ୍ରାରେ ବଢିଯାଇଥିଲା ଯେ, ସେ ଜୟରାମକୁ ଏକ ଲୁହା ରଡ୍‌ରେ ମୁଣ୍ଡକୁ ପିଟିପିଟି ଲହୁଲୁହାଣ କରିଦେଇଥିଲା ।

ଗୁରୁତର ଅବସ୍ଥାରେ ଜୟରାମକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲା ଜୟରାମ । ଘଟଣାକୁ ନେଇ ମେଡିପାଲ୍ଲୀ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ ସମସ୍ତ ପ୍ରମାଣକୁ ଆଧାର କରି ପୋଲିସ ଅଭିଯୁକ୍ତ ମୁକୁନ୍ଦକୁ ଗିରଫ କରିଥିଲା । ପରେ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ସମସ୍ତ ଅଭିଯୋଗ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତ ମୁକୁନ୍ଦକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.