12th Exam: ନକ୍ସଲ ଯୁବତୀଙ୍କୁ ସଫଳତା, ବନ୍ଧୁକ ଛାଡି ଧରିଥିଲେ କଲମ

author img

By

Published : May 26, 2023, 10:44 PM IST

Etv Bharat

ଦ୍ବାଦଶ ପରୀକ୍ଷାରେ ନକ୍ସଲ ଯୁବତୀଙ୍କୁ ସଫଳତା । ଅନ୍ୟ ନକ୍ସଲଙ୍କ ପାଇଁ ସାଜିଲେ ପ୍ରେରଣାର ଉତ୍ସ । ଅଧିକ ପଢନ୍ତୁ

ମୁମ୍ବାଇ: ହିଂସା ରାସ୍ତା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ବନ୍ଧୁକ ଛାଡ଼ି ହାତରେ କଲମ ଧରିଥିଲେ । ଆଉ ନିଷ୍ଠାର ସହିତ ପାଠ ପଢି ଶେଷରେ ନକ୍ସଲ ଯୁବତୀଙ୍କୁ ମିଳିଛି ସଫଳତା । ଗତ କିଛି ଦିନ ତଳେ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ନକ୍ସଲରୁ ଛାତ୍ରୀ ପାଲଟିଥିବା ରଜୁଲା ହିଦାମି ୪୫.୮୩ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ମାତ୍ର ୧୫ବର୍ଷ ବୟସରେ ତାଙ୍କ ବିରୋଧରେ ୬ଟି ସଙ୍ଗୀନ ଅପରାଧିକ ମାମଲାରେ ରହିଥିବା ବେଳେ ସେ ଏକଦା ଗଡଚିରୋଲି ଅଞ୍ଚଳରେ ଆତଙ୍କ ଖେଳାଇଥିଲେ । ଆଜି ଦ୍ବାଦଶ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ନକ୍ସଲଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ରଜୁଲା ଖୁବ କମ ବୟସରୁ ଏହି ହିଂସା ଜନିତ କାର୍ଯ୍ୟରେ ଜଡ଼ିତ ଥିଲେ । ହେଲେ ପୋଲିସ ଅଫିସର ସନ୍ଦୀପ ଅତୋଲଙ୍କ ପାଇଁ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଥିଲା । ସେ ଶେଷରେ ମାରଣାସ୍ତ୍ରକୁ ଫିଙ୍ଗିଥିଲେ । ଏହାପରେ ସେ ଆତ୍ମସମର୍ପଣ କରି ନିଜର ପାଠପଢା ଆରମ୍ଭ କରିଥିଲେ । ଆଉ ଶେଷରେ ଦ୍ବାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ରଜୁଲା ଗୋଣ୍ଡିଆ ଓ ଗଡ଼ଚିରୋଲି ଅଞ୍ଚଳରେ ନକ୍ସଲବାଦୀ ଭାବେ ବେଶ ସକ୍ରିୟ ଥିଲେ । ତାଙ୍କ ବିରୋଧରେ ୬ଟି ସାଙ୍ଘାତିକ ମାମଲା ରହିଥିଲା । ଲୁଟପାଟ, ବିସ୍ଫୋରଣ ସମେତ ପୋଲିସ ଉପରେ ଗୁଳି ଚଳାଇବା ପରି ମାମଲା ତାଙ୍କ ବିରୋଧରେ ରହିଥିଲା । ଏତେ କମ ବୟସରେ ରଜୁଲା କାହିଁକି ନକ୍ସଲଙ୍କ ସହିତ ଜଡ଼ିତ ଥିଲା ସେ ନେଇ ଟେର ପାଉନଥିଲା ପୋଲିସ ।

ଏହା ବି ପଢନ୍ତୁ- ୟାସିନକୁ ମୃତ୍ୟୁଦଣ୍ଡ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ NIA, ୨୯ରେ ଶୁଣାଣି

ଗୋଣ୍ଡିଆ ଅଞ୍ଚଳରେ ପୋଲିସ ଅଧିକାରୀ ସନ୍ଦୀପ ଅତୋଲ ଏସପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାପରେ ସେ ରଜୁଲାର ମନକୁ ପରିବର୍ତ୍ତନ କରିବାରେ ସଫଳ ହୋଇଥିଲେ । ଏହାପରେ ଗତ ୨୦୧୮ ମସିହାରେ ରଜୁଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ଏହାପରେ ରଜୁଲା ପାଠପଢା ଆରମ୍ଭ କରିଥିଲା । ରଜୁଲାର ପିତାଙ୍କ ଦେହାନ୍ତ ଘଟିବା ପରେ ତାର ମାଆ ଦ୍ବିତୀୟ ବିବାହ କରିଥିଲେ । ଏଣୁ ରଜୁଲା ଛୋଟ ବେଳେ ଏକାକୀ ହୋଇପଡ଼ିଥିଲେ । ତାଙ୍କୁ ଗାଇଡ କଲା ଭଳି କେହିନଥିବାରୁ ସେ କମ ବୟସରେ ନକ୍ସଲମାନଙ୍କ ସହିତ ମିଶି ଏପରି ହିଂସାକାଣ୍ଡରେ ଲିପ୍ତ ରହିଥିଲେ । ମାତ୍ର ଏସପି ସନ୍ଦୀପ ତାଙ୍କୁ ବୁଝାଇବା ପରେ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ ।

ରଜୁଲା ସନ୍ଦୀପ ଅତୋଲ ଓ ତାଙ୍କ ପରିବାରକୁ ନିଜ ପରିବାର ବୋଲି କହିଥାଏ । ସେପଟେ ରଜୁଲାର ଏହି ବିରାଟ ପରିବର୍ତ୍ତନ ନେଇ ବେଶ ଖୁସି ବ୍ୟକ୍ତ କରନ୍ତି ଏସପି ସନ୍ଦୀପ । ଅନ୍ୟପଟେ ରଜୁଲାଙ୍କ ପରି ଅନେକ ଯୁବପୀଢି ନକ୍ସଲ ସଂଗଠନରେ ଜଡ଼ିତ ରହିଛନ୍ତି । ଏବେ ସେମାନଙ୍କ ଲାଗି ରଜୁଲା ପ୍ରେରଣାର ଉତ୍ସ ପାଲଟିଛନ୍ତି । ହେଲେ ଏତେ କମ ବୟସରେ ନକ୍ସଲ ସଂଗଠନରେ ସାମିଲ ହେବାରେ ରଜୁଲା ପ୍ରଥମ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ରଜୁଲା ପରବର୍ତ୍ତୀ ସମୟରେ ପୋଲିସ ଫୋର୍ସରେ ଯୋଗଦେବ ବୋଲି କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.