ବିମାନରେ ବୋମା ଆତଙ୍କ: ଉଜବେକିସ୍ତାନରେ ଅବତରଣ କଲା ଋଷିଆରୁ ଗୋଆ ଆସୁଥିବା ବିମାନ

author img

By

Published : Jan 21, 2023, 11:47 AM IST

Updated : Jan 21, 2023, 2:21 PM IST

ଉଜବେକିସ୍ତାନରେ ଅବତରଣ କଲା ଋଷିଆରୁ ଗୋଆ ଆସୁଥିବା ବିମାନ

ଉଜବେକିସ୍ତାନରେ ଅବତରଣ କଲା ଋଷିଆରୁ ଗୋଆ ଆସୁଥିବା ବିମାନ । ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଏହାକୁ ଉଜବେକିସ୍ତାନରେ ଅବତରଣ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ପାନାଜୀ: ଋଷିଆ ରାଜଧାନୀ ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ । ଅଜୁର ଏୟାରର ବିମାନ(AZV2463) ମସ୍କୋରୁ ଆଜି ଗୋଆ ଅଭିମୁଖେ ଆସୁଥିବା ବେଳେ ଏଥିରେ ବୋମା ଥିବାର ସୂଚନା ମିଳିଛି । ଏହାପରେ ବିମାନର ଦିଗକୁ ପରିବର୍ତ୍ତନ କରାଯାଇ ଏହାକୁ ଉଜବେକିସ୍ତାନରେ ଅବତରଣ କରାଯାଇଛି । ବିମାନରେ ୨ ଜଣ ଶିଶୁ ଓ ୭ ଜଣ କ୍ରୁଙ୍କ ସମେତ ମୋଟ ୨୩୮ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନା ମୁତାବକ, ୨୪୦ ଯାତ୍ରୀଙ୍କୁ ନେଇ ଅଜୁର ଏୟାର ବିମାନ ମସ୍କୋରୁ ଗୋଆ ଅଭିମୁଖେ ଉଡାଣ ଭରିଥିଲା । ବିମାନଟି ଆଜି ସକାଳ ୪ଟା ୧୫ ମିନିଟ୍ ସମୟରେ ସାଉଥ ଗୋଆ ସ୍ଥିତ ଦାବୋଲିମ ବିମାନ ବନ୍ଦରରେ ଅବତରଣ କରିବାର ଥିଲା । ମାତ୍ର ବିମାନଟି ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପୂର୍ବରୁ ଏଥିରେ ବୋମା ଥିବା ନେଇ ସୂଚନା ମିଳିଥିଲା । ରାତି ପ୍ରାୟ ସାଢେ ୧୨ଟା ସମୟରେ ଦୋବାଲିମ ଏୟାରପୋର୍ଟକୁ ବୋମା ସମ୍ପର୍କରେ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା ।

ଏହା ଖବର ପାଇବା ପରେ ପାଇଲଟ୍ ସୁରକ୍ଷା ଦୃଷ୍ଟିରୁ ସଙ୍ଗେ ସଙ୍ଗେ ବିମାନର ଗତି ବଦଳାଇ ଉଜବେକିସ୍ତାନରେ ଅବତରଣ କରାଇଛନ୍ତି । ଏହି ଘଟଣା ପୂର୍ବରୁ ଦୁଇ ସପ୍ତାହ ତଳେ ମସ୍କୋରୁ ଗୋଆ ଆସୁଥିବା ଆଉ ଏକ ବିମାନକୁ ଗୁଜୁରାଟ ଜାମନଗର ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଏହା ଗୋଆ ଯିବା ବଦଳରେ ଗୁଜୁରାଟରେ ପହଞ୍ଚିଥିଲା । ହେଲେ ଯାଞ୍ଚ ପରେ ଏଥିରେ ବୋମା କିମ୍ବା ଅନ୍ୟ କୌଣସି ସନ୍ଦେହଜନକ ସାମଗ୍ରୀ ଠାବ ହୋଇନଥିଲା ।

ଏହାମଧ୍ୟ ପଢନ୍ତୁ: ଯୁବକଙ୍କ ଅଜବ କାଣ୍ଡ: ସାଙ୍ଗମାନେ ପ୍ରେମିକାଙ୍କ ସହିତ ଅଧିକ ସମୟ କାଟିବା ପାଇଁ ମିଛରେ ଖେଳାଇଲେ ବୋମା ଆତଙ୍କ

ସେହିପରି କିଛି ଦିନ ତଳେ ଦିଲ୍ଲୀ-ପୁଣେ ସ୍ପାଇସଜେଟ ବିମାନର ବୋମା ଥିବାର ଖବର ମିଳିଥିଲା । ଯାହାଫଳରେ ଉକ୍ତ ବିମାନ ଉଡାଣକୁ ବାତିଲ କରାଯାଇଥିଲା । ହେଲେ ବିମାନରୁ କୌଣସି ପ୍ରକାର ସନ୍ଦିଗ୍ଧ ସାମଗ୍ରୀ ମିଳିନଥିଲା । ପରେ ତଦନ୍ତରୁ ଜଣାପଡିଥିଲା ଯେ, ଜଣେ ଯୁବକ ମିଛରେ ବୋମା ଥିବାର ଖବର ପ୍ରଚାର କରିଥିଲେ । ଉକ୍ତ ଯୁବକଙ୍କ ସାଙ୍ଗମାନେ ନିଜ ପ୍ରେମିକାଙ୍କ ସହ ଅଧିକ ସମୟ ବିତାଇବାକୁ ଚାହୁଁଥିଲେ । ଏଥିପାଇଁ ସେମାନେ ଯୁବକଙ୍କୁ ଏହି ମିଛ କଥା ପ୍ରଚାର କରିବାକୁ କହିଥିଲେ ବୋଲି ଜଣାପଡିଥିଲା ।

Last Updated :Jan 21, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.