କାର୍ ଭିତରୁ ମାଲାୟାଲମ ଅଭିନେତାଙ୍କ ମୃତଦେହ ଉଦ୍ଧାର

କାର୍ ଭିତରୁ ମାଲାୟାଲମ ଅଭିନେତାଙ୍କ ମୃତଦେହ ଉଦ୍ଧାର
ସନ୍ଦେହଜନକ ଅବସ୍ଥାରେ କାର୍ ଭିତରୁ ମାଲାୟାଲମ ଅଭିନେତାଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ
ଥିରୁଅନନ୍ତପୁରମ: ସନ୍ଦେହଜନକ ଅବସ୍ଥାରେ କାର୍ ଭିତରୁ ଜଣାଶୁଣା ମାଲାୟାଲମ ଅଭିନେତାଙ୍କ ମୃତଦେହ ଉଦ୍ଧାର । ମୃତକ ହେଉଛନ୍ତି ଅଭିନେତା ବିନୋଦ ଥୋମାସ(୪୮) । ଗତକାଲି(ଶନିବାର) କୋଟ୍ଟାୟମ ଜିଲ୍ଲା ପାମପଡ଼ି ଅଞ୍ଚଳର ଏକ ହୋଟେଲ ପରିସରରେ ପାର୍କିଂ କାର୍ ଭିତରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ସମୟ ଧରି କାର ଭିତରେ ତାଙ୍କର ମୃତଦେହ ପଡ଼ି ରହିଥିଲା । ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରିଛି । ତେବେ କେମିତି ଅଭିନେତାଙ୍କ ମୃତ୍ୟୁ ହେଲା ସେନେଇ କିଛି ଜଣାପଡ଼ିନି । ପୋଲିସ ମୃତଦେହ ଉଦ୍ଧାର କରି କୋଟାୟମ ପାମପାଡ଼ି ତାଲୁକ ହସ୍ପିଟାଲକୁ ପଠାଇଛି ।
ପୋଲିସ କହିଛି ଯେ, ପାମପଡି ସ୍ଥିତ ଏକ ହୋଟେଲ ପରିସରରେ ପାର୍କିଂ କାର ଭିତରେ ଦୀର୍ଘ ସମୟ ଧରି ଅଭିନେତାଙ୍କ ମୃତଦେହ ପଡ଼ି ରହିଥିଲା । ଏହାଦେଖି ସନ୍ଦେହ ହେବାରୁ ହୋଟେଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଗାଡି ଭିତରେ ଅଭିନେତା ବିନୋଦ ଥୋମାସ ଥିବା ଜଣା ପଡ଼ିଥିଲା । ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
କେଉଁ ପରିସ୍ଥିତିରେ ଅଭିନେତାଙ୍କ ମୃତ୍ୟୁ ଘଟିଲା, ତାହା ହଠାତ୍ ଜଣାପଡି ନାହିଁ । ପୋଲିସ ତାଙ୍କର ମୃତ୍ୟୁ ଖବର ପରିବାର ବର୍ଗଙ୍କୁ ଅବଗତ କରିଛି । ଅଭିନେତାଙ୍କ ମୃତ୍ୟୁ ହତ୍ୟା ନା ଏହା ପଛରେ ଆଉ କିଛି କାରଣ ଅଛି, ସେନେଇ ଛାନଭିନ୍ ଆରମ୍ଭ ହୋଇଛି । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ହିଁ ତାଙ୍କର ମୃତ୍ୟୁର କାରଣ ଜଣାପଡ଼ିବ । ଏହାପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଏହି ପପୁଲାର ଅଭିନେତାଙ୍କ ଏଭଳି ଅଚାନକ ବିୟୋଗ ତାଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଛି । ଏହି ଘଟଣା ନେଇ ମାଲାୟାଲମ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି । ଥୋମାସ ଆୟ୍ୟାପ୍ପାନୁ କୋଶିୟମ ଏବଂ ନାଥୋଲି ଓରୁ ଚେରିୟା ମୀନେଲ୍ଲା, ହାପି ୱେଡିଂ, ଜୁନ୍, ଓରୁ ମୁରାଇ ଭନ୍ତ ପାଥାୟା ଭଳି ଅନେକ ସୁପରହିଟ୍ ମାଲାୟାଲମ ଫିଲ୍ମରେ ଅଭିନୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
