Land For Job Case: ଲାଲୁ ପରିବାରକୁ ଆଶ୍ବସ୍ତି, ଜମି ଦୁର୍ନୀତି ମାମଲାରେ ମିଳିଲା ଜାମିନ

author img

By

Published : Mar 15, 2023, 11:31 AM IST

Updated : Mar 15, 2023, 1:58 PM IST

କୋର୍ଟରେ ହାଜରେ ହେଲେ ଲାଲୁ, ପତ୍ନୀ ରାବଡି ଦେବୀ ଓ ଝିଅ

ଚାକିରି ପାଇଁ ଜମି ଦୁର୍ନୀତି ମାମଲା । ପତ୍ନୀ ରାବଡି ଦେବୀ ଓ ଝିଅ ମିସା ଭାରତୀଙ୍କ ସହ ଲାଲୁ ଯାଦବଙ୍କୁ ମିଳିଲା ଜାମିନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପରିବାରକୁ ମିଳିଲା ଜାମିନ । ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କର ପତ୍ନୀ ରାବଡି ଦେବୀ ଓ ଝିଅ ତଥା ଆରଜେଡି ସାଂସଦ ମିସା ଭାରତୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ତିନି ଜଣଙ୍କୁ ୫୦ ହଜାର ଟଙ୍କା ମୁଚଲିକାରେ ଜାମିନ ମିଳିଥିବା ସୂଚନା ମିଳିଛି । ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ଆରଜେଡି ସୁପ୍ରିମୋ ୭୪ ବର୍ଷୀୟ ଲାଲୁ ପ୍ରସାଦ ଯାଦବ, ତାଙ୍କର ପତ୍ନୀ ରାବଡି ଦେବୀ ଓ ଝିଅ ଆଜି ଦିନ ପ୍ରାୟ ୧୦ଟା ସମୟରେ କୋର୍ଟରେ ହାଜର ହୋଇଥିଲେ । ସେମାନଙ୍କ ସହ ଏହି ମାମଲାରେ ଅଭିଯୁକ୍ତ ଥିବା ମୋଟ ୧୪ ଜଣ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ । ଏହି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ୧୪ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଯେଉଁଥିରେ ଯାଦବ ପରିବାରର ସଦସ୍ୟଙ୍କ ନାଁ ରହିଥିଲା । ଏହାପରେ ଗତ ଫେବୃୟାରୀ ୨୭ ତାରିଖ ଦିନ ରାଉଜ ଆଭିନ୍ୟୁ କୋର୍ଟ ଲାଲୁ ପ୍ରସାଦଙ୍କ ପରିବାରକୁ ମାର୍ଚ୍ଚ ୧୫ ତାରିଖ ଅର୍ଥାତ୍ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସିବିଆଇ ଅଭିଯୋଗ କରିଥିଲା ଯେ, ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବା ସମୟରେ ରେଲୱେରେ ନିଯୁକ୍ତି ପାଇଁ ଲୋକଙ୍କ ଠାରୁ ଲାଞ୍ଚ ଭାବେ ଜମି ନେଉଥିଲେ ବା ଅତି କମ୍ ମୂଲ୍ୟରେ ଜମି କିଣୁଥିଲେ । ଏହି ମାମଲାର ଖୋଳତାଡ କରୁଥିବା ତଦନ୍ତକାରୀ ସଂସ୍ଥା ଗତ ୬ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ପାଟନା ସ୍ଥିତ ବାସଭବନରେ ପହଞ୍ଚି ୪ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ପଚରାଉଚରା କରିଥିଲା ।

ଏହାର ପରଦିନ ଦିଲ୍ଲୀରେ ମିସା ଭାରତୀଙ୍କ ବାସଭବନରେ ଲାଲୁ ଯାଦବଙ୍କୁ ଜେରା କରାଯାଇଥିଲା । ଏହାପରେ ଗତ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଲାଲୁ ଯାଦବଙ୍କ ଅନେକ ସମ୍ପର୍କୀୟଙ୍କ ଠିକଣାରେ ଚଢାଉ କରିଥିଲା । ଯେଉଁ ସବୁ ସ୍ଥାନରେ ଚଢାଉ ହୋଇଥିଲା ତାହା ମଧ୍ୟରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପୁଅ ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ଥିବା ବାସଭବନ ଏବଂ ଝିଅ ମିଶା ଭାରତୀଙ୍କ ଘର ମଧ୍ୟ ରହିଥିଲା । ଏହାବ୍ୟତୀତ ହେମା, ଚନ୍ଦା ଏବଂ ରାଗିଣୀ ଯାଦବଙ୍କ ଶାଶୁଘରେ ମଧ୍ୟ ରେଡ୍ କରିଥିଲା ଇଡି । ଏହି ସମୟରେ କୋଟି କୋଟି ଟଙ୍କା ଅବୈଧ ସମ୍ପତ୍ତି ତଦନ୍ତକାରୀ ଏଜେନ୍ସି ହାତରେ ଲାଗିଥିବା କୁହାଯାଇଥିଲା ।

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ମଧ୍ୟ ସିବିଆଇରୁ ଡକରା ଆସିସାରିଛି । ତାଙ୍କୁ ପଚରାଉଚରା ଲାଗି ମାର୍ଚ୍ଚ ୧୧ ତାରିଖରେ ସିବିଆଇ ଅଫିସର ହାଜର ହେବାକୁ ସମନ ହୋଇଥିଲା । ହେଲେ ଗର୍ଭବତୀ ପତ୍ନୀ ରାଜଶ୍ରୀ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବା ଦର୍ଶାଇ ସେ ହାଜର ହୋଇନଥିଲେ । ଏହାପୂର୍ବରୁ ମଧ୍ୟ ସିବିଆଇ ସମନ ଜାରି କରିଥିବାବେଳେ ସେ ବିଧାନସଭା ବଜେଟ ଅଧିବେଶନ ଆଳରେ ହାଜର ହୋଇନଥିଲେ ।

Last Updated :Mar 15, 2023, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.