ଅବୈଧ ସମ୍ପର୍କରୁ ଜନ୍ମିତ ଶିଶୁକୁ ବିକିଦେଲା ମାଆ, ୭ ଗିରଫ

author img

By

Published : Jan 22, 2023, 12:13 PM IST

ଲାଲଗୁଡି ଶିଶୁ ଅପହରଣ ଘଟଣା

ଲାଲଗୁଡି ଶିଶୁ ଅପହରଣ ଘଟଣା । ଟଙ୍କା ପାଇଁ ଜନ୍ମିତ ଶିଶୁକନ୍ୟାକୁ ବିକ୍ରି କରିବା ପରେ ଥାନାରେ ନିଖୋଜ ଅଭିଯୋଗ କରିଥିଲା ମାଆ । ଘଟଣାର ପର୍ଦ୍ଦାଫାସ କରି ୭ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଚେନ୍ନାଇ: ନିକଟରେ ତାମିଲନାଡୁ ତ୍ରିଚି ଜିଲ୍ଲା ଅନ୍ତର୍ଗତ ଲାଲଗୁଡିରେ ଶିଶୁ ଅପହରଣ ନେଇ ଏକ ଅଭିଯୋଗ ହୋଇଥିଲା । ନବଜାତ ଶିଶୁକନ୍ୟା ନିଖୋଜ ଥିବା ସମ୍ପର୍କରେ ତା'ର ମାଆ ଥାନାରେ ଅଭିଯୋଗ କରିଥିଲେ । ଏପରିକି ମହିଳା ମାଡ୍ରାସ ହାଇକୋର୍ଟର ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ଏବେ ଏହି ଶିଶୁ ଅପହରଣ ଘଟଣାରେ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଅନ୍ୟ କେହି ନୁହେଁ ଜନ୍ମକଲା ମାଆ ହିଁ ନିଜ ଛୁଆକୁ ବିକ୍ରି କରିଥିଲା । କାରଣ ମହିଳାଙ୍କ ଅବୈଧ ସମ୍ପର୍କରୁ ଶିଶୁଟିର ଜନ୍ମ ହୋଇଥିଲା । ତେଣୁ ସେ ୮୦ ହଜାର ଟଙ୍କାରେ ତାକୁ ବିକ୍ରି କରିଦେଇଥିଲେ । ପରେ ଅଧିକ ଟଙ୍କା ଲୋଭରେ ସେ ପିଲା ନିଖୋଜ ଥିବାର ଅଭିଯୋଗ କରିଥିଲେ । ତେବେ ଦୀର୍ଘ ୬୦୦୦ କିଲୋମିଟର ବୁଲିବା ପରେ ଶେଷରେ ଏହି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।

ଘଟଣାକ୍ରମ ଏପରି ଥିଲା: ୨୦୨୨ ସେପ୍ଟେମ୍ବର ୧୭ରେ ଜାନକୀ ନାମକ ମହିଳା ତ୍ରିଚି ସରକାରୀ ହସ୍ପିଟାଲରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ । ହେଲେ ସେ ଛୁଆର ବାପା ନାମ ନକହିପାରିବାରୁ ପ୍ରସବ ପୂର୍ବରୁ ସେଠାରୁ ପଳାଇ ଆସି ଏକ ଘରୋଇ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ମଧ୍ୟ ସେ ଛୁଆର ବାପା ନାମ ଗୋପନ ରଖି ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ଏହାପରେ ମହିଳା ପ୍ରଭୁ ନାମକ ନିଜ ଓକିଲ ସାଙ୍ଗ ଓ ତାଙ୍କ ପତ୍ନୀଙ୍କ ସହ ହସ୍ପିଟାଲରୁ ଫେରିଥିଲେ । ପିଲାଟି ଅନୈତିକ ସମ୍ପର୍କରୁ ଜନ୍ମ ହୋଇଥିବାରୁ ସେ ତା'ର ଲାଳନ ପାଳନ କରିବାକୁ ଚାହୁଁନଥିଲେ । ଏଥିପାଇଁ ଜାନକୀ ନିଜ ଛୁଆକୁ ବିକ୍ରି କରିଦେବାକୁ ପ୍ରଭୁକୁ କହିଥିଲେ ।

ଏହାପରେ ପ୍ରଭୁ ଶିଶୁ ଚାଲାଣ ଗ୍ୟାଙ୍ଗ ସହ ଯୋଗାଯୋଗ କରି ୩ ଲକ୍ଷ ୫୦ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକ୍ରି କରିଦେଇଥିଲା । କିନ୍ତୁ ସେ ଜାନକୀଙ୍କୁ ଛୁଆ ବାବଦରେ ମାତ୍ର ୮୦ ହଜାର ଟଙ୍କା ଦେଇଥିଲା । ଜାନକୀ ଯେତେବେଳେ ପ୍ରଭୁର ଠକାମୀ କଥା ଜାଣିବାକୁ ପାଇଲେ ସେ ଥାନାରେ ଶିଶୁକନ୍ୟା ନିଖୋଜ ନେଇ ଅଭିଯୋଗ କରିଥିଲେ । ଏହାପରେ ସେ ହାଇକୋର୍ଟରେ ମଧ୍ୟ ମାମଲା କରିଥିଲେ । କୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ପୋଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଛାନଭିନ୍‌ରୁ ଦିଲ୍ଲୀରେ ଶିଶୁକନ୍ୟାର ଠିକଣା ଜଣାପଡିଥିଲା । ଏହାପରେ ତାମିଲନାଡୁରୁ ଏକ ସ୍ପେଶାଲ ଫୋର୍ସ ଦିଲ୍ଲୀ ଯାଇ ସପ୍ତାହେ ଯାଏଁ ତନାଘନା କରିଥିଲେ । ଏହି ସମୟରେ ପୋଲିସ ହାତରେ ଗୋପିନାଥ ନାମକ ଜଣେ ଦଲାଲ ଧରାପଡିଥିଲା, ଯିଏକି ଶିଶୁକନ୍ୟାକୁ ପ୍ରଭୁ ଠାରୁ କିଣି ଅନ୍ୟ ଜଣେ ମହିଳାଙ୍କୁ ୫ ଲକ୍ଷ ଟଙ୍କାରେ ବିକ୍ରୟ କରିଥିଲା । କର୍ଣ୍ଣାଟକ ଜନ୍ନାମା ନଗରର ଉକ୍ତ ମହିଳା ନିଃସନ୍ତାନ ଥିବାବେଳେ ସେ ଦଲାଲ ଠାରୁ ଜନ୍ମ ପ୍ରମାଣପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ସହ ଶିଶୁକୁ କିଣିଥିଲେ । ଏହି ଘଟଣାରେ ପୋଲିସ ପିଲାଟିର ମାଆ ସହ, ପ୍ରଭୁ, ତା'ର ପତ୍ନୀ ଦଲାଲ ଗ୍ୟାଙ୍ଗ ସମେତ ୭ ଜଣଙ୍କୁ ଗିରଫ କରିଛି । ଦୀର୍ଘ ୬ ହଜାର କିଲୋମିଟର ଯାତ୍ରା କରିବା ପରେ ପୋଲିସ ଏହି ମାମଲାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.