Delhi Liquor Scam: ଆଜି ଇଡିରେ ହାଜର ହେବେ କବିତା

author img

By

Published : Mar 16, 2023, 9:48 AM IST

ଆଜି ଇଡିରେ ହାଜର ହେବେ କବିତା

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ଇଡିରେ ହାଜର ହେବେ କବିତା । ଇଡି ସମନ ବିରୁଦ୍ଧରେ ଆବେଦନର ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିବା ପରେ ବିଆରଏସ ନେତ୍ରୀଙ୍କୁ ପୁଣିଥରେ ଜେରା କରାଯିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା । ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ BRS ନେତ୍ରୀ ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଇଡିରେ ହାଜର ହେବାକୁ ଯାଉଛନ୍ତି । ଏହାପୂର୍ବରୁ ଗତ ୧୧ ତାରିଖରେ ତାଙ୍କୁ ପଚରାଉଚରା କରିଥିଲା ଇଡି । ପ୍ରାୟ ୯ ଘଣ୍ଟା କାଳ ସେ ଜେରାର ସମ୍ମୁଖୀନ ହୋଇଥିଲେ । ଏହାପରେ ପୁଣିଥରେ ୧୬ ତାରିଖରେ ହାଜର ହେବାକୁ କବିତାଙ୍କୁ ସମନ କରାଯାଇଥିଲା ।

ଇଡି ଏହି ସମନକୁ ବିରୋଧ କରି ବିଆରଏସ ନେତ୍ରୀ କବିତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଉକ୍ତ ସମନ ଉପରେ ରୋକ୍ ଲଗାଇବାକୁ କବିତା ଆବେଦନ କରିଥିଲେ । ହେଲେ ଗତକାଲି(ବୁଧବାର) ସର୍ବୋଚ୍ଚ ଅଦାଲତ ବିଆରଏସ ନେତ୍ରୀଙ୍କ ଆବେଦନର ଜରୁରୀ ଶୁଣାଣି ଓ ସମନ ଉପରେ ରହିତାଦେଶ ଲଗାଇବାକୁ ମନା କରିଥିଲେ । ଆସନ୍ତା ୨୪ ତାରିଖରେ ଏହି ଆବେଦନର ଶୁଣାଣି ହେବାକୁ ଥିବାବେଳେ ଆଜି କବିତା ଇଡିରେ ହାଜର ହେବେ ।

ପ୍ରକାଶଥାଉ କି, ଗତ ୧୧ ତାରିଖରେ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ହାଇଦ୍ରାବାଦ ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇ ଏବଂ ୪୫ ବର୍ଷୀୟା କବିତାଙ୍କୁ ସାମ୍ନାସାମ୍ନା ବସାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ଜେରା କରିଥିଲେ । ଇଡ଼ିରେ ହାଜର ପୂର୍ବରୁ କବିତା ପ୍ରଥମେ ନିଜର ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ । କେସିଆରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଏକ ସଂକ୍ଷିପ୍ତ ବୈଠକ ପରେ ଭାଇ ତଥା ତେଲେଙ୍ଗାନା ମନ୍ତ୍ରୀ କେଟି ରାମାରାଓ ତାଙ୍କ ସହ ସେ ଇଡି ଅଫିସରେ ପହଞ୍ଚି ଥିଲେ । ତେବେ ମାରାଥନ ଜେରା ପରେ ପୁଣିଥରେ ୧୬ ତାରିଖରେ ହାଜର ହେବାକୁ ସମନ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Nepal PM Twitter Handle hacked: ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ

ତଦନ୍ତ ଏଜେନ୍ସି ଅନୁଯାୟୀ, ଅରୁଣ ରାଚମନ୍ଦ୍ର ସାଉଥ୍ ଗ୍ରୁପର ପ୍ରତିନିଧି ଥିଲେ । ଏହି ଗ୍ରୁପ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆମ୍ ଆଦମୀ ପାର୍ଟିକୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିଲା । ୨୦୨୦-୨୧ ଦିଲ୍ଲୀ ଅବକାରୀ ନୀତି ଅଧିନରେ ଜାତୀୟ ରାଜଧାନୀରେ ବଜାରର ବୃହତ୍ ଅଂଶ ପାଇବା ପାଇଁ ଏହି ଲାଞ୍ଚ ଦିଆଯାଇଥିଲା । ଏହି ଘଟଣାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଆପ୍ ନେତା ମନୀଷ ସିସୋଦିଆଙ୍କ ସମେତ ଅଦ୍ୟାବିଧି ୧୨ ଜଣଙ୍କୁ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.