କୋଭିସିଲଡ୍ ଦୁଇଟି ଡୋଜ୍ ବ୍ୟବଧାନ ବଢ଼ିବା ଦ୍ବାରା ଏହାର ଫଳପ୍ରଦତା ପ୍ରଭାବିତ ହେବନାହିଁ: ଡାକ୍ତର

author img

By

Published : May 15, 2021, 1:43 PM IST

କୋଭିସିଲଡ୍

କୋରୋନା ମୁକାବିଲା ପାଇଁ ଦିଆଯାଉଥିବା କୋଭିସିଲଡ୍ ଟୀକାର ପ୍ରଥମ ଓ ଦ୍ବିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ପୂର୍ବରୁ 6ରୁ 8 ସପ୍ତାହ ଧାର୍ଯ୍ୟ କରାଯାଇଥିଲା । ଏବେ ଏହାକୁ 12ରୁ 16 ସପ୍ତାହ ଯାଏଁ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ମୁକାବିଲା ପାଇଁ ଦିଆଯାଉଥିବା କୋଭିସିଲଡ୍ ଟିକାର ପ୍ରଥମ ଓ ଦ୍ବିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ପୂର୍ବରୁ 6ରୁ 8 ସପ୍ତାହ ଧାର୍ଯ୍ୟ କରାଯାଇଥିଲା । ଏବେ ଏହାକୁ 12ରୁ 16 ସପ୍ତାହ ଯାଏଁ ବୃଦ୍ଧି କରାଯାଇଛି । ନୀତିର ଏପରି ପରିବର୍ତ୍ତନ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଏବଂ ଟୀକାର କାର୍ଯ୍ୟ ସଫଳତା ଉପରେ ଏହାର କୌଣସି ନକରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ହିଁ ନାହିଁ ବୋଲି ଡାକ୍ତରମାନେ ଶୁ୍କ୍ରବାର ଦିନ କହିଛନ୍ତି ।

ଡକ୍ଟର ଏନ.କେ.ଆରୋରାଙ୍କ ଅଧ୍ୟକ୍ଷତାରେ ଗଠିତ କୋଭିଡ ୱାର୍କିଂ ଗ୍ରୁପ୍ ଗୁରୁବାର ଦିନ କୋଭିସିଲଡ୍ ଟୀକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ 12ରୁ 16 ସପ୍ତାହକୁ ବଢାଇବାକୁ ସୁପାରିଶ କରିଥିଲେ । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ଏହି ସୁପାରିଶକୁ ଗ୍ରହଣ କରି ନେଇଛି ।

କୋଚି ସ୍ଥିତ ଅମ୍ରିତା ହସ୍ପିଟାଲରେ ଇଣ୍ଟରନାଲ ମେଡିସିନ ବିଭାଗର ଆସୋସିଏସ ପ୍ରଫେସର ଡକ୍ଟର ଦିପୁ ଆଇଏଏନଏସକୁ କହିଛନ୍ତି ଯେ," ଟୀକାର ଦୁଇଟି ଡୋଜ୍ ଦେବାର ବ୍ୟବଧାନ ବଢାଇବା ଦ୍ବାରା ଏହାର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ । ଟୀକାର ପ୍ରଥମ ଡୋଜ୍ ଦ୍ବାରା ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବିକଶିତ ହେବ ତାହା ବହୁଦିନ ପାଇଁ ରହିବ।"

ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାର ବିକଶିତ ସେରମ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରସ୍ତୁତ କରୁଥିବା କୋଭିସିଲଡ ଟୀକାର ଦୁଇଟି ଡୋଜ୍ ମଧ୍ୟରେ 4ରୁ 6 ସପ୍ତାହ ବ୍ୟବଧାନ ରଖାଯିବା ସ୍ଥିର ହୋଇଥିଲା ।

ହେଲେ ଏବର୍ଷ ଏପ୍ରିଲ ମାସରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟୀକାକରଣ ସମ୍ପର୍କିତ ନ୍ୟାସନାଲ ଟେକନିକାଲ ଆଡଭାଇଜୋରି ଗ୍ରୁପ୍ ଏବଂ କୋଭିଡ ଟୀକା ପରିଚାଳନା କରୁଥିବା ନ୍ୟାସନାଲ ଏକ୍ସପର୍ଟ ଗ୍ରୁପର ସୁପାରିଶ ଆଧାରରେ ଏହି ବ୍ୟବଧାନକୁ 6ରୁ 8 ସପ୍ତାହ ରଖିବାକୁ ସଂଶୋଧନ କରିଥିଲେ ।

ଆଷ୍ଟ୍ରା-ଜେନେକା ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ବ୍ରିଟେନ୍, ବ୍ରାଜିଲ୍ ଏବଂ ଦକ୍ଷିଣ ଆଫ୍ରିକାରେ 17 ହଜାର 178 ଜଣଙ୍କୁ ନେଇ କରାଯାଇଥିବା କ୍ଲିନିକାଲ ପରୀକ୍ଷଣ ରିପୋର୍ଟକୁ ଆଧାର କରି ଉଭୟ ସଂସ୍ଥା ଟୀକାଦାନ ବ୍ୟବଧାନ ସମୟ ବଢାଇବାକୁ ସୁପାରିଶ କରିଥିଲେ ।

ଗତ ମାର୍ଚ୍ଚ ମାସରେ ଲାନସେଟରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଲମ୍ବା ସମୟ ବ୍ୟବଧାନରେ ଟୀକାର ଦୁଇଟି ଡୋଜ୍ ଦେବାକୁ ସମର୍ଥନ କରାଯାଇଛି । କୋଭିସିଲଡ କ୍ଷେତ୍ରରେ ଦେଖାଯାଇଛି ଯେ ଏହାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ 12 ସପ୍ତାହ କିମ୍ବା ତହିଁରୁ ଅଧିକ ରହିଲେ ଏହା 81.3 ପ୍ରତିଶତ ଫଳପ୍ରଦ ହେଉଛି । ଅନ୍ୟପକ୍ଷରେ ବ୍ୟବଧାନ ଯଦି 6 ସପ୍ତାହରୁ କମ୍ ରହୁଛି ତେବେ ଏହା 55.1 ପ୍ରତିଶତ ଫଳପ୍ରଦ ହେଉଛି ।

ଗବେଷଣାକାରୀଙ୍କୁ ନେଇ ଏକ ଅନ୍ତର୍ଜାତୀୟ ଦଳ ମଧ୍ୟ ସେମାନଙ୍କ ଅଧ୍ୟୟନରେ ଦାବି କରିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ 12 ସପ୍ତାହ ପରେ ଦ୍ବିତୀୟ ଡୋଜ୍ ନେଇଛନ୍ତି ସେମାନଙ୍କ ଆଣ୍ଟିବଡ଼ି ପ୍ରଥମ ଡୋଜ୍ ନେବାର 6 ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ୍ ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡିଠାରୁ ଦୁଇ ଗୁଣା ଅଧିକ ବିକଶିତ ହୋଇଛି ।

" ସୁତରାଂ ପ୍ରଥମ ଡୋଜ୍ ନେବାର ତିନି ମାସ ବ୍ୟବଧାନରେ ଦ୍ବିତୀୟ ଡୋଜ୍ ଦିଆଯିବା ନିଷ୍ପତ୍ତିକ୍ରମେ ଟୀକାର କାର୍ଯ୍ୟକାରୀତା ନେଇ କୌଣସି ପ୍ରକାର ସାଲିସ କରାଯାଇନାହିଁ, ବରଂ ଏହା ଭଲ ପାଇଁ କରାଯାଇଛି," ବୋଲି ଗୁରୁଗ୍ରାମସ୍ଥିତ ଫୋର୍ଟିସ ମେମୋରିଆଲ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟର ନ୍ୟୁରୋଲୋଜି ନିର୍ଦ୍ଦେଶକ ଡକ୍ଟର ପ୍ରବୀନ ଗୁପ୍ତା ଆଇଏଏନଏସକୁ କହିଛନ୍ତି ।

ଡକ୍ଟର ଦିପୁ କହିଛନ୍ତି ଯେ, ଦ୍ବିତୀୟ ଡୋଜ୍ ଏକ ବୁଷ୍ଟର ଡୋଜ୍ ହୋଇଥିବାରୁ ଶରୀରରେ ଏହା ପୂର୍ବରୁ ନେଇଥିବା ପ୍ରଥମ ଟୀକା ପ୍ରଭାବରେ ବଢିଥିବା ଆଣ୍ଟିବଡ଼ିକୁ ଅଧିକ ଶକ୍ତିଶାଳୀ କରିଥାଏ । ସୁତରାଂ କୋଭିଡ ବିରୁଦ୍ଧରେ ଆଣ୍ଟିବଡ଼ି ଅଧିକ ପରିମାଣରେ ବୃଦ୍ଧି ପାଇଥାଏ । ପୂର୍ବରୁ ଥିବା ଇମ୍ୟୁନ୍ ସିଷ୍ଟମକୁ ଏହା କିଛିଟା ବଢାଇଥାଏ, ସେଥିପାଇଁ ସାମାନ୍ୟ ଫ୍ଲୁ ଭଳି କିଛି ଅସୁସ୍ଥତା ଦେଖା ଦେଇଥାଏ, ନଚେତ ଅନ୍ୟ କିଛି ବିଶେଷ ପ୍ରତିକ୍ରିୟା ପଡିନଥାଏ ବୋଲି ସେ କହିଛନ୍ତି ।


ଦୁଇଟି ଡୋଜର ବ୍ୟବଧାନ ବଢାଇବା ଦ୍ବାରା ଟୀକା ଅଧିକ ଫଳପ୍ରଦ ହୋଇଥାଏ । ଏଥିସହିତ ଏପରି ପରିବର୍ତ୍ତନ ଫଳରେ ଅଧିକ ସଂଖ୍ୟାରେ ଲୋକଙ୍କୁ ଟୀକା ଦିଆଯାଇ ଟୀକାକରଣ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରାଯାଇପାରିବ ବୋଲି ଡକ୍ଟର ଗୁପ୍ତା କହକିଛନ୍ତି ।

ଡକ୍ଟର ଦୀପୁଙ୍କ ମତରେ, ସାମ୍ପ୍ରତିକ ସ୍ଥିତିରେ ଭାରତ ଅତି ସାଂଘାତିକ ଭାବେ ଟୀକା ଅଭାବର ସମ୍ମୁଖୀନ ହୋଇଛି । ଏପରି ସ୍ଥିତିରେ ଗୋଟିଏ ଡୋଜ୍ ଦିଆଯାଇ ଲୋକଙ୍କ ମଧ୍ୟରେ ଇମ୍ୟୁନିଟି ବଢାଯାଇ ପାରିବ । ସେ କହିଛନ୍ତି, ଅଧିକ ସଂଖ୍ୟାରେ ଲୋକଙ୍କୁ ସୁରକ୍ଷା ଦିଆଯାଇପାରିଲେ ଏହା ଅଧିକ ପ୍ରଭାବଶାଳୀ ହେବ ବୋଲି ବିଚାର କରି କୋଭିସିଲଡ୍ ଟୀକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ବଢାଇବା ନୀତିକୁ ମଧ୍ୟ ଯୁକ୍ତିଯୁକ୍ତ ଆଭିମୁଖ୍ୟ ବୋଲି କୁହାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.