Milk cess on liquor: ହିମାଚଳରେ ମହଙ୍ଗା ହେଲା ମଦ, ପ୍ରତି ବୋତଲ ଉପରେ ୧୦ଟଙ୍କା କ୍ଷୀର ଟ୍ୟାକ୍ସ

author img

By

Published : Mar 17, 2023, 5:50 PM IST

Milk cess on liquor

ହିମାଚଳ ପ୍ରଦେଶରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପନ ହୋଇଥିବା ବେଳେ ପ୍ରତି ମଦ ବୋତଲ ଉପରେ ଲାଗିଛି ୧୦ଟଙ୍କା କ୍ଷୀର ଟ୍ୟାକ୍ସ । ଅଧିକ ପଢନ୍ତୁ

ସିମଲା: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂ ସୁଖୁ ନିଜର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ମୁଖ୍ୟମନ୍ତ୍ରୀ ପ୍ରତି ମଦ ବୋତଲ ଉପରେ ୧୦ ଟଙ୍କା କ୍ଷୀର ଟ୍ୟାକ୍ସ ଲଗାଇବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟରେ ମହଙ୍ଗା ହୋଇଛି ମଦ । ଗ୍ରାହକଙ୍କୁ ପ୍ରତି ମଦ ବୋତଲ ଉପରେ ଆଉ ଅଧିକ ୧୦ଟଙ୍କା ଦେବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ସୁଖୁଙ୍କ ଏହି ନୂଆ ଅବକାରୀ ନୀତିକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି । ଏହି ନୂଆ ନୀତି ଦ୍ବାରା ରାଜସ୍ବ ବଢିବା ସହିତ ପଶୁପାଳକମାନେ ମଧ୍ୟ ଲାଭବାନ ହେବେ ।

ପ୍ରତି ବୋତଲ ଉପରେ ୧୦ଟଙ୍କା ଅତିରିକ୍ତ ଟ୍ୟାକ୍ସ:- କଂଗ୍ରେସ ବିଧାନସଭା ନିର୍ବାଚନ ବେଳେ ପଶୁପାଳକଙ୍କ ଆୟ ବୃଦ୍ଧି କରିବା ଲାଗି ପ୍ରତିଶୃତି ଦେଇଥିଲା । ରାଜ୍ୟ ସରକାର ପଶୁପାଳକଙ୍କ ଗାଈ କ୍ଷୀରକୁ ପ୍ରତି ଲିଟର ପିଛା ୮୦ ଟଙ୍କା ଓ ମଇଁଷି କ୍ଷୀର ଲିଟର ପିଛା ୧୦୦ ଟଙ୍କା ବିକ୍ରି କରିବା ନେଇ ମଧ୍ୟ କହିଥିଲେ । ଏଥିଲାଗି ପଶୁପାଳକଙ୍କ ଆୟ ବୃଦ୍ଧି କରିବା ଲାଗି ମଦ ଉପରେ ଅତିରିକ୍ତ ୧୦ ଟଙ୍କା ଟ୍ୟାକ୍ସ ଲଗାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ କ୍ଷୀର ଟ୍ୟାକ୍ସରୁ ଆସିବାକୁ ଥିବା ରାଜସ୍ବକୁ ଦୁଗ୍ଧ ଉତ୍ପାଦକଙ୍କ ଆୟ ବୃଦ୍ଧି କରିବା ଦିଗରେ ଖର୍ଚ୍ଚ କରାଯିବ ।

ଏହା ବି ପଢନ୍ତୁ-Delhi liquor Scam: ପୁଣି ବଢିଲା ସିସୋଦିଆଙ୍କ ରିମାଣ୍ଡ ଅବଧି

ସୂଚନା ଥାଉ କି ହିମାଚଳ ପ୍ରଦେଶରେ ପୂର୍ବରୁ ବିଜେପି ସରକାର ମଧ୍ୟ ମଦ ଉପରେ କାଓ ଟ୍ୟାକ୍ସ ଲଗାଇଥିଲେ । ଯାହାକି ଏବେ ୨.୫ ପ୍ରତିଶତ ରହିଛି । ତେବେ କଂଗ୍ରେସ ସରକାର କ୍ଷୀର ଟ୍ୟାକ୍ସ ଲଗାଇବା ଦ୍ବାରା ଏବେ ଗ୍ରାହକଙ୍କୁ ୨.୫ ପ୍ରତିଶତ କାଓ ଟ୍ୟାକ୍ସ ସହିତ ମିଲ୍କ ଟ୍ୟାକ୍ସ ୧୦ ଟଙ୍କା ଦେବାକୁ ପଡ଼ିବ । ଫଳରେ ରାଜ୍ୟରେ ମଦ ଏବେ ମହଙ୍ଗା ହେବାକୁ ଯାଉଛି । ମଦ ବୋତଲ ଉପରେ କ୍ଷୀର ଟ୍ୟାକ୍ସ ଲଗାଇବା ଦ୍ବାରା ରାଜ୍ୟ ସରକାରଙ୍କୁ ୧୦୦ କୋଟି ଟଙ୍କା ଅଧିକ ରାଜସ୍ବ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସୁଖୁ । ଏହି ଅର୍ଥକୁ ଦୁଗ୍ଧ ଉତ୍ପାଦକଙ୍କ ହିତରେ ବିନିଯୋଗ କରାଯିବ ।

ରାଜ୍ୟ ସରକାର ବିଦେଶୀ ମଦ, ବିଅର ଓ ୱାଇନ ଉପରେ ମଧ୍ୟ ଏହି ନିୟମ ଲାଗୁ କରିଛି । ଏ ନେଇ ନିଜ ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହି ନୂଆ ନୀତି ଆମର ସଂସ୍କୃତିକୁ ପ୍ରଦର୍ଶିତ କରୁଛି । ଆମେ କହୁଛୁ ଯେ ଯେଉଁମାନେ ସନ୍ଧ୍ୟାରେ ପିଇବାକୁ(ମଦ) ବସନ୍ତି, ସେମାନେ ସକାଳେ କ୍ଷୀର ପିଅନ୍ତୁ । ସନ୍ଧ୍ୟା ସମୟର ବୋତଲ ମହଙ୍ଗା ମିଳିବାକୁ ଥିବା ବେଳେ ସକାଳ ସମୟର ବୋତଲ ଶସ୍ତା ମିଳିବ ।" ଏ ନେଇ ସେ ହିନ୍ଦୀ ଭାଷାରେ କହିଛନ୍ତି, "ଶାମୱାଲି ବୋତଲ ମେହଙ୍ଗୀ ଔର ସୁବହୱାଲି ଦୁଧ ଶସ୍ତା ମିଲେଗା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.