Gujarat poll: ରାହୁଲଙ୍କ ବେରୋଜଗାରୀ ପ୍ରସଙ୍ଗ, କଂଗ୍ରେସର ଔକାତ ମନ୍ତବ୍ୟକୁ ମନେ ପକାଇଲେ ମୋଦି

author img

By

Published : Nov 21, 2022, 9:33 PM IST

Gujarat poll: ରାହୁଲଙ୍କ ବେରୋଜଗାରୀ ପ୍ରସଙ୍ଗ, କଂଗ୍ରେସର ଅପମାନକୁ ମନେ ପକାଇଲେ ମୋଦି

ଗୁଜୁରାଟରେ ନିର୍ବାଚନୀ ମୈଦାନରେ ପ୍ରଚାର ସାଙ୍ଗକୁ ଆରୋପ ପ୍ରତ୍ୟାରୋପ ଜୋରଦାର । ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧୀ କଲେ ପ୍ରଚାର । କଂଗ୍ରେସର ବେରୋଜଗାରୀ ପ୍ରସଙ୍ଗ ସାଙ୍ଗକୁ ମୋଦି କହିଲେ କଂଗ୍ରେସର ଅହଂକାର କଥା(PM Modi slams Congress ) । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟ ନିର୍ବାଚନ ପ୍ରଚାର ଜୋରଦାର । ଗୁଜୁରାଟ ନିର୍ବାଚନ ପାଇଁ ଖୁବ ଜୋରରେ ପ୍ରଚାର ଜାରି ରଖିଛନ୍ତି ବିଭିନ୍ନ ଦଳ । ବଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ମାରାଥନ ପ୍ରଚାର ଜାରି ରଖିଥିବା ବେଳେ କଂଗ୍ରେସ ପାଇଁ ମଧ୍ୟ ସାଂସଦ ରାହୁଲ ଗାନ୍ଧୀ ପ୍ରଚାର କରିଛନ୍ତି । ଆଜି ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଭିନ୍ନ ଭିନ୍ନ ସ୍ଥାନରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ପରସ୍ପରର ଦଳକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।

ରାହୁଲ ଗାନ୍ଧୀ ଗୁଜୁରାଟରେ ବିଜେପି ଶାସନରେ ବେରୋଜଗାରୀ ବୃଦ୍ଧି ପାଇଥିବା ଦର୍ଶାଇ ଟାର୍ଗେଟ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି, କଂଗ୍ରେସ ତାଙ୍କ ପ୍ରତି ବ୍ୟବହାର କରିଥିବା ଅପମାନଜନକ ଶବ୍ଦର ଭାଷାକୋଷ ଖୋଲିଛନ୍ତି (PM Modi slams Congress )।

ଆଜି (ସୋମବାର) ସୁରଟ ଜିଲ୍ଲାର ମହୁବାରେ ଦଳ ଦ୍ବାରା ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ ରାହୁଲ ଗାନ୍ଧୀ । ଗୁଜୁରାଟରେ କ୍ରମାଗତ ବେକାରୀ ବଢିବାରେ ଲାଗିଥିବା କହି ଦୀର୍ଘ ବର୍ଷ ଧରି କ୍ଷମତାରେ ରହି ଆସିଥିବା ଭାରତୀୟ ଜନତା ପାର୍ଟି ସରକାରକୁ ଟାର୍ଗେଟ କରିଥିଲେ । ତେବେ ଇଂରେଜଙ୍କ ଲବଣ ଆଇନ ବିରୋଧରେ ଗାନ୍ଧିଜୀ ଆରମ୍ଭ କରିଥିବା ଦାଣ୍ଡି ଯାତ୍ରାକୁ ମନେ ପକାଇବା ସହ ଭାରତ ଯୋଡ ଯାତ୍ରା ସହ ତୁଳନା କରିଥିଲେ ରାହୁଲ । ସେହିପରି ବର୍ତ୍ତମାନ ଦଳ ଜାରି ରଖିଥିବା ଭାରତ ଯୋଡ ଯାତ୍ରାର ଗୁଜୁରାଟ ସଂସ୍କୃତି ଓ ଇତିହାସ ସହ ସମ୍ପର୍କ ରହିଥିବା ମଧ୍ୟ ରାହୁଲ କହିଥିଲେ । ରାଜ୍ୟର କୃଷକ, ଯୁବକ ଓ ଆଦିବାସୀ ସମାଜ ବିଭିନ୍ନ ସମସ୍ୟା ମଧ୍ୟରେ ଥିବା ସେ ଯାତ୍ରା ସମୟରେ ଅବଗତ ହୋଇଥିବା କହିଥିଲେ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୁରେନ୍ଦ୍ର ନଗରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କଂଗ୍ରେସକୁ ଭିନ୍ନ ଢଙ୍ଗରେ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ‘‘ ନିର୍ବାଚନ ସମୟରେ କଂଗ୍ରେସ ବିକାଶର କଥା ନକହି ମତେ ନିଜର ଔକାତ ଦେଖାଇବାର କଥା କହୁଛି । ଏହା କେବଳ କଂଗ୍ରେସର ଅଂହକାର । ସେମାନେ ରାଜପରିବାର ସଦସ୍ୟ ହୋଇଥିବା ବେଳେ ମୁଁ ଏକ ସାଧାରଣ ପରିବାରରୁ ଆସିଛି । ଜନତାଙ୍କ ସେବକ ଭାବେ କାର୍ଯ୍ୟ ଜାରି ରଖିଛି । ମୋ ଔକାତ କଥା ଆଲୋଚନା ନକରି ଗୁଜୁରାଟ ବିକାଶ କଥା ଆଲୋଚନା କରନ୍ତୁ । ’’ ଗୋଟିଏ ପଟେ ରାହୁଲ ବିଜେପି ଉପରେ ଏକାଧିକ ପ୍ରସଙ୍ଗ ନେଇ ଟାର୍ଗେଟ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଲଟା କଂଗ୍ରେସ ଉପରେ ବର୍ଷିଛନ୍ତି ।

ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ଡିସେମ୍ବର 1 ତାରିଖ ଓ 5 ତାରିଖରେ ଭୋଟିଂ ହେବାକୁ ଯାଉଥିବା ବେଳେ 8ତାରିଖରେ ଭୋଟ ଗଣତି ଓ ଜନାଦେଶ ପ୍ରକାଶ ପାଇବ । ବିଜେପି ରାଜ୍ୟରେ ଗତ 27ବର୍ଷ ଧରି ଲଗାତାର କ୍ଷମତା ବଜାୟ ରଖିବାରେ ସଫଳ ହୋଇଆସିଛି । ଚଳିତ ଥର ବିଜେପି-କଂଗ୍ରେସ ଲଢେଇ ମଧ୍ୟରେ ଆମ ଆଦମୀ ପାର୍ଟି ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛି । ଏହାରି ମଧ୍ୟରେ ସମୟ ପାଖେଇବା ସହ ପ୍ରଚାର ମଧ୍ୟ ଜୋର ଧରିବାରେ ଲାଗିଛି । ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନିଜେ ନିଜ ଗୃହରାଜ୍ୟରେ ମାରାଥନ ପ୍ରଚାର ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.