74th Republic Day: ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି

author img

By

Published : Jan 21, 2023, 4:11 PM IST

74th Republic Day: ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି

ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି ଅବଦ୍ଦଲ ଫତେହ ଇଲ-ସିସି । 24ରେ ଦିଲ୍ଲୀରେ ପହଞ୍ଚିବେ । ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପରେ ଭାରତୀୟ ବ୍ୟବସାୟୀଙ୍କ ସହ କରିବେ ଆଲୋଚନା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଜିପ୍ଟ ରାଷ୍ଟ୍ରପତି ଅବଦ୍ଦଲ ଫତେହ ଇଲ-ସିସି (Abdel Fattah El-Sisi)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ସେ ଭାରତ ଗସ୍ତରେ ଆସୁଛନ୍ତି । ସେ 24 ତାରିଖରେ ଦିଲ୍ଲୀରେ ପହଞ୍ଚିବେ । କର୍ତ୍ତବ୍ୟପଥରେ ଆୟୋଜିତ ପରେଡରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ । ଏନେଇ ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବୈଦେଶିକ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ଅରବ ରିପବ୍ଲିକ ଅଫ ଇଜିପ୍ଟର ରାଷ୍ଟ୍ରମୁଖ୍ୟଙ୍କୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିବାରେ ଏହା ପ୍ରଥମ ଘଟଣା । ଚଳିତଥର ରାଷ୍ଟ୍ରପତି ଅବଦ୍ଦଲ ଫତେହ ଇଲ-ସିସିଙ୍କ ସହ ଇଜିପ୍ଟ ସେନାର ଏକ ସ୍ବତନ୍ତ୍ର କଣ୍ଟିନଜେଣ୍ଟ ମଧ୍ୟ ଭାରତ ଆସୁଛନ୍ତି । ଏହି କଣ୍ଟିନଜେଣ୍ଟ ଭାରତୀୟ ଶସସ୍ତ୍ର ବଳ ସହ କର୍ତ୍ତବ୍ୟପଥରେ ପରଡେରେ ମଧ୍ୟ ଅଂଶଗ୍ରହଣ କରିବ ।

ଅତିଥି ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ନୂଆଦିଲ୍ଲୀ ଆସୁଛନ୍ତି । ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପରେ ଉଭୟ ପ୍ରଧାନମନ୍ତ୍ରୀ ସିସି ଓ ମୋଦିଙ୍କ ମଧ୍ୟରେ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶର ପାରସ୍ପରିକ ପ୍ରସଙ୍ଗ ସହ ଅନ୍ୟ କିଛି ବୈଶ୍ବିକ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରମୁଖ୍ୟ ମତ ବିନିମୟ କରିବେ । ସେହିପରି କିଛି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଏକ ଗୋଷ୍ଠୀ ସହ ଇଜିପ୍ଟ ରାଷ୍ଟ୍ରପତି ଓ ତାଙ୍କ ପ୍ରତିନିଧି ଦଳ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । 68 ବର୍ଷୀୟ ରାଷ୍ଟ୍ରପତି ସିସି 2015 ରେ ଭାରତ ଆସିଥିଲେ । ପରେ ସେ 2016 ରେ ଆୟୋଜିତ ଇଣ୍ଡିଆ-ଆଫ୍ରିକା ଫୋରମ ସମ୍ମିଳନୀରେ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ନୂଆଦିଲ୍ଲୀ ଆସିଥିଲେ ।

ଭାରତ ଓ ଇଜିପ୍ଟ ଦ୍ବିପାକ୍ଷିକ ସମ୍ପର୍କର 75ବର୍ଷ ପାଳନ କରୁଛନ୍ତି । ଚଳିତବର୍ଷ (2022-23 )ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଜି20 ସମ୍ମିଳନୀରେ ମଧ୍ୟ ଇଜିଷ୍ଟ ଅତିଥି ରାଷ୍ଟ୍ର ଭାବେ ନିମନ୍ତ୍ରିତ ହୋଇଛି । ସାଧାରଣତନ୍ତ୍ର ଦିବସ ପୂର୍ବଦିନ (25 ତାରିଖ) ରେ ରାଷ୍ଟ୍ରପତି ଭବନରେ ତାଙ୍କ ପାଇଁ ଏକ ସ୍ବାଗତ ସମାରୋହ ଉତ୍ସବ ରହିଛି । ପରେ ସଂଧ୍ୟାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବେ । ପରଦିନ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ । ପରେ ଭାରତୀୟ ବ୍ୟବସାୟୀଙ୍କ ଏକ ଗୋଷ୍ଠୀ ସହ ସେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ 50ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ କମ୍ପାନୀର ପ୍ରତିନିଧି ସାମିଲ ହେବେ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.