Opposition Unity: ଖୁବଶୀଘ୍ର ମଞ୍ଚ ପାଇବ ବିରୋଧୀ ମେଳି ! ଖଡଗେ ଓ ରାହୁଲଙ୍କୁ ଭେଟିଲେ ନୀତିଶ
Published: May 22, 2023, 10:45 PM

Opposition Unity: ଖୁବଶୀଘ୍ର ମଞ୍ଚ ପାଇବ ବିରୋଧୀ ମେଳି ! ଖଡଗେ ଓ ରାହୁଲଙ୍କୁ ଭେଟିଲେ ନୀତିଶ
Published: May 22, 2023, 10:45 PM
ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ଖଡଗେ ଓ ରାହୁଲଙ୍କୁ ଭେଟିଲେ ନୀତିଶ କୁମାର । ଖୁବଶୀଘ୍ର ବିରୋଧୀ ଏକାଠି ହେବା ନେଇ କଂଗ୍ରେସର ସଙ୍କେତ । ଅଧିକ ପଢନ୍ତୁ
ନୂଆଦିଲ୍ଲୀ/ପାଟନା: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାରେ ଲାଗିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି (ସୋମବାର) ପୁଣି ଥରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ଦଳର ଅନ୍ୟତମ ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି । ଦିଲ୍ଲୀ ଗସ୍ତର ଦ୍ୱିତୀୟ ଦିନରେ ନୀତିଶ କୁମାର କଂଗ୍ରେସ କ୍ୟାମ୍ପରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ମଧ୍ୟ ନିକଟ ଅତୀତରେ ନୀତିଶ ଖଡଗେ ଓ ରାହୁଲଙ୍କୁ ଭେଟି ଆଲୋଚନା କରିଥିଲେ । ଆଜି କିଛି ଦିନର ବ୍ୟବଧାନରେ ଦ୍ବିତୀୟ ଭେଟଘାଟ ପରେ ଏକ ବାର୍ତ୍ତା ମଧ୍ୟ ସାମ୍ନାକୁ ଆସିଛି । ଖୁବଶୀଘ୍ର ବିରୋଧୀ ଏକଠି ହେବେ ଓ ଏକ ମିଳିତ ମଞ୍ଚକୁ ଆସିବେ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ଓ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କଂଗ୍ରେସରେ କର୍ଣ୍ଣାଟକର ବିଜୟ ପରେ ବିରୋଧୀ ଏକତା ପ୍ରସଙ୍ଗରେ ଏହା କଂଗ୍ରେସର ପ୍ରଥମ ବୈଠକ ଥିଲା । ମମତା ବାନାର୍ଜୀଙ୍କ ପରାମର୍ଶ କ୍ରମେ ନୀତିଶ କୁମାର ବିରୋଧୀ ଦଳର ନେତାମାନଙ୍କୁ କ୍ରମାଗତ ସାକ୍ଷାତ କରି ବିରୋଧୀ ଏକତା ପାଇଁ ଆଲୋଚନା ଜାରି ରଖିଛନ୍ତି । ବିରୋଧୀଙ୍କ ପ୍ରଥମ ମିଳିତ କାର୍ଯ୍ୟକ୍ରମ ପାଟନାରେ ହେବା ଉଚିତ ବୋଲି ମମତା ପୂର୍ବରୁ କହି ସାରିଛନ୍ତି । କାରଣ 70 ଦଶକରେ ପ୍ରଖ୍ୟାତ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣ ବିହାରରୁ ହିଁ ‘ସମ୍ପୂର୍ଣ୍ଣ କ୍ରାନ୍ତି’ ଆହ୍ବାନ ଦେଇଥିଲେ । ଯାହା ସମଗ୍ର ଦେଶରେ ପ୍ରଭାବ ପକାଇବା ସହ ତତ୍କାଳୀନ କେନ୍ଦ୍ର ସରକାରର ମଧ୍ୟ ପତନର କାରଣ ହୋଇଥିଲା । ତେଣୁ ପାଟନାରେ ହିଁ ମିଳିତ ବିରୋଧୀଙ୍କ ପ୍ରଥମ ଔପଚାରିକ କାର୍ଯ୍ୟକ୍ରମ ରଖିବାକୁ ମମତା ପ୍ରସ୍ତାବ ଦେଇଥିବା ବେଳେ ନୀତିଶ ମଧ୍ୟ ଏହାକୁ ସମର୍ଥନ କରିଥିଲେ ।
ନୀତିଶ ନିଜର ଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ଗତକାଲି (ରବିବାର) କେଜ୍ରିୱାଲଙ୍କୁ ଭେଟିଥିଲେ । ଗତ ଏକ ମାସ ମଧ୍ୟରେ କେଜ୍ରିୱାଲଙ୍କ ସହ ନୀତିଶଙ୍କର ଏହା ଥିଲା ଦ୍ୱିତୀୟ ସାକ୍ଷାତ । ଦିଲ୍ଲୀ ପ୍ରଶାସନିକ ନିୟନ୍ତ୍ରଣ ବିବାଦ ପ୍ରସଙ୍ଗରେ ନୀତିଶ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରିବା ସହ କେଜ୍ରିଓ୍ବାଲଙ୍କୁ ଖୋଲା ସମର୍ଥନ ଦେଇଥିଲେ । ନୀତିଶ କୁମାର ଏହାପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ, ସପା ମୁଖ୍ୟ ଅଖିଳେଶ ଯାଦବ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ପ୍ରତିଷ୍ଠାତା ମୁଖ୍ୟ ଶରଦ ପାୱାର ମଧ୍ୟ ଏହି ପ୍ରସଙ୍ଗରେ ସାକ୍ଷାତ କରିସାରିଛନ୍ତି । ନିର୍ବାଚନ ଯେତିକି ପାଖଉଛି, ନୀତିଶ ମଧ୍ୟ ନିଜ ଅଭିଯାନକୁ ସେତିକି ବ୍ୟାପକ କରିବା ପରି ନଜର ଆସୁଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ
