Anantnag Encounter: ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର

Anantnag Encounter: ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର
ଅନନ୍ତନାଗରେ ଏନକାଉଣ୍ଟର ପରେ ନିଖୋଜ ଥିବା ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଧିକ ପଢନ୍ତୁ
ଶ୍ରୀନଗର: ଅନନ୍ତନାଗରେ ଏନକାଉଣ୍ଟର ପରେ ଜାରି ରହିଛି ସର୍ଚ୍ଚ ଅପରେସନ । ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଷଷ୍ଠ ଦିନରେ ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶହୀଦ ଯବାନ ହେଉଛନ୍ତି 27 ବର୍ଷିୟ ପ୍ରଦୀପ ସିଂ । ଏହାକୁ ମିଶାଇ ଅନନ୍ତନାଗ ଏନକାଉଣ୍ଟରରେ ଶହୀଦଙ୍କ ସଂଖ୍ୟା 5 ହୋଇଛି । ଗତ 13 ତାରିଖଠାରୁ ନିଖୋଜ ଥିଲେ ପ୍ରଦୀପ । ସୋମବାର ସନ୍ଧ୍ୟା 5ଟା ବେଳେ ପ୍ରଦୀପ ସିଂଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରଥମେ ଏହା ଆତଙ୍କବାଦୀଙ୍କ ମୃତଦେହ ହୋଇଥିବା ସନ୍ଦେହ କରାଯାଇଥିଲା । କିନ୍ତୁ ଡିଏନଏ ରିପୋର୍ଟ ଆସିବା ପରେ ନିଖୋଜ ଯବାନ ପ୍ରଦୀପ ସିଂଙ୍କ ମୃତଦେହ ବୋଲି ଜଣାପଡ଼ିଛି । ଗତ 7 ବର୍ଷ ହେଲା ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ ପ୍ରଦୀପ । ତାଙ୍କ ଘର ପଞ୍ଜାବର ପଟିଆଲାରେ । ସେ ଶିଖ୍ ଲାଇଟ୍ ଇନ୍ଫାଣ୍ଟ୍ରି ରେଜିମେଣ୍ଟ୍ର ସିପାହୀ ସହ 19 ରାଷ୍ଟ୍ରୀୟ ରାଇଫଲର ସଦସ୍ୟ ମଧ୍ୟ ରହିଥିଲେ । ସେ ବିବାହିତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଅନନ୍ତନାଗରେ ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜାରି ରହିଛି । ଡ୍ରୋନ୍ ମଧ୍ୟ ସର୍ଚ୍ଚ ଅପରେସନରେ ନିୟୋଜିତ ରହିଛି । ଡ୍ରୋନ୍ରୁ ମିଳିଥିବା ଫୁଟେଜ୍ରେ ଏକ ସ୍ଥାନରେ ପୋଡ଼ିଯାଇଥିବା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ମାନେ ଉକ୍ତ ସ୍ଥାନରେ ପହଞ୍ଚି ମୃତଦେହ ଉଦ୍ଧାର କରିଥଲେ । ଶରୀର ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ମୃତଦେହ ଚିହ୍ନଟ ହୋଇପାରିନଥିଲା । ପ୍ରଥମେ ଏହା ଆତଙ୍କୀଙ୍କ ମୃତଦେହ ହୋଇଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ଡିଏନଏ ରିପୋର୍ଟ ଆସିବା ପରେ ଏହା ନିଖୋଜ ଯବାନ ପ୍ରଦୀପଙ୍କ ମୃତଦେହ ବୋଲି ସୂଚନା ମିଳିଛି।
ଗତ ବୁଧବାର ଅନନ୍ତନାଗର କୋକେରନାଗ ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ଥିବା ବିଶେଷ ସୂତ୍ରରୁ ସୂଚନା ପାଇ ସେନା ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସେନାର ରାଷ୍ଟ୍ରୀୟ ରାଇଫଲ ୟୁନିଟିର କମାଣ୍ଡିଂ ଅଫିସର କର୍ଣ୍ଣେଲ ମନପ୍ରୀତି ସିଂହ, ମେଜର ଆଶିଷ ଓ ଜମ୍ମୁ କାଶ୍ମୀର ପୋଲିସ ଡିଏସ୍ପି ହୁମାୟୁନ ଭଟ୍ଟଙ୍କ ମୃତ୍ୟୁ ହୋଇଥିଲା । ଏହାପରଠୁ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ଅପେରସନ ଜୋରଦାର କରାଯାଇଥିଲା । ସର୍ଚ୍ଚ ଅପରେସନରେ ସହାୟତା ପାଇଁ ହେରନ ଡ୍ରୋନ୍ ଓ କ୍ବାଡକାପ୍ଟର ମଧ୍ୟ ମୁତୟନ କରାଯାଇଥିଲା ।
