BJP Foundation Day: ଅଟଳ-ଆଡଭାନୀ ବନାଇଲେ, ମୋଦି-ଶାହ ଚମକାଇଲେ

author img

By

Published : Apr 6, 2022, 7:01 AM IST

Bjp Foudation Day

ବିଶ୍ବର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି 42 ତମ ସ୍ଥାପନା ଦିବସ ପାଳନ କରୁଛି । 6 ଏପ୍ରିଲ 1980 ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଜନ୍ମ ନେଇଥିବା ବିଜେପି ଶୂନ୍ୟରୁ ଆଜି ଶିଖରରେ ପହଞ୍ଚିପାରିଛି । ସଂଘର୍ଷ, ସଂଗ୍ରାମ ବିଚାରଧାରା, ମାନବତା, ରାଷ୍ଟ୍ରବାଦ, ସୁଶାସନ ଓ ହିନ୍ଦୁତ୍ବ ବିଚାରଧାରାକୁ ନେଇ ଦଳ ଗୋଟିଏ ପରେ ଗୋଟିଏ ଗୌରବ ଗାଥା ଲେଖୁଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି 42 ତମ ସ୍ଥାପନା ( Bjp Foundation Day) ଦିବସ ପାଳନ କରୁଛି । 6 ଏପ୍ରିଲ 1980 ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଜନ୍ମ ନେଇଥିବା ବିଜେପି ଶୂନ୍ୟରୁ ଆଜି ଶିଖରରେ ପହଞ୍ଚିପାରିଛି । ସଂଘର୍ଷ, ସଂଗ୍ରାମ ବିଚାରଧାରା, ମାନବତା, ରାଷ୍ଟ୍ରବାଦ, ସୁଶାସନ ଓ ହିନ୍ଦୁତ୍ବ ବିଚାରଧାରାକୁ ନେଇ ଦଳ ଗୋଟିଏ ପରେ ଗୋଟିଏ ଗୌରବ ଗାଥା ଲେଖୁଛି ।

ଅଟଳ ଆଡୱାଣୀ ବନାଇଲେ, ମୋଦି ଶାହା ଚମକାଇଲେ
ଅଟଳ ଆଡୱାଣୀ ବନାଇଲେ, ମୋଦି ଶାହା ଚମକାଇଲେ

ଦିବଂଗତ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ 4 ଦଶନ୍ଧୀ ପୂର୍ବେ ଆରବ ସାଗର ଉପକୂଳରେ ଯେଉଁ ଭବିଷ୍ୟତବାଣୀ କରିଥିଲେ ତାହା ଆଜି ସତ ହୋଇଛି । ସେଦିନ ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଭାରତୀୟ ଜନତା ପାର୍ଟି(ବିଜେପି) ର ପ୍ରଥମ ରାଷ୍ଟ୍ରୀୟ ଅଧିବେଶନ(କାର୍ଯ୍ୟକାରିଣୀ)କୁ ସମ୍ବୋଧିତ କରି ଅଟଳ କହିଥିଲେ... ଅନ୍ଧେରା ହଟେଗା... ସୁରଜ୍‌ ନିକଲେଗା... କମଳ ଖିଲେଗା... ଅଟଳ ଏହା ମଧ୍ୟ କହିଥିଲେ ଯେ ବିଜେପି କେବଳ ହିନ୍ଦୀ ହ୍ୟାଟଲ୍ୟାଣ୍ଡରେ ସୀମିତ ରହିବ ନାହିଁ । ସମୟ ଆସିବ ଭାରତବର୍ଷର ଉତ୍ତର ପୂର୍ବ ପାହାଡି ଭୂଇଁରେ ମଧ୍ୟ କମଳ ଫୁଟିବ । ବିଜେପିକୁ ଜନତା ପୂର୍ଣ୍ଣ ବହୁମତ ଦେବେ । ବିଜେପି ରାମ ମନ୍ଦିର ନିର୍ମାଣ କରିବ। ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବ । ଆଜି ଅଟଳ ନାହାଁନ୍ତି ସତ । ହେଲେ ସେ ଯେଉଁ ଭବିଷ୍ୟତବାଣୀ କରିଥିଲେ ତାହା ସତ ହେଉଛି । ସେ ପକାଇ ଯାଇଥିବା ମୂଳଦୂଆ ଉପରେ ଦଳ ଆଜି ବିଶାଳ ମହଲ ନିର୍ମାଣ କରିସାରିଛି । ଅଟଳଙ୍କ ଅନ୍ତେ ମଧ୍ୟ ବିଜେପି ଆଜି 2 ଟି ଆସନରୁ 3 ଶହ ପାର କରିସାରିଛି । 11 ଜଣ ସଦସ୍ୟଙ୍କୁ ନେଇ ପଡିଥିବା ବିଜେପିର ମୂଳଦୁଆ ଆଜି 11 କୋଟି ସଦସ୍ୟ ସଂଖ୍ୟାରେ ପହଞ୍ଚିଛି ।

ଅଟଳ ଆଡୱାଣୀ ବନାଇଲେ, ମୋଦି ଶାହା ଚମକାଇଲେ
ଅଟଳ ଆଡୱାଣୀ ବନାଇଲେ, ମୋଦି ଶାହା ଚମକାଇଲେ

ଜନସଂଘରୁ ବିଜେପିର ଜନ୍ମ

6 ଏପ୍ରିଲ 1980 ଆଜିର ଦିନରେ ଦିବଂଗତ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ବିଜେପିର ସ୍ଥାପନ ହୋଇଥିଲା । ପ୍ରଥମ ଅଧ୍ୟକ୍ଷ ଭାବେ ଅଟଳ ବିଜେପିର ମୂଳଦୂଆକୁ ମଜବୁତ କରିବାରେ ସଫଳ ହୋଇଥିଲେ । ଆଜି ଯେଉଁ ବିଜେପି ଶାସନର ଶୀର୍ଷରେ ଅଛି, ସେହି ଦଳର ନିର୍ମାଣରେ ଅନେକ ରାଜନେତାଙ୍କ ତ୍ୟାଗ ବଳିଦାନ ରହିଛି । ଜନସଂଘ ବର୍ଷ 1952 ରେ ହୋଇଥିବା ଦେଶରେ ସାଧାରଣ ନିର୍ବାଚନ ଲଢିଥିଲା । କଂଗ୍ରେସର ଅଭୁତ ପୂର୍ବ ସଫଳତା ସତ୍ବେ ଜନସଂଘ 3 ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ପରେ 1957 ନିର୍ବାଚନରେ ଜନସଂଘ 4 ଟି ଆସନ ଜିତି ନିଜ ଆତ୍ମବିଶ୍ବାସକୁ ବଢାଇବାରେ ସଫଳ ହେଲା । 1962 ନିର୍ବାଚନରେ ଜନସଂଘ 14 ଟି ଆସନ ଜିତିଲା । ଫଳରେ ଧୀରେ ଧୀରେ ଜନସଂଘର ଲୋକପ୍ରିୟତା ବଢିବା ସବ 1967 ରେ ହୋଇଥିବା ଚତୁର୍ଥ ଲୋକସଭା ନିର୍ବାଚନରେ 35 ଟି ଆସନ ଦଖଲ କଲା । ପରେ 1971 ନିର୍ବାଚନରେ ଦଳ ଆସନ ସଂଖ୍ୟା 22 କୁ ଖସି ଆସିଲା । ଏହାପରେ ବର୍ଷ 1975-1976 ରେ ଦେଶରେ ଜରୁରୀ କାଳୀନ ସ୍ଥିତି ଲାଗୁ ହେଲା । ଇନ୍ଦିରା ଗାନ୍ଧୀଙ୍କୁ ପରାସ୍ତ କରିବା ପାଇଁ ଜନସଂଘ ସମେତ ଅନ୍ୟ ଛୋଟ ଦଳ ଗୁଡିକ ମିଶି ଜନତା ଦଳ ଗଠନ କଲେ । ଆଉ 1977 ରେ ହୋଇଥିବା ଷଷ୍ଠ ଲୋକସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି 295 ଟି ଆସନ ଜିତି ସରକାର ଗଠନ କରିଥିଲା ଜନତା ଦଳ । ହେଲେ 1980 ରେ ହୋଇଥିବା ସପ୍ତମ ଲୋକସଭା ନିର୍ବାଚନରେ ଜନତା ଦଳ କୁ ଲାଗିଥିଲା ଜବରଦସ୍ତ ଝଟକା । 295 ଆସନରୁ ଖସି ମାତ୍ର 35 ଟି ଆସନରେ ସୀମିତ ହୋଇଗଲା ।

ଅଟଳ ଆଡୱାଣୀ ବନାଇଲେ, ମୋଦି ଶାହା ଚମକାଇଲେ
ଅଟଳ ଆଡୱାଣୀ ବନାଇଲେ, ମୋଦି ଶାହା ଚମକାଇଲେ

ଜନତା ଦଳର ଦୁର୍ଗତି

1980 ସପ୍ତମ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ 4 ଏପ୍ରିଲ ରେ ଜନତା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକ ଆୟୋଜିତ ହେଲା । ବୈଠକର ଉଦ୍ଦେଶ୍ୟ ଥିଲା ଦ୍ବେତ ସଦସ୍ୟତା ଗ୍ରହଣ କରିଥିବା ନେତାଙ୍କୁ ଦଳରୁ ବହିଷ୍କୃତ କରିବା । ହେଲେ ଦଳକୁ ସଂଗଠିତ କରିବା ପାଇଁ ମୋରାଜୀ ଦେଶାଇଙ୍କ ଉଦ୍ୟମ ବିଫଳ ହୋଇଥିଲା । ମୂଳ ଜନସଂଘ ନେତାଙ୍କୁ ଅସାମ୍ବିଧାନିକ ଭାବେ ଜନତା ଦଳରୁ ବହିଷ୍କାର କରାଯାଇଥିଲା । ହେଲେ ଏହାପରେ ଜନତା ଦଳ ଏକ ଅବଶେଷ ରେ ହିଁ ରହିଯାଇଥିଲା ।

ଅଟଳ ଆଡୱାଣୀ ବନାଇଲେ, ମୋଦି ଶାହା ଚମକାଇଲେ
ଅଟଳ ଆଡୱାଣୀ ବନାଇଲେ, ମୋଦି ଶାହା ଚମକାଇଲେ

ଅଟଳ ଦେଇଥିଲେ ‘ବିଜେପି’ ନାଁ

ଜନତା ଦଳରୁ ବହିଷ୍କୃତ ହେବା ପରେ ଏହାର ଯଥେଷ୍ଟ ପୂର୍ବରୁ ନୂଆ ଇତିହାସ ରଚନା କରିବା ପାଇଁ ରଣନୀତି ରଚି ସାରିଥିଲେ ଅଟଳ ବିହାରୀ ବାଜପେୟୀ । ପରଦିନ ଅର୍ଥାତ 5 ଓ 6 ଏପ୍ରିଲରେ ଦୁଇ ଦିନ ଧରି ଏକ ରାଷ୍ଟ୍ରୀୟ ଅଧିବେଶନ ଦିଲ୍ଲୀରେ ଡାକିଲେ ଅଟଳ ବିହାରୀ ବାଜପେୟୀ । ଯେଉଁଥିରେ 3 ହଜାରରୁ ଅଧିକ ନେତା ଯୋଗଦେଇଥିଲେ । ଆଉ ଅନେକ ବିଚାର ବିମର୍ଶ ପରାମର୍ଶ ପରେ 6 ଏପ୍ରିଲ 1980 ସଂଧ୍ୟାରେ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତୀୟ ଜନତା ପାର୍ଟି (ବିଜେପି) ।

ଆରମ୍ଭରୁ ବିପର୍ଯ୍ୟ ଦେଖିଥିଲା ବିଜେପି

ନୂଆ ଦଳ ନୂଆ ଲକ୍ଷ୍ୟ ସହ ବର୍ଷ 1984 ସାଧାରଣ ନିର୍ବାଚନକୁ ଓହ୍ଲାଇଥିଲା ବିଜେପି । ହେଲେ ଦଳକୁ ପ୍ରଚଣ୍ଡ ପରାଜୟ ଭୋଗିବାକୁ ପଡିଥିଲା । ଦଳ ମାତ୍ର 2 ଟି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା । ଏହାକୁ ନେଇ ସେତେବେଳେ ଅଟଳଙ୍କୁ ଅନେକ ରାଜନୈତିକ ଦଳ କଡା କଟାକ୍ଷ କରିଥିଲେ । ଆଉ ଲୋକସଭାରେ ବିରୋଧୀଙ୍କୁ ଏହାର ଜବାବ ଦେଇ ଅତ୍ୟନ୍ତ ଭାବବିହ୍ବଳ କଣ୍ଠରେ ଅଟଳ କହିଥିଲେ, ଆମକୁ ବହୁମତ ମିଳିଲା ନାହିଁ । ଆମେ ଦେଶବାସୀଙ୍କ ବିଶ୍ବାସ ଜିତିପାରିଲୁ ନାହିଁ । ହେଲେ ଆମେ ଆମର ନିଷ୍ଠା, ସାଧନା, ସଂଘର୍ଷ, ସେବା ଓ ରାଷ୍ଟ୍ରବାଦକୁ ନେଇ ଲଢେଇ କରିବୁ । ଆଜି ଆମେ ଲୋକସଭାରେ 2 ଜଣ ସଦସ୍ୟ ଅଛୁ ବୋଲି କଂଗ୍ରେସ ସମେତ ସାରା ବିରୋଧୀ ଆମ ଉପରେ ହସୁଛନ୍ତି । ହେଲେ ଦିନେ ସମୟ ଆସିବ ... ଦେଶବାସୀ ଆମକୁ ସମର୍ଥନ ଦେବେ... ଆମେ ପୂର୍ଣ୍ଣ ବହୁମତ ସହ ଦେଶର ସେବା କରିବାର ସୁଯୋଗ ପାଇବୁ ... ସାରା ଦେଶର ଆମର ସରକାର ଥିବା ... ଆଉ ସେତେବେଳେ କଂଗ୍ରେସ ଉପରେ ଦେଶବାସୀ ହସୁଥିବେ ।

ବିଜେପିକୁ କେଉଁ ବର୍ଷ ମିଳିଥିଲା କେତେ ଆସନ?

1989 ରେ ହୋଇଥିବା ନବମ ଲୋକସଭା ନିର୍ବାଚନରେ ବିଜେପିକୁ 85 ଟି ଆସନ ମିଳିଥିବା ବେଳେ, 1991 ରେ 120 ଟି, 1996 ରେ 161 ଟି, 1998-99 ରେ 182 ଟି, 2004 ରେ 138 ଟି, 2009 ରେ 116 ଟି , 2014 ରେ 282 ଟି ଓ 2019 ସପ୍ତଦଶ ଲୋକସଭାରେ ନିର୍ବାଚନରେ ବିଜେପିକୁ ମିଳିଛି 303 ଟି ଆସନ ।

1984 ପରେ ରଣନୀତି ପରିବର୍ତ୍ତନ କଲା ବିଜେପି

1984 ସାଧାରଣ ନିର୍ବାଚନରେ ବିଜେପିର ପରାଜୟ ପରେ ଦଳ ନିଜ ରଣନୀତିରେ କଲା ବଡ ପରିବର୍ତ୍ତନ । ଗାନ୍ଧୀଙ୍କ ଆଦର୍ଶ, ଜେପିଙ୍କ ସ୍ବପ୍ନ, ଆମ୍ବେଦକର, ଭଗତ ସିଂ, ସୁବାଷ ବୋଷଙ୍କୁ ଆଦର୍ଶ ମାନୁଥିବା ବିଜେପିର ରଣନୀତିରେ ଯୋଡିହେଲା ହିନ୍ଦୁତ୍ବ । ବିଜେପରି ଚାଲ, ଚରିତ୍ର ଓ ଚେହେରା ଥିବା ଅଟଳ ହିନ୍ଦୁତ୍ବକୁ ନେଇ ମଧ୍ୟ ନିଜ ରଣନୀତିରେ ସ୍ପଷ୍ଟ କଲେ । ଆଉ ହିନ୍ଦୁତ୍ବ ବିଚାରଧାରା ସହ ରାଷ୍ଟ୍ରବାଦକୁ ଆୟୁଧ କରି ଅଟଳ ଆଡଭାନୀ ଯୋଡି ଲଢିଲେ 1989 ନିର୍ବାଚନ । ଆଉ ସେହି ଦିନ ଠାରୁ ଉତ୍ଥାନ ପତନ ଦେଇ ସଂଘର୍ଷ କରି ଅଟଳ ଆଡୱାଣୀ ବିଜେପିକୁ ଏକ ରାଷ୍ଟ୍ରୀୟ ପାର୍ଟିରେ ପରିଣତ କରିବାରେ ସଫଳ ହେଲେ ।

ବାଜପେୟୀ ବନିଥିଲେ ବାଦଶାହା

ସଂଘର୍ଷ, ସେବା, ସଂଗ୍ରାମର ସହ ସ୍ପଷ୍ଟ ଲକ୍ଷ୍ୟ, ସଠିକ ରଣନୀତି କରି ଦଳକୁ ଆଗକୁ ନେଉଥିବା ବାଜପେୟୀ 1996 ରେ ପ୍ରଥମ ଥର ପାଇଁ 13 ଦିନ 1998-99 ରେ ଦ୍ବିତୀୟ ଥର ପାଇଁ 13 ମାସ ହୋଇଥିଲେ ଭାରତବର୍ଷର ପ୍ରଧାନମନ୍ତ୍ରୀ । ପରେ 1999 ରୁ 2004 ଏକ ମେଣ୍ଟ ସରକାରର ନେତୃତ୍ବ ନେଇ ପୁରା 5 ବର୍ଷ ପ୍ରଧାନମନ୍ତ୍ରୀ ରହିବା ସହ ରଚିଥିଲେ ଇତିହାସ । ଆଉ ନିଜ ବିଶ୍ବସ୍ତ ସହଯୋଗୀ ଲାଲକୃଷ୍ଣ ଆଡଭାନୀଙ୍କୁ କରିଥିଲେ ଉପ-ପ୍ରଧାନମନ୍ତ୍ରୀ ।

2004 ରେ ଅସ୍ତ ହେଲା ଅଟଳଙ୍କ ଅସ୍ତିତ୍ବ

2004 ରେ ସାଧାରଣ ନିର୍ବାଚନେର ବିଜେପି ପୁରା ଆତ୍ମବିଶ୍ବାସ ସହ ନିର୍ବାଚନ ଲଢିଥିଲା । ସାଇନିଂ ଇଣ୍ଡିଆର ନାରା ଦେଇ ଅଟଳ ଆଡଭାନୀ ଯୋଡି ପୁରା ଦେଶରେ ଛାଇଗଲେ । ହେଲେ ନିର୍ବାଚନ ଫଳାଫଳ ପରେ ବିଜେପିକୁ ବଡ ଧରଣର ପରାଜୟ ସାମନା କରିବାକୁ ପଡିଲା । କଂଗ୍ରେସ କ୍ଷମତା ଦଖଲ କଲା । ପରେ ଅଟଳ ଆଡଭାନୀଙ୍କୁ ଦଳର କମାଣ ଦେଇ ନିଜେ ରାଜନୀତିରୁ ଧୀରେ ଧୀରେ ଅପସରି ଗଲେ । ଆଡଭାନୀଙ୍କ କଠୋର ହିନ୍ଦୁତ୍ବବାଦୀ, ରାଷ୍ଟ୍ରବାଦ ନାରା ସତ୍ବେ ବିଜେପିକୁ ବିପର୍ଯ୍ୟୟରୁ ଉଦ୍ଧାର କରିପାରିନଥିଲେ । 2009 ସାଧାରଣରେ ମଧ୍ୟ ବିଜେପିକୁ ପରାଜୟ ଭୋଗିବାକୁ ପଡିଥିଲା । ଆଉ ଆଡଭାନୀଙ୍କ ଯୁଗର ମଧ୍ୟ ଅନ୍ତ ହେବାକୁ ଲାଗିଲା ।

ଆଗକୁ ଆସିଲେ ଦ୍ବିତୀୟ ପିଢି ନେତା

ତେବେ ମୂଳରୁ ବିଜେପିକୁ ସଂଘର୍ଷ, ସେବା ଓ ଶକ୍ତି ଯୋଗାଉଥିବା ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (ଆରଏସଏସ) ର ପରାମର୍ଶ ଓ ସେତେବେଳର ରାଜନୀତିର ଆବଶ୍ୟକତା ଦେଖି ଦ୍ବିତୀୟ ପିଢି ନେତାଙ୍କୁ ସାମନାକୁ ଆଣିଲା ବିଜେପି । 2012 ରେ ସଭାପତି ଥିବା ରାଜନାଥ ସିଂ 2014 ନିର୍ବାଚନ ପାଇଁ କଷିଲେ କମର । ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତୀୟ ରାଜନୀତିରେ ପ୍ରଜେକ୍ଟ କଲେ । ଆଉ ମୋଦି ଜାତୀୟ ରାଜନୀତି ପାଇଁ ଗୁଜୁରାଟରେ ରହି ପୁରା ତାଲିମ ନେଇ ସାରିଥିଲେ । ନିଜର ପୁରା ଟିମ ସହ 2014 ଲଢେଇ ପାଇଁ ଆରମ୍ଭ କଲେ ଯୋଜନାବଦ୍ଧ ରଣନୀତି ।

ଆରମ୍ଭ ହେଲା ବିଜେପିର ସ୍ବର୍ଣ୍ଣିମ ଯୁଗ

2014 ସାଧାରଣ ନିର୍ବାଚନରେ ବିଜେପି ଯାହା କରି ଦେଖାଇଲା ତାହା ଭାରତୀୟ ରାଜନୀତିରେ କେବେ ହୋଇନଥିଲା । କୌଣସି ଦଳ ଏକାକି ପୂର୍ଣ୍ଣ ବହୁମତ ସହ ଦିଲ୍ଲୀ ଦଖଲ କଲା । ବିଜେପି 282 ଟି ଆସନ ପାଇ ସରକାର ଗଠନ କଲା । ଆଉ ବିଜେପିରେ ଅଟଳ-ଆଡୱାଣି ଯୋଡି ପରେ ଆରମ୍ଭ ହେଲା ମୋଦି-ଶାହା ଯୋଡି । ଉଭୟ ଦଳର ବିସ୍ତାର ସହ ସାରା ଦେଶ ଉପରେ ଦଳର ଶକ୍ତି ବୃଦ୍ଧି ପାଇଁ କୌଣସି ସୁଯୋଗ ଛାଡିଲେ ନାହିଁ । ନିଜେ ମୋଦି ସରକାର ସମ୍ଭାଳିବା ସହ ଅନୁଗତ ଶାହାଙ୍କୁ ଦେଲେ ସଂଗଠନ ଦାୟିତ୍ବ । ଅମିତ ଶାହା ମଧ୍ୟ ସାରା ଦେଶ ପରିଭ୍ରମଣ କରି ସବୁଠି ଦଳର ସଂଗଠନକୁ ବଢାଇବାରେ ଲାଗିଲେ । ଏକାଧିକ ରାଜ୍ୟ ଦଖଲ କଲେ । 2018 ସୁଦ୍ଧା ଦଳ 19 ଟି ରାଜ୍ୟ ଦଖଲ କରିବାରେ ସଫଳ ହେଲା । ଉଭୟ ପୁରା କର୍ପୋରେଟ ଢାଞ୍ଚାରେ ଦଳକୁ ପୁରା ଦେଶରେ ବିସ୍ତାର କଲେ । ଏହାସହ ଦଳର ସାମ୍ବିଧାନିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କଲେ । ଦଳର ବରିଷ୍ଠ ନେତାଙ୍କୁ ସଂଗଠନରୁ ହଟାଇ ନୂଆ ନୂଆ ନେତାଙ୍କୁ ଆଣିଲେ । ଏହାସହ ରାଜ୍ୟ ସ୍ତରୀୟ ନେତାଙ୍କୁ ମଧ୍ୟ ସୁଯୋଗ ଦେଲେ ।

2019 ରେ ଦଳ ରଚିଲା ନୂଆ ଇତିହାସ

ମୋଦି-ଶାହାଙ୍କ ସରକାର-ସଂଗଠନ ପରିଚାଳ ଦକ୍ଷତା ପୁଣି ଥରେ 2019 ରେ ବଡ ଧରଣର ସଫଳତା ପାଇଲା । ଦଳ ନିର୍ବାଚନରେ ତିନି ଶହରୁ ଅଧିକ ଆସନ ଜିତି ରଚିଲା ଇତିହାସ । ଆଉ ଅଟଳ-ଆଡଭାନୀ ଦଳ ଗଠନ ବେଳେ ଦେଖିଥିବା ସ୍ବପ୍ନ, ରଖିଥିବା ଲକ୍ଷ୍ୟ ପୂରଣ କଲେ ମୋଦି-ଶାହ । ଖାଲି ଏତିକି ନୁହେଁ ଉଭୟ ଦଳର ଆଗାମୀ 40 ବର୍ଷ ପାଇଁ ମଧ୍ୟ ଭିତ୍ତିଭୂମି ସହ ନେତା ସୃଷ୍ଟି କରି ବିଜେପିକୁ ଏକ ନୂତନ ସ୍ତରକୁ ନେବା ପାଇଁ ପଥ ପରିଷ୍କାର କରିବାକୁ ଉଦ୍ୟମ କରୁଛନ୍ତି । ତେବେ ଦେଖିବାର କଥା ଆଜି 42 ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବିଜେପିର ଭବିଷ୍ୟତ କେତେ ଦୂର ଯାଏଁ ଯାଇପାରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.