ଗୁଜୁରାଟ ପଶାପାଲିରେ ପଟିଦାର, ଭୂପେନ୍ଦ୍ରଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କଲା ବିଜେପି ?

author img

By

Published : Sep 13, 2021, 6:30 AM IST

Updated : Sep 13, 2021, 9:23 AM IST

ଗୁଜୁରାଟ ପଶାପାଲିରେ ପାଟିଦାର, ଭୂପେନ୍ଦ୍ରଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କଲା ବିଜେପି ?

ଭୂପେନ୍ଦ୍ର ପଟେଲଙ୍କୁ ନିଜର ସବୁଠ ମଜବୁତ ଗଡ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଭାରତୀୟ ଜନତା ପାର୍ଟି । ସବୁଠୁ ବଡ ପ୍ରଶ୍ନ ହେଉଛି, ନିର୍ବାଚନର ମାତ୍ର ବର୍ଷେ ପୂର୍ବରୁ କଣ ପାଇଁ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଅଦଳବଦଳ କଲା ବିଜେପି ? ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପ୍ରଥମ ଥର ବିଧାୟକରୁ ମୁଖ୍ୟମନ୍ତ୍ରୀ ପଦ । ପଟିଦାର ନେତା ଭାବରେ ଦକ୍ଷ ସଙ୍ଗଠକ । ଆଉ 'ଦାଦା' ରୂପେ ପରିଚିତ ସମସ୍ତଙ୍କ ଲୋକପ୍ରିୟ ନେତା ଭୂପେନ୍ଦ୍ର ପଟେଲ ହେବେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ । ଭୂପେନ୍ଦ୍ର ପଟେଲଙ୍କୁ ନିଜର ସବୁଠୁ ମଜବୁତ ଗଡ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଭାରତୀୟ ଜନତା ପାର୍ଟି ।

ଆସନ୍ତା ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ ସବୁଠୁ ବଡ ପ୍ରଶ୍ନ ହେଉଛି, ନିର୍ବାଚନର ମାତ୍ର ବର୍ଷେ ପୂର୍ବରୁ କଣ ପାଇଁ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଅଦଳବଦଳ କଲା ବିଜେପି ? ଯେଉଁ ବିଜୟ ରୂପାଣୀଙ୍କ ବଳରେ ୪ ବର୍ଷ ଗୁଜୁରାଟରେ ରାଜ କରିଆସୁଥିବା ବିଜେପି କାହିଁକି ଅଚାନକ ଦେଲା ବିଦାୟ ? କେବଳ ଗୁଜୁରାଟ ନୁହେଁ, ନିକଟରେ ଅନ୍ୟ ରାଜ୍ୟରେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ପରିବର୍ତ୍ତନ କରିଥିବା ନଜିର ରହିଛି ।

ଗୁଜୁରାଟ ପଶାପାଲିରେ ପଟେଲଙ୍କୁ ଗୋଟି କରି ବଡ ଗେମ ପ୍ଲାନ ପ୍ରସ୍ତୁତ କରିଛି ବିଜେପି । ବିଜେପିର ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସିଏମ ପଦର ରେସ୍‌ରେ ଦୂରଦୂରକୁ ନଜର ଆସୁନଥିଲେ ଭୁପେନ୍ଦ୍ର ପଟେଲ । ହେଲେ ଅଚାନକ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ମାଷ୍ଟରଷ୍ଟ୍ରୋକ ଦେଇଛି ବିଜେପି ।

ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆନନ୍ଦୀବେନ ପଟେଲଙ୍କ ନିକଟତର ବୋଲି ବିବେଚନା କରାଯାଏ । ବିଜେପିର ସମର୍ପିତ କାର୍ଯ୍ୟକର୍ତ୍ତା ରହିଆସିଥିବା ଭୂପେନ୍ଦ୍ର ପଟେଲ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟ ନିକଟତର ।

୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସର ଶଶିକାନ୍ତ ପଟେଲଙ୍କୁ ହରାଇଥିଲେ ଭୂପେନ୍ଦ୍ର । ଏହାକୁ ନେଇ ଏକ ରୋଚକ କଥା ରହିଛି । ୨୦୧୭ରେ ବିଧାନସଭା ନିର୍ବାଚନରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲ ନିର୍ବାଚନ ଲଢିବା ପାଇଁ ମନା କରିଦେଇଥିଲେ । ଏହାପରେ ଆନନ୍ଦୀବେନଙ୍କ କହିବାନୁଯାୟୀ ଭୂପେନ୍ଦ୍ର ପଟେଲଙ୍କୁ ତାଙ୍କ ନିଜ ଆସନ ଘାଟଲୋଡିୟାରୁ ଟିକଟ ଦିଆଯାଇଥିଲା । ଆଉ ଏହି ନିର୍ବାଚନରେ ଏକ ଲକ୍ଷ ୧୭ ହଜାରୁ ଅଧିକ ଭୋଟ୍‌ରେ ରେକର୍ଡ ବିଜୟ ହାସଲ କରିଥିଲେ ଭୂପେନ୍ଦ୍ର । ଏଥର ମଧ୍ୟ ଆନନ୍ଦୀବେନଙ୍କ ପ୍ରସ୍ତାବ ପରେ ମୋଦିଙ୍କ ଗୁଡବୁକରେ ସ୍ଥାନ ପାଇଁଛନ୍ତି ଭୂପେନ୍ଦ୍ର ପଟେଲ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟରେ ୧୮୨ ବିଧାନସଭା ଆସନ ପାଇଁ ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଡିସେମ୍ବରରେ ନିର୍ବାଚନ ହେବ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜୁରାଟ ଗଡର ଦାୟିତ୍ବ ହସ୍ତାନ୍ତର କରାଯାଇଛି ।

ଦୀର୍ଘ ୨୫ ବର୍ଷରୁ ଗୁଜୁରାଟ କ୍ଷମତାରେ ରହିଆସିଥିବା ବିଜେପି ଏଥର ୧୫୦ ଆସନ ଜିତିବାର ଲକ୍ଷ୍ୟ ରଖିଛି । ନିର୍ବାଚନକୁ ନେଇ କୌଣସି ରିସ୍କ ଉଠାଇବାକୁ ଚାହୁଁନି ଦଳ । ପଟିଦାର ସମୁଦାୟ ଗୁଜୁରାଟର ଭୋଟ ବ୍ୟାଙ୍କ ରହିଆସିଛି । ରାଜ୍ୟରେ ଆଜିଯାଏଁ ଯେତେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସମସ୍ତେ ଲେୱା ପଟିଦାର ସହ ସମ୍ବନ୍ଧିତ ଥିଲେ । ହେଲେ ଏଥର ପ୍ରଥମ ଥର କୌଣସି କଦୱା ପଟିଦାର ନେତାଙ୍କୁ ଦିଆଯାଇଛି ଗୁଜୁରାଟ ଭାର ।

ଭୂପେନ୍ଦ୍ର ପଟେଲ ରାଜ୍ୟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ନେବେ ଶପଥ । ରାଜ୍ୟରେ ଜାତିଗତ ଫ୍ୟାକ୍ଟର ସମସ୍ୟା ସମାଧାନ ପାଇଁ ବିଜେପି ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିଥିବା କୁହାଯାଇପାରେ ।

ଅର୍ଥନୈତିକ ଏବଂ ରାଜନୈତିକ ଦୃଷ୍ଟିରୁ ଗୁଜୁରାଟର ପଟିଦାର ଓ ପଟେଲଙ୍କୁ ସବୁଠାରୁ ପ୍ରଭାବଶାଳୀ ସମୁଦାୟ ରୂପେ ବିବେଚନା କରାଯାଏ । ଏହି ସମୁଦାୟ ଗୁଜୁରାଟ ଜନସଂଖ୍ୟାର 12ରୁ 14 ପ୍ରତିଶତ । ରାଜ୍ୟର ୩ ଜଣରେ ଜଣେ ବିଧାୟକ ପଟିଦାର। ମୋଟ 182ଟି ସିଟ ମଧ୍ୟରୁ 70ରୁ 90 ବିଧାନସଭା ଆସନ ଉପରେ ପଟିଦାର ସମ୍ପ୍ରଦାୟର ପ୍ରଭାବ ରହିଛି ।

1995 ପୂର୍ବରୁ, କଂଗ୍ରେସର ମାଧବ ସିଂ ସୋଲାଙ୍କି କ୍ଷତ୍ରିୟ, ହରିଜନ, ଆଦିବାସୀ, ମୁସଲମାନ ଭୋଟ୍ ବ୍ୟାଙ୍କ ଗଠନ କରି ପଟିଦାରଙ୍କ ସମର୍ଥନ ବିନା ଗୁଜୁରାଟକୁ ଶାସନ କରିବାରେ ସଫଳ ହୋଇଥିଲେ । ବିଜେପି 1995ରେ କ୍ଷମତାକୁ ଆସିବା ସହ 2001ରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହି ଫ୍ୟାକ୍ଟରକୁ ସଠିକ ମ୍ୟାନେଜ କରିଆସିଥିଲେ । ହେଲେ 2015ରେ, ଯେତେବେଳେ ସଂରକ୍ଷଣ ପାଇଁ ପଟିଦାର ଆନ୍ଦୋଳନ ଆରମ୍ଭ ହେଲା ଏହି ଭୋଟ ବ୍ୟାଙ୍କରେ ବଡ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା ।

ଜାତି ସମୀକରଣକୁ ସନ୍ତୁଳିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ଜୁଲାଇରେ ପୁରୁଷୋତ୍ତମ ରୁପାଲା ଏବଂ ମନସୁଖ ମାଣ୍ଡବ୍ୟଙ୍କୁ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିଥିଲେ । ହେଲେ ଦଳ ଅନୁଭବ କରିଥିଲା ଯେ ପଟେଲଙ୍କୁ ଫେରାଇ ଆଣିବା ପର୍ଯ୍ୟାପ୍ତ ନୁହେଁ । ବର୍ତ୍ତମାନ ହାର୍ଦ୍ଦିକ ପଟେଲ ଗୁଜୁରାଟ କଂଗ୍ରେସ ଏବଂ କାର୍ଯ୍ୟରତ ଅଧ୍ୟକ୍ଷ ଅଛନ୍ତି । ସେପଟେ ଚଳିତ ବର୍ଷ ଫେବୃଆରୀରେ ସୁରଟ ପୌର ନିର୍ବାଚନରେ 27ଟି ସିଟ୍ ଜିତି ଗୁଜୁରାଟ ଗଡରେ ଜବରଦସ୍ତ ଏଣ୍ଟ୍ରି କରିଛି ଆମ ଆଦମୀ ପାର୍ଟି ।

ମହାମାରୀ ଏବଂ ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାରେ ବିଜୟ ରୂପାନୀ ସରକାରର ବିଫଳତା 2022 ନିର୍ବାଚନରେ ବିଜେପିର ଭାଗ୍ୟ ପାଇଁ ଆଉ ଏକ ବିପଦ ଥିଲା । ତେଣୁ ପଟେଲଙ୍କୁ ଫେରାଇ ଆଣିବାର ଆବଶ୍ୟକତାକୁ ହୃଦୟଙ୍ଗମ କରିଥିଲେ ବିଜେପି ହାଇକମାଣ୍ଡ ।

ଗୁଜୁରାଟ ନିର୍ବାଚନରେ କଦୱା ପଟିଦାର ବଡ ଫ୍ୟାକ୍ଟର ଭାବରେ କାର୍ଯ୍ୟ କରିପାରେ । ଭୂପେନ୍ଦ୍ର ପଟେଲ ଖୋଦ ଏହି ସମୁଦାୟରୁ ଆସୁଥିବାରୁ ଏହାର ବିକାଶ ପାଇଁ କାମ କରିଛନ୍ତି । ସେ ନିଜକୁ ସରଦାର ଧାମ ବିଶ୍ବ ପାଟିଦାର କେନ୍ଦ୍ର ସହ ନିଜକୁ ଯୋଡି ରଖିଛନ୍ତି । ଯେଉଁ ପରିସ୍ଥିତିରେ ପଟିଦାର ବିଜେପି ଉପରେ ଅସନ୍ତୋଷ ଥିବା କୁହାଯାଉଛି, ସେଭଳିସ୍ଥିତିରେ ଭୂପେନ୍ଦ୍ର ପଟେଲଙ୍କ ଉପରେ ବିଜେପିର ମଜବୁତ ଗଡ ଗୁଜୁରାଟରେ ବିଜୟ ଧ୍ବଜା ଉଡାଇ ପୁନର୍ବାର କ୍ଷମତା ବଜାୟ ରଖିବା ବଡ ଦାୟିତ୍ବ ହେବ ।

Last Updated :Sep 13, 2021, 9:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.