ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଆରବପତି ନିବେଶକ ରାଇ ଡାଲିଓ, ଚୀନ ଶାସକ ଡେଙ୍ଗ ଜିଆଓପିଙ୍ଗଙ୍କ ସହ କଲେ ତୁଳନା

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଆରବପତି ନିବେଶକ ରାଇ ଡାଲିଓ, ଚୀନ ଶାସକ ଡେଙ୍ଗ ଜିଆଓପିଙ୍ଗଙ୍କ ସହ କଲେ ତୁଳନା
ଭାରତର ଅର୍ଥନୀତିକୁ ଆମେରିକୀୟ ଆରବପତି ନିବେଶକ ରାଇ ଡାଲିଓଙ୍କ ପ୍ରଶଂସା । କହିଲେ ଭାରତରେ ରହିଛି ନିବେଶର ଅନନ୍ତ ସମ୍ଭାବନା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚୀନ୍ର ଡେଙ୍ଗ ଜିଆଓପିଙ୍ଗଙ୍କ ସହ କଲେ ତୁଳନା । ଅଧିକ ପଢନ୍ତୁ
ହାଇଦ୍ରାବାଦ: ପ୍ରଖ୍ୟାତ ଆମେରିକୀୟ ନିବେଶକ ତଥା ନିବେଶ ପରିଚାଳନା କମ୍ପାନୀ ‘ବ୍ରିଜ୍ ୱାଟର୍ ଆସୋସିଏଟ୍ସ’ର ପ୍ରତିଷ୍ଠାତା ରାଇ ଡାଲିଓ ଭାରତର ଅଭିବୃଦ୍ଧି ହାରକୁ ପ୍ରଶଂସା କରିଛନ୍ତି । କହିଛନ୍ତି, ବର୍ତ୍ତମାନ ଭାରତରେ ସର୍ବାଧିକ ଅଭିବୃଦ୍ଧି ହାର ରହିଛି । ସେ 1980 ଦଶକର ଚୀନର ଆର୍ଥିକ ସ୍ଥିତି ସହିତ ଭାରତବ ବର୍ତ୍ତମାନ ସ୍ଥିତିକୁ ତୁଳନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ପୂର୍ବତନ ନେତା ଡେଙ୍ଗ ଜିଆଓପିଙ୍ଗଙ୍କ ସହ ମଧ୍ୟ ତୁଳନା କରିଛନ୍ତି ।
ଡେଙ୍ଗ ଜିଆଓପିଙ୍ଗଙ୍କ ଶାସନ କାଳରେ ଚୀନରେ ଅର୍ଥନୀତି ଏବଂ ପୁଞ୍ଜିବାଦୀ ଉଦ୍ୟୋଗ ସୃଷ୍ଟି ହେବା ପାଇଁ ଅନୁକୂଳ ଅବସ୍ଥା ସୃଷ୍ଟି ହୋଇଥିଲା । ଏହା ସହ ଚୀନର ଅର୍ଥନୀତିକୁ ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ପାଇଁ ମଧ୍ୟ ସଜହ ଓ ସରଳ କରିବାର ଶ୍ରେୟ ଡେଙ୍ଗ ଜିଆଓପିଙ୍ଗଙ୍କୁ ଯାଏ । ବର୍ତ୍ତମାନ ସମୟରେ ଭାରତରେ ମଧ୍ୟ ଭଲ ଅଭିବୃଦ୍ଧି ହାର ରହିଛି ଓ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଡେଙ୍ଗ ଜିଆଓପିଙ୍ଗଙ୍କ ପରି ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି ରାଇ ଡାଲିଓ ।
ଲସ୍ ଆଞ୍ଜେଲ୍ସର UCLA କ୍ୟାମ୍ପସରେ ଅଲ୍-ଇନ୍ ସମ୍ମିଟ୍ 2023 ରେ ସେ କହିଛନ୍ତି ଯେ “ଭାରତ ନିକଟରେ ବର୍ତ୍ତମାନ ସର୍ବାଧିକ ସମ୍ଭାବିତ ବିକାଶ ଦର ରହିଛି । ଭାରତର ଆଗାମୀ 10ବର୍ଷ ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥାର ପୂର୍ବାକଳନ ଆମେ କରିପାରିବା । ଭାରତ ଏବେ ଏକ ଭଲ ସ୍ଥିତିରେ ରହିଛି, ଯେଉଁଠି ଦିନେ ଚୀନ ଥିଲା । 1984 ରେ ମୁଁ ନିବେଶ ଆରମ୍ଭ କରିବା ବେଳେ ଚୀନ ଯେପରି ସ୍ଥିତିରେ ଥିଲା ଏବେ ଭାରତ ମଧ୍ୟ ସେପରି ନିବେଶ ଅନୁକୂଳ ସ୍ଥିତିରେ ରହିଛି । ଯଦି ଦୈନିକ ମୁଣ୍ଡପିଚ୍ଛା ଆୟ କଥା ବିଚାର କରାଯାଏ, ତେବେ ନରେନ୍ଦ୍ର ମୋଦି ଡେଙ୍ଗ ଜିଆଓପିଙ୍ଗଙ୍କ ପରି ଭୂମିକାରେ ରହିଛନ୍ତି । ଭାରତରେ ବ୍ୟାପକ ସଂସ୍କାର, ଅଭିବୃଦ୍ଧି, ସୃଜନଶୀଳତା ସହ ଅନ୍ୟ ସମସ୍ତ ଆହ୍ବାନ ମଧ୍ୟ ରହିଛି । ହେଲେ ଭାରତରେ ସମ୍ଭାବନା ମଧ୍ୟ ପର୍ଯ୍ୟାପ୍ତ ।
ଏହି ଗ୍ଲୋବାଲ ନିବେଶକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ମଧ୍ୟ କରି ସାରିଛନ୍ତି । ନିବେଶକ ରାଇ ଡାଲିଓ ଗତ ଜୁନ୍ ମାସରେ ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ । ଭାରତରେ ମୋଦି ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଆର୍ଥିକ ସଂସ୍କାରମୂଳକ କାର୍ଯ୍ୟପନ୍ଥା ଉପରେ ଆଲୋଚନା ମଧ୍ୟ କରିଥିଲେ । ଦେଶରେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଡାଲିଓଙ୍କୁ ଆମନ୍ତ୍ରଣ କରିଥିଲେ । ଆରବପତି ନିବେଶକ ରାଇ ଡାଲିଓ ଏହା ପରେ କହିଥିଲେ, ଭାରତରେ ନିବେଶ ସମ୍ଭାବନା ଅନେକାଂଶରେ ରହିଛି ।
ବ୍ୟରୋ ରିପୋର୍ଟ, ଇଟିଭି ଭାରତ
