Alwar Gang Rape Case: ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ, ସରଗରମ ରାଜନୀତି ମାହୋଲ

author img

By

Published : Jan 13, 2022, 8:00 PM IST

ALWAR CASE : ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲାରେ ରାଜ୍ୟବ୍ୟାପୀ ବିକ୍ଷୋଭ, ସୁଧୁରୁଛି ପିଡୀତାର ସ୍ବାସ୍ଥ୍ୟବସ୍ଥା

ରାଜସ୍ଥାନର ଅଲୱରର ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ମାମଲାରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ । ସରକାରଙ୍କୁ ଘେରିଲା ବିରୋଧି ବିଜେପି । ପୀଡିତାର ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା । ଜୋର ଧରୁଛି ରାଜନୀତି । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନର ଅଲୱାରର ଦୁଷ୍କର୍ମ ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦିବ୍ୟାଙ୍ଗ ନାବାଳିକାର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି, ଚିକିତ୍ସା କରୁଥିବା ଜୟପୁରର ଜେ.କେ ଲୋନ୍ ହସ୍ପିଟାଲ କର୍ତ୍ତୃପକ୍ଷ । ନାବାଳିକା ଜଣଙ୍କୁ ଅତି ଗମ୍ଭୀର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ପ୍ରସଙ୍ଗରେ ଜେ.କେ ଲୋନ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଅରବିନ୍ଦ ଶୁକ୍ଳା କହିଛନ୍ତି ଯେ ହସ୍ପିଟାଲରେ ପହଞ୍ଚିବା ପରେ ନାବାଳିକାର ଅପରେସନ କରାଯାଇଥିଲା । ପରେ ତାଙ୍କୁ ଆଇସିୟୁରେ ରଖାଯାଇଥିବାବେଳେ ବର୍ତ୍ତମାନ ନାବାଳିକା ଜଣଙ୍କ ବିପଦମୁକ୍ତ ହୋଇଛନ୍ତି ।

ସମ୍ପୂର୍ଣ୍ଣ ଘଟଣାକ୍ରମ :-

ଗତ ମଙ୍ଗଳବାର ରାତିରେ ଘଟିଛି ଏପରି ପାଶବିକ ଘଟଣା । ଅଲୱରର ରେଳବାଇ ଗେଟ୍ କଲଭର୍ଟ ନିକଟରେ ଏହି ମାନସିକ ଦିବ୍ୟାଙ୍ଗ ନାବାଳିକାକୁ କ୍ଷତାକ୍ତ ଅବସ୍ଥାରେ ଠାବ କରାଯାଇଥିଲା । ସ୍ଥାନୀୟ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ମୁର୍ମୁଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରିବା ସହ ନିକଟସ୍ଥ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅବସ୍ଥା ଗମ୍ଭୀର ଥିବାରୁ ପରେ ନାବାଳିକାଙ୍କୁ ଜୟପୁରର ଜେ.କେ ଲୋନ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଏହିି ଦିବ୍ୟାଙ୍ଗ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ରେଳବାଇ ଗେଟ୍ ଓଭରବ୍ରିଜରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ସନ୍ଦେହ କରୁଛି ପୋଲିସ । ତେବେ ଏହି ଘଟଣାରେ ରାଜ୍ୟବାପୀ ଚାପ ବଢୁଥିବାବେଳେ ବିରୋଧ ମଧ୍ୟ ଜୋର ଧରିବାରେ ଲାଗିଛି ।

ହସ୍ପିଟାଲରେ ନେତା ମନ୍ତ୍ରୀଙ୍କ ଭିଡ :-

ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ପରେ ହସ୍ପିଟାଲରେ ନେତା ମନ୍ତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ପାର୍ସାଡି ଲାଲ ମୀନା ମଧ୍ୟ ଗତକାଲି (ବୁଧବାର) ଡାକ୍ତରଖାନାରେ ପହଞ୍ଚି ପୀଡିତା ନାବାଳିକାର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହା ପରେ ଆଜି (ଗୁରୁବାର) ସକାଳେ ବିଜେପି ନେତାମାନେ ମଧ୍ୟ ହସ୍ପିଟାଲରେ ମଧ୍ୟ ପହଞ୍ଚିଥିଲେ । ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ମଧ୍ୟ ଏ ସମ୍ପର୍କରେ ଏକ ଅନୁସନ୍ଧାନ କମିଟି ଗଠନ କରିଥିବା ସୂଚନା ଦେଇଛନ୍ତି ।

ବିଜେପି ଗଠନ କଲା ଅନୁସନ୍ଧାନ କମିଟି :-

ଘଟଣାକୁ ଗମ୍ଭୀରତାର ସହ ନେଇ ରାଜ୍ୟରେ ବିରୋଧୀ ଆସନରେ ଥିବା ବିଜେପି ୪ଜଣିଆ ଟିମ ଗଠନ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ରାଜସ୍ଥାନ ବିଜେପି ନେତ୍ରୀ ଅଲକା ସିଂ ଗୁର୍ଜର, ଜାସ୍କକୌର ମୀନା, ରାମଲାଲ ଶର୍ମା ଏବଂ ଅଲକା ମୁଣ୍ଡଡା ପ୍ରମୁଖ ଏହି କମିଟିର ସଦସ୍ୟ ରହିଛନ୍ତି । ତେବେ ଏହି କିମିଟି ଘଟଣାସ୍ଥଳକୁ ମଧ୍ୟ ଗସ୍ତ କରିଛି । ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ପୀଡିତା ନାବାଳିକାର ଚିକିତ୍ସା ପାଇଁ ଡାକ୍ତରଙ୍କ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି । ପୀଡିତା ନାବାଳିକା ବର୍ତ୍ତମାନ ୨୪ ଘଣ୍ଟିଆ ନିରୀକ୍ଷଣରେ ରହିଥିବାବେଳେ ସ୍ବାସ୍ଥ୍ୟବସ୍ଥାରେ ଅପେକ୍ଷାକୃତ ସୁଧାର ଆସୁଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ଶିଶୁ ଆୟୋଗ ଅଧ୍ୟକ୍ଷାଙ୍କ ଉଦବେଗ :-

ଏହି ଅଭାବନୀୟ ଘଟଣାକୁ ଗୁରୁତର ସହ ନେଇଛି ରାଜ୍ୟ ଶିଶୁ ଆୟୋଗ । ଆୟୋଗର ଅଧ୍ୟକ୍ଷା ସଂଗୀତା ବେନିୱାଲ ମଧ୍ୟ ନିଜେ ଜେ.କେ ଲୋନ ହସ୍ପିଟାଲରେ ପହଞ୍ଚି ପୀଡିତା ନାବାଳିକାର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି । ଏହି ଅବସରରେ ସଂଗୀତା ବେନିୱାଲ କହିଛନ୍ତି, ପୀଡିତା ନାବାଳିକା ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବାରୁ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ ସହ ମାନସିକ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ଚିକିତ୍ସାରେ ନିୟୋଜିତ କରାଯାଇଛି ।

ସାଂସଦ କିରୋରି ମୀଣା ପ୍ରିୟଙ୍କା ଗାନ୍ଧୀଙ୍କୁ କଲେ ଟାର୍ଗେଟ : -

ତେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନ ଗସ୍ତରେ ଥିବାବେଳେ ତାଙ୍କୁ ଘେରିବାକୁ ପ୍ରୟାସ କରିଛି ବିଜେପି । ବିଜେପି ସାଂସଦ କିରୋଡୀ ଲାଲ ମୀନା ଗୁରୁବାର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ରଣଥାମ୍ବୋରରେ ପହଞ୍ଚି ପ୍ରିୟଙ୍କାକୁୁ ବିରୋଧ କରିବା ସହ ଘେରିବାକୁ ପ୍ରୟାସ କରିଥିଲେ । ତେବେ ନାରାବାଜି ଓ ପ୍ରତିବାଦ ମଧ୍ୟରେ ପୋଲିସ ସେମାନଙ୍କୁ ରୋକିବାରେ ସଫଳ ହୋଇଥିଲା ।

ସରକାରଙ୍କୁ ଟାର୍ଗେଟ କଲେ ସାଂସଦ ଦିୟା କୁମାରୀ :-

ସାଂସଦ ତଥା ବିଜେପି ରାଜ୍ୟ ସାଧାରଣ ସଚିବ ଦିୟା କୁମାରୀ ଏହି ଘଟଣାକୁ ଅତ୍ୟନ୍ତ ଦୁଖଦାୟକ ଏବଂ ଲଜ୍ଜାଜନକ ବୋଲି କହିବା ସହ ଶାସନରେ ଥିବା କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଯେଉଁଠାରେ ଆମର ମହିଳା ଭଉଣୀ ମାନେ ସୁରକ୍ଷିତ ନୁହଁନ୍ତି ମୁଁ ଅତ୍ୟଧିକ ଲଜ୍ଜିତ ଅନୁଭବ କରୁଛି ବୋଲି କହିଥିଲେ ସାଂସଦ ଦିୟା କୁମାରୀ । ସାହସୀ ବୀରମାନଙ୍କ ଦେଶ ରାଜସ୍ଥାନ ଆଜି ଦୁଷ୍କର୍ମ ରାଜଧାନୀରେ ପରିଣତ ହୋଇଛି ବୋଲି କହି କଂଗ୍ରେସ ସରକାରଙ୍କୁ ଟାର୍ଗେଟ ସିଧା ଟାର୍ଗେଟ କରିଛନ୍ତି ସାଂସଦ ଦିୟା କୁମାରୀ

ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ :-

ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଆଜି (ଗୁରୁବାର) ରାଜ୍ୟର ଅନେକ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉଦୟପୁର ସହରର ସୁରଜପୋଲ ଛକ ଠାରେ ବିଜେପି ନଗର ମହିଳା ମୋର୍ଚ୍ଚା ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କୁ ବିରୋଧରେ ନାରାବାଜି କରିଥିଲା । ସେହିପରି ଅଲୱର ବିଜେପି ମହିଲା ମୋର୍ଚ୍ଚା ମଧ୍ୟ ଭିନ୍ନ ଢଙ୍ଗରେ ସଡକକୁ ଓହ୍ଲାଇ ପ୍ରଦର୍ଶନ କରିଛି । ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ନେଇ ଭରତପୁର ଆଇଜି ପ୍ରସନ୍ନ କୁମାର ଖମେସ୍ରାଙ୍କୁ ଚୁଡି ଭେଟ କରିଥିଲା ଦଳ ।

ସେହିପରି ଏବିଭିପି କର୍ମକର୍ତ୍ତାମାନେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ କରିବା ସହ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାରେ ପୋଲିସ ଓ ପ୍ରଶାସନ ବିଫଳ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବା ନେଇ ଏକାଧିକ ସଂଗଠନ ଚେତାବନୀ ମଧ୍ୟ ଦେଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.