ଜାତୀୟ ଦଳଙ୍କ ପାଇଁ AAP ହେବ କି ଚ୍ୟାଲେଞ୍ଜ ?

author img

By

Published : Mar 11, 2022, 8:17 PM IST

ଆମ ଆଦମୀ ପାର୍ଟି ଜାତୀୟ ଦଳ ପାଇଁ ହେବ କି ଚ୍ୟାଲେଞ୍ଜ?

ପଞ୍ଜାବ ବିଧାନସଭା ନିର୍ବାଚନ (Punjab Election Results 2022) ରେ ଆମ ଆଦମୀ ପାର୍ଟି ପ୍ରଚଣ୍ଡ ବିଜୟ ସହ ପଞ୍ଜାବ କ୍ଷମତାରେ ଧସେଇ ପଶିଛି । ମାତ୍ର 8 ବର୍ଷ ତଳେ ଜନ୍ମ ଲାଭ କରିଥିବା ଏହି ରାଜନୈତିକ ଦଳ ଦିଲ୍ଲୀ ପରେ ଏବେ ଅନ୍ୟ କୌଣସି ଏକ ରାଜ୍ୟରେ ଶାସନ କରିବାକୁ ଯାଉଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ (Punjab Election Results 2022) ରେ ଆମ ଆଦମୀ ପାର୍ଟି (Aam Aadmi Party) ପ୍ରଚଣ୍ଡ ବିଜୟ ସହ ପଞ୍ଜାବ କ୍ଷମତାରେ ଧସେଇ ପଶିଛି । ମାତ୍ର 8 ବର୍ଷ ତଳେ ଜନ୍ମ ଲାଭ କରିଥିବା ଏହି ରାଜନୈତିକ ଦଳ ଦିଲ୍ଲୀ ପରେ ଏବେ ଅନ୍ୟ କୌଣସି ଏକ ରାଜ୍ୟରେ ଶାସନ କରିବାକୁ ଯାଉଛି । ଯାହାକୁ ନେଇ ଏବେ ଆମ ଆଦମୀ ପାର୍ଟି ଉପରେ ସମସ୍ତଙ୍କ ନଜର । 117 ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ ଯେଉଁଭଳି ଭାବେ ସଫଳତା ପାଇଛି ତାହା ଏବେ ସମସ୍ତ ଜାତୀୟ ଦଳ ପାଇଁ ଏକ ବଡ ଆହ୍ବାନ ହେବାକୁ ଯାଉଛି ।

କାରଣ ଅରବିନ୍ଦ କେଜ୍ରିୱାଲ ଙ୍କ ଦ୍ବାରା ପ୍ରତିଷ୍ଠିତ ଆପ ଏବେ ଜାତୀୟ ରାଜନୀତି ରେ ପ୍ରବେଶ କରିବାକୁ ରୋଡ ମ୍ୟାପ ପ୍ରସ୍ତୁତିରେ ଲାଗିପଡିଛି । ଯାହାକି ଆଗାମୀ ଦିନରେ ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ କଣ୍ଟା ହୋଇପାରେ । ଆପ ମଧ୍ୟ ନିଜ ଆଭିମୁଖ୍ୟରେ ସ୍ପଷ୍ଟ କରିସାରିଛି କି ଆଗାମୀ ଦିନରେ ଦଳ ସମସ୍ତ ରାଜ୍ୟରେ ପ୍ରବେଶ କରିବା ସହ ପଞ୍ଚାୟତ ଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ନିର୍ବାଚନ ଲଢେଇ କରିବ । ଯଦି ଏହା ହୁଏ ତେବେ ବର୍ତ୍ତମାନର ଜାତୀୟ ଦଳ ବିଜେପି, କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଳ ପାଇଁ ଏହା ଏକ ସମସ୍ୟା ହୋଇପାରେ । କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲ ଓ ସକରାତ୍ମକ ପ୍ରଚାର ଏବେ ପଞ୍ଜାବ ଜନତା ଗ୍ରହଣ କରିଛନ୍ତି । ଦିଲ୍ଲୀ ପଞ୍ଜାବ ଦଖଲ ପରେ ଆପର ମନୋବଳ ଏବେ ପୁରା ଉଚ୍ଚରେ । ଦଳ ଏହାକୁ ଆଧାର କରି ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବା ଗୁଜୁରାଟ, ହିମାଚଳ ପ୍ରଦେଶ ସମେତ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ରାଜସ୍ଥାନ, ଛାତିଶଗଡ, ମଧ୍ୟ ପ୍ରଦେଶ ଓ 2023 ର ଶେଷ ଆଡକୁ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ରେ ଅବତୀର୍ଣ୍ଣ ହେବା ଥୟ ।

ଆପ ଯେଉଁ ରଣନୀତିରେ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରୁଛି ତାହା ଦଳକୁ ସଫଳତା ପାଇବା ପାଇଁ ବେଶି ସମୟ ଲାଗି ନପାରେ । କାରଣ ଦଳ ଦିଲ୍ଲୀ ମଡେଲ ଓ ସକରାତ୍ମକ ରାଜନୀତି, ସହ ସ୍ଥାନୀୟ ସମସ୍ୟାକୁ ବଡ ପ୍ରସଙ୍ଗ କରୁଛି । କିନ୍ତୁ ଜାତୀୟ ଦଳ ରାଷ୍ଟ୍ରୀୟ ସମସ୍ୟା ସହ ନିଜ ବିଚାରଧାରାକୁ ଅଗ୍ରାଧିକାର ଦେଛନ୍ତି । ଆପ କିନ୍ତୁ ଚତୁର ରାଜନୀତିରେ ପଞ୍ଜାବ ଦଖଲ କରିବାରେ ସଫଳ ହୋଇଛି ।

କାରଣ ଭାରତୀୟ ରାଜନୀତିରେ ସ୍ଥାନୀୟ ପ୍ରସଙ୍ଗ ଏକ ବଡ ମୁଦ୍ଦା ହୋଇ ରହିଛି । ଏବେ ମଧ୍ୟ ଗ୍ରାମୀଣ ଭାରତର ପ୍ରାୟ 30 ପ୍ରତିଶତ ଲୋକ ସ୍ଥାନୀୟ ମୁଦ୍ଦା ଆଧାରରେ ହିଁ ଭୋଟ ଦେଇଥାନ୍ତି । କାରଣ ଦେଶ ପ୍ରତିରକ୍ଷା, ଅର୍ଥନୀତି, ଭିତ୍ତିଭୂମି, ଅନ୍ତର୍ଜାତୀୟ ପ୍ରସଙ୍ଗରେ କେତେ ସଫଳ ହେଲା, କେତେ କଣ କଲା ତାହା ଜଣେ ସାଧାରଣ ଗାଁରେ ରହୁଥିବା ଭୋଟର ପାଇଁ ଗୁରୁତ୍ବ ବହନ କରେ ନାହିଁ । ଫଳରେ ସେ ନିଜ ସମସ୍ୟା, ନିଜ ଅଞ୍ଚଳର ସମସ୍ୟାକୁ ଦେଖି ଭୋଟ ଦିଏ। ଆଉ ଯାହାର ଲାଭ ସିଧା ସଳଖ ଆମ ଆଦମୀ ପାର୍ଟି ଭଳି ରାଜନୀତି ଦଳକୁ ଯାଇଥାଏ । ଏହି ରଣନୀତିକୁ ଆପ ଏବେ ସମଗ୍ର ଦେଶରେ ପହଞ୍ଚାଇବାକୁ ଉଦ୍ୟମ କରିବ । କିନ୍ତୁ ଆପର ଏହି ନୀତି କେତେ ସଫଳ ହେବ ତାହା ଆଗାମୀ କିଛି ବର୍ଷ ମଧ୍ୟରେ ସ୍ପଷ୍ଟ ହୋଇଯିବ ।

ଜାତୀୟ ରାଜନୀତିରେ ଆପକୁ କଂଗ୍ରେସ ସ୍ଥାନ ନେବାକୁ ହେଲେ ଦଳ ଅତିକମରେ 100 ଟି ଲୋକସଭା ଆସନ ଜିତିବାକୁ ପଡିବ । ଏଥିପାଇଁ ଆପକୁ କଠୋର ପରିଶ୍ରମ ସହ ସ୍ପଷ୍ଟ ରଣନୀତି କରିବାକୁ ପଡିବ । ଏହାସହ ଏକ ଜାତୀୟ ଆଭିମୁଖ୍ୟ ଆପଣାଇବାକୁ ପଡିବ । ଦଳର ଜାତୀୟ ନୀତି କଣ ତାହା ଦେଶବାସୀଙ୍କ ଆଗରେ ରଖିବାକୁ ପଡିବ । ଏହାସହ ଦଳ ଅତି କମରେ 100 ଟି ଆସନ ଜିତିବାକୁ ପଡିବ । ତା ପରେ ଯାଇ ଆପ ବିଜେପିକୁ ଟକ୍କର ଦେବା ସ୍ଥିତିରେ ଆସିବ । ଏହାବାଦ ବର୍ତ୍ତମାନ କଂଗ୍ରେସ ଧରାଶାୟୀ ସ୍ଥିତିରେ ଥିବାରୁ, ଆପ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି ।

ତେଣୁ ଆପକୁ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ହେଲେ ପ୍ରଥମେ ନିଜର ଶକ୍ତି ବୃଦ୍ଧି କରିବା ସହ, ବିଜେପି ବିରୋଧରେ ଶକ୍ତ ରଣନୀତି ସହ ଏକ ଲୋକାଭିମୁଖୀ ଜାତୀୟ ଏଜେଣ୍ଡା ପ୍ରସ୍ତୁତ କରିବାକୁ ପଡିବ । କାରଣ ବିଜେପି ଏକ ସଂଘର୍ଷ କରି ସଫଳତା ପାଇଥିବା ଦଳ । ଦଳ ପରାଜିତ ହୋଇ ହୋଇ ବିଜୟର ସ୍ବାଦ ପାଇବା ସହ ଏକ ସୁବର୍ଣ୍ଣ ଯୁଗରେ ପ୍ରବେଶ କରିବାକୁ ଯାଉଛି । ଏହାସହ ଏକ କ୍ୟାଡର ଭିତ୍ତିକ ଦଳ ହୋଇଥିବାରୁ ଦଳ ଆଗାମୀ 40 ବର୍ଷ ପର୍ଯ୍ୟନ୍ତ ଦଳର ନେତୃତ୍ବ ପ୍ରସ୍ତୁତିରେ ଲାଗିପଡିଛି । ମୋଦି ଶାହାଙ୍କ ଅନୁପସ୍ଥିତିରେ ମଧ୍ୟ ବିଜେପି ଆଗକୁ ବଢିପାରିବ ଏଥିରେ ସନ୍ଦେହ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.