ହ୍ୱାଟ୍ସଆପ୍ରେ ଆସିଲା 3ଟି ଗୁପ୍ତ ଟ୍ରିକ୍: ଗ୍ରୁପ୍ ମ୍ୟୁଟ୍ ଥିଲେ ବି ଆସିବ ନୋଟିଫିକେସନ୍, ପୋଲ୍ରେ ଲୁଚି ରହିବ ନାଁ
ହ୍ୱାଟ୍ସଆପ୍ ଗ୍ରୁପ୍ ବ୍ୟବହାରକାରୀଙ୍କ ପାଇଁ ମେଟା ୩ଟି ବଡ଼ ଧମାକାଦାର ଫିଚର୍ସ ଆଣିଛି, ଯେଉଁଥିରେ @all ମେନସନ୍, ଗୁପ୍ତ ପୋଲ୍ ଏବଂ ସାଇଡ୍ ଚାଟ୍ ସାମିଲ ଅଛି ।

Published : August 5, 2026 at 1:42 PM IST
ହାଇଦ୍ରାବାଦ: ବିଶ୍ୱର ସବୁଠୁ ବଡ଼ ମେସେଜିଂ ଆପ୍ WhatsApp ୟୁଜର୍ସଙ୍କ ସୁବିଧା ପାଇଁ ନୂଆ ଫିଚରମାନ ଆଣି ସବୁବେଳେ ଚର୍ଚ୍ଚାର ବିଷୟ ହୁଏ । ପୁଣି ସେମିତି କିଛି ଫିଚର୍ସ ଆଣିଛି ହ୍ୱାଟ୍ସଆପ୍ । ହ୍ୱାଟ୍ସଆପ୍ ନିଜ ଗ୍ରାହକ ମାନଙ୍କ ପାଇଁ 3ଟି ବଡ଼ ଏବଂ ଶକ୍ତିଶାଳୀ ଫିଚର୍ସ ଲଞ୍ଚ କରିଛି । ପୂ୍ର୍ବରୁ ଏହି ଫିଚର୍ସଗୁଡିକ କିଛି ଆଣ୍ଡ୍ରଏଡ୍, ଆଇଓଏସ୍, ଡେସ୍କଟେପ୍ ଏବଂ ୱେବର କିଛି ସୀମିତ ବିଟା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାକୁ ସମସ୍ତ ସାଧରଣ ବ୍ୟବହାରକାରୀଙ୍କ ପାଇଁ ସାରା ବିଶ୍ୱରେ ରୋଲଆଉଟ୍ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । ଏହି ନୂଆ ଅପଡେଟ୍ ଆସିବା ପରେ ଗ୍ରୁପ ମଧ୍ୟରେ ଜରୁରୀ ସୂଚ଼ନା ଦେବା ଏବଂ ଗୋପନୀୟତା ରକ୍ଷା କରିବା ଅନେକ ଗୁଣରେ ସହଜ ହୋଇଯିବ । ତେବେ ଆସନ୍ତୁ ଏହି 3ଟି ଫିଚର୍ସ ସମ୍ପୂର୍ଣ୍ଣ ଆଲୋଚ଼ନା କରିବା ।
@all ମେନସନ୍ ଏବଂ ମ୍ୟୁଟ୍ ଆଲର୍ଟ:
ଗ୍ରୁପ୍ ଚାଟ୍ ମଧ୍ୟରେ କୌଣସି ଜଣେ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପୂର୍ବରୁ ନାମ ମେନସନ୍ କରାଯାଉଥିଲା, କିନ୍ତୁ ଏବେ ସମସ୍ତ ସଦସ୍ୟଙ୍କୁ ଏକାସଙ୍ଗେ ଆଲର୍ଟ କରିବା ପାଇଁ @all ଫିଚର୍ ପ୍ରଦାନ କରାଯାଇଛି । ଗ୍ରୁପ୍ରେ @all ଟାଇପ୍ କରି ମେସେଜ୍ ପଠାଇଲେ ସମସ୍ତଙ୍କ ପାଖକୁ ଜରୁରୀ ନୋଟିଫିକେସନ୍ ଚାଲିଯିବ । ଏହାର ସବୁଠାରୁ ବଡ଼ ଟ୍ରିକ୍ ହେଉଛି, ଯଦି କୌଣସି ବ୍ୟବହାରକାରୀ ସେହି ଗ୍ରୁପ୍କୁ 'ମ୍ୟୁଟ୍' (Mute) କରି ରଖିଛନ୍ତି, ତଥାପି ଏହି ମେନସନ୍ ଯୋଗୁଁ ସେମାନଙ୍କ ମୋବାଇଲ୍ରେ ଆଲର୍ଟ ସାଉଣ୍ଡ ବାଜିବ । ତେବେ ଗ୍ରାହକ ଚାହିଁଲେ ନୋଟିଫିକେସନ୍ ସେଟିଂକୁ ଯାଇ ଏହି @all ଆଲର୍ଟକୁ ମଧ୍ୟ ମ୍ୟୁଟ୍ କରିପାରିବେ । ଏହି ଫିଚର୍ର ଅପବ୍ୟବହାର ରୋକିବା ପାଇଁ ହ୍ୱାଟ୍ସଆପ୍ ଏକ ନିୟମ କରିଛି, ଯେଉଁଥିରେ 32ରୁ ଅଧିକ ସଦସ୍ୟ ଥିବା ବଡ଼ ଗ୍ରୁପ୍ଗୁଡ଼ିକରେ କେବଳ ଗ୍ରୁପ୍ ଆଡମିନ୍ (Group Admin) ହିଁ ଏହି @all ବ୍ୟବହାର କରିପାରିବେ ।
ପୋଲ୍ ଏବଂ ପ୍ରଶ୍ନ ଏଡିଟ୍:
ଗ୍ରୁପ୍ ମଧ୍ୟରେ ଭୋଟିଂ ପ୍ରକ୍ରିୟା ବା ପୋଲ୍ (Poll) କୁ ନେଇ ୩ଟି ବଡ଼ ସୁଧାର କରାଯାଇଛି । ପ୍ରଥମତଃ, ଏବେ ଗ୍ରୁପ୍ ସଦସ୍ୟମାନେ ପୋଲ୍ ପାଇଁ ଏକ ଶେଷ ସମୟ ବା ଏଣ୍ଡ୍ ଟାଇମ୍ (End Time) ସେଟ୍ କରିପାରିବେ ଏବଂ ସମୟ ସରିବା ପରେ ଭୋଟିଂ ଆପେଆପେ ଲକ୍ ହୋଇଯିବ । ଦ୍ୱିତୀୟତଃ, ଏହି ପୋଲ୍ରେ କିଏ କେଉଁ ଅପ୍ସନକୁ ଭୋଟ୍ ଦେଉଛି ତାହା ସମ୍ପୂର୍ଣ୍ଣ ଗୁପ୍ତ ବା ଅନୋନିମସ୍ (Anonymous) ରହିବ, ଅର୍ଥାତ୍ ଭୋଟ୍ ଦେଇଥିବା ବ୍ୟକ୍ତିଙ୍କ ନାଁ କାହାକୁ ଦେଖାଯିବ ନାହିଁ । ତୃତୀୟତଃ, ଯଦି ପୋଲ୍ ପ୍ରଶ୍ନ ପ୍ରସ୍ତୁତ କରିବା ସମୟରେ କିଛି ଭୁଲ୍ ହୋଇଯାଏ, ତେବେ 15 ମିନିଟ୍ ମଧ୍ୟରେ ସେହି ପ୍ରଶ୍ନକୁ ଏଡିଟ୍ (Edit) କରି ସଂଶୋଧନ କରାଯାଇପାରିବ ।
ୱାନ୍-ଟ୍ୟାପ୍ ସାଇଡ୍ ଚାଟ୍ କ୍ରିଏସନ:
କମ୍ପାନୀ ଗ୍ରୁପ୍ ଚାଟ୍ ପାଇଁ ଆଉ ଏକ ଚମତ୍କାର ସୁବିଧା ଯୋଡ଼ିଛି, ଯାହା ସାହାଯ୍ୟରେ ବ୍ୟବହାରକାରୀମାନେ ଏକ ଗ୍ରୁପ୍ର କିଛି ନିର୍ଦ୍ଦିଷ୍ଟ ସଦସ୍ୟମାନଙ୍କୁ ନେଇ ମାତ୍ର ଏକ ସିଙ୍ଗଲ୍ ଟ୍ୟାପ୍ରେ ଏକ ନୂଆ ସାଇଡ୍ ଗ୍ରୁପ୍ ଚାଟ୍ ଆରମ୍ଭ କରିପାରିବେ । ଉଦାହରଣ ସ୍ୱରୂପ, ଯଦି ଆପଣ ଗ୍ରୁପ୍ରେ ଥିବା କୌଣସି ଜଣେ ସାଙ୍ଗର ଜନ୍ମଦିନ ପାର୍ଟି ପାଇଁ ସରପ୍ରାଇଜ୍ ପ୍ଲାନ୍ କରୁଛନ୍ତି, ତେବେ ତାଙ୍କୁ ବାଦ୍ ଦେଇ ବାକି ସମସ୍ତ ସାଙ୍ଗମାନଙ୍କୁ ନେଇ ମାତ୍ର ଗୋଟିଏ କ୍ଲିକ୍ରେ ଏକ ସାଇଡ୍ ଚାଟ୍ ଗ୍ରୁପ୍ ତିଆରି କରିହେବ । ଏହି ସମସ୍ତ ଆଧୁନିକ ଫିଚର୍ସ ହ୍ୱାଟ୍ସଆପ୍ର ପୂର୍ବରୁ ଥିବା ମେମ୍ବର ଟ୍ୟାଗ୍, ଗ୍ରୁପ୍ ହିଷ୍ଟ୍ରି ଏବଂ ଇଭେଣ୍ଟ ରିମାଇଣ୍ଡର ତାଲିକାରେ ସାମିଲ ହୋଇଛି ।

