ଭାରତରେ ଲଞ୍ଚ ହେଲା 7000mAh ବ୍ୟାଟେରୀ ସହ Moto G77 Power: ଜାଣନ୍ତୁ ଏହାର ଦାମ୍ ଓ ଦମଦାର ଫିଚର୍ସ
ମୋଟୋରୋଲା ଭାରତୀୟ ବଜାରରେ 7000mAh ବ୍ୟାଟେରୀ ଏବଂ 50MP ସୋନି କ୍ୟାମେରା ବିଶିଷ୍ଟ ଏକ ନୂଆ ସ୍ମାର୍ଟଫୋନ୍ Moto G77 Power ଲଞ୍ଚ କରିଛି ।

Published : July 8, 2026 at 8:28 PM IST
ହାଇଦ୍ରାବାଦ: ମୋଟୋରୋଲା କମ୍ପାନୀ ଭାରତୀୟ ବଜାରରେ ଆଉ ଏକ ନୂଆ ହ୍ୟାଣ୍ଡସେଟ୍ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନର ନାମ Moto G77 Power ରଖାଯାଇଛି । କମ୍ପାନୀ ପକ୍ଷରୁ ଏହାକୁ ଏକ ବଜେଟ୍ ଫୋନ୍ ବୋଲି କୁହାଯାଉଛି । କିନ୍ତୁ ଏହାର ମୂଲ୍ୟକୁ ଦେଖିଲେ 25,000 ଟଙ୍କାରୁ ଅଧିକ ରେଞ୍ଜର ଫୋନ୍ ଏବେ ବଜେଟ୍ ବର୍ଗରେ ସାମିଲ ହେଉଛି କି ନାହିଁ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସ୍ମାର୍ଟଫୋନରେ ତିନୋଟି Pantone-କ୍ୟୁରେଟେଡ୍ କଲର୍ ଅପ୍ସନ ଦିଆଯାଇଛି। ଆସନ୍ତା ସପ୍ତାହରୁ ଏହାର ସେଲ୍ ଆରମ୍ଭ ହେବ । ଏହି ଫୋନର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏଥିରେ ଥିବା 7000mAhର ଏକ ବଡ଼ ବ୍ୟାଟେରୀ । କମ୍ପାନୀର ଦାବି ଅନୁଯାୟୀ ଏହି ବ୍ୟାଟେରୀ ଗୋଟିଏ ଚାର୍ଜରେ 59 ଘଣ୍ଟା ପର୍ଯ୍ୟନ୍ତ ବ୍ୟାକଅପ୍ ପ୍ରଦାନ କରିବାର କ୍ଷମତା ରଖିଛି ।
ଦାମ୍, ଅଫର ଏବଂ ବିକ୍ରି ତାରିଖ:
ଭାରତରେ Moto G77 Power ସ୍ମାର୍ଟଫୋନର ମୂଲ୍ୟ 25,999 ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଏହି ଦାମ୍ରେ ଗ୍ରାହକଙ୍କୁ 8GB ରାମ୍ ଏବଂ 128GB ଷ୍ଟୋରେଜ୍ ସୁବିଧା ମିଳିବ । ଏହି ସ୍ମାର୍ଟଫୋନ୍ କେବଳ ଗୋଟିଏ ସିଙ୍ଗଲ୍ ଭେରିଏଣ୍ଟରେ ଉପଲବ୍ଧ ହେବ । ଗ୍ରାହକମାନେ ଯଦି ଏହି ଫୋନକୁ Axis Bank କିମ୍ବା HDFC Bankର କ୍ରେଡିଟ୍ କାର୍ଡ ବ୍ୟବହାର କରି କ୍ରୟ କରନ୍ତି, ତେବେ ସେମାନଙ୍କୁ 2000 ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ପ୍ରଦାନ କରାଯିବ । ଏହା ବ୍ୟତୀତ ଗ୍ରାହକଙ୍କ ପାଇଁ 2,000 ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ ମଧ୍ୟ ଉପଲବ୍ଧ ରହିଛି । ଆସନ୍ତା ଜୁଲାଇ 13 ତାରିଖରୁ ଫ୍ଲିପକାର୍ଟ ଏବଂ ମୋଟୋରୋଲା ଇଣ୍ଡିଆର ଅଫିସିଆଲ୍ ଅନଲାଇନ୍ ଷ୍ଟୋର୍ ମାଧ୍ୟମରେ ଏହି ଫୋନର ବିକ୍ରି ପ୍ରକ୍ରିୟା ଆରମ୍ଭ ହେବ । ଏହି ଫୋନ୍ PANTONE Fuchsia Red, PANTONE Impenetrable ଏବଂ PANTONE Nautical Blue ଭଳି ତିନୋଟି ଆକର୍ଷଣୀୟ କଲର୍ ଅପ୍ସନରେ କିଣିବା ପାଇଁ ଉପଲବ୍ଧ ହେବ ।
ଡିସପ୍ଲେ ଏବଂ ପ୍ରୋସେସର:
ଏହି ଡୁଆଲ୍ ସିମ୍ ବିଶିଷ୍ଟ ସ୍ମାର୍ଟଫୋନରେ 6.72 ଇଞ୍ଚର Full-HD+ LCD ଟଚ୍ସ୍କ୍ରିନ୍ ଡିସପ୍ଲେ ପ୍ରଦାନ କରାଯାଇଛି । ଏହି ସ୍କ୍ରିନ୍ 120Hz ରିଫ୍ରେଶ୍ ରେଟ୍, 120Hz ଟଚ୍ ସ୍ୟାମ୍ପଲିଙ୍ଗ୍ ରେଟ୍ ଏବଂ 1,050 ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସପୋର୍ଟ ସହିତ ଆସିଥାଏ । ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ଫୋନରେ 6nm ପ୍ରୋସେସ ଗ୍ରେଡ୍ର ଅକ୍ଟା-କୋର୍ MediaTek Dimensity 6400 ଚିପସେଟ୍ ବ୍ୟବହାର କରାଯାଇଛି। ଏହି ପ୍ରୋସେସରର ପିକ୍ କ୍ଲକ୍ ସ୍ପିଡ୍ 2.5GHz ପର୍ଯ୍ୟନ୍ତ ରହିଛି। ଏହା ସହିତ ଗ୍ରାଫିକ୍ସ ପାଇଁ ARM Mali-G57 MP2 GPU ସଂଯୋଗ ହୋଇଛି। ଏହି ହ୍ୟାଣ୍ଡସେଟ୍ Android 16 ଉପରେ ଆଧାରିତ Hello UI ଅପରେଟିଂ ସିଷ୍ଟମରେ ରନଲ୍ କରିଥାଏ। କମ୍ପାନୀ ଏହି ଡିଭାଇସ୍ ଉପରେ 1 ବର୍ଷର OS ଅପଗ୍ରେଡ୍ ଏବଂ 3 ବର୍ଷର ସିକ୍ୟୁରିଟି ଅପଡେଟ୍ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି। ଏହା ସହିତ ଧୂଳି ଏବଂ ପାଣି ଛିଟାରୁ ରକ୍ଷା କରିବା ପାଇଁ ଫୋନକୁ IP64 ରେଟିଂ ମିଳିଛି।
କ୍ୟାମେରା ଏବଂ ପାୱାରଫୁଲ୍ ବ୍ୟାଟେରୀ:
ଫୋନର ପଛ ଭାଗରେ ଫଟୋଗ୍ରାଫି ପାଇଁ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ Sony LYT-600 ସେନ୍ସର ବିଶିଷ୍ଟ 50MP ର ମୁଖ୍ୟ କ୍ୟାମେରା ରହିଛି । ଏହା ସହିତ 120-ଡିଗ୍ରୀ ଫିଲ୍ଡ ଅଫ୍ ଭିଉ ସହିତ ଏକ 8MP ଅଲ୍ଟ୍ରାୱାଇଡ୍ ଆଙ୍ଗେଲ୍ କ୍ୟାମେରା ସାମିଲ ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ସ୍ମାର୍ଟଫୋନର ସମ୍ମୁଖ ଭାଗରେ 32MP ର ଫ୍ରଣ୍ଟ କ୍ୟାମେରା ପ୍ରଦାନ କରାଯାଇଛି । ଏହି କ୍ୟାମେରା ସାହାଯ୍ୟରେ ଉପଭୋକ୍ତାମାନେ 2K/30fps କ୍ଷମତାରେ ଭିଡିଓ ରେକର୍ଡିଂ କରିପାରିବେ । ପାୱାର୍ ବ୍ୟାକଅପ୍ ପାଇଁ ଏହି ଫୋନରେ 7,000mAh ର ଏକ ଶକ୍ତିଶାଳୀ ବ୍ୟାଟେରୀ ୟୁନିଟ୍ ସଂଯୋଗ କରାଯାଇଛି । ଏହି ବ୍ୟାଟେରୀ 30W ୱାୟାର୍ଡ ଫାଷ୍ଟ ଚାର୍ଜିଂ ଏବଂ 6W ରିଭର୍ସ ଚାର୍ଜିଂ ଫିଚରକୁ ସପୋର୍ଟ କରିଥାଏ ।
କନେକ୍ଟିଭିଟି ଏବଂ ଅନ୍ୟାନ୍ୟ ସ୍ପେସିଫିକେସନ୍:
ଏହି ସ୍ମାର୍ଟଫୋନରେ କନେକ୍ଟିଭିଟି ପାଇଁ 5G, 4G LTE, ଡୁଆଲ୍-ବ୍ୟାଣ୍ଡ Wi-Fi, Bluetooth 5.4, USB Type-C ପୋର୍ଟ ଏବଂ GPS ସପୋର୍ଟ ଭଳି ସମସ୍ତ ଜରୁରୀ ସୁବିଧା ପ୍ରଦାନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ଏହି ଫୋନରେ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସ୍କାନର ଏବଂ ଫେସ୍ ଅନଲକ୍ ଫିଚର ଦିଆଯାଇଛି । ଏହି ମୋବାଇଲ୍ ଫୋନର ମୋଟ ଓଜନ ପ୍ରାୟ 215 ଗ୍ରାମ ରହିଛି ଏବଂ ଏହାର ମୋଟେଇ କିମ୍ବା ଥିକନେସ୍ ହେଉଛି 8.89mm ।

