ଆସୁଛି Miviର ପ୍ରଥମ ସ୍ମାର୍ଟଫୋନ୍, ଚ୍ୟାଲେଞ୍ଜ ଦେବାକୁ ଆସନ୍ତାକାଲି ଲଞ୍ଚ ହେବ Fire-Bolttର 5G ଫୋନ୍
Mivi ଭାରତୀୟ ବଜାରରେ ତାର ସର୍ବପ୍ରଥମ ସ୍ମାର୍ଟଫୋନ୍ ଲଞ୍ଚ କରିବା ପାଇଁ ଅଫିସିଆଲ୍ ଟିଜର ଫ୍ଲିପକାର୍ଟରେ ଲଞ୍ଚ କରିଛି ଏବଂ ତା ସହିତ ଫାୟାର-ବୋଲ୍ଟ ମଧ୍ୟ ନୂଆ ଫୋନ୍ ଆଣୁଛି ।

Published : August 24, 2026 at 9:08 PM IST
ହାଇଦ୍ରାବାଦ: ଭାରତର ଅଡିଓ ଏବଂ ସ୍ମାର୍ଟୱାଚ୍ ମାର୍କେଟରେ ବଡ଼ ନାମ କମାଇଥିବା ଦୁଇଟି ଘରୋଇ ବ୍ରାଣ୍ଡ ଏବେ ମୋବାଇଲ୍ ଇଣ୍ଡଷ୍ଟ୍ରିରେ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା କେବଳ ଇୟରବଡ୍ସ, ସାଉଣ୍ଡବାର୍ ଏବଂ ସ୍ପିକର ତିଆରି କରୁଥିବା କମ୍ପାନୀ ମିଭି (Mivi) ଏବେ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ପ୍ରବେଶ କରିବା ପାଇଁ ତାର ପ୍ରଥମ ଅଫିସିଆଲ୍ ଟିଜର ପୋଷ୍ଟର ରିଲିଜ୍ କରିଦେଇଛି । ମିଭି ବ୍ୟତୀତ ପ୍ରସିଦ୍ଧ ସ୍ମାର୍ଟୱାଚ୍ ମେକର କମ୍ପାନୀ ଫାୟାର-ବୋଲ୍ଟ (Fire-Boltt) ମଧ୍ୟ ‘Boltt’ ନାମରେ ଏକ ନୂଆ ସବ୍-ବ୍ରାଣ୍ଡ ଆରମ୍ଭ କରି ମୋବାଇଲ୍ ଦୁନିଆରେ ପାଦ ଥାପିଛି, ଯାହା ଚଳିତ ସପ୍ତାହରେ ଭାରତୀୟ ଗ୍ରାହକଙ୍କ ସାମ୍ନାକୁ ଆସିବ । ମେମୋରି ସଙ୍କଟ ଯୋଗୁଁ ବଜାରରେ ଫୋନ୍ ଗୁଡ଼ିକର ଦାମ୍ କ୍ରମାଗତ ଭାବେ ବଢ଼ୁଥିବା ବେଳେ ଏହି ନୂଆ ବ୍ରାଣ୍ଡ ଗୁଡ଼ିକର ଆଗମନ ଭାରତୀୟ ୟୁଜର୍ସମାନଙ୍କ ପାଇଁ ଶସ୍ତା ମୂଲ୍ୟରେ ଏକ ଭଲ ବିକଳ୍ପ ସୃଷ୍ଟି କରିବ ।
ଫ୍ଲିପକାର୍ଟରେ ଲାଇଭ୍ ହେଲା ମିଭିର ପ୍ରଥମ ଟିଜର:
ମିଭିର ପ୍ରଥମ ସ୍ମାର୍ଟଫୋନ୍ର ମାର୍କେଟିଂ ପୋଷ୍ଟର ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ (Flipkart) ଉପରେ ଲାଇଭ୍ ହୋଇସାରିଛି, ଯାହା ପ୍ରମାଣିତ କରୁଛି ଯେ ଏହି ଫୋନ୍ ବହୁତ ଶୀଘ୍ର ଭାରତରେ ବିକ୍ରି ପାଇଁ ଉପଲବ୍ଧ ହେବ । ଟିଜର ପୋଷ୍ଟର ଅନୁଯାୟୀ, ମିଭି ର ଏହି ପ୍ରଥମ ସ୍ମାର୍ଟଫୋନ୍ ଏକ ଆକର୍ଷଣୀୟ ଗ୍ରୀନ୍ ବା ସବୁଜ ରଙ୍ଗରେ ଆସୁଛି । ଗାଡେଜ୍ର ଲୁକ୍ ବିଷୟରେ କହିଲେ, ଏହାର ବ୍ୟାକ୍ ପ୍ୟାନେଲ୍ ସମ୍ପୂର୍ଣ୍ଣ ଫ୍ଲାଟ୍ ରହିଛି ଏବଂ କୋଣ ଗୁଡ଼ିକୁ ସୁନ୍ଦର ଭାବେ ଗୋଲାକାର (Round corners) ଡିଜାଇନ୍ ଦିଆଯାଇଛି । ଯଦିଓ କମ୍ପାନୀ ବର୍ତ୍ତମାନ ସୁଦ୍ଧା ଫୋନ୍ର ପ୍ରକୃତ ନାମ, ଲଞ୍ଚ ତାରିଖ, ସ୍ପେସିଫିକେସନ୍ କିମ୍ବା ମୂଲ୍ୟ ବିଷୟରେ କୌଣସି ଅଫିସିଆଲ୍ ସୂଚନା ଦେଇନାହିଁ । ତେବେ ମୋବାଇଲ୍ ବ୍ୟବସାୟକୁ ବଡ଼ ସ୍ତରକୁ ନେବା ପାଇଁ ମିଭି ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିର ଜଣେ ବହୁତ ଅଭିଜ୍ଞ ବ୍ୟକ୍ତିଙ୍କୁ ନିଜର ନୂଆ ଏଗ୍ଜିକ୍ୟୁଟିଭ୍ ଭାବେ ନିଯୁକ୍ତ କରିଛି ।
ମଙ୍ଗଳବାର ଦିନ ଲଞ୍ଚ ହେବ ଫାୟାର-ବୋଲ୍ଟର ଦୁଇଟି ଫୋନ୍:
ମିଭି ପୂର୍ବରୁ ବଜାରରେ ଫାୟାର-ବୋଲ୍ଟ ତାର ଦୁଇଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଆସନ୍ତାକାଲି ମଙ୍ଗଳବାର ଦିନ ବଜାରରେ ‘Boltt Evo 4G’ ଏବଂ ‘Boltt Ace 5G’ ନାମକ ଦୁଇଟି ଆଧୁନିକ ମୋବାଇଲ୍ ଘୋଷଣା କରିବ, ଯାହା ସିଧାସଳଖ ଫ୍ଲିପକାର୍ଟ ମାଧ୍ୟମରେ ବିକ୍ରି କରାଯିବ । ଡିଜାଇନ୍ ଲିକ୍ ଅନୁଯାୟୀ, Boltt Ace 5G ର ପଛ ଭାଗରେ ଏକ ଆୟତାକାର (Rectangular) କ୍ୟାମେରା ମଡ୍ୟୁଲ୍ ଦିଆଯାଇଛି, ଯେଉଁଥିରେ ଫ୍ଲାଟ୍ ପ୍ୟାନେଲ୍ ଉପରେ ବାମ ପଟେ ଚାରୋଟି କଟ୍ଆଉଟ୍ ଦେଖିବାକୁ ମିଳୁଛି । ଅନ୍ୟପଟେ Boltt Evo 4G ସ୍ମାର୍ଟଫୋନ୍ଟି ଏକ ହାଲୁକା ନୀଳ ରଙ୍ଗର ଆକର୍ଷଣୀୟ ଲୁକ୍ ସହିତ ଆସୁଛି । ଏହାର ମିଡିଲ୍ ଫ୍ରେମ୍ ଫ୍ଲାଟ୍ ଏଜ୍ ବିଶିଷ୍ଟ ହୋଇଥିବା ବେଳେ ବାହ୍ୟ ପାର୍ଶ୍ୱରେ ପାୱାର୍ ବଟନ୍ ଏବଂ ୱାଲ୍ୟୁମ୍ କଣ୍ଟ୍ରୋଲ୍ କୁ ଡାହାଣ ପଟେ ସେଟଅପ୍ କରାଯାଇଛି ।

