ETV Bharat / technology

ଜୁନ୍ 5 ବିଶ୍ୱ ପରିବେଶ ଦିବସରେ ଭାରତର ପ୍ରଥମ E100 ଫ୍ଲେକ୍ସ-ଫ୍ୟୁଏଲ୍ କାର୍ ଲଞ୍ଚ କରିପାରେ ମାରୁତି ସୁଜୁକି: ନିତିନ ଗଡକରୀ

ନିତିନ ଗଡକରୀ ଭାରତର ଶକ୍ତି ସୁରକ୍ଷା ଉପରେ ଜୋର୍ ଦେଇ କହିଛନ୍ତି ଯେ, ଦେଶର 87 ପ୍ରତିଶତ ପେଟ୍ରୋଲିୟମ୍ ଦ୍ରବ୍ୟ ବିଦେଶରୁ ଆମଦାନୀ କରାଯାଏ, ଯାହା ଅର୍ଥନୀତି ଉପରେ ବଡ଼ ବୋଝ ସଦୃଶ ।

Maruti Suzuki may launch India's first E100 flex-fuel car
ଭାରତର ପ୍ରଥମ E100 ଫ୍ଲେକ୍ସ-ଫ୍ୟୁଏଲ୍ କାର୍ ଲଞ୍ଚ କରିପାରେ ମାରୁତି ସୁଜୁକି (Image Credit: Maruti Suzuki)
author img

By ETV Bharat Tech Team

Published : May 25, 2026 at 7:19 PM IST

2 Min Read
Choose ETV Bharat

ହାଇଦ୍ରାବାଦ: କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଗାଡ଼ି ଚାଳକ ଏବଂ ପରିବେଶ ପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି । ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୂଚନା ଦେଇ ସେ କହିଛନ୍ତି ଯେ, ଆସନ୍ତା ଜୁନ୍ 5, 2026 ବିଶ୍ୱ ପରିବେଶ ଦିବସ ଅବସରରେ ଦିଲ୍ଲୀଠାରେ ମାରୁତି ସୁଜୁକି (Maruti Suzuki) ତାର ପ୍ରଥମ E100 ଫ୍ଲେକ୍ସ-ଫ୍ୟୁଏଲ୍ (Flex-Fuel) କାର୍‌ର ଅନାବରଣ କରିବାକୁ ଯାଉଛି । ଏହି ବିଶେଷ ଗାଡ଼ିଟି ସମ୍ପୂର୍ଣ୍ଣ ରୂପେ 100 ପ୍ରତିଶତ ଇଥାନଲ୍ (Pure Ethanol) ରେ ଚାଲିବାର କ୍ଷମତା ରଖିବ, ଯାହା ଭାରତୀୟ ଅଟୋମୋବାଇଲ୍ ଇତିହାସରେ ଏକ ବଡ଼ ମାଇଲଖୁଣ୍ଟ ସାଜିବ । ତେବେ ପ୍ରଥମେ ଆସନ୍ତୁ ଜାଣିବା ଏହି E100 କାର କଣ ?

କଣ ଏହି E100 କାର୍ ଏବଂ କେଉଁ ମଡେଲ୍ ହେବ ଲଞ୍ଚ?

E100 ଫ୍ଲେକ୍ସ-ଫ୍ୟୁଏଲ୍ ଗାଡ଼ିର ଅର୍ଥ ହେଉଛି ଏହା କେବଳ ପେଟ୍ରୋଲ୍ ନୁହେଁ, ବରଂ ଶୁଦ୍ଧ ଇଥାନଲ୍‌କୁ ମଧ୍ୟ ଜାଳେଣି ଭାବେ ବ୍ୟବହାର କରି ଚାଲିପାରିବ । ମାରୁତି ସୁଜୁକି ପକ୍ଷରୁ ଅଫିସିଆଲି ଗାଡ଼ିର ନାମ ଘୋଷଣା କରାଯାଇ ନଥିଲେ ମଧ୍ୟ ଚର୍ଚ୍ଚା ଅନୁଯାୟୀ, କମ୍ପାନୀ ନିଜର ପ୍ରସିଦ୍ଧ ହ୍ୟାଚବ୍ୟାକ୍ WagonR କିମ୍ବା ସବ୍-କମ୍ପାକ୍ଟ ଏସୟୁଭି Fronxର ଫ୍ଲେକ୍ସ-ଫ୍ୟୁଏଲ୍ ସଂସ୍କରଣ ବଜାରକୁ ଆଣିପାରେ । ଏହା ପୂର୍ବରୁ କମ୍ପାନୀ ଭାରତ ମୋବିଲିଟି ଏକ୍ସପୋରେ ଫ୍ଲେକ୍ସ-ଫ୍ୟୁଏଲ୍ ୱାଗନ୍‌ଆର୍ ପ୍ରୋଟୋଟାଇପ୍ ଏବଂ ଜାପାନ ମୋବିଲିଟି ଶୋ'ରେ ଫ୍ରଣ୍ଟସର E85 ଭେରିଏଣ୍ଟ୍ ପ୍ରଦର୍ଶନ କରିସାରିଛି । ଇଥାନଲ୍ ପେଟ୍ରୋଲ୍ ତୁଳନାରେ ଅଧିକ କ୍ଷୟକାରୀ ହୋଇଥିବାରୁ, ଏହି କାର୍‌ରେ ଆଡଭାନ୍ସଡ୍ ଫ୍ୟୁଏଲ୍ ଲାଇନ, ଇଞ୍ଜେକ୍ଟର ଏବଂ ସ୍ୱତନ୍ତ୍ର ଇଞ୍ଜିନ କାଲିବ୍ରେସନ୍ ବ୍ୟବହାର କରାଯାଇଛି ।

ନିତିନ ଗଡ଼କରୀଙ୍କ ପ୍ରତିକ୍ରିୟା:

ନିତିନ ଗଡକରୀ ଭାରତର ଶକ୍ତି ସୁରକ୍ଷା ଉପରେ ଜୋର୍ ଦେଇ କହିଛନ୍ତି ଯେ, ଆମ ଦେଶର 87 ପ୍ରତିଶତ ପେଟ୍ରୋଲିୟମ୍ ଦ୍ରବ୍ୟ ବିଦେଶରୁ ଆମଦାନୀ କରାଯାଏ, ଯାହା ଅର୍ଥନୀତି ଉପରେ ବଡ଼ ବୋଝ ସଦୃଶ । ଇଥାନଲ୍‌କୁ ଘରୋଇ ସ୍ତରରେ କୃଷି ବଜ୍ରବସ୍ତୁ କିମ୍ବା ଆଖୁରୁ ପ୍ରସ୍ତୁତ କରାଯାଉଥିବାରୁ ଏହା ଚାଷୀମାନଙ୍କୁ ଆର୍ଥିକ ସମୃଦ୍ଧି ଦେବ ଏବଂ ପ୍ରଦୂଷଣ ମଧ୍ୟ ବହୁ ପରିମାଣରେ କମିବ । ସରକାର ଆଗାମୀ 2 ବର୍ଷ ମଧ୍ୟରେ ସାରା ଦେଶରେ 5,000ରୁ ଅଧିକ E100 ଇନ୍ଧନ ପମ୍ପ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି । ମାରୁତି ବ୍ୟତୀତ ଟୟୋଟା, ଟାଟା ମୋଟର୍ସ ଏବଂ ମହିନ୍ଦ୍ରା ଭଳି ପ୍ରାୟ 12ଟି କମ୍ପାନୀ ମଧ୍ୟ ନିଜର ଫ୍ଲେକ୍ସ-ଫ୍ୟୁଏଲ୍ ଗାଡ଼ି ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି ।

ଗାଡିର ମୂଲ୍ୟ ଉପରେ କଣ ରହିବ ପ୍ରଭାବ?

ଫ୍ଲେକ୍ସ-ଫ୍ୟୁଏଲ୍ ଟେକ୍ନୋଲୋଜିରେ ସ୍ୱତନ୍ତ୍ର ଇଞ୍ଜିନ ଏବଂ ଅତ୍ୟାଧୁନିକ ଫ୍ୟୁଏଲ୍ ସିଷ୍ଟମ୍ ବ୍ୟବହାର କରାଯାଉଥିବାରୁ ଏହି ଗାଡ଼ିଗୁଡ଼ିକର ମୂଲ୍ୟ ସାଧାରଣ ପେଟ୍ରୋଲ୍ ଗାଡ଼ି ତୁଳନାରେ ସାମାନ୍ୟ ଅଧିକ ହେବ । ବିଶେଷଜ୍ଞଙ୍କ ମତରେ, ଇଞ୍ଜିନ୍ ବଦଳାଇବା କାରଣରୁ ଗାଡ଼ିର ନିର୍ମାଣ ଖର୍ଚ୍ଚ ପ୍ରାୟ 40,000 ଟଙ୍କାରୁ 50,000 ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ । ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ରାହୁଲ ଭାରତୀ କହିଛନ୍ତି ଯେ, କମ୍ପାନୀ ପାଖରେ ଏହି ଟେକ୍ନୋଲୋଜି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏବଂ ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ଏହାକୁ ବଜାରକୁ ଅଣାଯାଉଛି, କିନ୍ତୁ ଆରମ୍ଭରୁ ଏହାର ଉତ୍ପାଦନ ପରିମାଣ ସୀମିତ ରହିବ ।

ଏହା ମଧ୍ୟ ପଢନ୍ତୁ:

ମଙ୍ଗଳ ଗ୍ରହରେ ଆଶ୍ଚର୍ଯ୍ୟଜନକ ଦୃଶ୍ୟ: ନାସାର ପର୍ସିଭିଅରେନ୍ସ ରୋଭର କ୍ୟାମେରାରେ କଏଦ ହେଲା ପରସ୍ପର ଉପରେ ରହିଥିବା 3ଟି ପଥରର ରହସ୍ୟମୟ ଚିତ୍ର

ଆଉ ଶସ୍ତା ହେବନି ସ୍ମାର୍ଟଫୋନ୍ ! AI କାରଣରୁ ବଢୁଛି ମେମୋରୀ ଚିପ୍‌ର ଦାମ୍, 'Nothing' ସହ-ପ୍ରତିଷ୍ଠାତାଙ୍କ ବଡ଼ ଖୁଲାସା