'ପାକ୍ସ ସିଲିକା' ସ୍ୱାକ୍ଷରନାମା ଚୁକ୍ତିରେ ଯୋଗଦେଲା ଭାରତ
'ପାକ୍ସ ସିଲିକା' ସ୍ୱାକ୍ଷରନାମାରେ ଯୋଗ ଦେଇ ପ୍ରଯୁକ୍ତିବିଦ୍ୟା, ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଶିଳ୍ପ ଇକୋସିଷ୍ଟମରେ ବିଶ୍ୱସ୍ତ ଅଂଶୀଦାରଙ୍କ ବିଶ୍ୱବ୍ୟାପୀ ନେଟୱର୍କ ସୃଷ୍ଟି କରିବା ଆଶା ରଖିଛି ଭାରତ ।

Published : February 20, 2026 at 3:56 PM IST
AI SUMMIT 2026 ନୂଆଦିଲ୍ଲୀ: ଭାରତରେ ଚାଲିଥିବା AI ଶିଖର ସମ୍ମିଳନୀରେ ଆମେରିକା ସହ ଏକ ଗୂରୂତ୍ୱପୂର୍ଣ୍ଣ ସ୍ୱାକ୍ଷରନାମା ଚୁକ୍ତି କରିଛି ଭାରତ । ଏହି ଚୁକ୍ତିର ନାମ 'ପାକ୍ସ ସିଲିକା' ସ୍ୱାକ୍ଷରନାମାରେ ନାମିତ ଅଟେ । ଏହି ଚୁକ୍ତିନାମା ପରେ ଆମେରିକା ସହ ଥିବା ପୂର୍ବ ସମ୍ପର୍କକୁ ଆହୁରି ମଜବୁତ୍ କରିଛି ଭାରତ । ଏହି ସ୍ୱାକ୍ଷରନାମା କୃତ୍ରିମ ବୁଦ୍ଧିମତ୍ତା (AI), ସେମିକଣ୍ଡକ୍ଟର ଏବଂ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳ ଉପରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ୍ କରିବ । ଏହି ସ୍ୱାକ୍ଷରନାମାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତୁ ଜାଣିବା 'ପାକ୍ସ ସିଲିକା' ସ୍ୱାକ୍ଷରନାମା କ'ଣ ?
'ପାକ୍ସ ସିଲିକା' ସ୍ୱାକ୍ଷରନାମା କ'ଣ?
'ପାକ୍ସ ସିଲିକା' ସ୍ୱାକ୍ଷରନାମା ହେଉଛି ଆମେରିକାର ବୈଦେଶିକ ବିଭାଗର ଏକ ପ୍ରମୁଖ ନୀତିଗତ ଢାଞ୍ଚା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଯୁକ୍ତିବିଦ୍ୟା, ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଶିଳ୍ପ ଇକୋସିଷ୍ଟମରେ ବିଶ୍ୱସ୍ତ ଅଂଶୀଦାରମାନଙ୍କର ଏକ ବିଶ୍ୱବ୍ୟାପୀ ନେଟୱର୍କ ସୃଷ୍ଟି କରିବା । ଏହି ସ୍ୱାକ୍ଷରନାମା ଚୀନର ପ୍ରାଧାନ୍ୟକୁ କମ୍ କରିବା ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ୁିକ ମାନଙ୍କ ମଧ୍ୟରେ ସୁରକ୍ଷିତ ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳ ନିର୍ମାଣ କରିବା ପାଇଁ ଡିଜାଇନ୍ କରାଯାଇଛି । ପ୍ରାରମ୍ଭିକ ମେମ୍ୱରମାନଙ୍କ ମଧ୍ୟରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡସ୍, ଦକ୍ଷିଣ କୋରିଆ, ସିଙ୍ଗାପୁର, ଇସ୍ରାଏଲ, ୟୁକେ ଏବଂ ୟୁଏଇ ଅନ୍ତର୍ଭୁକ୍ତ ଥିଲେ । ଶୁକ୍ରବାର ଦିନ ଭାରତ ଏହି ସ୍ୱାକ୍ଷରନାମା ଚୁକ୍ତିରେ ଯୋଡ଼ିହୋଇଛି । ପ୍ରକାଶ ଥାଉକି ଗତ ବର୍ଷ ଡିସେମ୍ବର ମାସ ୧୨ ତାରିଖରେ ଆମେରିକାର ୱାଶିଂଟନ୍ ଡି.ସି.ରେ ଏହି ସ୍ୱାକ୍ଷରନାମା ସ୍ୱାକ୍ଷରିତ ହୋଇଥିଲା । ଆମେରିକା ବୈଦେଶିକ ବିଭାଗ ନେତୃତ୍ୱରେ ଏହି ମେଣ୍ଟର ଲକ୍ଷ୍ୟ ହେଉଛି ଅଂଶୀଦାର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ କରିବା ।
VIDEO | India signs agreement to join US-led coalition Pax Silica.#PTIAtAIImpactSummit #IndiaAIImpactSummit2026 #AIImpactSummit2026
— Press Trust of India (@PTI_News) February 20, 2026
(Source: Third Party)
(Full video available on PTI Videos - https://t.co/n147TvrpG7) pic.twitter.com/BWKYPzn2Xq
ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କ ପ୍ରତିକ୍ରିୟା:
ଇଣ୍ଡିଆ AI ଶିଖର ସମ୍ମିଳନୀରେ, ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ବିଶ୍ୱ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଭାରତର ପ୍ରବେଶକୁ ଏକ ମାଇଲଖୁଣ୍ଟ ବୋଲି କହିଥିଲେ । ସେ କହିଥିଲେ, "ଆଜି ନୂଆଦିଲ୍ଲୀରେ ଆପଣମାନଙ୍କ ସମ୍ମୁଖରେ ଏହି ଐତିହାସିକ ମୁହୂର୍ତ୍ତକୁ ପାଳନ କରିବାକୁ ମୁଁ ବହୁତ ଗର୍ବିତ । କାରଣ ଆମେ ଭାରତକୁ ପାକ୍ସ ସିଲିକା ପରିବାରରେ ସ୍ୱାଗତ ଜଣାଉଛୁ । ଗୋଟିଏ ମାସ ପୂର୍ବରୁ ମୁଁ ଏହି ଦେଶରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ପହଞ୍ଚିଥିଲି। ମୋର ପ୍ରଥମ କିଛି ସପ୍ତାହରେ ମୁଁ ବେଙ୍ଗାଲୁରୁରେ ନବସୃଜନକାରୀଙ୍କୁ ଭେଟିଛି ଏବଂ ଭବିଷ୍ୟତକୁ ଗଠନ କରୁଥିବା ଉଦ୍ୟୋଗୀମାନଙ୍କ ସହିତ ଭୋଜନ କରିଛି । ମୋତେ ସବୁଠାରୁ ଅଧିକ ପ୍ରଭାବିତ କରିଥିବା କଥା ହେଉଛି ଭାରତର ନିଜସ୍ୱ ଗତିପଥ ପ୍ରସ୍ତୁତ କରିବାର ନିଷ୍ପତ୍ତି ଦୃଢ଼ ଏବଂ ଦୃଢ଼ ପ୍ରତିବଦ୍ଧତା ।"
ରାଷ୍ଟ୍ରଦୂତ ଗୋର ଆହୁରି କହିଛନ୍ତି ଯେ ଏହି ଚୁକ୍ତି କେବଳ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ବାଣିଜ୍ୟ, ପ୍ରତିରକ୍ଷା ଏବଂ ନୀତି କ୍ଷେତ୍ରରେ ଏକ ବ୍ୟାପକ ସମନ୍ୱୟର ପ୍ରତୀକ । ସେ କହିଛନ୍ତି ଯେ ଭାରତର ପ୍ରବେଶ ପାକ୍ସ ସିଲିକାକୁ ଅଧିକ ମଜବୁତ କରିବ । ଏହି ପଦକ୍ଷେପ ବିଶ୍ୱ ସେମିକଣ୍ଡକ୍ଟର ଉତ୍ପାଦନରେ ଭାରତର ବର୍ଦ୍ଧିତ ଭୂମିକାକୁ ସ୍ୱୀକୃତି ଦେଉଛି । ଏହା ଉଭୟ ଦେଶକୁ ଚୀନ୍ ଉପରେ ନିର୍ଭରଶୀଳତାରୁ ମୁକ୍ତ ହେବାକୁ ସାହାଯ୍ୟ କରିବ । ଭାରତର ଡିଜାଇନ୍ କ୍ଷମତା, ଦକ୍ଷ ମାନବଶକ୍ତି ଏବଂ ଆମେରିକାର ଉନ୍ନତ ପ୍ରଯୁକ୍ତିର ସମନ୍ୱୟ ଭବିଷ୍ୟତର AI-ଚାଳିତ ଅର୍ଥନୀତିର ପ୍ରମୁଖ କାରଣ ହେବ ।

