ଏଆଇ ଉପରେ କଡ଼ା କଟକଣା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର! ଆସିପାରେ ସ୍ୱତନ୍ତ୍ର ଆଇନ
ଭାରତୀୟ ବଜାରରେ ଏଆଇ(AI) ବ୍ୟବହାରକୁ ନିୟନ୍ତ୍ରଣ କରିବା ଏବଂ ଡିପ୍ଫେକ୍ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଆଇନଗତ ବ୍ୟବସ୍ଥା ଆଣିବାକୁ ପ୍ରସ୍ତୁତି କରୁଛି ଆଇଟି ମନ୍ତ୍ରାଳୟ ।

Published : July 4, 2026 at 5:42 PM IST
ହାଇଦ୍ରାବାଦ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI) ଟେକ୍ନୋଲୋଜିର ଦ୍ରୁତ ବିକାଶ ଏବଂ ଏହାର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ(MeitY)ର ସଚିବ ଏସ୍ କୃଷ୍ଣନ୍ ଶୁକ୍ରବାର ଦିନ ସ୍ପଷ୍ଟ କରିଛନ୍ତିଯେ, ଭାରତରେ ଏଆଇକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ୱତନ୍ତ୍ର ଏବଂ ଡେଡିକେଟେଡ୍ ରେଗୁଲାଟାରୀ ଫ୍ରେମୱାର୍କ (Dedicated regulatory Framework) ପ୍ରସ୍ତୁତ କରିବାର ସମୟ ଆସିଯାଇଛି ।
ବର୍ତ୍ତମାନ ଆଇଟି ନିୟମ ଏବଂ ଆଇନଗତ ବ୍ୟବସ୍ଥା ପ୍ରାଥମିକ ସ୍ତରରେ ଡିପ୍ଫେକ୍ ଏବଂ ମିଥ୍ୟା ସୂଚନା ରୋକିବା ପାଇଁ ଯଥେଷ୍ଟ ଅଟେ, କିନ୍ତୁ ଭବିଷ୍ୟତରେ ଏଆଇ ଯୋଗୁଁ ହେବାକୁ ଥିବା ବଡ ଆଇଟି ସମସ୍ୟାର ସମାଧାନ ପାଇଁ ଏକ ଅତିରିକ୍ତ ସ୍ୱତନ୍ତ୍ର ଆଇନର ଆବଶ୍ୟକତା ରହିଛି । ସରକାର ସଠିକ୍ ସମୟରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ମାସରେ ଦେଇଥିବା ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ, ଭାରତର ବର୍ତ୍ତମାନର ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଆଗମନ ପୂର୍ବରୁ ତିଆରି ହୋଇଥିଲା । ତେଣୁ ବଦଳୁଥିବା ଡିଜିଟାଲ୍ ଦୁନିଆ ସହିତ ତାଳ ମେଳ ରଖିବା ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ବୈଷୟିକ ନିୟମାବଳୀ ପ୍ରଣୟନ କରିବା ଜରୁରୀ ହୋଇପଡ଼ିଛି ।
ମନ୍ତ୍ରାଳୟ ଏବେ ଅଫିସିଆଲ୍ ସ୍ତରରେ ଏକ ଚିଠା ଆଇନ (Draft Legislation) ପ୍ରସ୍ତୁତ କରିବା ପାଇଁ କାମ କରୁଛି । ତେବେ ଏହି ଆଇନକୁ କାର୍ଯ୍ୟକାରୀ କରିବା ସମୟରେ ସରକାର ନୂଆ ଇନୋଭେସନ୍ (ଉଦ୍ଭାବନ) ଏବଂ ସୁରକ୍ଷା ନିୟମ ମଧ୍ୟରେ ଏକ ସଠିକ୍ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି, ଯେପରି ଦେଶର ଷ୍ଟାର୍ଟଅପ୍ ବ୍ୟବସ୍ଥା ପ୍ରଭାବିତ ହେବ ନାହିଁ ।
ଟେକ୍ନିକାଲ୍ ନିୟମାବଳୀ ଅନୁଯାୟୀ, ଭାରତ ସରକାର ପୂର୍ବରୁ ଫେବୃଆରୀ ମାସରେ ଆଇଟି ଆଇନ 2021ରେ କେତେକ ଗୁରୁତ୍ବପୂର୍ଣ୍ଣ ସଂଶୋଧନ କରି ସିନ୍ଥେଟିକ୍ ଏବଂ ଏଆଇ-ଜେନେରେଟେଡ୍ ପ୍ରଡକ୍ଟ ଗୁଡ଼ିକୁ ଆଇନଗତ ପରିସରଭୁକ୍ତ କରିଛନ୍ତି ।
ନୂଆ ଆଦେଶ ଅନୁଯାୟୀ, ଯଦି କୌଣସି କ୍ଷମତାପନ୍ନ ଅଧିକାରୀ ବା କୋର୍ଟ ମେଟାର ଇନଷ୍ଟ୍ରାଗ୍ରାମ କିମ୍ବା ଏକ୍ସ (X) ଭଳି ପ୍ଲାଟଫର୍ମରେ ଥିବା କୌଣସି ଡିପ୍ଫେକ୍ କଣ୍ଟେଣ୍ଟକୁ ଚିହ୍ନଟ କରନ୍ତି, ତେବେ ସେହି ସୋସିଆଲ ମିଡିଆ ଆପ୍ସ ଗୁଡ଼ିକୁ ମାତ୍ର 3 ଘଣ୍ଟା ମଧ୍ୟରେ ସେହି ଫଟୋ କିମ୍ବା ଭିଡିଓକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ପଡ଼ିବ ।
ଏହା ବ୍ୟତୀତ ସରକାର ଏକ ନୂଆ ନିୟମର ପ୍ରସ୍ତାବ ଦେଇଛନ୍ତି, ଯାହା ଅନୁଯାୟୀ ଯଦି କୌଣସି ସିନ୍ଥେଟିକ୍ ଭିଡିଓ ସ୍କ୍ରିନ୍ ଉପରେ ଚାଲୁଥାଏ, ତେବେ ତାର ସମ୍ପୂର୍ଣ୍ଣ ସମୟ ମଧ୍ୟରେ ଏକ ସ୍ପଷ୍ଟ 'ଏଆଇ ଲେବଲ୍' ଦେଖାଯିବା ବାଧ୍ୟତାମୂଳକ ହେବ, ଯାହାଦ୍ୱାରା ସାଧାରଣ ଲୋକେ ଗୁଜବର ଶିକାର ହେବେ ନାହିଁ । ଭବିଷ୍ୟତରେ ଏହି ଆଇନ ସାରା ଦେଶରେ ସାଇବର ସୁରକ୍ଷାକୁ ଆହୁରି ମଜବୁତ କରିବ ।

