ଆମେରିକା ଉପରେ ପ୍ରଚଣ୍ଡ ବିସ୍ଫୋରଣ ସହ ମାଡ଼ ହେଲା ବିଶାଳ ଉଲକାପିଣ୍ଡ, ଥରିଉଠିଲା ଅନେକ ସହର
ଗତ ଶନିବାର, ମେ 30, 2026 ରାତି ପାଖାପାଖି 11:36 PM (ଭାରତୀୟ ସମୟ)ରେ ଆମେରିକାର ଆକାଶରେ ଏକ ବିଶାଳ ଉଲକାପିଣ୍ଡ ବା ମେଟିଅର୍ (Meteor) ପ୍ରଚଣ୍ଡ ବିସ୍ଫୋରଣ ସହ ଭାଙ୍ଗିରୁଜି ଯାଇଛି ।

Published : June 1, 2026 at 5:03 PM IST
ହାଇଦ୍ରାବାଦ: ବିଶ୍ୱର ସବୁଠାରୁ ପ୍ରସିଦ୍ଧ ମହାକାଶ ସଂସ୍ଥା ନାସା (NASA) ପକ୍ଷରୁ ପୃଥିବୀ ବାୟୁମଣ୍ଡଳରେ ଏକ ଭୟଙ୍କର ପ୍ରାକୃତିକ ଘଟଣାକୁ ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି । ଗତ ଶନିବାର, ମେ 30, 2026 ରାତି ପାଖାପାଖି 11:36 PM (ଭାରତୀୟ ସମୟ)ରେ ଆମେରିକାର ଆକାଶରେ ଏକ ବିଶାଳ ଉଲକାପିଣ୍ଡ ବା ମେଟିଅର୍ (Meteor) ପ୍ରଚଣ୍ଡ ବିସ୍ଫୋରଣ ସହ ଭାଙ୍ଗିରୁଜି ଯାଇଛି । ସାଟେଲାଇଟ୍ ଚିତ୍ର ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆକାଶରେ ପ୍ରଥମେ ଏକ ଅତି ଉଜ୍ଜ୍ୱଳ ନିଆଁ ପିଣ୍ଡୁଳା (Fireball) ଦେଖାଯାଇଥିଲା ଏବଂ ଏହାପରେ ଏକ ଭୟଙ୍କର ବଜ୍ରପାତ ସଦୃଶ ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ଅପ୍ରତ୍ୟାଶିତ ମହାକାଶୀୟ ବିସ୍ଫୋରଣ କାରଣରୁ ସ୍ଥାନୀୟ ବାସିନ୍ଦାମାନେ ଆତଙ୍କିତ ହୋଇପଡ଼ିଥିଲେ । ତେବେ ଏ ସମ୍ପର୍କିତ ଖବର ଉପରେ ଆସନ୍ତୁ ସମ୍ପୂର୍ଣ୍ଣ ନଜର ପକାଇବା ।
ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା:
Reports of an explosion hears around Boston I believe are going to be a rather significant bolide/meteor entering the atmosphere. Very large " flash" detected by goes-19 glm that does not correlate with active thunderstorms. #MAwx pic.twitter.com/EHKVxCc2vU
— Nick Stewart (@NStewWX) May 30, 2026
ନାସାର ସୂଚନା ଅନୁଯାୟୀ, ଏହି ଉଲକାପିଣ୍ଡଟି ଆମେରିକାର ଉତ୍ତର-ପୂର୍ବ ଅଞ୍ଚଳ (ନିଉ ଇଂଲଣ୍ଡ, ମାସାଚୁସେଟ୍ସ ଏବଂ ନ୍ୟୁ ହାମ୍ପସାୟର୍)ର ଉପରିଭାଗରେ ପ୍ରାୟ 40 ମାଇଲ୍ (64.37 km) ଉଚ୍ଚତାରେ ଥାଇ ବାୟୁମଣ୍ଡଳର ଘର୍ଷଣ ଯୋଗୁଁ ଖଣ୍ଡଖଣ୍ଡ ହୋଇଯାଇଥିଲା । ଏହି ଉଲକାପିଣ୍ଡଟି ବିସ୍ଫୋରଣ ହେବା ସମୟରେ ସେଥିରୁ ନିର୍ଗତ ହୋଇଥିବା ଶକ୍ତି ପ୍ରାୟ 300 ଟନ୍ TNT ବିସ୍ଫୋରକ ସହିତ ସମାନ ଥିଲା, ଯାହା କାରଣରୁ ସେହି ଅଞ୍ଚଳରେ ଏକ ବଡ଼ ଧରଣର ପ୍ରକମ୍ପନ ଶୁଣାଯାଇଥିଲା । ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ ରିପୋର୍ଟ କରିଛନ୍ତି ଯେ, ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସେମାନଙ୍କ ଘରର କାନ୍ଥ ଏବଂ ଆସବାବପତ୍ର ମଧ୍ୟ ହଲିବାକୁ ଲାଗିଥିଲା ।
ନାସାର ସୂଚ଼ନା:ଉଲକାପିଣ୍ଡର ଗତି ପ୍ରାୟ 1,20,000 କିଲୋମିଟର ପ୍ରତି ଘଣ୍ଟା ଥିଲା
ନାସାର ସେଟେଲାଇଟ୍ GOES-19 ମାଧ୍ୟମରେ ଏହି ସମ୍ପୂର୍ଣ୍ଣ ଆଲୋକର ଝଲକ ବା 'ଫ୍ଲାସ୍'କୁ କଏଦ କରାଯାଇଛି, ଯାହା ଏକ ପ୍ରକୃତ ବୋଲାଇଡ୍ (Bolide) ଉଲକାପିଣ୍ଡ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ନାସାର ଡେପୁଟି ନ୍ୟୁଜ୍ ଚିଫ୍ ଜେନିଫର୍ ଡୋରେନ୍ ଏଏଫ୍ପି (AFP)କୁ ଦେଇଥିବା ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ଉଲକାପିଣ୍ଡଟି କୌଣସି ସକ୍ରିୟ ମେଟିଅର୍ ସାୱାର୍ (Meteor Shower) ବା କୃତ୍ରିମ ସାଟେଲାଇଟ୍ର ଭଙ୍ଗା ଅଂଶ ନଥିଲା, ବରଂ ଏହା ଏକ ପ୍ରାକୃତିକ ପଥର ଖଣ୍ଡ ଥିଲା । ବାୟୁମଣ୍ଡଳରେ ଭାଙ୍ଗିବା ସମୟରେ ଏହି ଉଲକାପିଣ୍ଡର ଗତି ପ୍ରାୟ 75,000 mph (ପାଖାପାଖି 120,000 କିଲୋମିଟର ପ୍ରତି ଘଣ୍ଟା) ଥିଲା, ଯାହା ଶବ୍ଦର ଗତି ଠାରୁ ମଧ୍ୟ ବହୁ ଗୁଣ ଅଧିକ ଅଟେ ।
କ୍ଷୟକ୍ଷତି:
ଆମେରିକାରେ ଘଟିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ପୁଣି ଥରେ 2013 ମସିହାରେ ରୁଷିଆର ଚେଲିଆବିନ୍ସ୍କ (Chelyabinsk) ସହରରେ ଘଟିଥିବା ମେଗା ବିସ୍ଫୋରଣର ସ୍ମୃତିକୁ ତାଜା କରିଦେଇଛି । ସେହି ସମୟରେ ଏକ ଘର ଆକାରର ବିଶାଳ ଉଲକାପିଣ୍ଡ ଭୂପୃଷ୍ଠରୁ 14 ମାଇଲ୍ (22.5 km) ଉପରେ ବିସ୍ଫୋରଣ ହୋଇଥିଲା, ଯାହାର ଶକ୍ତି ପ୍ରାୟ 440,000 ଟନ୍ TNT ସହିତ ସମାନ ଥିଲା । ସେହି ରୁଷିଆ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପ୍ରାୟ 200 ବର୍ଗ ମାଇଲ୍ ଅଞ୍ଚଳର ସମସ୍ତ ଘରର କାଚ ଭାଙ୍ଗି ଚୂରମାର୍ ହୋଇଯାଇଥିଲା ଏବଂ ଉଡ଼ନ୍ତା କାଚ ବାଜି ପ୍ରାୟ 1,600 ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ସୌଭାଗ୍ୟବଶତଃ ଆମେରିକାରେ ଘଟିଥିବା ଏହି ଉଲକାପିଣ୍ଡ ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନି କିମ୍ବା ଆହତ ହେବାର ଖବର ସାମ୍ନାକୁ ଆସିନାହିଁ ।
ଏହା ମଧ୍ୟ ପଢନ୍ତୁ:
- ଚନ୍ଦ୍ରର ଅନ୍ଧକାର ଗହ୍ୱରରେ ଲୁଚିଛି ବରଫ: ଭାରତୀୟ ବୈଜ୍ଞାନିକଙ୍କ ବଡ଼ ସଫଳତା
- ଭାରତୀୟ ବଜାରରେ ଲଞ୍ଚ ହେଲା 2026 Tata Tiago, Tiago iCNG ଏବଂ Tiago EV ଫେସ୍ଲିଫ୍ଟ, ଜାଣନ୍ତୁ ମୂଲ୍ୟ ଓ ଫିଚର୍ସ
- ଭାରତୀୟ ବୈଜ୍ଞାନିକଙ୍କ ବଡ଼ ସଫଳତା, ଆବିଷ୍କାର କଲେ 12.6 ବିଲିୟନ ବର୍ଷର ପୁରୁଣା ଗ୍ୟାଲାକ୍ସି କ୍ଲଷ୍ଟର୍
- ଲଞ୍ଚ ହେଲା ସବୁଠାରୁ ଶସ୍ତା ଇନଭର୍ଟର କୁଲିଂ AC, ଏବେ କମ୍ ବଜେଟ୍ରେ ମିଳିବ ପ୍ରବଳ ଗରମରୁ ଆରାମ !

