Grokipediaର ନାମ ବଦଳାଇବାକୁ ଯୋଜନା କରୁଛନ୍ତି ଏଲନ ମସ୍କ; ଜାଣନ୍ତୁ କାରଣ
ୱିକିପିଡିଆର ସ୍ଥାନ ନେଇଥିବା ଗ୍ରୋକିପିଡିଆର ନାମ ବଦଳାଇବାକୁ ଯୋଜନା କରୁଛନ୍ତି ଏଲନ ମସ୍କ । ଜାଣନ୍ତୁ କାରଣ...

Published : November 14, 2025 at 8:47 PM IST
ହାଇଦ୍ରାବାଦ: ଟେସଲା ଏବଂ xAI ମୁଖ୍ୟ ଏଲନ ମସ୍କ ନିକଟରେ ଲଞ୍ଚ କରିଥିବା ୱିକିପିଡିଆର AI-ଆଧାରିତ ବିକଳ୍ପ 'Grokipedia'ର ନାମକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହାର ଦୃଢ଼ ଗୁଣବତ୍ତା ମାନଦଣ୍ଡ ହାସଲ କରିବା ପରେ ଏହାକୁ 'Encyclopedia Galactica' ଭାବରେ ପୁନଃବ୍ରାଣ୍ଡ କରାଯିବ ବୋଲି ଏଲନ ମସ୍କ ସୂଚନା ଦେଇଛନ୍ତି । ଏହାକୁ ବିଜ୍ଞାନ କାଳ୍ପନିକ ପ୍ରତି ତାଙ୍କର ପ୍ରେମ ଦ୍ବାରା ଅନୁପ୍ରାଣିତ ଏକ ଦୀର୍ଘକାଳୀନ ଲକ୍ଷ୍ୟ ଭାବରେ ବର୍ଣ୍ଣନା କରିଛନ୍ତି ମସ୍କ ।
ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି କହିଛନ୍ତି, "ଯେତେବେଳେ Grokipedia ଯଥେଷ୍ଟ ଭଲ ପ୍ରତିକ୍ରିୟା ହାସଲ କରିବ, ଆମେ ଏହାର ନାମ Encyclopedia Galacticaରେ ପରିବର୍ତ୍ତନ କରିବୁ । ଏହା ଅଡିଓ, ଫଟୋ ଏବଂ ଭିଡିଓ ସମେତ ସମସ୍ତ ଜ୍ଞାନର ଏକ ଖୋଲା ଉତ୍ସ ହେବ।" ମସ୍କଙ୍କ ଏହି ପୁନଃବ୍ରାଣ୍ଡିଂ ଘୋଷଣା ଏକ ବ୍ୟାପକ ମିଶନକୁ ଇଙ୍ଗିତ କରୁଛି । ମସ୍କ ଚାହାଁନ୍ତି ଯେ ଏହା ମୁକ୍ତ-ଉତ୍ସ ଭିତ୍ତିଭୂମି ସହିତ ସୂଚନାର ଏକ ସାର୍ବଜନୀନ ଉତ୍ସ ଭାବରେ କାର୍ଯ୍ୟ କରୁ ।
When Grokipedia is good enough (long way to go), we will change the name to Encyclopedia Galactica.
— Elon Musk (@elonmusk) November 13, 2025
It will be an open source distillation of all knowledge, including audio, images and video.
Join @xAI to help build the sci-fi version of the Library of Alexandria!
ଏବେ କେମିତି କାମ କରୁଛି ଗ୍ରୋକିପିଡିଆ ?
XAI ଦ୍ବାରା ବିକଶିତ Grokipedia ଏକ AI ଆଧାରିତ ଏନସାଇକ୍ଲୋପିଡିଆ ଭାବରେ ଆରମ୍ଭ କରାଯାଇଥିଲା । ସ୍ବେଚ୍ଛାସେବୀ ସମ୍ପାଦକଙ୍କ ଉପରେ ନିର୍ଭର କରୁଥିବା Wikipedia ପରିବର୍ତ୍ତେ, Grokipedia xAIର ବୃହତ ଭାଷା ମଡେଲ Grok ବ୍ୟବହାର କରେ । ଏହାର ଅର୍ଥ ହେଉଛି ସମସ୍ତ ବିଷୟବସ୍ତୁ Grokର AI-ଚାଳିତ ସିଷ୍ଟମ ମାଧ୍ୟମରେ ପ୍ରବାହିତ ହେଉଥିବାରୁ ବ୍ୟବହାରକାରୀମାନେ ମାନୁଆଲି ପୃଷ୍ଠାଗୁଡ଼ିକୁ ସମ୍ପାଦନ କରିପାରିବେ ନାହିଁ ।
ପ୍ରାରମ୍ଭିକ ସମୟରେ ସାମ୍ନା କରିଥିଲା ସମସ୍ୟା
ଏହି AI-ଭିତ୍ତିକ ଅନଲାଇନ ଏନସାଇକ୍ଲୋପିଡିଆ ବିରୋଧରେ କିଛି ବ୍ୟବହାରକାରୀ ନିର୍ଭରଯୋଗ୍ୟତା ସମସ୍ୟା ଦର୍ଶାଇଛନ୍ତି । ଏକାଧିକ ରିପୋର୍ଟ ନିକଟରେ ଉଲ୍ଲେଖ କରିଥିଲେ ଯେ ଏହା ତଥ୍ୟଗତ ଭୁଲ ଏବଂ ଆଦର୍ଶଗତ ପକ୍ଷପାତ ସହିତ ସଂଘର୍ଷ କରୁଛି । ଚଳିତ ବର୍ଷ ଗ୍ରୋକ୍ ନିଜେ ଆଣ୍ଟିସେମିଟିକ୍ କଣ୍ଟେଣ୍ଟ ସୃଷ୍ଟି କରିବା ପରେ ବିବାଦର ସମ୍ମୁଖୀନ ହୋଇଥିଲେ ଯାହାକୁ xAI ପରେ ଏକ ତ୍ରୁଟିପୂର୍ଣ୍ଣ କୋଡ୍ ଅପଡେଟ୍ ପାଇଁ ଦାୟୀ କରିଥିଲା । କମ୍ପାନୀ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲା ।
ଗ୍ରୋକିପିଡିଆର ଭବିଷ୍ୟତ
ମସ୍କ ଭବିଷ୍ୟତର ଏନସାଇକ୍ଲୋପିଡିଆ ଗାଲାକ୍ଟିକାକୁ ୱିକିପିଡିଆର ଏକ ଶକ୍ତିଶାଳୀ, ଅଧିକ ବିଶ୍ବସନୀୟ ବିକଳ୍ପ ଭାବରେ ଆଣିବାକୁ ଯୋଜନା କରୁଛନ୍ତି । ଏହି ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ଏକ ସମୃଦ୍ଧ ଅଭିଜ୍ଞତା ପ୍ରଦାନ କରିବା ପାଇଁ ପାଠ୍ୟ, ଅଡିଓ, ଭିଡିଓ ଏବଂ ଅନ୍ୟାନ୍ୟ ଫର୍ମାଟକୁ ସମର୍ଥନ କରିବ । ସମ୍ପ୍ରତି, ମସ୍କ ସ୍ବୀକାର କରିଛନ୍ତି ଯେ ଗ୍ରୋକିପିଡିଆକୁ ବହୁତ ଆଗକୁ ଯିବାକୁ ଅଛି । ଏହାର ସଫଳତା, xAI କିପରି ସଠିକତା ସମସ୍ୟାଗୁଡ଼ିକୁ ସମାଧାନ କରୁଛି, ପକ୍ଷପାତ ହ୍ରାସ କରୁଛି ତାହା ଉପରେ ନିର୍ଭର କରିବ ।
କେମିତି ବ୍ୟବହାର କରିବେ ?
ୟୁଜର୍ସ ସିଧାସଳଖ Grokipedia.comକୁ ଯାଇ କୌଣସି ବି ବିଷୟବସ୍ତୁ ଉପରେ ସର୍ଚ୍ଚ କରିପାରିବେ । ଏହାପରେ ଆପଣଙ୍କୁ ଉକ୍ତ ବିଷୟବସ୍ତୁ ଉପରେ ସମସ୍ତ ତଥ୍ୟ ମିଳିପାରିବ । ଏକାଧିକ ରିପୋର୍ଟ ଅନୁସାରେ, କିଛି ଆର୍ଟିକିଲ ତଳେ କିଛି ଲେଖା ଦେଖିବାକୁ ମିଳିଛି (The content is adapted from Wikipedia, licensed under Creative Commons Attribution-ShareAlike 4.0 License), ଯାହା କହୁଛି ଯେ ଉକ୍ତ ତଥ୍ୟଗୁଡ଼ିକ ୱିକିପିଡିଆରୁ ସଂଗୃହୀତ ହୋଇଛି ।
| ଏହା ବି ପଢନ୍ତୁ: ଏଲନ ମସ୍କ ଲଞ୍ଚ କଲେ Grokipedia; ୱିକିପିଡିଆକୁ ଦେବ ଟକ୍କର |

