Space Mission: ପୃଥିବୀ ବାହାରେ ମଣିଷ ରହିବା ପାଇଁ ପ୍ରସ୍ତୁତ ହେଲା ‘BHEEM’, ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ IIScର ବଡ଼ ଆବିଷ୍କାର !
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ IIScର ଗବେଷକମାନେ ମହାକାଶ ବା ଅନ୍ୟ ଗ୍ରହରେ ମଣିଷ ରହିବା ପାଇଁ ‘BHEEM’ ନାମକ ଏକ ସ୍ୱତନ୍ତ୍ର ମଡୁଲାର ଘରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

Published : September 2, 2026 at 9:07 PM IST
ହାଇଦ୍ରାବାଦ: ଆଗକୁ ଆମେ ଚନ୍ଦ୍ର କିମ୍ବା ମଙ୍ଗଳ ଗ୍ରହରେ ବାସ କରିବା ବୋଲି ଏ ପ୍ରହେଳିକା କେବେ ଠୁ ଉଠିଲାଣି । କିନ୍ତୁ ଏହା କିପରି ସମ୍ଭବ ତାହା ଏ ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି । ପୃଥିବୀ ବାହାରେ ଚନ୍ଦ୍ର କିମ୍ବା ମଙ୍ଗଳ ଗ୍ରହରେ ମଣିଷ କେମିତି ରହିବ, ସେହି ବଡ଼ ପ୍ରହେଳିକାର ସମାଧାନ କରିବା ପାଇଁ ଭାରତୀୟ ବୈଜ୍ଞାନିକ ଓ ମହାକାଶଚାରୀ ମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc)ର ଗବେଷକମାନେ ମିଳିତ ଭାବେ ଏକ ବିଶେଷ ପ୍ରକାରର ଏକ୍ସଟ୍ରା-ଟେରେଷ୍ଟ୍ରିଆଲ୍ ହାବିଟାଟ୍ ବା ମହାକାଶ ବସତିର ନକ୍ସା ପ୍ରସ୍ତୁତ କରିଛନ୍ତି । ଏହି ବିଶେଷ ପ୍ରକଳ୍ପକୁ 'BHEEM' ବା Bhratiya Extraterrestrial Expandbale Modular Habitat' (ଭାରତୀୟ ଏକ୍ସଟ୍ରାଟେରେଷ୍ଟ୍ରିଆଲ୍ ଏକ୍ସପାଣ୍ଡେବଲ୍ ମଡୁଲାର ହାବିଟାଟ୍) ନାମ ଦିଆଯାଇଛି । ରୁଷିଆରୁ ମହାକାଶଚାରୀ ଟ୍ରେନିଂ ଶେଷ କରି ଭାରତ ଫେରିବା ପରେ ଶୁଭାଂଶୁ ଶୁକ୍ଲା ନିଜର ଏହି ଆକାଡେମିକ ଗବେଷଣା ମାଧ୍ୟମରେ ଏହି ସ୍ମାର୍ଟ ଷ୍ଟ୍ରକଚର ପ୍ରସ୍ତୁତ କରିଛନ୍ତି ।
ମହାକାଶ ଗବେଷଣା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ ଚନ୍ଦ୍ର ବା ମଙ୍ଗଳ ଗ୍ରହରେ ସ୍ଥାୟୀ ଭାବେ ରହିବା ପାଇଁ ମାନବ ସମାଜ ଆଗରେ ପ୍ରଖର ବିକିରଣ, ମାରାତ୍ମକ ତାପମାତ୍ରା ଏବଂ ରହିବା ପାଇଁ ଉପଯୁକ୍ତ ସ୍ଥାନର ଏକ ବଡ଼ ଆହ୍ୱାନ ରହିଛି । ଏହି ସମସ୍ୟାର ସରଳ ସମାଧାନ ହେଉଛି ' BHEEM', ଯାହାକୁ ରକେଟ୍ ସାହାଯ୍ୟରେ ବହୁତ କମ୍ ସ୍ଥାନରେ ମହାକାଶକୁ ପଠାଯାଇପାରିବ ଏବଂ ସେଠାରେ ପହଞ୍ଚିବା ପରେ ଏହାକୁ ଏକ ବଡ଼ ଆବାସିକ କୋଠରୀରେ ପରିଣତ କରାଯାଇପାରିବ । ତେବେ କିଭଳି କାମ କରେ BHEEMର ମଡୁଲାର ଟେକ୍ନୋଲୋଜି ଆସନ୍ତୁ ଜାଣିବା?
B.H.E.E.M. — Bharatiya Habitable Expandable Extraterrestrial Habitat.
— Shubhanshu Shukla (@gagan_shux) September 1, 2026
When we returned from our training in Russia, we began the Indian leg of our astronaut training. This involved learning the systems of the launch vehicle and orbital module, along with extensive physical and… pic.twitter.com/2Ubt0FiVbj
କିଭଳି କାମ କରେ BHEEMର ମଡୁଲାର ଟେକ୍ନୋଲୋଜି?
ସାଧାରଣତଃ ମହାକାଶକୁ ପଠାଯାଉଥିବା ରୁମ୍ ଗୁଡିକ ଗୋଟିଏ ଗୋଟିଏ ବଡ଼ ଗୋଲାକାର ବା ନରମ ଇନଫ୍ଲେଟେବଲ୍ (ଫୁଲିବା ପରି) ହୋଇଥାଏ, କିନ୍ତୁ 'BHEEM' ସମ୍ପୂର୍ଣ୍ଣ ଅଲଗା ପ୍ରଯୁକ୍ତି ବିଦ୍ୟାରେ ତିଆରି । ଏହା ପ୍ୟାନେଲ ଆଧରିତ ମଡୁଲାର ଆର୍କିଟେକ୍ଟର ଉପରେ କାମ କରେ । ଏଥିରେ ତ୍ରିଭୁଜ, ବର୍ଗକ୍ଷେତ୍ର, ଏବଂ ପେଣ୍ଟାଗନ୍ (ପଞ୍ଚଭୁଜ) ଆକାରର କଠିନ ଜ୍ୟାମିତିକ ପ୍ୟାନେଲ୍ ବ୍ୟବହାର କରାଯାଇଛି । ଏହି ପ୍ୟାନେଲ ଗୁଡିକ ବହୁତ କମ୍ ସ୍ଥାନରେ ଗୋଟିଏ ଉପରେ ଆଉ ଗୋଟିଏ ସ୍ତର କରି କରି ରଖାଯାଇପାରିବ, ଯାହା ଫଳରେ ସ୍ପେସ୍-ଏକ୍ସର 'ଷ୍ଟାରସିପ୍' ଭଳି ଲଞ୍ଚ ଭେହିକିଲର ପେଲୋଡ୍ ଭିତରେ ଏହା ସହଜରେ ଫିଟ୍ ହୋଇଯିବ । ମହାକାଶରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଏହି ସମସ୍ତ ପ୍ୟାନେଲକୁ ଯୋଡି ଏକ ବଡ଼ ଓ ମଜବୁତ ଘର ପ୍ରସ୍ତୁତ କରାଯାଇପାରିବ ।

ସାଇନ୍ସ ଜର୍ନାଲ 'ରିସର୍ଚ୍ଚଗେଟ୍'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୋଟିଏ ସମ୍ପୂର୍ଣ୍ଣ 'BHEEM' ସେଟଅପ୍ ପାଇଁ ସମୁଦାୟ 422ଟି ପ୍ୟାନେଲ ଦରକାର ଯେଉଁଥିରେ 312ଟି ବର୍ଗାକାର, 108ଟି ତ୍ରିଭୁଜାକାର ଏବଂ 2ଟି ପଞ୍ଚଭୁଜାକାର ପ୍ୟାନେଲ୍ ସାମିଲ ଅଛି । ଏହି ସମସ୍ତ ପନ୍ୟାଲକୁ ଏକାଠି ରଖିବା ପାଇଁ ପ୍ରାୟ 700 କ୍ୟୁବିକ୍ ମିଟର ସ୍ଥାନରେ ଆବଶ୍ୟକତା ପଡିବ, ଯାହା ଷ୍ଟାରସିପ୍ ରକେଟର ଗୋଟିଏ ପେଲୋଡ୍ କ୍ଷମତା (800 କ୍ୟୁବିକ୍ ମିଟର)ରୁ ମଧ୍ୟ କମ୍ ଅଟେ । ଅର୍ଥାତ ମାତ୍ର ଗୋଟିଏ ରକେଟ୍ ଉଡାଣରେ ମଣିଷ ପାଇଁ ମହାକାଶରେ ଏକ ବିଶାଳ ବସତି ତିଆରି କରିବାର ସାମଗ୍ରୀ ପଠାଯାଇପାରିବ ।
ଇଣ୍ଟରନେସନାଲ ସ୍ପେସ୍ ଷ୍ଟେସନ ଠାରୁ ଦୁଇଗୁଣ ବଡ଼ ସ୍ଥାନ:
ବେଜ୍ଞାନିକମାନଙ୍କ କହିବା ଅନୁଯାୟୀ ଗୋଟିଏ ଷ୍ଟାରସିପ୍ ରକେଟ୍ ମାଧ୍ୟମରେ ପଠାଯାଉଥିବା 'BHEEM' ମଡୁଲାର ଘର, ବର୍ତ୍ତମାନ ମହାକାଶରେ ଥିବା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ତୁଳନାରେ ଦୁଇଗୁଣ ଅଧିକ ରହିବା ସ୍ଥାନ ବା ହାବିଟେବଲ୍ ଭଲ୍ୟୁମ ପ୍ରଦାନ କରିବ । ଏହି ସମ୍ପୂର୍ଣ୍ଣ ହାବିଟାଟକୁ ମଣିଷର ଶାରୀରିକ ଗଠନ ଏବଂ ସେମାନଙ୍କର ଦୈନନ୍ଦିନ ଆବଶ୍ୟକାତାକୁ 3D ଆନ୍ଥ୍ରୋପିକ୍ ମଡେଲ ସାହାଯ୍ୟରେ ପରୀକ୍ଷା କରି ପ୍ରସ୍ତୁତ କରାଯାଇଛି । ଏହି ବସତିକୁ ଦୁଇଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଛି:
1. ଦୈନନ୍ଦିନ ବାସସ୍ଥଳୀ: ଯେଉଁଥିରେ ମହାକାଶଚାରୀଙ୍କ ବ୍ୟକ୍ତିଗତ ରୁମ୍, ଶୌଚାଳୟ, ସମାଜିକ ଭେଟଘାଟ ଅଞ୍ଚଳ ଏବଂ ଖାଦ୍ୟ ପ୍ରସ୍ତୁତିର ସ୍ଥାନ ରହିବ ।
2. ମିଶନ୍ ଗୁରୁତ୍ୱପୂର୍ଣ୍ଣ ଜୋନ୍: ଏହି ଅଞ୍ଚଳରେ ଏୟାରଲିକ୍ସ, ମିଶନ୍ ପ୍ଲାନିଂ ରୁମ୍, ମେଡିକାଲ୍ ବେ, ଏବଂ ମେଣ୍ଟାନାନ୍ସ ରୁମ୍ ସାମିଲ୍ ରହିଛି ।
ଗବେଷଣା ଅନୁଯାୟୀ, ମହାକାଶଚାରୀଙ୍କ ବ୍ୟକ୍ତିଗତ ସ୍ୱଚ୍ଛତା ପାଇଁ 1.2 କ୍ୟୁବିକ୍ ମିଟର, ଇଭିଏ (EVA) ସୁଟ୍ ମେଣ୍ଟେନାନ୍ସ ପାଇଁ 4.8 କ୍ୟୁବିକ୍ ମିଟର (ଦୁଇ ଜଣଙ୍କ ପାଇଁ) ଏବଂ ଜରୁରୀକାଳୀନ ଚିକିତ୍ସା ପାଇଁ ପ୍ରାୟ 5.8 କ୍ୟୁବିକ୍ ମିଟର ସ୍ଥାନର ସଠିକ୍ ବ୍ୟବସ୍ଥା ଏହି ମଡେଲ ଭିତରେ ଡିଜାଇନ୍ କରାଯାଇଛି ।

ସୁରକ୍ଷା ବ୍ୟବସ୍ଥା ଏବଂ ସହଜ ମେଣ୍ଟେନାନ୍ସ:
‘BHEEM’ ର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏହାର ଆତ୍ମ-ନିର୍ଭରଶୀଳ ସୁରକ୍ଷା ବ୍ୟବସ୍ଥା ବା ସେଲ୍ଫ-କଣ୍ଟେନଡ୍ ରେଡଣ୍ଡାନ୍ସ । ଏହାର ପ୍ରତ୍ୟେକଟି ରୁମ୍ ବା ମଡୁଲ୍ ପରସ୍ପର ସହ ସ୍ୱତନ୍ତ୍ର ହ୍ୟାଚ୍ (ଦ୍ୱାର) ମାଧ୍ୟମରେ ସଂଯୁକ୍ତ ହୋଇ ରହିଥାଏ ଏବଂ ପ୍ରତ୍ୟେକ ମଡୁଲରେ ନିଜସ୍ୱ ସ୍ୱତନ୍ତ୍ର ଲାଇଫ୍ ସପୋର୍ଟ ସିଷ୍ଟମ୍ ଥାଏ । ଯଦି କୌଣସି ଜରୁରୀକାଳୀନ ପରିସ୍ଥିତି, ଯେପରିକି ନିଆଁ ଲାଗିବା କିମ୍ବା ମହାକାଶର କ୍ଷୁଦ୍ର ଗ୍ରହକଣା (micrometeorite) ବାଜି କୌଣସି ଏକ ରୁମ୍ କ୍ଷତିଗ୍ରସ୍ତ ହୁଏ, ତେବେ ବାକି ଘରକୁ ସୁରକ୍ଷିତ ରଖିବା ପାଇଁ ସେହି ଗୋଟିଏ ରୁମ୍କୁ ସମ୍ପୂର୍ଣ୍ଣ ଅଲଗା ବା ଆଇସୋଲେଟ୍ କରାଯାଇପାରିବ ।
ଏହା ବ୍ୟତୀତ ଏହି କଠିନ ପ୍ୟାନେଲ ଗୁଡ଼ିକର ମରାମତି କରିବା ବହୁତ ସହଜ ଅଟେ । ମହାକାଶର କଠିନ ପରିବେଶରେ କୌଣସି ଭାରି ମେସିନାରୀ ବିନା କେବଳ କ୍ଷତିଗ୍ରସ୍ତ ପ୍ୟାନେଲକୁ ବଦଳାଇ ଏହାକୁ ତୁରନ୍ତ ଠିକ୍ କରାଯାଇପାରିବ । ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ କହିବା ଅନୁଯାୟୀ, ଯଦି ଆମେ ଆଜିଠାରୁ ଏହି ନୂତନ ଚିନ୍ତାଧାରା ଓ ପ୍ରଯୁକ୍ତିବିଦ୍ୟା ଉପରେ କାମ ନକରିବା, ତେବେ ଆଗାମୀ 20 ବର୍ଷ ପରେ ପୃଥିବୀ ବାହାରେ ମାନବ ବସତି ସ୍ଥାପନ କରିବା ଅସମ୍ଭବ ହୋଇପଡ଼ିବ ।

