Ather Konarc: ମାତ୍ର 1 ଲକ୍ଷ ଟଙ୍କାରେ ଲଞ୍ଚ ହେଲା ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ମିଳିବ 10 ବର୍ଷର ୱାରେଣ୍ଟି !
Ather Energy ତାର ଚତୁର୍ଥ ବାର୍ଷିକ କମ୍ୟୁନିଟି ଡେ’ ଅବସରରେ 1 ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ସହ ନୂଆ ଇଲେକ୍ଟ୍ରିକ୍ ସ୍କୁଟର Ather Konarc ଲଞ୍ଚ କରିଛି।

Published : August 31, 2026 at 2:56 PM IST
ହାଇଦ୍ରାବାଦ: ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ Ather Energy ଭାରତୀୟ ବଜାରରେ ଏକ ବଡ଼ ଧମାକା କରିଛି । କମ୍ପାନୀ ତାର ଚତୁର୍ଥ ବାର୍ଷିକ କମ୍ୟୁନିଟି ଡେ (Community Day) ଅବସରରେ ଏକାଧିକ ବଡ଼ ଘୋଷଣା କରିବା ସହ ନିଜର ନୂଆ ଇଲେକ୍ଟ୍ରିକ୍ ସ୍କୁଟର Ather Konarc ବଜାରକୁ ଆଣିଛି । ଏହି ନୂଆ ସ୍କୁଟରର ପ୍ରାରମ୍ଭିକ ଦାମ୍ 1 ଲକ୍ଷ ଟଙ୍କା ରଖାଯାଇଛି । କେବଳ ନୂଆ ସ୍କୁଟର ନୁହେଁ, ଏହି ବିଶେଷ କାର୍ଯ୍ୟକ୍ରମରେ କମ୍ପାନୀ ପକ୍ଷରୁ ନୂଆ ବ୍ୟାଟେରୀ ପ୍ଲାଟଫର୍ମ, ଆପାର୍ଟମେଣ୍ଟ କମ୍ପଲେକ୍ସ ପାଇଁ ସ୍ମାର୍ଟ ଚାର୍ଜିଂ ସଲ୍ୟୁସନ ଏବଂ ପୁରୁଣା ଇଭି (EV) ଗୁଡ଼ିକର ସ୍ୱାସ୍ଥ୍ୟ ତଥା ପୁନଃବିକ୍ରି ମୂଲ୍ୟ (Resell Value) ଜାଣିବା ପାଇଁ ଏକ ନୂଆ ଟୁଲ୍ ମଧ୍ୟ ଘୋଷଣା କରାଯାଇଛି ।
କମ୍ପାନୀର ଦାବି ଅନୁଯାୟୀ, ଭାରତୀୟ ଇଭି ବଜାରରେ ଏବେ ମଧ୍ୟ ରହିଥିବା କେତେକ ବଡ଼ ସମସ୍ୟାର ସମାଧାନ କରିବା ଏହି ସମସ୍ତ ଘୋଷଣାର ମୂଳ ଲକ୍ଷ୍ୟ ଅଟେ । ଏହି ସମସ୍ୟାଗୁଡ଼ିକ ମଧ୍ୟରେ ଗାଡ଼ିର ରାଇଡିଂ ରେଞ୍ଜ, ବ୍ୟାଟେରୀର ସ୍ଥାୟୀତ୍ୱ, ଘରେ ଚାର୍ଜିଂ କରିବାର ସୁବିଧା ଏବଂ ଗାଡ଼ିର ରିସେଲ୍ ଭାଲ୍ୟୁ ଆଦି ସାମିଲ ରହିଛି ।
The #AtherCommunityDay26 livestream just wrapped.
— Ather Energy (@atherenergy) August 29, 2026
If you couldn't join us, here’s a breakdown of everything we announced today 🧵👇 pic.twitter.com/dCG7CYXtxB
ଚଳିତ ବର୍ଷର କମ୍ୟୁନିଟି ଡେ’ କାର୍ଯ୍ୟକ୍ରମରେ ସବୁଠାରୁ ବଡ଼ ଆକର୍ଷଣ ସାଜିଥିଲା ଆଥରର ନୂଆ ସ୍କୁଟର Konarc । ଏହା କମ୍ପାନୀର ସମ୍ପୂର୍ଣ୍ଣ ନୂଆ EL platform ଉପରେ ଆଧାରିତ ପ୍ରଥମ ମଡେଲ ଅଟେ । ଆଥରର ପରଫରମାନ୍ସ କେନ୍ଦ୍ରିକ 450 ସିରିଜ୍ ତୁଳନାରେ ଏହି ନୂଆ Konarc ସ୍କୁଟରକୁ ମୁଖ୍ୟତଃ ଗ୍ରାହକଙ୍କ ଦୈନନ୍ଦିନ ବ୍ୟବହାରକୁ ମନରେ ରଖି ପ୍ରସ୍ତୁତ କରାଯାଇଛି । ଏହି ସ୍କୁଟରରେ ଚାଳକଙ୍କ ଆରାମଦାୟକ ଯାତ୍ରା, ସ୍ଥିରତା, ବ୍ୟାବହାରିକ ସୁବିଧା ଏବଂ ସହଜ ମାଲିକାନା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
Ather Konarc ସ୍କୁଟରରେ ଗ୍ରାହକଙ୍କୁ ଅନେକ ନୂତନ ଏବଂ ଆଧୁନିକ ଫିଚର୍ସ ଦେଖିବାକୁ ମିଳିବ । ଏଥିରେ ଆଡଭାନ୍ସଡ୍ ଇଲେକ୍ଟ୍ରୋନିକ୍ ବ୍ରେକିଂ ସିଷ୍ଟମ (AeBS), ମ୍ୟାଜିକ୍ କି ଫଙ୍କସନାଲିଟି, ଅଟୋପପ୍ ଏବଂ ଏୟାରୱାକ୍ ମୋଡ୍ ଭଳି ଆକର୍ଷଣୀୟ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏହା ବ୍ୟତୀତ ଏହି ସ୍କୁଟରରେ ଅନବୋର୍ଡ ଏବଂ କମ୍ବାଇଣ୍ଡ ଚାର୍ଜିଂ ସଲ୍ୟୁସନ ମାଧ୍ୟମରେ ଦ୍ରୁତ ଗତିରେ ଚାର୍ଜିଂ କରିବାର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି ।
ନୂଆ କୋନାର୍କ ସ୍କୁଟର ସହିତ ଆଥର ଏନର୍ଜି ତାର ନୂଆ Fifth ଜେନେରେସନ୍ ବେଡରକ୍ ବ୍ୟାଟେରୀ ପ୍ଲାଟଫର୍ମ ବିଷୟରେ ମଧ୍ୟ ଔପଚାରିକ ଘୋଷଣା କରିଛି । ଏହି ନୂଆ ବ୍ୟାଟେରୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି ହେଉଛି ବ୍ରିଚସେନ୍ସ । କମ୍ପାନୀର କହିବା ଅନୁଯାୟୀ, ଯଦି ଗାଡ଼ିଟି କୌଣସି ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୁଏ, ତେବେ ବ୍ୟାଟେରୀ ଭିତରେ ସୃଷ୍ଟି ହୋଇଥିବା ଅତି କ୍ଷୁଦ୍ର ବା ମାଇକ୍ରୋସ୍କୋପିକ୍ କ୍ଷତିକୁ ମଧ୍ୟ ଏହି ଟେକ୍ନୋଲୋଜି ସହଜରେ ଚିହ୍ନଟ କରିପାରିବ ।
ଏହା ସହିତ ବ୍ୟାଟେରୀ ଭିତରକୁ ଆର୍ଦ୍ରତା ବା ପାଣି ପଶିବାର ସମ୍ଭାବନାକୁ ମଧ୍ୟ ଏହା ଆଗୁଆ ଚିହ୍ନଟ କରିବାରେ ସକ୍ଷମ ଅଟେ । ବ୍ୟାଟେରୀର କୌଣସି ସମସ୍ୟା ବଡ଼ ଆକାର ଧାରଣ କରିବା ପୂର୍ବରୁ ରାଇଡରଙ୍କୁ ସତର୍କ କରାଇବା ଲକ୍ଷ୍ୟରେ ଏହି ବିଶେଷ ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରାଯାଇଛି ।
ଦୀର୍ଘ ସ୍ଥାୟୀତ୍ୱ ଏବଂ 10 ବର୍ଷର ମେଗା ୱାରେଣ୍ଟି:
ଏହି ନୂଆ ବ୍ୟାଟେରୀରେ ଏକ ଉନ୍ନତ ସେଲ୍ ବାଲାନ୍ସିଂ ଟେକ୍ନୋଲୋଜି ମଧ୍ୟ ଦିଆଯାଇଛି । ଆଥର ଦାବି କରିଛି ଯେ, ଏହା ଦ୍ୱାରା ବ୍ୟାଟେରୀର ଲାଇଫ୍ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ । କମ୍ପାନୀର ଆକଳନ ଅନୁଯାୟୀ, ଏହି ନୂଆ ବ୍ୟାଟେରୀ ପ୍ରାୟ 1 ଲକ୍ଷରୁ 1.2 ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଚାଲିବା ପରେ ମଧ୍ୟ 70 ପ୍ରତିଶତ ଷ୍ଟେଟ୍ ଅଫ୍ ହେଲ୍ଥ ବଜାୟ ରଖିପାରିବ । ଗ୍ରାହକଙ୍କ ସୁରକ୍ଷା ଓ ବିଶ୍ୱାସକୁ ଦ୍ୱିଗୁଣିତ କରିବା ପାଇଁ ଆଥର ଏହି ବ୍ୟାଟେରୀ ସହିତ ପୂରା 10 ବର୍ଷ କିମ୍ବା 1 ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ୱାରେଣ୍ଟି ପ୍ରଦାନ କରୁଛି । ଏହି ଦୁଇଟି ସର୍ତ୍ତ ମଧ୍ୟରୁ ଯେଉଁଟି ପ୍ରଥମେ ପୂରଣ ହେବ, ତାହା ହିଁ ଲାଗୁ କରାଯିବ ।

