ETV Bharat / technology

ଆପଲ୍ କଲା ବଡ଼ ଘୋଷଣା: ସେପ୍ଟେମ୍ବର 9ରେ ଲଞ୍ଚ୍ ହେବ iPhone 18 Pro ଏବଂ ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍!

ଆପଲ୍ ସେପ୍ଟେମ୍ବର 9, 2026ରେ ନିଜର ବାର୍ଷିକ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି, ଯେଉଁଥିରେ iPhone 18 ପ୍ରୋ ସିରିଜ୍ ଏବଂ କମ୍ପାନୀର ପ୍ରଥମ ଫୋଲ୍ଡେବଲ୍ ଫୋନ୍ ଲଞ୍ଚ୍ ହୋଇପାରେ ।

Etv Bharat
Etv Bharat (Image Credits: ETV Bharat via Apple)
author img

By ETV Bharat Tech Team

Published : August 27, 2026 at 5:02 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଆପଲ୍ ନିଜର ପରବର୍ତ୍ତୀ ବଡ଼ ଆଇଫୋନ ଲଞ୍ଚ ଇଭେଣ୍ଟର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରିଦେଇଛି । କମ୍ପାନୀ 9 ସେପ୍ଟମ୍ବର 2026ରେ ଏହି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି, ଯେଉଁଥିରେ ନୂଆ ଆଇଫୋନ ସିରିଜ୍‌ ସହିତ କମ୍ପାନୀ ସବୁଠାରୁ ପ୍ରତୀକ୍ଷିତ ଫୋଲ୍ଡବଲ୍ ଆଇଫୋନ ମଧ୍ୟ ଉନ୍ମୋଚନ ହୋଇପାରେ । ଏହି ଇଭେଣ୍ଟ କାର୍ଲିଫର୍ଣ୍ଣିଆର କ୍ୟୁପର୍ଟିନୋସ୍ଥିତ ଆପଲ୍ ପାର୍କ ଷ୍ଟିଭ୍‌ ଜବ୍ସ ଥିଏଟରରେ ଅନୁଷ୍ଠିତ ହେବ । ଏହାର ଆରମ୍ଭ ପ୍ରଶାନ୍ତ ମହାସାଗର ସମୟ (PT) ସକାଳ 10ଟାରେ, ଅର୍ଥାତ ଭାରତୀୟ ସମୟ (IST) ରାତି 10:30ଟାରେ ହେବ । ଚଳିତ ବର୍ଷ ନିମନ୍ତ୍ରଣ ପତ୍ରରେ "Surprise and shine" ଟ୍ୟାଗଲାଇନ୍ ଦିଆଯାଇଛି, ଯାହା ନୂଆ ଫର୍ମ ଫ୍ୟାକ୍ଟର ବା ଫୋଲ୍ଡବଲ୍ ଆଇଫୋନକୁ ଦର୍ଶାଉଛି । ଏହି ଇଭେଣ୍ଟକୁ ଆପଲ୍‌ର ଅଫିସିଆଲ୍ ୱେବସାଇଟ୍, ଆପଲ୍ ଟିଭି ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମ୍ କରାଯିବ ।

ଏହି ଲଞ୍ଚ୍ ଇଭେଣ୍ଟର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ ଏହା ଆପଲ୍‌ର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜନ୍ ଟର୍ନସ୍‌ଙ୍କର ପ୍ରଥମ ପ୍ରମୁଖ କାର୍ଯ୍ୟକ୍ରମ ହେବ । ଟିମ୍ କୁକ୍‌ଙ୍କ ସ୍ଥାନରେ ସେ 1 ସେପ୍ଟେମ୍ବର 2026ରୁ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଟିମ୍ କୁକ୍ ଏବେ ଏଗ୍‌ଜିକ୍ୟୁଟିଭ୍ ଚେୟାରମ୍ୟାନ୍ ପଦକୁ ଯିବେ । ଜନ୍ ଟର୍ନସ୍ ଦୀର୍ଘ ଦିନ ଧରି ଆପଲ୍‌ରେ ହାର୍ଡୱେର୍ ମୁଖ୍ୟ ଭାବରେ କାର୍ଯ୍ୟ କରିଆସୁଥିବାରୁ, ତାଙ୍କ ସିଇଓ ହେବା କମ୍ପାନୀର ଡିଭାଇସ୍ ବ୍ୟବସାୟ ଉପରେ ପୁନର୍ବାର ସର୍ବାଧିକ ଗୁରୁତ୍ୱ ଦେବାର ସଙ୍କେତ ଭାବରେ ଦେଖାଯାଉଛି ।

ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ଏବଂ iPhone 18 Pro:

ଚଳିତ ବର୍ଷ ଆପଲ୍ ନିଜର ଆଇଫୋନ୍ ଲଞ୍ଚ୍‌କୁ ଦୁଇଟି ଭାଗରେ ବିଭକ୍ତ କରିପାରେ । ଏହି ଇଭେଣ୍ଟରେ ପ୍ରିମିୟମ୍ ଡିଭାଇସ୍ ଯଥା iPhone 18 Pro, iPhone 18 Pro Max ଏବଂ ଏକ ସମ୍ପୂର୍ଣ୍ଣ ନୂଆ ଫୋଲ୍ଡେବଲ୍ ଫୋନ୍ ଆସିବାର ସମ୍ଭାବନା ରହିଛି । ଏହି ଫୋଲ୍ଡେବଲ୍ ଫୋନ୍‌କୁ iPhone Fold କିମ୍ବା iPhone Ultra ନାମ ଦିଆଯାଇପାରେ । ରିପୋର୍ଟ ଅନୁସାରେ, ଆପଲ୍ ଲିକ୍ୱିଡ୍ ମେଟାଲ୍ ହିଞ୍ଜ୍, ଇନ୍-ସେଲ୍ ଟଚ୍ ପ୍ୟାନେଲ୍ ଏବଂ ପ୍ରେସର୍-ଡିସପର୍ସିଂ ମେଟାଲ୍ ପ୍ଲେଟ୍ ବ୍ୟବହାର କରି ଫୋଲ୍ଡିଂ କ୍ରିଜ୍‌କୁ ପ୍ରାୟତଃ ସମ୍ପୂର୍ଣ୍ଣ ଶେଷ କରିଦେଇଛି । ଏହି ଫୋନ୍ 2nm ପ୍ରୋସେସ୍ ଯୁକ୍ତ A20 Pro ଚିପ୍ ଏବଂ ଆପଲ୍‌ର ନିଜସ୍ୱ C2 ମୋଡେମ୍ ଦ୍ୱାରା ପରିଚାଳିତ ହେବ, ଯାହା ପ୍ରୋ ମଡେଲ୍‌ରେ ମଧ୍ୟ ବ୍ୟବହୃତ ହେବ । ବର୍ତ୍ତମାନର iPhone 17 Pro ତୁଳନାରେ iPhone 18 Pro ମଡେଲ୍‌ଗୁଡ଼ିକରେ କିଛି ଛୋଟ ଅପଗ୍ରେଡ୍ ଦେଖିବାକୁ ମିଳିବ ।

ଫୋଲ୍ଡେବଲ୍ ଆଇଫୋନ୍‌ର ଚାହିଦାକୁ ନେଇ କମ୍ପାନୀ ବେଶ୍ ଆଶାବାଦୀ ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ 7 ରୁ 8 ମିଲିୟନ୍ ୟୁନିଟ୍ ଉତ୍ପାଦନ କରିବାକୁ ଯୋଜନା କରାଯାଇଥିବା ବେଳେ, ବର୍ତ୍ତମାନ କମ୍ପାନୀ ସପ୍ଲାୟର୍ସମାନଙ୍କୁ 2026ରେ ପ୍ରାୟ 10 ମିଲିୟନ୍ ୟୁନିଟ୍ ପ୍ରସ୍ତୁତ କରିବାକୁ କହିଛି । ତଥାପି, ସପ୍ଲାୟି ଚେନ୍‌ରେ ଥିବା ସମସ୍ୟା କାରଣରୁ ଆମେରିକା ବାହାରେ ଏହି ଫୋନ୍ ପହଞ୍ଚିବା ପାଇଁ କିଛି ମାସ ସମୟ ଲାଗିପାରେ ।

ଅନ୍ୟପକ୍ଷରେ, ସାଧାରଣ iPhone 18ର ଲଞ୍ଚ୍ ଆସନ୍ତା ବର୍ଷର ସ୍ପ୍ରିଙ୍ଗ୍ (ବସନ୍ତକାଳୀନ) ଇଭେଣ୍ଟକୁ ସ୍ଥାନାନ୍ତରିତ ହୋଇପାରେ, ଯେଉଁଥିରେ iPhone 18 ବେସ୍ ମଡେଲ୍ ସହିତ iPhone Air ଏବଂ ଏଣ୍ଟ୍ରି-ଲେଭଲ୍ iPhone 18e ଉନ୍ମୋଚିତ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:

ଭାରତରେ ଲଞ୍ଚ ହେଲା MG Hector Tomahawk EV; ରହିଛି ETV Bharat ଆପ୍ ସୁବିଧା, ଗାଡ଼ି ଭିତରେ ମିଳିବ ଦେଶ ଦୁନିଆର ଖବର

ଥରେ ଚାର୍ଜ କଲେ ଚାଲିବ 40 ଦିନ! 3,700mAh ବ୍ୟାଟେରୀ ସହ ଗ୍ଲୋବାଲ ମାର୍କେଟରେ ଲଞ୍ଚ ହେଲା Nokia 300 Charge