ଶିମିଳିପାଳରେ ଶୂନ ଡିଗ୍ରୀକୁ ଖସିଲା ତାପମାତ୍ରା, ଅସମ୍ଭାଳ ଶୀତରେ ଥରୁଛି ମୟୂରଭଞ୍ଜ
ଜାଡ଼ରେ ଥରୁଛି ମୟୂରଭଞ୍ଜ ଜିଲ୍ଲା । ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ (Zero Degree)ରେ ପହଞ୍ଚିଥିବା ନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି ।

Published : January 8, 2026 at 3:52 PM IST
|Updated : January 8, 2026 at 5:00 PM IST
Similipal zero Degree ରାଇରଙ୍ଗପୁର (ମୟୂରଭଞ୍ଜ): ଶୀତରେ ଥରୁଛି ସାରା ଓଡ଼ିଶା । ମୟୂରଭଞ୍ଜ ଶିମିଳିପାଳରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଗତ ଦୁଇ ଦିନ ଧରି ପାରଦ ତଳକୁ ଖସି ଶୂନ ଡିଗ୍ରୀ ହୋଇଥିବା, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି । ଜିଲ୍ଲାରେ ଦିନ ତମାମ ଉତ୍ତରା ପବନ ପ୍ରବାହିତ ହେଉଥିବାରୁ ହାଡ଼ଭଙ୍ଗା ଶୀତ ସାରା ଜିଲ୍ଲାରେ ଅନୁଭୂତ ହେଉଛି ।
ମୟୂରଭଞ୍ଜରେ ଶୂନ ଡିଗ୍ରୀ ତାପମାତ୍ରା :
ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। କୋହଲା ପାଗ ସହିତ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଶୀତର ପ୍ରଭାବ ପାଇଁ ଦିନରାତି ଲୋକେ ଶୀତବସ୍ତ୍ର ଘୋଡାଇ ରହୁଛନ୍ତି । ସନ୍ଧ୍ୟା ସମୟରେ ନିଆଁ ଜାଳି ଶୀତ କଷ୍ଟ ଲାଘବ କରୁଛନ୍ତି ଲୋକେ । ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ରୁ ୮ଡିଗ୍ରୀ ପାଖାପାଖି ରହୁଥିବା ବେଳେ ଶିମିଳିପାଳ ଉପରବାରହା କାମୁଡା ରେଞ୍ଜରେ ଆଜିର ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ (Zero Degree), ଚହଲାରେ ୨ ଡିଗ୍ରୀ ଏବଂ ଗୁଡୁଗୁଡିଆରେ ପାରଦ ୩ ଡିଗ୍ରୀକୁ ଖସି ଆସିଛି ।
କେଉଁଠି କେତେ ତାପମାତ୍ରା (ସର୍ବନିମ୍ନ) ?
- ଶିମିଳିପାଳ ଉପର ବରାହାକାମୁଡ଼ା- 00 ଡିଗ୍ରୀ
- ବରେହିପାଣି- ୫ ଡିଗ୍ରୀ
- ରାମତୀର୍ଥ- ୯ ଡିଗ୍ରୀ
- କିଆଝରୀ - ୧୧ ଡିଗ୍ରୀ
- ସାତକୋଶିଆ - ୧୦ ଡିଗ୍ରୀ
ଉପର ବରାହାକାମୁଡା, ଚହଲା ଓ ଗୁଡୁଗୁଡିଆରେ ସକାଳେ ଘାସ ଓ ଗଛପତ୍ରରେ ପଡିଥିବା କାକର ଆସ୍ତରଣ ତୁଷାରପାତର ଭ୍ରମ ସୃଷ୍ଟି କରିଛି । ଯାହା ପ୍ରକୃତିର ଏକ ଅପୂର୍ବ ସୌନ୍ଦର୍ଯ୍ୟ ଅଟେ । କିଛି ଦିନ ଧରି ପ୍ରବଳରୁ ଅତି ପ୍ରବଳ ଥଣ୍ଡାରେ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଶିମିଳିପାଳର ମନୋରମ ଦୃଶ୍ୟକୁ ଭରପୁର ଉପଭୋଗ କରୁଛନ୍ତି ପର୍ଯ୍ୟଟକ ।
ପରିବେଶବିତ ଲଳିତ ମହାନ୍ତ କହିଛନ୍ତି," ମୟୂରଭଞ୍ଜରେ ଶୀତ ଲହରୀ ଜାରି ରହିଥିବା ବେଳେ, ଜନଜୀବନ ଅସ୍ତବ୍ୟସ୍ତ ରହିଛି । ଦିନକୁ ଦିନ ଶୀତ ବଢୁଥିବା ବେଳେ ସନ୍ଧ୍ୟା ହେବା ମାତ୍ରେ ଲୋକେ ନିଆଁ ପୋଇଁ ହେଉଛନ୍ତି । "
ରାଇରଙ୍ଗପୁରରେ ତାପମାତ୍ରା 10ରୁ 11 ଡିଗ୍ରୀ ରହୁଛି । ସପ୍ତାହେ ପୂର୍ବରୁ 9 ଡିଗ୍ରୀ ଥିଲା । "ଶିମିଳିପାଳରେ ଶୂନ ଡିଗ୍ରୀ ତାପମାତ୍ରା ହୋଇଥିବା ସୂଚନା ମିଳିଛି" ବୋଲି କହିଛନ୍ତି ରାଇରଙ୍ଗପୁର ଡିଏଫଓ ସୁବ୍ରତ କୁମାର ପାତ୍ର।
ଏହାମଧ୍ୟ ପଢ଼ନ୍ତୁ....ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଓ ଝାରସୁଗୁଡ଼ା, ଆହୁରି 5 ଦିନ ଘନ କୁହୁ଼ଡ଼ିହାଡଭଙ୍ଗା ଶୀତରେ ଥରୁଛି ରାଜ୍ୟ, 18ଟି ସ୍ଥାନରେ 10 ଡିଗ୍ରୀ ତଳେ ପାରଦ, ଆହୁରି 3 ଦିନ ପ୍ରବଳ ଶୀତ |
ଇଟିଭି ଭାରତ, ରାଇରଙ୍ଗପୁର

