ୟୁଟ୍ୟୁବର ରାହୁଲ ହତ୍ୟା ଘଟଣାରେ ଆର୍ମି ଯବାନଙ୍କ ସମେତ ୩ ଗିରଫ; ଏସିପି ଖୋଲିଲେ ହତ୍ୟାର ରହସ୍ୟ
ରାହୁଲ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ କୌଣସି ପୂର୍ବଶତ୍ରୁତା ନ ଥିଲା। ହଠାତ୍ ଉତ୍ତେଜନାରୁ ଝଗଡା ପରେ ଦାଦା ଓ ତାଙ୍କ ଦୁଇ ପୁତୁରା କାଣ୍ଡ ଭିଆଇଥିଲେ ବୋଲି ଜୋନ-୫ ଏସିପି ସ୍ପଷ୍ଟ କରିଛନ୍ତି।


Published : March 1, 2026 at 6:39 PM IST
|Updated : March 1, 2026 at 6:53 PM IST
ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନି ଗାଁ ହାଇ ସ୍କୁଲ ପଡ଼ିଆରେ ୟୁଟ୍ୟୁବର ରାହୁଲ ରଞ୍ଜନ ମହାରଣାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ କମିଶନରେଟ୍ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଆର୍ମି ଯବାନ ଏବଂ ତାଙ୍କ ଦୁଇ ପୁତୁରା ରହିଛନ୍ତି। ମଞ୍ଚେଶ୍ୱର ଥାନା ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ମନପୁର ଗାଁର ସଂଗ୍ରାମ କେଶରୀ ବେହେରା ଓରଫ ସତୁରା (୩୭) ଏବଂ ତାଙ୍କ ଦୁଇ ପୁତୁରା ହେଲେ ସଂଗ୍ରାମ ବେହେରା ଓରଫ କୁନା (୨୪) ଓ ସମରେନ୍ଦ୍ର ବେହେରା ଓରଫ ମୁନା (୨୦)। ଅଭିଯୁକ୍ତମାନଙ୍କ ଠାରୁ ୨ଟି ବାଇକ, ୩ଟି ମୋବାଇଲ ଓ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରାଯାଇଛି । ଏହି ଘଟଣାରେ ମୃତ ରାହୁଲଙ୍କ ସାଙ୍ଗ ସଚିନ କୁମାର ନାୟକଙ୍କ ଏତଲା ଆଧାରରେ ପୋଲିସ ହତ୍ୟା ମାମଲା (ନଂ.୧୪୪/୨୦୨୬) ରୁଜୁ କରିଛି। ଏହି ଘଟଣାରେ କୌଣସି ପୂର୍ବ ଶତ୍ରୁତା ନ ଥିଲା। ବରଂ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଝଗଡା ବେଳେ ଅଭିଯୁକ୍ତମାନେ ଏହି କାଣ୍ଡ ଘଟାଇଥିଲେ ବୋଲି ଜୋନ-୫ ଏସିପି ବିଶ୍ୱରଞ୍ଜନ ସେନାପତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସାଙ୍ଗ ଶିବାଙ୍କୁ ଉଦ୍ଧାର କରିବାକୁ ଯାଇ ରାହୁଲ ଫସି ଯାଇଥିଲେ
ଏସିପି ସେନାପତିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଯବାନ ସଂଗ୍ରାମ ଜିଜିପି କଲୋନିରେ ଭଡ଼ାଘର ନେଇ ପରିବାର ସହ ରହୁଛନ୍ତି। ତାଙ୍କ ପାଖରେ କୁନା ରୁହେ। ତେବେ ସଂଗ୍ରାମ କିଛିଦିନ ହେବ ଛୁଟିରେ ଆସିଥିଲେ। ଏଥିପାଇଁ ମୁନା ମଧ୍ୟ ଆସିଥିଲେ। ଗତକାଲି (ଶୁକ୍ରବାର) ରାତିରେ ଜିଜିପି କଲୋନି ହାଇସ୍କୁଲ ପଡ଼ିଆରେ କିଛି ଦୂରତାରେ ଦୁଇ ଗୋଷ୍ଠୀ ବସିଥିଲେ। ରାତି ପ୍ରାୟ ୯ଟା ୩୦ ବେଳେ ହତ୍ୟାକାଣ୍ଡ ଘଟିଥିଲା। ଗିରଫ ୩ ଅଭିଯୁକ୍ତ ଏକାଠି ହୋଇ ବସିଥିବାବେଳେ ରାହୁଲଙ୍କ ଦଳରେ ୪ଜଣ ଥିଲେ। ରାହୁଲଙ୍କ ଦଳର ଶିବା ନାମକ ଯୁବକ ଫୋନରେ କଥା ହୋଇ ଅନ୍ୟ ଦଳ ପାଖକୁ ଚାଲି ଯାଇଥିଲେ। ଶିବା ଫୋନରେ କଥା ହେଉଥିବାବେଳେ ଆଶ୍ରାବ୍ୟ ଭାଷା ବ୍ୟବହାର କରୁଥିଲେ। ଅଭିଯୁକ୍ତ ଯବାନ ସଂଗ୍ରାମ ବିରୋଧ କରିଥିଲେ। ଏହାକୁ କେନ୍ଦ୍ର କରି ଶିବା ଓ ସଂଗ୍ରାମଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହି ସମୟରେ ଅଭିଯୁକ୍ତ ଦୁଇ ପୁତୁରା ଓ ଦାଦା ସଂଗ୍ରାମ ମିଶି ଶିବାଙ୍କୁ ମାଡ ମାରିଥିଲେ। ଏହି ସମୟରେ ଶିବାଙ୍କୁ ଉଦ୍ଧାର କରିବାକୁ କିଛିଦୂରରେ ବସିଥିବା ରାହୁଲ ସେଠାକୁ ଯିବାରୁ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏତିକିବେଳେ ରାହୁଲଙ୍କୁ ଦାଦା ସଂଗ୍ରାମ ଓ କୁନା ଧରିଥିବା ବେଳେ ମୁନା ଛାତିକୁ ଛୁରୀ ଭୁସିଦେଇଥିଲା। ମୁନା ତା ପାଖରେ ପୂର୍ବରୁ ଗୋଟିଏ ଫୋଲ୍ଡିଙ୍ଗ୍ ଛୁରୀ ରଖିଥିଲା। ଏଥିରେ କୌଣସି ପୂର୍ବଶତ୍ରୁତା ନ ଥିଲା ବୋଲି ଏସିପି ସ୍ପଷ୍ଟ କରିଛନ୍ତି। ତେବେ ଉଭୟ ଗୋଷ୍ଠୀ ସେଠାରେ ମଦ୍ୟପାନ କରୁଥିଲେ କି ନାହିଁ ତାହା ଜାଣିବାକୁ ତଦନ୍ତ ଚାଲିଥିବା ଏସିପି କହିଛନ୍ତି।

ଗାଡି ନମ୍ବରରୁ ଚିହ୍ନଟ, ମୋବାଇଲ ନମ୍ବରକୁ ଟ୍ରାକ୍ କରି ଧରିଲା ପୋଲିସ

ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ଶାଗ ତୋଳିବାକୁ ଯାଇଥିବା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ; ଅଭିଯୁକ୍ତ ଗିରଫ
ଏହା ମଧ୍ୟ ପଢନ୍ତୁ ରାଜଧାନୀରେ ଚାଞ୍ଚଲ୍ୟ: ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ହତ୍ୟା, ୩ ମାସ ତଳେ ହୋଇଥିଲା ବାହାଘର

