ଦିନ ଦ୍ବିପହରେ ଗୁଳି କରି ଯୁବକଙ୍କୁ ହତ୍ୟା; 2 ଦିନରେ 4 ଅଟକ, ଜଣାପଡିନି କାରଣ
ମୋ ଭାଇର କାହା ସହ ଶତ୍ରୁତା ନ ଥିଲା । କ୍ରିକେଟ ଭଲ ତ ସିଏ ଭଲ । ତାଙ୍କୁ କିଏ ଗୁଳି କଲା ଓ କାହିଁକି ଗୁଳି କଲା ଜାଣିପାରୁନୁ ।


Published : February 19, 2026 at 10:44 AM IST
|Updated : February 19, 2026 at 10:51 AM IST
କଟକ : ଦିନ ଦ୍ୱିପହରେ ଗୁଳି କରି ଯୁବକଙ୍କୁ ହତ୍ୟା କରିବାର ଦିନକ ପରେ ବି ଅନ୍ଧାରରେ ବାଡି ବୁଲଉଛି ପୋଲିସ । ଗତାକାଲି ଅର୍ଥାତ ବୁଧବାର ଦୁଇ ଜଣଙ୍କୁ ଅଟକ ରଖିଥିବାବେଳେ ଆଜି ପୁଣି ଦୁଇ ଜଣଙ୍କୁ ଅଟକ ରଖି ଜେରା କରା ୟାଉଛି । ହେଲେ ଏ ଯାଏ ହତ୍ୟାକାଣ଼୍ଡର କାରଣ ଜଣା ପଡିନାହିଁ । ଏହି ଘଟଣାକୁ ନେଇ କଟକ ସହରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏପଟେ ସୌମ୍ୟଙ୍କ ମୃତ୍ୟୁ ପରେ ଘରେ ଶୋକର ଛାଇ ଖେଳି ଯାଇଛି । ତାଙ୍କୁ କିଏ ଓ କାହିଁକି ମାରିଲା ସେମାନେ ବି ଜାଣି ପାରୁନାହାନ୍ତି । କାହାରି ସହିତ ତାଙ୍କର ଶତ୍ରୁତା ନ ଥିଲା । ତାଙ୍କୁ କିଏ ଗୁଳିକଲା ପୋଲିସ ସଠିକ ତଦନ୍ତ କରି ସାମ୍ନାକୁ ଆଣୁ ବୋଲି ପରିବାର ଲୋକେ ଦାବି କରିଛନ୍ତି ।
ବୁଧବାର ମଧ୍ୟାହ୍ନରେ କଟକ ପ୍ରେସ କଲୋନୀରେ ଘଟିଥିଲା ଗୁଳିକାଣ୍ଡ। ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ନୂଆପଡା ଅଂଚଳର ସୌମ୍ୟ ରଂଜନ ଜେନା ଓରଫ ରିଙ୍କୁ।ପୋଲିସ ସୂଚନା ଅନୁସାରେ, ମଧ୍ୟାହ୍ନ ପ୍ରାୟ ୨ଟାରେ ଏକ ଭୋଜି ଚାଲିଥିବା ବେଳେ ଗୁଳିକାଣ୍ଡ ଘଟିଥିଲା ।
କଣ ଥିଲା ଘଟଣା କ୍ରମ
ଉପସ୍ଥିତ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୌମ୍ୟଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲ ପରିସରରେ ସ୍ଥାନୀୟ ବାସୀନ୍ଦା ଓ ପରିବାର ଲୋକଙ୍କ ଭିଡ଼ ଜମିବାରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୋଲିସ ପ୍ରାଥମିକ ତଦନ୍ତ କରି ଗତକାଲି୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ଆଜି ଆଉ ଦୁଇଜଣଙ୍କୁ ଅଟକ ରଖିଛି ।
'କାହା ଶତ୍ରୁତା ନ ଥିଲା, କ୍ରିକେଟ ଭଲ ତ ଭାଇ ଭଲ'
କଟକ ନୁଆପଡା ପ୍ରେସ କଲୋନୀ ରିଙ୍କୁ ଓରଫ ସୌମ୍ୟ ରଂଜନ ଜେନାଙ୍କ ହତ୍ୟା ପରେ ମୁହଁ ଖୋଲିଛନ୍ତି ସାନଭାଇ ସ୍ମୃତି ରଞ୍ଜନ । ସେ କହିଛନ୍ତି, 'ମୋ ଭାଇର କାହା ସହ ଶତ୍ରୁତା ନ ଥିଲା । କ୍ରିକେଟ ଭଲ ତ ସିଏ ଭଲ । ତେଣୁ ତାଙ୍କୁ କିଏ ଗୁଳି କଲା ଓ କାହିଁକି ଗୁଳି କଲା ଆମେ ଜାଣି ପାରୁନୁ । '
ସେ ଆହୁରି କହିଛନ୍ତି, 'ଘର ପାଖର ହୁକୁ ବୋଲି ଜଣେ ପିଲା ଫୋନ କରି ତାଙ୍କୁ ଭାଇଙ୍କର ଦୁର୍ଘଟଣା ଘଟିଥିବା କହିଲେ । ଏହାପରେ ମୁଁ ବଡ଼ଭାଇ ରିଙ୍କୁ ଫୋନକୁ ଫୋନ କରିଥିଲି । ହୁକୁ ଭାଇର ଫୋନ ଉଠାଇଲା। ମୁଁ ମେଡିକାଲ ରେ ପହଁଚି ଦେଖିଲି ଗୁଳିମାଡ ହୋଇଛି। ଏହାପରେ ପୋଲିସ ସାମ୍ନାରେ ହୁକୁ କହିଲା ଯେ ରିଙ୍କୁ ଭାଇ ମୋତେ କହିଲେ ଗୁଳିମାଡ ହେଇଛି, ମୋତେ ମେଡିକାଲ ନେଇଯାଅ ମୁଁ ସବୁକଥା କହିବି । ତେବେ ପ୍ରଶ୍ନ ଉଠୁଛି, ହୁକୁ ପ୍ରଥମେ ଦୁର୍ଘଟଣା ହୋଇଥିବା କହିଲେ । ପରେ ଗୁଳିମାଡ ବୋଲି କେମିତି କହିଲେ ? ପୋଲିସକୁ ଅନୁରୋଧ, ସଠିକ ତଦନ୍ତ କରନ୍ତୁ, ମୋର ସମସ୍ତ ଘଟଣା ଉପରେ ସନ୍ଦେହ ରହୁଛି ।'
ତେବେ ସୌମ୍ୟଙ୍କୁ କିଏ ଓ କାହିଁକି ମାରିଲା ତାର ଉତ୍ତର କାହା ପାଖରେ ନାହିଁ । ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ସୌମ୍ୟଙ୍କର କାହା ସହ ଶତ୍ରୁତା ନଥିଲା। ସେ ଜଣେ କ୍ରିକେଟ ଖେଳାଳି। ତଦନ୍ତ ପରେ ସମସ୍ତ କଥା ସ୍ପଷ୍ଟ ହେବ। ଭୋଜି କଳହ ନା କ୍ରିକେଟ ଖେଳକୁ ନେଇ ବିବାଦରୁ ଏହି ହତ୍ୟା ଘଟିଛି ସେ ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ବୋଲି ଏସିପି ଅଶୋକ ଗିରି କହିଛନ୍ତି ।
ଇଟିଭି ଭାରତ, କଟକ
ଏହା ମଧ୍ୟ ପଢନ୍ତୁ Explainer: 7 ମାସ ହେଲା ଅବଧି ସରିଲାଣି, ଲାଇସେନ୍ସପ୍ରାପ୍ତ ବନ୍ଧୁକର ନବୀକରଣ ହେଲାନି: ଚିିିିନ୍ତା ବଢାଉଛି ୧୭୫ ବନ୍ଧୁକ
ଏହା ମଧ୍ୟ ପଢନ୍ତୁ ଗଣେଶ ପୂଜା ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା, ଘରେ ଫୁଟିଲା 6 ରାଉଣ୍ଡ ଗୁଳି

