ETV Bharat / state

୭ଦିନ ହେଲା ଯୁବକ ନିଖୋଜ, ଏପଟେ ମରଣାନ୍ତକ ଆକ୍ରମଣର ଭିଡିଓ ହେଉଛି ଭାଇରାଲ୍; ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ କଲେ ଗ୍ରାମବାସୀ

ଅପହରଣ ଘଟଣାକୁ ୬ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍ ପକ୍ଷରୁ କୌଣସି ପଦକ୍ଷେପ ନ ନିଆ ଯିବାରୁ ପରିବାର ତଥା ଗ୍ରାମବାସୀଙ୍କ ପକ୍ଷରୁ ରବିବାର ସନ୍ଧ୍ୟାରେ ଆଳି ଥାନା ଘେରାଉ କରାଯାଇଛି ।

Youth missing for 7 days in kendrapara video of deadly attack goes viral
୭ଦିନ ହେଲା ଯୁବକ ନିଖୋଜ, ଏପଟେ ମରଣାନ୍ତକ ଆକ୍ରମଣର ଭିଡିଓ ହେଉଛି ଭାଇରାଲ୍ (Etv Bharat)
author img

By ETV Bharat Odisha Team

Published : June 2, 2026 at 2:35 PM IST

3 Min Read
Choose ETV Bharat

କେନ୍ଦ୍ରାପଡ଼ା: ଆଳି ଥାନା ଅନ୍ତର୍ଗତ ବାଟିପଡ଼ା ପଞ୍ଚାୟତ ଅଧୀନ ମହାଦେଈପାଟଣା ଗ୍ରାମରେ ଗାଡିର କାଚ ଭାଙ୍ଗିବା ଘଟଣାକୁ କେନ୍ଦ୍ର କରି ଏକ ବର୍ବରୋଚିତ କାଣ୍ଡ ଘଟିଯାଇଛି । ବାଟିପଡ଼ା ପଞ୍ଚାୟତର କିଛି ବ୍ୟକ୍ତି ଗ୍ରାମର ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅପହରଣ କରି କେଉଁଆଡେ ନେଇ ଯାଇଛନ୍ତି । ଏ ନେଇ ସମ୍ପୃକ୍ତ ଯୁବକଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଅଭିଯୋଗ ହୋଇଛି । ଅପହରଣ ଘଟଣାକୁ ୬ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍ ପକ୍ଷରୁ କୌଣସି ପଦକ୍ଷେପ ନ ନିଆ ଯିବାରୁ ପରିବାର ତଥା ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ସନ୍ଧ୍ୟାରେ ଆଳି ଥାନା ଘେରାଉ କରାଯାଇଛି ।

ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ କେଉଁଆଡେ ନେଇଗଲେ

୭ଦିନ ହେଲା ଯୁବକ ନିଖୋଜ, ଏପଟେ ମରଣାନ୍ତକ ଆକ୍ରମଣର ଭିଡିଓ ହେଉଛି ଭାଇରାଲ୍ (Etv Bharat)

ଆଳି ଥାନା ମହାଦେଈପାଟଣା ଗ୍ରାମର ଅରୁଣ ସେଠି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ବୁଧବାର ସକାଳେ ଗ୍ରାମର ପ୍ରକାଶ ପାଣ୍ଡବ ତାଙ୍କୁ ଫୋନ ଯୋଗେ ଜଣାଇଥିଲେ ଯେ, ତାଙ୍କ ପୁଅ ଗୌରାଙ୍ଗ କିଛି ପିଲାଙ୍କ ସହ ମିଶି ପ୍ରକାଶଙ୍କ ଗାଡି କାଚ ଭାଙ୍ଗି ଦେଇଛନ୍ତି । ଏକଥା ଶୁଣିବା ପରେ ଅରୁଣ ସ୍ଥାନୀୟ ଗ୍ରାମକୁ କାମ କରିବାକୁ ଆସିଛନ୍ତି, ସନ୍ଧ୍ୟାରେ ଗଲେ ବୁଝାମଣା କରିବେ ବୋଲି ତାଙ୍କୁ କହିଥିଲେ । କିନ୍ତୁ ପ୍ରକାଶ ତାଙ୍କର କୌଣସି କଥା ଶୁଣି ନ ଥିଲେ । ମେ' ୨୮ ତାରିଖ ବୁଧବାର ଦିନ ତାଙ୍କ ପୁଅ ଗୌରାଙ୍ଗ ସହିରା ଗାଁକୁ କାମ କରିବାକୁ ଯାଇଥିଲା । କାମ ସାରି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଇ ଫେରୁଥିବା ସମୟରେ ପ୍ରକାଶ ପାଣ୍ଡବ, ତାପସ ପାଣ୍ଡବ, ତପନ କବି, ମନୋଜ ସାହୁ, ପ୍ରତାପ ମହାକୁଡ଼ ଓ ଲିପୁ ମହାକୁଡ଼ ପ୍ରମୁଖ ପହଞ୍ଚି ଗୌରାଙ୍ଗକୁ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ସହ ତାଙ୍କୁ ଅପହରଣ କରି କେଉଁଆଡେ ନେଇଯାଇଥିବା ଅରୁଣ ଅଭିଯୋଗରେ ଦର୍ଶାଇଛନ୍ତି।

Youth missing for 7 days in kendrapara video of deadly attack goes viral
୭ଦିନ ହେଲା ନିଖୋଜ ଯୁବକ ଗୌରାଙ୍ଗ (Etv Bharat)

ଏ ଘଟଣା ସାରା ଆଳି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗୌରାଙ୍ଗଙ୍କ ନିଖୋଜ ପରେ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଛି। ତେବେ ଏ ନେଇ ଆଳି ଥାନା ଭାରପ୍ରାପ୍ତ ଅଧିକାରୀ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନଙ୍କୁ ପଚାରିବାରୁ ସେ କହିଛନ୍ତି, ସେ ଉଭୟ ପକ୍ଷରୁ ଏତଲା ପାଇ ଘଟଣାର ତଦନ୍ତ ଚଳାଇବା ସହ ଉକ୍ତ ଗ୍ରାମରେ ଉତ୍ତେଜନାକୁ ଆଖି ଆଗରେ ରଖି ଏକ ଟିମ ପଠାଇ ନଜର ରଖିଥିବା ସୂଚନା ଦେଇଛନ୍ତି l

ଗୌରାଙ୍ଗ ମୃତ ନା ଜୀବିତ ଦ୍ୱନ୍ଦ୍ୱରେ ପରିବାର ଲୋକେ

Youth missing for 7 days in kendrapara video of deadly attack goes viral
୭ଦିନ ହେଲା ଯୁବକ ନିଖୋଜ, ଏପଟେ ମରଣାନ୍ତକ ଆକ୍ରମଣର ଭିଡିଓ ହେଉଛି ଭାଇରାଲ୍ (Etv Bharat)

ଅନ୍ୟପଟେ ଘଟଣାକୁ ତିନିଦିନ ବିତି ଯାଇଥିବାବେଳେ ଗୌରାଙ୍ଗଙ୍କର କୌଣସି ଖୋଜ ଖବର ମିଳୁନି । ବର୍ବରୋଚିତ ମାଡ଼ର ଭିଡିଓ ଭାଇରାଲ ହେବା ପରେ ଗୌରାଙ୍ଗ ମୃତ ନା ଜୀବିତ ସେ ନେଇ ଦ୍ୱନ୍ଦ୍ୱରେ ଥିବା କହିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ ତଥା ନିଖୋଜ ଗୌରାଙ୍ଗଙ୍କ ଦାଦା ଗୋପୀନାଥ ସେଠୀ । ସେ କହିଛନ୍ତି, 'ମୁଁ ପ୍ରତିଦିନ ଅପରାହ୍ନରେ ଗାଁ ଛକକୁ ଚା ପିଇବାକୁ ଯାଏ। ବୁଧବାର ଦିନ ଅପରାହ୍ନ ସମୟରେ ଗଲା ବେଳକୁ ସରପଞ୍ଚଙ୍କ ଉପସ୍ଥିତିରେ ପୁତୁରା ଗୌରାଙ୍ଗକୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ଓ ସେ ପାଣି ପାଇଁ ଚିତ୍କାର କରୁଛି । ମୁଁ ସରପଞ୍ଚଙ୍କୁ ପଚାରିବାରୁ ସେ ମୋତେ ଧମକ ଦେଇ ସେ ସ୍ଥାନ ଛାଡ଼ି ଚାଲି ଯିବାକୁ କହିଥିଲେ । ନ ଗଲେ ମୋତେ ମଧ୍ୟ ମାରି ଦିଆଯିବ ବୋଲି ଧମକ ଦେଇଥିଲେ । ତଥାପି ମୁଁ ସମ୍ଭାଳି ନପାରି ଘରକୁ ଆସି ମୋ ଭାଇ ଓ ପରିବାର ଲୋକଙ୍କୁ କହି ପାଣି ନେଇ ଯିବା ବେଳକୁ ଗାଡ଼ି ପାଖରେ ସେ ନଥିଲା। ଆମେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇ ନ ଥିଲୁ' ବୋଲି ଦାଦା ଗୋପୀନାଥ କହିଛନ୍ତି ।

ଆଳି ଥାନା ଘେରାଉ କଲେ ଗ୍ରାମବାସୀ

Youth missing for 7 days in kendrapara video of deadly attack goes viral
୭ଦିନ ହେଲା ଯୁବକ ନିଖୋଜ, ଏପଟେ ମରଣାନ୍ତକ ଆକ୍ରମଣର ଭିଡିଓ ହେଉଛି ଭାଇରାଲ୍ (Etv Bharat)

ପୋଲିସର ନିଷ୍କ୍ରିୟତା ଓ ଗୌରାଙ୍ଗଙ୍କୁ ଖୋଜି ପାଇବାରେ ବିଫଳତାକୁ ଦାୟୀ କରି ଗାଁ ଲୋକେ ସୋମବାର ସନ୍ଧ୍ୟାରେ ଆଳି ଥାନା ଘେରାଉ କରିଥିଲେ। ଏନେଇ ପ୍ରତିକ୍ରିୟା ରଖି ଗୌରାଙ୍ଗଙ୍କ ବାପା ରାକେଶ ସେଠୀ କୁହନ୍ତି, 'ଆଜିକୁ ୬ ଦିନ ହେବ ପୁଅ ନିଖୋଜ ନେଇ ଏତଲା ଦେଇଥିଲେ ମଧ୍ୟ ପୋଲିସ୍ କିଛି ଶୁଣିଲା ନାହିଁ । ତେଣୁ ବାଧ୍ୟହୋଇ ଆମେ ଥାନା ଘେରାଉ କଲୁ। ପୁଅକୁ ଯେଉଁଭଳି ନିସ୍ତୁକ ମାଡ଼ ମାରିଛନ୍ତି, ପୁଅ ଜୀବିତ ନା ମୃତ କିଛି ଜାଣି ହେଉନାହିଁ। ଆମେ ବିଭିନ୍ନ ମେଡ଼ିକାଲ୍ ଆଉ ଥାନା ଖୋଜି ସାରିଲୁଣି । ହେଲେ ପୁଅର କୌଣସି ଖୋଜ ଖବର ପାଉନାହୁଁ। ମାଡ଼ ମାରିବା ଓ ହାତଗୋଡ ବାନ୍ଧିକି ପକାଇବାର ଯେଉଁଭଳି ଭିଡିଓ ଆମେ ଦେଖୁଛୁ, ସେଥିରୁ ପୁଅ ଆଉ ଥିବ ବୋଲି ଆମର ଆଶା ନାହିଁ' ବୋଲି କାନ୍ଦି କାନ୍ଦି ବାପା ରାକେଶ କହିଛନ୍ତି।

Youth missing for 7 days in kendrapara video of deadly attack goes viral
୭ଦିନ ହେଲା ଯୁବକ ନିଖୋଜ, ଏପଟେ ମରଣାନ୍ତକ ଆକ୍ରମଣର ଭିଡିଓ ହେଉଛି ଭାଇରାଲ୍ (Etv Bharat)

ଥାନା ଘେରାଉ ପରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଆରକ୍ଷୀ ନିରୀକ୍ଷକ ସୁକାନ୍ତ ପାତ୍ର ଆନ୍ଦୋଳନକାରୀ ମାନଙ୍କୁ ବୁଝାଶୁଝା କରିଛନ୍ତି । ସେ କହିଛନ୍ତି, 'ଘଟଣା ସମ୍ପର୍କରେ ଦୁଇଟି ଏତଲା ହୋଇଛି । ପୋଲିସ୍ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ପୋଲିସ୍ ଟିମ୍ କରି ଘଟଣାର ରହସ୍ୟ ଉନ୍ମୋଚନ କରିବ ।'

ଇଟିଭି ଭାରତ,କେନ୍ଦ୍ରାପଡ଼ା

ଏହା ମଧ୍ୟ ପଢନ୍ତୁ ସୌମ୍ୟ ହତ୍ୟା ମାମଲାରେ ଆଜି ପରିବାରକୁ ଭେଟିବ NHRC ଟିମ୍, ପ୍ରଥମ ଦିନରେ ପୋଲିସ ଅଧିକାରୀଙ୍କୁ ପଚରାଉଚୁରା

ଏହା ମଧ୍ୟ ପଢନ୍ତୁ ବାରଙ୍ଗ ଥାନାରେ 'ଥାର୍ଡ ଡିଗ୍ରୀ'କୁ ଦୁର୍ଘଟଣା ରୂପ ଦେବାକୁ ଉଦ୍ୟମ ! ସାଙ୍ଘାତିକ ଅଭିଯୋଗ ଆଣିଲେ ରାକେଶଙ୍କ ବାପା