ରଖିଲେ ଅନନ୍ତ..ହାରିଲା ବଳବନ୍ତ; ହାତୀ ପାଦ ତଳେ ଚାଲିଥିଲା ମୃତ୍ୟୁ ସହ ଯୁଦ୍ଧ, ବର୍ତ୍ତିଗଲେ ଯୁବକ
କଥାରେ ଅଛି ଯାହାକୁ ରଖିବେ ଅନନ୍ତ...କି କରି ପାରେ ବଳବନ୍ତ । ଏହି ପ୍ରବାଦର ଜ୍ୱଳନ୍ତ ଦୃଶ୍ୟ ଦେଖିବାକୁ ମିଳିିଥିଲା ଗୋବିନ୍ଦପୁର ଗ୍ରାମ ନିକଟରେ ।

Published : March 18, 2026 at 3:57 PM IST
|Updated : March 18, 2026 at 7:30 PM IST
ରିପୋର୍ଟ-ଉର୍ମିଳା ପାତ୍ର
ଢେଙ୍କାନାଳ: ଆଖି ଖୋସି ହୋଇ ଯାଇଥିଲା । ହୃଦସ୍ପନ୍ଦନ ବନ୍ଦ ହୋଇଗଲା ପରି ଲାଗୁଥିଲା । ପାଦତଳୁ ମାଟି ଖସି ଯିବା ପରି ଅନୁଭୂତ ହେଉଥିଲା । ଘଟଣା ସେମିତି ହିଁ ଥିଲା । ହାତୀର ପାଦ ତଳେ ଥିଲା ଜୀବନ । ଭଗବାନଙ୍କ ଉପରୁ ବି ଭରସା ତୁଟି ଯାଇଥିଲା । ଆଉ କିଛି ଭାବିବାର ସୁଯୋଗ କାହା ପାଖରେ ନ ଥିଲା । ହେଲେ ଆଶ୍ଚର୍ଯ୍ୟ..ଆଖି ଖୋଲିଲା ବେଳକୁ ବଦଳି ଯାଇଥିଲା ଦୃଶ୍ୟପଟ୍ଟ । ଗୋଟିଏ ଦିଗକୁ ହାତୀ ହୌଡୁଥିଲା..ଆଉ ବୀପରିତ ଦିଗକୁ ମଣିଷ । ଏମିତି ଆଶ୍ଚର୍ଯ୍ୟ ତଥା ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଅଂଚଳରେ ।
କଥାରେ ଅଛି ଯାହାକୁ ରଖିବେ ଅନନ୍ତ...କି କରି ପାରେ ବଳବନ୍ତ । ଏହି ପ୍ରବାଦର ଜ୍ୱଳନ୍ତ ଦୃଶ୍ୟ ଦେଖିବାକୁ ମିଳିିଥିଲା ଗୋବିନ୍ଦପୁର ଗ୍ରାମ ନିକଟରେ । ମଙ୍ଗଳବାର ଗୋବିନ୍ଦପୁର ସ୍ପିନିଂ ମିଲ ନିକଟରେ ୪ଟି ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ହାତୀ ଦେଖିବାକୁ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । ସେହି ବାଟ ଦେଇ ବିଦ୍ୟାଧର ବେହେରା ନାମକ ଜଣେ ବ୍ୟକ୍ତି ବାଇକରେ ନିଜ ଗ୍ରାମ ତାଳବରକୋଟକୁ ଫେରୁଥିଲେ । ହଠାତ ଗୋଟିଏ ହାତୀ ତାଙ୍କୁ ଗୋଡ଼ାଇଥିଲା ।
ବିଦ୍ୟାଧର କଣ କରିବେ ବୁଝି ପାରି ନ ଥିଲେ । ପ୍ରାଣ ବଞ୍ଚାଇବାକୁ ବାଇକକୁ ତଳେ ପକାଇ ଦୌଡ଼ିବାକୁ ଲାଗିଲେ । ହେଲେ ହାତୀ ବି ଛାଡି ନ ଥିଲା । ସବୁ ଚେଷ୍ଟା ସତ୍ତ୍ୱେ ଶେଷରେ ହାତୀ ହାବୁଡ଼ରେ ପ଼ଡି ଯାଇଥିଲେ ବିଦ୍ୟାଧର । ହାତୀ-ମଣିଷର ଏହି ଯୁଦ୍ଧକୁ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ରେକର୍ଡିଂ କରିଥିଲେ । ଏହି ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡିଓରେ ଦେଖିବାକୁ ମିିଳିଛି, ହାତୀ ତାଙ୍କୁ ତଳେ ପକାଇ ଉପରେ ଚଢି ଯାଉଛି । ଥରେ ନୁହେଁ, ଏକାଧିକ ବାର ତାଙ୍କ ଉପରକୁ କୁଦି ପଡୁଛି । ଗୋଟିଏ ମୁହୂର୍ତ୍ତରେ ତ ବିଦ୍ୟାଧରଙ୍କ ମୁଣ଼଼୍ଡ ହାତୀ ପାଦ ତଳେ ଥିବା ଦେଖିବାକୁ ମିଳିଥିଲା ।
ତେବେ କିଛି ଦୂରରେ ଥିବା ଲୋକେ ପାଟି କରିବାରୁ ହାତୀ ବିଦ୍ୟାଧରଙ୍କୁ ଛାଡି ପଳାଇଥିଲା । ଭଗବାନଙ୍କ ଦୟାରୁ ତାଙ୍କର କିଛି ହୋଇ ନ ଥିଲା । ମରଣ ମୁହଁଣରୁ ନିଜକୁ ବଞ୍ଚାଇ ସେଠାରୁ ସେ ଦୌଡି ପଳାଇ ଆସିଥିଲେ । ହେଲେ ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ସେ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି । ସେ ଯେ ବଂଚି ଯାଇଛନ୍ତି- ଏ କଥାକୁ ବିଶ୍ୱାସ କରିପାରୁନାହାନ୍ତି। ତେବେ ହାତୀ ତାଙ୍କୁ ବାରମ୍ବାର ଦଳି ଦେଇଥିବାରୁ ତାଙ୍କର ଗୋଟିଏ ଗୋଡ଼ ଜଖମ ହୋଇ ଯାଇଛି । ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏ ନେଇ ତଲବରକୋଟ ସମାଜସେବୀ ଦେବାଶିଷ ଜେନା କହିଛନ୍ତି, ଢେଙ୍କାନାଳ ଜିଲ୍ଲାରେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ l ପ୍ରାୟ ସମୟରେ ଲୋକମାନେ ରାତିରେ ଫେରୁଥିବା ସମୟରେ ହାତୀ ହାବୁଡ଼ରେ ପଡୁଛନ୍ତି l ହାତୀମାନେ ସବୁବେଳେ ରାତିରେ ଯାତାୟତ କରୁଛନ୍ତି l ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଅଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି l ଏ ଘଟଣା ସମ୍ପର୍କରେ ଡି ଏଫଓ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତିl
କୂଅରେ ପଡିଗଲା ଦନ୍ତା, ନାକେଦମ୍ ହେଲେ ବନ କର୍ମଚାରୀ - ELEPHANT RESCUED FROM WELL
ଏହା ମଧ୍ୟ ପଢନ୍ତୁ ପରିବା ବାଡିରେ ବୃଦ୍ଧଙ୍କ ଜୀବନ ନେଲା ହାତୀ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

