ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍'ରେ ଓଡ଼ିଶା: 'ଜଙ୍ଗଲରାଣୀ ପ୍ରମିଳା ପ୍ରଧାନଙ୍କଠାରୁ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରି'
2025ରେ ପିଏମ୍ 'ମନ କି ବାତ' କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲେ ଓଡ଼ିଶାର ଏକାଧିକ ସଫଳ ବ୍ୟକ୍ତିତ୍ବ । ସେମାନଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବଂ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Published : December 29, 2025 at 1:24 PM IST
Odisha in PM Mann Ki Baat: ହର୍ଷବର୍ଦ୍ଧନଙ୍କଠାରୁ ନେଇ ରଶ୍ମିତା...ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କଠାରୁ ଜଙ୍ଗଲ ରାଣୀ ପ୍ରମିଳାଙ୍କ କଥା... 'ମନ କି ବାତ'ରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି । ମୟୂରଭଞ୍ଜର ଜିଲ୍ଲା ଆଦିବାସୀ ମହିଳାଙ୍କ ସାନ୍ତାଳୀ ଶାଢ଼ି ହେଉ କି କୋରାପୁଟ କଫିର ଚତ୍ମକାର ସ୍ବାଦ ସଂପର୍କରେ ... 2025ରେ 'ମନ କି ବାତ'ର ବିଭିନ୍ନ ଏପିସୋଡରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଉପରେ ଅଭିଭାଷଣ ରଖିଛନ୍ତି । ଏବର୍ଷ କେଉଁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଓଡ଼ିଶାର ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି, ସେନେଇ ଇଟିଭି ଭାରତର YearEnder 2025ରେ 'ମନ୍ କି ବାତ୍ ରେ ଓ଼ଡ଼ିଶା' ...
ବ୍ରହ୍ମପୁରର ହର୍ଷବର୍ଦ୍ଧନ ସାହୁଙ୍କୁ ପ୍ରଶଂସା:
ମେ' 25 ତାରିଖ 2025ରେ 'ମନ୍ କି ବାତ'ର 122 ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ପୁଅ ତଥା ବ୍ରହ୍ମପୁରର ହର୍ଷବର୍ଦ୍ଧନ ସାହୁଙ୍କୁ ପ୍ରଶଂସା କରିଥିଲେ । ବିହାରରେ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଭାରୋତ୍ତୋଳନ କ୍ରୀଡାରେ 49 କେଜି ବର୍ଗରେ ହର୍ଷବର୍ଦ୍ଧନ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । 195 କିଲୋଗ୍ରାମ ଉଠାଇ ଏକ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ହର୍ଷବର୍ଦ୍ଧନ । ହର୍ଷବର୍ଦ୍ଧନଙ୍କ ଉଲ୍ଲେଖନୀୟ ସଫଳତାକୁ ପ୍ରଧନମନ୍ତ୍ରୀ 'ମନ୍ କି ବାତ'ରେ ପ୍ରଶଂସା କରିଥିଲେ । ସେପଟେ ବ୍ରହ୍ମପୁରର ଏହି ଯୁବ ଭାରୋତ୍ତୋଳକ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକୃତି ପାଇଁ ତାଙ୍କର ଖୁସି ଏବଂ କୃତଜ୍ଞତା ଜଣାଇଥିଲେ ।

124ତମ ଏପିସୋଡ ଦୁଇଟି ପ୍ରେରଣାଦାୟକ ପ୍ରୟାସକୁ ପ୍ରଶଂସା:
27 ଜୁଲାଇ 2025ରେ 'ମନ କି ବାତ'ର 124ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଦୁଇଟି ପ୍ରେରଣାଦାୟକ ପ୍ରୟାସକୁ ପ୍ରଶଂସା କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳା ସାନ୍ତାଳୀ ଶାଢୀର ପ୍ରଶଂସା କରିବା ସହ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଶାଢ଼ୀ ପୁଣିଥରେ ଲୋକଙ୍କ ଦୃଷ୍ଟିକୁ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ଏହି ମହିଳାମାନଙ୍କ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ସୋମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, "ମୟୂରଭଞ୍ଜ ଜିଲ୍ଲାର 650ରୁ ଅଧିକ ଆଦିବାସୀ ମହିଳା ପାରମ୍ପରିକ ସାନ୍ତାଳୀ ଶାଢୀକୁ ପୁନର୍ଜୀବିତ କରିଛନ୍ତି । ଏହି ମହିଳାମାନେ କେବଳ କପଡ଼ା ତିଆରି କରୁନାହାନ୍ତି, ସେମାନେ ନିଜର ପରିଚୟ ସୃଷ୍ଟି କରୁଛନ୍ତି । ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର, ସେମାନଙ୍କୁ ପ୍ରତି ମାସରେ ହଜାର ହଜାର ଟଙ୍କା ରୋଜଗାର କରିବାର ସୁଯୋଗ ଦେଇଛି ।"

'ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ'ର ପ୍ରୟାସକୁ ପ୍ରଶଂସା :
ସଂକୀର୍ତ୍ତନ ମାଧ୍ୟମରେ ବନାଗ୍ନି ନେଇ ସଚେତନ କରୁଥିବାରୁ କେନ୍ଦୁଝର ଜିଲ୍ଲାର ପ୍ରମିଳା ପ୍ରଧାନଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଗୀତ ଏବଂ ସଂସ୍କୃତିର ଏକ ସ୍ୱତନ୍ତ୍ର ମିଶ୍ରଣ ମାଧ୍ୟମରେ ପରିବେଶଗତ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କେନ୍ଦୁଝର ଜିଲ୍ଲାର 'ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ'ର ପ୍ରୟାସ ପ୍ରଶଂସନୀୟ ବୋଲି କହିଥିଲେ । ପ୍ରମିଳା ପ୍ରଧାନଙ୍କ ନେତୃତ୍ବରେ 'ରାଧା କୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ' ପରିବେଶ ସୁରକ୍ଷା ଓ ବନାଗ୍ନି ଦ୍ବାରା କଣ କ୍ଷତି ହୋଇଥାଏ ବୋଲି ପାରମ୍ପରିକ ଗୀତ ମାଧ୍ୟମରେ ସଚେଚନ କରାଉଛନ୍ତି ।

ପ୍ରାଧନମନ୍ତ୍ରୀ କହିଥିଲେ, "କେନ୍ଦୁଝରରେ କିଛି ଉଲ୍ଲେଖନୀୟ ଘଟଣା ଘଟୁଛି । ସେଠାରେ 'ରାଧା କୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ' ନାମକ ଏକ ଗୋଷ୍ଠୀ ରହିଛି । ଭକ୍ତି ସହ ଏହି ଗୋଷ୍ଠୀ ପରିବେଶ ସଂରକ୍ଷଣକୁ ନେଇ ମନ୍ତ୍ର ଜପ କରୁଛନ୍ତି । ଏହି ପଦକ୍ଷେପ ପଛର ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ । ଜଙ୍ଗଲ ଓ ପରିବେଶ ସଂରକ୍ଷଣକୁ ନେଇ ସେ ପାରମ୍ପରିକ ଗୀତରେ ନୂଆ ସନ୍ଦେଶ ଯୋଡି ସଚେତନ କରୁଛନ୍ତି । ତାଙ୍କ ଗୋଷ୍ଠୀ ଗାଁ ଗାଁ ବୁଲି ଗୀତ ମାଧ୍ୟମରେ ଲୋକଙ୍କୁ ବନାଗ୍ନିର କ୍ଷତି ନେଇ ସଚେତନ କରୁଛନ୍ତି । ଏହି ଉଦାହରଣ ଆମକୁ ଏହା ମନେପକାଇ ଦେଉଛି ଯେ, ଆମର ଲୋକ ପରମ୍ପରା କୌଣସି ସାଧାରଣ ନୁହେଁ । ଏଥିରେ ଆଜି ବି ସମାଜକୁ ଦିଗ ଦେବା ପରି ଶକ୍ତି ରହିଛି । "
ମନ୍ କି ବାତ୍ରେ ଓଡ଼ିଆ ଝିଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ:
31 ଅଗଷ୍ଟ 2025 "ମନ କି ବାତ"ର 125ତମ ଏପିସୋଡରେ, ପ୍ରଧାନମନ୍ତ୍ରୀ ମୋଦି ଦୁଇ ଯୁବ ତାରକାଙ୍କ ସହ କଥା ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଓଡ଼ିଶାର ରଶ୍ମିତା ସାହୁ । ଶ୍ରୀନଗରରେ ଆୟୋଜିତ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବ (Khelo India Water Sports Festival)ରେ ଭାଗ ନେଇ କାନୋଇଂରେ (ନୌଚାଳନା) ଉଚ୍ଚକୋଟିର ପ୍ରଦର୍ଶନ କରି 2ଟି ସ୍ବର୍ଣ୍ଣ ଜିତିଥିଲେ ରଶ୍ମିତା । ପ୍ରଧାନମନ୍ତ୍ରୀ ତାଙ୍କ ମାସିକ ରେଡିଓ ଅଭିଭାଷଣ ସମୟରେ ଜଳକ୍ରୀଡାରେ ତାଙ୍କର ଅବିଶ୍ୱସନୀୟ ଯାତ୍ରା ଏବଂ ଶ୍ରୀନଗରର ଡାଲ୍ ହ୍ରଦରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଜଳ କ୍ରୀଡା ମହୋତ୍ସବରେ ତାଙ୍କର ସମ୍ପ୍ରତି ବିଜୟ ପାଇଁ ଓଡ଼ିଶାର କାନୋଇଂ ପ୍ରତିଭାକୁ ପ୍ରଶଂସା କରିଥିଲେ । କ୍ରୀଡା ଜୀବନୀ ନେଇ ରଶ୍ମିତାଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

26 ଅକ୍ଟୋବର 2025ରେ ‘ମନ କି ବାତ’ର 127ତମ ଏପିସୋଡ୍ରେ ପ୍ରଧାନମନ୍ତ୍ରୀ କୋରାପୁଟ କଫି ର ଉଲ୍ଲେଖନୀୟ ସ୍ୱାଦ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ଏହା ଚାଷୀମାନଙ୍କୁ, ବିଶେଷକରି ମହିଳାମାନଙ୍କୁ ସମ୍ମାନ ଏବଂ ସଫଳତା ଆଣିଥାଏ । ଏହି ସ୍ୱୀକୃତି ଦ୍ୱାରା ଓଡ଼ିଶାରେ କଫି ଉତ୍ପାଦନ ବୃଦ୍ଧି ପାଇଛି । ବୃକ୍ଷରୋପଣ ଏବଂ ଏହି ଐତିହାସିକ ଉତ୍ପାଦ ପ୍ରକ୍ରିୟାକରଣ ଏବଂ ବ୍ରାଣ୍ଡିଂକୁ ଉନ୍ନତ କରିବାର ଯୋଜନା ରହିଛି । କୋରାପୁଟ କଫି ର ସ୍ବାଦ ଅନନ୍ୟ ଓ ନିଆରା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
Koraput coffee is very tasty. It is the pride of Odisha!#MannKiBaat pic.twitter.com/FIp5yRhpT4
— Narendra Modi (@narendramodi) October 26, 2025
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, "ଓଡ଼ିଶାର ବହୁ ଲୋକ କୋରାପୁଟ କଫି ବିଷୟରେ ନିଜର ଅନୁଭବ ମୋ ସହିତ ବାଣ୍ଟିଥିଲେ । ମୋତେ କୁହାଯାଇଥିଲା କୋରାପୁଟ କଫିର ସ୍ବାଦ ଚତ୍ମକାର । କେବଳ ସ୍ବାଦ ନୁହେଁ, ଏହି ଚାଷ ସେଠାକାର କୃଷକମାନଙ୍କୁ ସ୍ବାବଲମ୍ବୀ କରିବାରେ ସଫଳ ହୋଇଛି । କୋରାପୁଟରେ ଏପରି ମଧ୍ୟ ଲୋକ ଅଛନ୍ତି ଯିଏ ନିଜ ଇଚ୍ଛାରେ କଫି ଚାଷକୁ ଆପଣେଇ ନେଇଛନ୍ତି ।"
ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ମନେପକାଇ ପ୍ରଧାନମନ୍ତ୍ରୀ:
28 ଡିସେମ୍ବର 2025ରେ ମନ୍ କି ବାତ୍ର 129 ଏପିସୋଡ ତଥା 2025 ବର୍ଷର ଶେଷ ଏପିସୋଡରେ ମଧ୍ୟ ଓଡ଼ିଶାର ପାର୍ବତୀ ଗିରିଙ୍କୁ ମନେପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ମନେପକାଇ ତାଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, "ଦେଶର ପ୍ରତ୍ୟେକ ପ୍ରାନ୍ତର ଲୋକ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ, ସ୍ୱାଧୀନତାର ଅନେକ ବୀର, ପୁରୁଷ ଓ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ମିଳିନଥିଲା । ଏମିତି ଜଣେ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ଓଡ଼ିଶାର ପାର୍ବତୀ ଗିରି । ତାଙ୍କର ଜନ୍ମଶତବାର୍ଷିକୀ ଜାନୁଆରୀ 2026ରେ ପାଳନ କରାଯିବ । ସେ 16 ବର୍ଷ ବୟସରେ ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ ପରେ, ପାର୍ବତୀ ଗିରି ସମାଜ ସେବା ଏବଂ ଆଦିବାସୀ କଲ୍ୟାଣ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ସେ ଅନେକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ତାଙ୍କର ପ୍ରେରଣାଦାୟକ ଜୀବନ ପ୍ରତ୍ୟେକ ପିଢ଼ିକୁ ମାର୍ଗଦର୍ଶନ କରି ଚାଲିବ ।"
"ମୁଁ ପାର୍ବତୀ ଗିରିଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି" ବୋଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଥିଲେ ପ୍ରଧାନମନ୍ତ୍ରୀ।
ଏହା ମଧ୍ୟ ପଢ଼ନ୍ତୁ...
Yearender 2025: ଦେଶକୁ ଥରାଇ ଦେଇଛି ଏହି ସବୁ ବଡ ଘଟଣା, ଯାଇଛି ଶହ ଶହ ଲୋକଙ୍କ ଜୀବନ
ଓଡ଼ିଶା '25' ପଲିଟିକ୍ସ: ବିଜେପି ପାଇଁ ଥିଲା ଅଗ୍ନି ପରୀକ୍ଷା, ବିଜେଡିରେ ବିଦ୍ରୋହ, କଂଗ୍ରେସ କ୍ୟାମ୍ପରେ କେଁ ?
ଓଡ଼ିଶା ବିକାଶ ଏବଂ 2025 ବର୍ଷ : ଭିତ୍ତିଭୂମି, ଶିଳ୍ପ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ଯୋଜନା ଓ ପଦକ୍ଷେପ ...
ଗୋପାଳପୁର ଗଣଦୁଷ୍କର୍ମରୁ ପୀତବାସ ହତ୍ୟାକାଣ୍ଡ, ୨୦୨୫ରେ 'କ୍ରାଇମ ହଟସ୍ପଟ୍' ଗଞ୍ଜାମ !
କଣ୍ଠରେ ଯାଦୁ...ଗୀତରେ ମଧୁରତା...ବଲିଉଡ ଗାୟକଙ୍କୁ ବି ଦେଉଥିଲେ ମାତ୍, କମ୍ ବୟସରେ ଓଲିଉଡ ସେନସେସନ
ସୌଜନ୍ୟ:RKC

