YearEnder 2025: କ୍ଷତାକ୍ତ କଲା 2025, ରସୁଲଗଡରୁ ଆରମ୍ଭ, ଦାଗ ଦେଲା ଧଉଳି
ସମ୍ପର୍କରେ ବିଷ ମିଶିଲା । ହାଇପ୍ରୋଫାଇଲ ନେତାଙ୍କୁ ପୂର୍ଣ୍ଣିମାରେ ହତ୍ୟା । ଲଜ୍ଜା ଆଣିଲା ଗୋପାଳପୁର । ମୁଣ୍ଡ ନୁଆଁଇ ଦେଲା ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା । 2025ର ଚର୍ଚ୍ଚିତ ଅପରାଧ ।

Published : December 21, 2025 at 5:15 PM IST
|Updated : December 21, 2025 at 6:37 PM IST
ଭୁବନେଶ୍ବର: ରକ୍ତରଞ୍ଜିତ ହେଲା ବର୍ଷ 2025...ଅପରାଧ ଗ୍ରାଫ ଉପରମୁହାଁ । ଓଡ଼ିଶାକୁ ଅପବାଦ ଦେଲା ଗୋପାଳପୁର ଲଜ୍ଜା, ନେପାଳୀ ଛାତ୍ରୀ ଆତ୍ମହତ୍ୟା । ବିଚ୍ ରାସ୍ତାରେ ସଫେଇ କର୍ମଚାରୀଙ୍କୁ ହତ୍ୟା ହେଉ ଅବା ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣା । ବଳଙ୍ଗା ଆତ୍ମାହୁତି ଘଟଣାରେ ହୁଲସ୍ତୁଲ ହେଲା ରାଜନୀତି । ବ୍ରହ୍ମପୁରକୁ ଦୋହଲାଇ ଦେଲା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା । ଟଙ୍କା ଆଗରେ ତୁଚ୍ଛ ହେଲା ସ୍ବାମୀ-ସ୍ତ୍ରୀର ସମ୍ପର୍କ । ବୀମା ଟଙ୍କା ପାଇଁ ଟ୍ରାଫିକ କନେଷ୍ଟବଳ ପତ୍ନୀକୁ ହତ୍ୟା କଲା କନେଷ୍ଟବଳ ସ୍ବାମୀ । ମୁଣ୍ଡ କାଟରୁ ଜଳିଲା ଗାଁ.. ଏପରି ତମାମ ଅପରାଧ ଘଟଣାକୁ ନେଇ ଅପବାଦ ମୁଣ୍ଡାଇଲା 2025 । କେଉଁ କେଉଁ ଘଟଣାକୁ ନେଇ ଚର୍ଚ୍ଚାରେ ଥିଲା 2025 । ଦେଖନ୍ତୁ 2025 ପ୍ରତିଧ୍ବନିକୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା ।

ବିଭିନ୍ନ ଦୃଷ୍ଟିକୋଣରୁ ୨୦୨୫ ଥିଲା ଘଟଣାବହୁଳ । ବର୍ଷ ଆରମ୍ଭରୁ ସଫେଇ କର୍ମଚାରୀ ସହଦେବ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ବିଚ୍ ରାସ୍ତାରେ ଜଣେ ସଫେଇ କର୍ମଚାରୀଙ୍କୁ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ଅପରାଧ ତଥ୍ୟ ଅନୁଶୀଳନ କଲେ, ୨୦୨୫ରେ ଅପରାଧ ଏବଂ ଅପରାଧୀଙ୍କ ପାଇଁ ଥିଲା ଏକ ଚର୍ଚ୍ଚାର ବର୍ଷ । ଓଡ଼ିଶାର ଅପରାଧ ଗ୍ରାଫ ଉପର ମୁହାଁ କୁହାଯାଇପାରେ, ଯାହା ବାସ୍ତବରେ ଚିନ୍ତାଜନକ । ରାଜ୍ୟରେ ଅନେକ ହାଇ-ପ୍ରୋଫାଇଲ୍ ଏବଂ ଛାତିଥରା ଅପରାଧ ଘଟିଛି ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ସହଦେବଙ୍କୁ ହତ୍ୟା:
ନୂଆବର୍ଷ ନୂଆ ସକାଳ ନେଇ ଆସିଥାଏ । ଖୁବ ଉତ୍ସାହର ସହ ରାଜ୍ୟରେ ଚାଲୁଥାଏ ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରସ୍ତୁତି । ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦେଶ ବାହାରୁ ଅତିଥିଙ୍କ ଭିଡ଼ ଲାଗିଥାଏ ରାଜଧାନୀ ଭୁବନେଶ୍ବରରେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବାକୁ ଚାଲିଥାଏ ପ୍ରସ୍ତୁତି । ଏହାରି ଭିତରେ ଜାନୁଆରୀ 8ରେ ରାଜଧାନୀରେ ଘଟିଥିଲା ଏକ ବୀଭତ୍ସ ହତ୍ୟାକାଣ୍ଡ । ବିଏମସି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକଙ୍କୁ ରସୁଲଗଡ଼ ଅଞ୍ଚଳରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ସମୟରେ ରସୁଲଗଡ଼ ଛକ ନିକଟ ଏକ ରେଳ ଓଭରବ୍ରିଜରେ କିଛି ଆକ୍ରମଣକାରୀ ତାଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ଏକ ଦୀର୍ଘକାଳୀନ ଶତ୍ରୁତା ସହିତ ଜଡିତ ବୋଲି ପୋଲିସ କହିଥିଲା । ଏହି ହତ୍ୟା ଘଟଣାରେ ପୋଲିସ 7 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ ।
ଚର୍ଚ୍ଚାରେ ରହିଲା ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା:
କିଟ୍ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଦେଶ ବିଦେଶରେ ଖବର ଶିରୋନାମା ପାଲଟି ଥିଲା ଓଡ଼ିଶା । ଫେବୃଆରୀ ୧୬ ତାରିଖରେ ଜଣେ ତୃତୀୟ ବର୍ଷର ବି.ଟେକ୍ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ତାଙ୍କ ହଷ୍ଟେଲ ରୁମରେ ମିଳିଥିଲା । ଏହାକୁ ନେଇ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପରିସରରେ ବିକ୍ଷୋଭ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଛାତ୍ରଛାତ୍ରୀଙ୍କ ଉପରେ କଲେଜ କର୍ତ୍ତୃପକ୍ଷ ବଳପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ସିକ୍ୟୁରିଟି ଗାର୍ଡ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା । ସେମାନଙ୍କୁ କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ନେଇ ସମାଲୋଚନାର ଶିକାର ହୋଇଥିଲା କିଟ୍ ବିଶ୍ବବିଦ୍ୟାଳୟ । ନେପାଳରେ ବି ଏ ପ୍ରସଙ୍ଗ ଉଠିଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହି ଘଟଣାରେ ପୋଲିସ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିଲା । ପରେ ଉଭୟ ଦେଶର ସରକାରଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡିଥିଲା ।


ହୋଲିରେ ଡବଲ ମର୍ଡର:
ରଙ୍ଗର ପର୍ବ ହୋଲିକୁ ନେଇ ସାରା ରାଜ୍ୟ ଉତ୍ସବମୁଖର ଥିବା ବେଳେ ରାଜଧାନୀରେ ଗଡିଥିଲା 2 ମୁଣ୍ଡ । ମାର୍ଚ୍ଚ 15ରେ ଡବଲ ମର୍ଡର ସଭିଙ୍କୁ ଚକିତ କରିଥିଲା । ରଙ୍ଗର ହୋଲି ବଦଳରେ ନିଶା କାରବାର ନେଇ ସହିଦନଗର ଶାନ୍ତି ପଲ୍ଲୀ ବସ୍ତିରେ ଗୋପି ଗୁଣି ନାମକ ଜଣେ ଯୁବକକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଠିକ ସେହି ସମୟରେ ଅନ୍ୟପଟେ ମଞ୍ଚେଶ୍ବର ସମେଇ ଗାଡିଆରେ ଜଣେ ଯୁବକ ଆୟୁଷ୍ମାନ ପତିଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ ଦୁର୍ବୃତ୍ତ । ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା ଘଟିଥିଲା ।

ପରକୀୟା ପ୍ରୀତିରୁ ଫରେଷ୍ଟରଙ୍କୁ ହତ୍ୟା !
ନୟାଗଡ ଜିଲ୍ଲା ପଞ୍ଚିଡା ରେଞ୍ଜର ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନାନା କଳ୍ପନା ଜଳ୍ପନା ସୃଷ୍ଟି କରିଥିଲା । ଅଫିସରୁ ଘରକୁ ଫେରିଥିଲେ । ଏହାପରେ କୌଣସି କାରଣକୁ ନେଇ ପରିବାର ସହ ତାଙ୍କର ମତାନ୍ତର ହୋଇଥିଲା । ପରେ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଘରୁ ଉଦ୍ଧାର ହୋଇଥିଲା । ଏହି ଘଟଣା ସେତେବେଳେ ଅନେକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ସ୍ନାନ ଯାତ୍ରାରେ ସେବାୟତଙ୍କୁ ହତ୍ୟା:
ସ୍ନାନଯାତ୍ରା ନେଇ ପୁରୀ ଥିଲା ଉତ୍ସବମୁଖର । କିନ୍ତୁ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା କରାଯାଇଥିଲା । ପୁରୀ ଟାଉନ ଥାନା ଗୁଡିଆସାହିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତକ ଥିଲେ ମହାସୁଆର ସାହିର ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ । ଟଙ୍କା କାରବାରକୁ ନେଇ ହତ୍ୟା ହୋଇଥିବା ବେଳେ ଆଲୋଡନ ସୃଷ୍ଟି କରିଥିଲା ସିସିଟିଭି ଦୃଶ୍ୟ ।

ଗୋପାଳପୁର ଗଣଦୁଷ୍କର୍ମ:
ବିଦେଶରେ ଓଡ଼ିଶାର ଛବି ଖରାପ କଲା ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ଘଟଣା । ଓଡ଼ିଶାର ଗଣପର୍ବ ରଜକୁ ନେଇ ସାରା ଓଡ଼ିଶା ଉତ୍ସବମୁଖର ଥିବା ବେଳେ ଗୋପାଳପୁରରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା । ଗତ ଜୁନ 15ରେ ଜଣେ 20 ବର୍ଷୀୟା ଛାତ୍ରୀ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମି ଯାଇଥିଲେ । ସେଠାରେ କିଛି ଯୁବକ ତାଙ୍କୁ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ତେବେ ଏହି ଘଟଣାରେ 10 ଜଣ ଗିରଫ ହୋଇଥିଲେ । ସେଥିରେ 4 ଜଣ ନାବାଳକ ଥିଲେ । ଏହି ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ମଧ୍ୟ ଉଷ୍ମ ହୋଇଥିଲା । ଏପରିକି ଆମେରିକାକୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପର୍ଯ୍ୟଟକଙ୍କୁ ଓଡ଼ିଶା ଆସିବାକୁ ବାରଣ ସହ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି କହିଥିଲା ଟ୍ରମ୍ପ ପ୍ରଶାସନ । ବିଶେଷ କରି ମହିଳା ପର୍ଯ୍ୟଟନ ଏକାକୀ ନଯିବା ଲାଗି ପରାମର୍ଶ ଦିଆଯାଇଥିଲା ।

ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା:
ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ନ୍ୟାୟ ମାଗି ନିରାଶ ହେଲେ ଶେଷରେ ଜୀବନକୁ ଶେଷ କରିଦେଲେ । ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଘଟଣା ଅନୁସାରେ, ଗତ ଜୁଲାଇ 12ରେ ଫକୀର ମୋହନ କଲେଜର ଜଣେ ଛାତ୍ରୀ ନ୍ୟାୟ ମାଗି ନିରାଶ ହେବା ପରେ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଜୁଲାଇ 14ରେ ଭୁବନେଶ୍ବର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ବେ ପୀଡିତାଙ୍କୁ ବଞ୍ଚା ଯାଇପାରିନଥିଲା । ଏହି ଘଟଣାକୁ ନେଇ ପଲ୍ଲୀରୁ ଦିଲ୍ଲୀ ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା । ଆନ୍ଦୋଳନ, ପ୍ରତିବାଦ ହୋଇଥିଲା । ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ଏଥିସହ ତଦନ୍ତ କରି କଲେଜର ଦୁଇ ଛାତ୍ରଙ୍କୁ ମିଶାଇ 4 ଜଣଙ୍କୁ ଗିରଫ କରାଯାଇଥିଲା ।

ଚର୍ଚ୍ଚାରେ ରହିଲା ବଳଙ୍ଗା:
ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣା ମନରୁ ନଲିଭିଣୁ ବଳଙ୍ଗାରୁ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା । ବଳଙ୍ଗା ଅଞ୍ଚଳର ଜଣେ 15 ବର୍ଷୀୟା ଛାତ୍ରୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ କରାଯାଇଥିବା ବେଶ ଚର୍ଚ୍ଚା ହୋଇଥିଲା । ପରେ ଏହା ଏକ ହତ୍ୟା ନୁହେଁ ଆତ୍ମହତ୍ୟା ଘଟଣା ହୋଇଥିବା ପୋଲିସ କହିଥିଲା । ଏହି ଘଟଣା ସାରା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଜୁଲାଇ 19ରେ ନାବାଳିକା ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଥିଲେ । ଅଗଷ୍ଟ 2ରେ ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଥିଲେ । ବିରୋଧୀ ଏହି ଘଟଣାର ରହସ୍ୟ ଉନ୍ମୋଚନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଉପମୁଖ୍ୟମନ୍ତ୍ରୀ ବିଧାନସଭା କ୍ଷେତ୍ର ହୋଇଥିବାରୁ ଏହି ଘଟଣା ଅଧିକ ଚର୍ଚ୍ଚା ସାଉଁଟିଥିଲା । ବିରୋଧୀ ଦଳ ଗୁଡିକ ଝିଅକୁ ନ୍ୟାୟ ଦାବିରେ ଭୁବନେଶ୍ୱର ଏମ୍ସ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ ।

ବୀମା ଟଙ୍କା ପାଇଁ ପତ୍ନୀଙ୍କୁ ହତ୍ୟା:
ଟଙ୍କା ଆଗରେ ତୁଚ୍ଛ ହୋଇଥିଲା ସ୍ବାମୀ-ସ୍ତ୍ରୀର ପବିତ୍ର ସମ୍ପର୍କ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଘଟଣା ଭଳି ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ହତ୍ଯା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ଭୁବନେଶ୍ବର ଟ୍ରାଫିକ କନେଷ୍ଟବଳ ଭାବେ କାର୍ଯ୍ୟରତ ଶୁଭମିତ୍ରା ସାହୁ ନିଖୋଜ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ତଦନ୍ତ ପରେ ଜଣାପଡିଥିଲା ପୋଲିସ ସ୍ବାମୀ ହିଁ ଥିଲା ହତ୍ୟାକାରୀ । ଭୁବନେଶ୍ବରରେ ଶୁଭମିତ୍ରାଙ୍କୁ ହତ୍ୟା ପରେ କେନ୍ଦୁଝର ଜିଲ୍ଲା ଘଟଗାଁରେ ମୃତଦେହ ପୋତି ଦେଇଥିଲା । ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ତଦନ୍ତ ବେଳେ ଜଣାପଡିଥିଲା ଅଭିଯୁକ୍ତ କନେଷ୍ଟବଳ ଦୀପକ ରାଉତ ପୂର୍ବ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଥିଲା । ବୀମା ଟଙ୍କା ହଡପ ପାଇଁ ପ୍ରଥମ ସ୍ତ୍ରୀକୁ ହତ୍ୟା କରିଥିଲା ।


ହାଇପ୍ରୋଫାଇଲ ପୀତବାସ ହତ୍ୟା ଘଟଣା:
ବିଜେପି ନେତା ତଥା ଆଇନଜୀବୀ ପୀତବାସ ହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା । ରାଜନୈତିକ-ବ୍ୟବସାୟିକ-ପୂର୍ବ ଶତ୍ରୁତା ପ୍ରତିଶୋଧ ନିଆଁରେ ବଳି ପଡିଥିଲେ ଗଞ୍ଜାମର ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତପଣ୍ଡା ପଣ୍ଡା । କୁମାର ପୂର୍ଣ୍ଣିମା(ଅକ୍ଟୋବର 6ରେ) ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୂରା ଫିଲ୍ମ ଷ୍ଟାଇଲରେ ରଚାଯାଇଥିଲା ମର୍ଡରର ବ୍ଲୁ-ପ୍ରିଣ୍ଟ । ପ୍ଲାନ- A, ପ୍ଲାନ-B ରେ ହୋଇଥିଲା ହତ୍ୟା ଷଡଯନ୍ତ୍ର । ପୀତବାସଙ୍କୁ ହତ୍ୟା ପାଇଁ ପ୍ରଥମେ ବିହାର ସାର୍ପ ସୁଟରଙ୍କୁ ନିୟୋଜିତ କରାଯାଇଥିଲା । ପ୍ଲାନ ଏ ଫେଲ ମାରିବା ପରେ କାର୍ଯ୍ୟକାରୀ ହୋଇଥିଲା ପ୍ଲାନ ବି । ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କ ସମେତ ମୋଟ 16 ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ବନ୍ଧୁ ସାଜିଥିଲା ବଇରି । ପୀତବାସଙ୍କ ହତ୍ୟା ପରେ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚି ଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ପରେ ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ ଅଭିଯୁକ୍ତ ଭାବେ ଗିରଫ ହୋଇଥିଲେ ବିକ୍ରମ । ଏହି ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ।

ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା:
ଜମି ବିବାଦରୁ ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା । ଗତ ଅକ୍ଟୋବର 13ରେ ଭୁବନେଶ୍ବର ସରକନ୍ତରା ଗାଁରେ ଏମ୍ସରେ କାର୍ଯ୍ୟରତ ସୁଧାଂଶୁ ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଥିଲା । ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କୁ ହତ୍ୟା ହୋଇଥିବା ବେଳେ ଘଟଣାରେ 5 ଜଣଙ୍କୁ ଗିରଫ କରିଛି କମିଶମରେଟ ପୋଲିସ ।
କଏଦୀ ଫେରାର:
ଦୁର୍ଗାପୂଜା ସମୟରେ କଟକର ଉଚ୍ଚ ସୁରକ୍ଷା ଚୌଦ୍ୱାର ସର୍କଲ ଜେଲରୁ ଫେରାର ମାରିଥିଲେ ଦୁଇଜଣ କଏଦୀ । ରାଜା ସାହାଣୀ ଏବଂ ମଧୁକାନ୍ତ କୁମାର ଖସି ପଳାଇଥିଲେ । ଯେତେବେଳେ କର୍ମଚାରୀ ଏବଂ କଏଦୀମାନେ ଦଶହରା ପାଳନ କରୁଥିଲେ । ହତ୍ୟା ଏବଂ ଡକାୟତି ଅଭିଯୋଗରେ ଅଭିଯୁକ୍ତ କଏଦୀମାନେ ଲୁହା ଗ୍ରୀଲ୍ କାଟି ଏକ କମ୍ବଳକୁ ରଶି ଭାବରେ ବ୍ୟବହାର କରି ୨୨ ଫୁଟ ସୀମା କାନ୍ଥ ଡେଇଁ ଚମ୍ପଟ ମାରିଥିଲେ । ଏହି ଘଟଣା ପରେ ଦୁଇଜଣ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ଜେଲ ଅଧୀକ୍ଷକ, ସନ୍ତୋଷିନୀ ଦାଶଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପଳାତକମାନଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି ଏବଂ ସେମାନଙ୍କୁ ଧରିବା ପାଇଁ ସୂଚନା ପାଇଁ ୫୦,୦୦୦ ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର ।

ମୁଣ୍ଡକାଟରୁ ଜଳିଲା ଗାଁ, ଇଣ୍ଟରନେଟ ବନ୍ଦ:
ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରେ ଅଶାନ୍ତ ହୋଇପଡିଥିଲା ମାଲକାନଗିରିର 2ଟି ଗାଁ । ହିଂସା, ପୋଡାଜଳା, ଆକ୍ରମଣ, ଅସନ୍ତୋଷର ବହ୍ନି ଦେଖିବାକୁ ମିଳିଥିଲା । 6 ଦିନ ଯାଏଁ ଇଣ୍ଟରନେଟ କଟକଣା ଲାଗିଥିଲା । ରାଖେଲଗୁଡା ଗାଁର ଲାକେଙ୍କୁ ମୁଣ୍ଡକାଟି ହତ୍ୟା କରାଯାଇଥିଲା । ଡିସେମ୍ବର 4ରେ ମୁଣ୍ଡବିହୀନ ମୃତଦେହ ଏମଭି-26 ନିକଟ ନଦୀରୁ ମିଳିଥିଲା । ଏହାକୁ ନେଇ ଦେଖାଦେଇଥିଲା ଅସନ୍ତୋଷ କଟାମୁଣ୍ଡ ଖୋଜି ବାହାର କରିବାକୁ ଅଡି ବସିଥିଲେ ଗାଁ ଲୋକେ । ଏହାପରେ ଅଭିଯୁକ୍ତକୁ ଗିରଫ ଦାବିରେ ବିଭିନ୍ନ ଆଦିବାସୀ ସଂଗଠନ ଏମଭି-26 ଗାଁରେ ପୋଡାଜଳା କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଫଳରେ ପୂରା ଗାଁ ଛାରଖାର ହୋଇଯାଇଥିଲା । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ସେପଟେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କଠୁ ନେଇ ବିଭିନ୍ନ ନେତା ମନ୍ତ୍ରୀ ମାଲକାନଗିରିରେ ପହଞ୍ଚି ଦୁଇ ଗାଁଲୋକଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ଯାଇ 6 ଦିନ ଇଣ୍ଟରନେଟ ବନ୍ଦ ରହିଥିଲା । ଏଥିସହ ଜଣେ ହତ୍ୟା ଅଭିଯୁକ୍ତ ସହ ପୋଡାଜଳା ଘଟଣାରେ 18 ଜଣଙ୍କୁ ଗିରଫ କରିଛି ପୋଲିସ ।
ଧଉଳିରେ ଗଣଦୁଷ୍କର୍ମ:
ବର୍ଷ ଶେଷ ଆଡକୁ ଭୁବନେଶ୍ୱର ଉପକଣ୍ଠ ଧଉଳିରେ ନାବାଳିକା ଦୁଷ୍କର୍ମ ଘଟଣା ପୁଣି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି । ଡିସେମ୍ବର ୧୦ରେ ଭୁବନେଶ୍ୱରର ଧଉଳିର ଦୟା ନଦୀ କୂଳରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିଲା । ନାବାଳିକା ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ କିଛି ଯୁବକ ତାଙ୍କୁ ଅଟକାଇ ଲୁଟ କରିଥିଲେ । ଏହା ପରେ ନଦୀପଠାରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ମାମଲାକୁ ପୋଲିସ ରେଡ୍ ଫ୍ଲାଗ ଭୁକ୍ତ କରାଯାଇ ତଦନ୍ତ କରାଯାଉଛି । ପ୍ରଥମେ ବିଭୁପ୍ରସାଦ ମିଶ୍ର ଏବଂ କାଳନ୍ଦୀ ପାତ୍ରଙ୍କୁ ଗିରଫ କରାଇଥିବା ବେଳେ ପରେ ତୃତୀୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ଗିରଫ ହୋଇଥିଲେ । ଯିଏକି ସଦ୍ୟତମ ଜେଲରୁ ମୁକ୍ତ ହୋଇଥିଲେ।

ଅଧ୍ୟାପିକାଙ୍କୁ ହତ୍ୟା:
କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କୁ ହତ୍ୟା । ବାଲେଶ୍ବର ଜିଲ୍ଲା ତାଳପଦା ଗାଁର ପ୍ରିୟଙ୍କା ଦାଶଙ୍କୁ ହତ୍ୟା କରାଯାଇଥିଲା । ଯିଏକି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହବିଜ୍ଞାନ ବିଭାଗରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ବନ୍ଧା ହୋଇଥିଲେ ପୁରୁଷ ବନ୍ଧୁ ରୁଦ୍ର ମିଶ୍ରଙ୍କୁ ଗିରଫ କରିଥିଲା ପୋଲିସ ।
ସରି ସରି ଆସୁଛି ବର୍ଷ 2025 । ଏହି ବର୍ଷର ଅନେକ ଅପରାଧ ଯାହା 2025କୁ ଦାଗ ବୋଳି ଦେଇଯାଇଛି । ଏପରି ତମାମ ଅପରାଧକୁ ନେଇ ଚର୍ଚ୍ଚାରେ ରହିଥିଲା ବର୍ଷ 2025 ।

