ETV Bharat / state

ଖୁବ୍ ଶୀଘ୍ର ବ୍ରହ୍ମପୁର-ସମ୍ବଲପୁରରେ ବିଶ୍ବ ଦକ୍ଷତା କେନ୍ଦ୍ର; ଜମି ଚିହ୍ନଟ ପ୍ରକ୍ରିୟା ଶେଷ, ଭୂମି ହସ୍ତାନ୍ତର ପାଇଁ ନିର୍ଦ୍ଦେଶ

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ଆନ୍ତର୍ଜାତିକ ମାନର ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ବ୍ରହ୍ମପୁର ଓ ସମ୍ବଲପୁରରେ ନୂଆ କ୍ୟାମ୍ପସ ସ୍ଥାପନ ହେବ। ରିପୋର୍ଟ: ଭବାନୀ ଶଙ୍କର ଦାସ

World Skill Centre in Berhampur Sambalpur Land identification process completed
ଖୁବ୍ ଶୀଘ୍ର ବ୍ରହ୍ମପୁର-ସମ୍ବଲପୁରରେ ବିଶ୍ବ ଦକ୍ଷତା କେନ୍ଦ୍ର; ଜମି ଚିହ୍ନଟ ପ୍ରକ୍ରିୟା ଶେଷ, ଭୂମି ହସ୍ତାନ୍ତର ପାଇଁ ନିର୍ଦ୍ଦେଶ (Filepic)
author img

By ETV Bharat Odisha Team

Published : July 1, 2026 at 4:33 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ନୂଆ ୱାର୍ଲ୍ଡ ସ୍କିଲ ସେଣ୍ଟର ପ୍ରତିଷ୍ଠା ଘୋଷଣା କରିଥିଲେ । ଏଥିପାଇଁ ୨୭୮ କୋଟି ଟଙ୍କାର ଘୋଷଣା ହୋଇଥିଲା । ବଜେଟର ସେହି ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉଭୟ ସ୍ଥାନରେ ଜମି ଚିହ୍ନଟ କରି ଭୂମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ ବିଭାଗ ପକ୍ଷରୁ ଗଞ୍ଜାମ ଏବଂ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀଙ୍କୁ ପୃଥକ ନିର୍ଦ୍ଦେଶ ଜାରି କରାଯାଇଛି ।

World Skill Centre in Berhampur Sambalpur Land identification process completed
ଖୁବ୍ ଶୀଘ୍ର ବ୍ରହ୍ମପୁର-ସମ୍ବଲପୁରରେ ବିଶ୍ବ ଦକ୍ଷତା କେନ୍ଦ୍ର; ଜମି ଚିହ୍ନଟ ପ୍ରକ୍ରିୟା ଶେଷ, ଭୂମି ହସ୍ତାନ୍ତର ପାଇଁ ନିର୍ଦ୍ଦେଶ (Notification)

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଆନ୍ତର୍ଜାତିକ ମାନର ଦକ୍ଷତା ପ୍ରଶିକ୍ଷଣ:
ଭୁବନେଶ୍ୱରରେ ସଫଳତାର ସହ କାର୍ଯ୍ୟ କରୁଥିବା ୱାର୍ଲ୍ଡ ସ୍କିଲ ସେଣ୍ଟରର ଢାଞ୍ଚାକୁରାଜ୍ୟର ଅନ୍ୟ ଅଞ୍ଚଳକୁ ବିସ୍ତାର କରିବା ସରକାରଙ୍କ ଲକ୍ଷ୍ୟ । ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ଆନ୍ତର୍ଜାତିକ ମାନର ଦକ୍ଷତା ପ୍ରଶିକ୍ଷଣ ସୁବିଧା ଯୋଗାଇବା ପାଇଁ ବ୍ରହ୍ମପୁର ଓ ସମ୍ବଲପୁରରେ ନୂଆ କ୍ୟାମ୍ପସ ସ୍ଥାପନ କରାଯାଉଛି । ବ୍ରହ୍ମପୁର କ୍ୟାମ୍ପସ ପାଇଁ ଗଞ୍ଜାମ ଜିଲ୍ଲା କନିଶି ତହସିଲ ଅଧୀନ ଲଉଡ଼ିଗାଁ ମୌଜାକୁ ଚୂଡ଼ାନ୍ତ ଭାବେ ଚୟନ କରାଯାଇଛି । ଏହି ସ୍ଥାନ ଚୟନ ପୂର୍ବରୁ ୱର୍ଲ୍ଡ ସ୍କିଲ୍ ସେଣ୍ଟରର ବିଶେଷଜ୍ଞ ଦଳ ଲଉଡ଼ିଗାଁ ଓ ଶୀତଳାପଲ୍ଲୀର 2ଟି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ ।

ପ୍ରାୟ ୪୦ ଏକର ଜମିର ଉପଲବ୍ଧତା, ଆଇଜର ବ୍ରହ୍ମପୁରର ନିକଟତା ଏବଂ ସମୁଦ୍ର ଉପକୂଳ ପାଖରେ ଥିବାରୁ ଭବିଷ୍ୟତରେ ମେରିନ ଇଞ୍ଜିନିୟରିଂ ଓ ହସ୍ପିଟାଲିଟି ପରି ଆଧୁନିକ ପାଠ୍ୟକ୍ରମ ଆରମ୍ଭ କରିବାର ସୁବିଧା ଦୃଷ୍ଟିରୁ ଲଉଡ଼ିଗାଁକୁ ସର୍ବାଧିକ ଉପଯୁକ୍ତ ସ୍ଥାନ ବୋଲି ସୁପାରିସ କରାଯାଇଥିଲା । ବର୍ତ୍ତମାନ ଏହି ଜମିକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନାମରେ ହସ୍ତାନ୍ତର କରିବା ପାଇଁ ଭୂମି ଅଲଗାକରଣ ପ୍ରସ୍ତାବ ଦାଖଲ କରିବାକୁ ବ୍ରହ୍ମପୁରସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଉପନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।

ସମ୍ବଲପୁରରେ ସରକାରୀ ଜମି ଚିହ୍ନଟ:
ସେହିପରି ସମ୍ବଲପୁରରେ ସଦର ତହସିଲ ଅଧୀନ ବଡ଼ସିଂହାରି ମୌଜାରେ ପ୍ରାୟ ୧୫ ଏକର ସରକାରୀ ଜମିକୁ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପାଇଁ ଉପଯୁକ୍ତ ବୋଲି ବିଭାଗ ଚିହ୍ନଟ କରିଛି । ଉକ୍ତ ଜମି ବର୍ତ୍ତମାନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ନାମରେ ରହିଥିବାରୁ ଏହାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନାମରେ ହସ୍ତାନ୍ତର କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଏଥିସହ ଭୂମି ଅଲଗାକରଣ ପ୍ରସ୍ତାବ ଦାଖଲ କରିବାକୁ ସମ୍ବଲପୁର ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଉପନିର୍ଦ୍ଦେଶକଙ୍କୁ ଅଧିକୃତ କରାଯାଇଛି । ସରକାରଙ୍କ ଏହି ପଦକ୍ଷେପ ଫଳରେ ରାଜ୍ୟର ଦୁଇ ପ୍ରମୁଖ ଅଞ୍ଚଳରେ ୱର୍ଲ୍ଡ ସ୍କିଲ୍ ସେଣ୍ଟର ସ୍ଥାପନ ଦିଗରେ ପ୍ରଶାସନିକ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇଛି । ଭୂମି ହସ୍ତାନ୍ତର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କ୍ୟାମ୍ପସ ନିର୍ମାଣ ପାଇଁ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ:

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଛାତ୍ରଛାତ୍ରୀଙ୍କୁ ମିଳିବ ତ୍ରୁଟିଶୂନ୍ୟ ନୂଆ ବହି

ଫ୍ଲାଏଆଶ୍‌ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି, ସୁନ୍ଦରଗଡ଼ କଲେକ୍ଟରଙ୍କୁ ଉପବାଚସ୍ପତିଙ୍କ ଚିଠି

ଇଟିଭି ଭାରତ, ଭୁବନେଶ୍ୱର