ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆରମ୍ଭ: 11 ଦିନ କଂସର ରାଜୁତିରେ ଥରହର ହେବ ମଥୁରା
ଉଦଘାଟନ ହେଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ପ୍ରଥମ ଦିନରେ ନିଜ ବାପା ଉଗ୍ରସେନ ମହାରାଜଙ୍କୁ ଗାଡିଚ୍ୟୁତ କଲେ କଂସ । ଆଜି ରଙ୍ଗମହଲର ଉଦ୍ଘାଟନ କରିବେ ମହାରାଜ କଂସ ।

Published : December 25, 2025 at 6:01 PM IST
Bargarh Dhanu Yatra 2025 ବରଗଡ: ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । କଂସର ଅତ୍ୟାଚାରରେ ଥରହର ହେବ ମଥୁରା । ମୁକ୍ତାକାଶ ରଙ୍ଗମଞ୍ଚରେ 11 ଦିନ ଧରି ଚାଲିବ କଂସର ରାଜୁତି । ଗତକାଲି(24 ଡିସେମ୍ବର) ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ବରଗଡ ବିଧାୟକ ଅଶ୍ଵିନୀ ଷଡଙ୍ଗୀ 78 ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାକୁ ଉଦଘାଟନ କରିଛନ୍ତି ।
ସମଲେଶ୍ବରୀଙ୍କ ଆଶୀର୍ବାଦ ନେଲେ କଂସ ମହାରାଜ:
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟନ ପୂର୍ବରୁ ପ୍ରଥମେ ତଳିପଡା ସ୍ଥିତ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ଲାଭ କରିଥିଲେ କଂସ ମହାରାଜ ଏବଂ ଅନ୍ୟ କଳାକାର । ବିରାଟ ଶୋଭାଯାତ୍ରା ସହିତ ହାଟପଦା ସ୍ଥିତ ରାଜଦରବାରକୁ ଏହି ଶୋଭାଯାତ୍ରା ପହଞ୍ଚିବା ପରେ ରାତ୍ରି 8ଟା ସମୟରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାକୁ ଉଦ୍ଘାଟନ କରାଯାଇଛି ।
କଳା ପ୍ରଦର୍ଶନ କଲେ 22 ସାଂସ୍କୃତିକ ସଂଗଠନ:
ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ପ୍ରଥମେ ଏକ ସାଂସ୍କୃତିକ ଶୋଭାଯାତ୍ରା କାର୍ଯ୍ୟକ୍ରମ କରାଯାଇଥିଲା ଯେଉଁଥିରେ 22 ଗୋଟି ସାଂସ୍କୃତିକ ସଂଗଠନ ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ଦୁଲଦୁଲି, ଘଣ୍ଟପାର୍ଟି, ଦଣ୍ଡ ନାଚ, ଘୁଡକା ନାଚ, କୀର୍ତ୍ତନ, ପଞ୍ଜାବୀ ଭାଙ୍ଗଡା, ଆଦିବାସୀ ନୃତ୍ୟ ଏପରି 22 ଗୋଟି ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀଛକ ଠାରୁ ଆରମ୍ଭ କରାଯାଇ ଦେବୀ ମା’ ସମଲେଶ୍ଵରୀଙ୍କ ମନ୍ଦିରକୁ ଯାଇଥିଲା |

ଶୋଭାଯାତ୍ରାରେ କିଏ କିଏ ସାମିଲ ?
ଏହି ସାଂସ୍କୃତିକ ଶୋଭାଯାତ୍ରାକୁ ବରଗଡ ବିଧାୟକ ଅଶ୍ଵିନୀ ଷଡଙ୍ଗୀ, ଭଟଲି ବିଧାୟକ ଇରଶିଷ ଆଚାର୍ଯ୍ୟ, ବରଗଡ ଏସପି ପ୍ରହଲ୍ଲାଦ ସାହାଇ ମିନା , ଜିଲ୍ଲାପାଳ ଆଦିତ୍ଯ ଗୋୟଲ, ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ଵର ଶତପଥୀ ଓ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝି ପତାକା ଦେଖାଇ ଶୁଭ ଉଦଘାଟନ କରିଥିବା ବେଳେ ପୁରା ଜିଲ୍ଲା ପ୍ରଶାସନ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଧନୁଯାତ୍ରା କମିଟିର ସମସ୍ତ ସଦସ୍ୟଙ୍କ ସମେତ ଅନେକ କଳାକାର ମାନେ ମଧ୍ୟ ଏହି ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ବରଗଡ ପାଲଟିବ ମଥୁରା:
ତେବେ ଗତକାଲି ଠାରୁ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ବରଗଡ ସହର ପାଲଟିବ ମଥୁରା ନଗରୀ । ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସଙ୍କ ରାଜୁତି । ସେହିପରି ଆମ୍ବାପାଲି ପାଲଟିଯିବ ଗୋପପୁର ଏବଂ ଉଭୟ ବରଗଡ ଓ ଅମ୍ବାପାଲି ମଝିରେ ବହିଯାଇଥିବା ଜୀରା ନଦୀ ୧୧ ଦିନ ପାଇଁ ହୋଇଯିବ ଯମୁନା ନଦୀ । ବରଗଡବାସୀ ହେଉ ବା ବରଗଡକୁ ଆସୁଥିବା ସମସ୍ତ ଦର୍ଶକ ହେଉନା କାହିଁକି ସମସ୍ତେ ଅଜାଣତରେ ମଧ୍ୟ ହୋଇଯାନ୍ତି ୧୧ ଦିନର ଗୋଟେ ଗୋଟେ କଳାକାର । ଏହି ୧୧ ଦିନ ପାଇଁ ବରଗଡରେ ଜିଲ୍ଲାପ୍ରଶାସନ ବା ଜିଲ୍ଲାପାଳଙ୍କ ଶାସନ ନୁହେଁ ଏଠାରେ ଚାଲେ ମହାରାଜ କଂସଙ୍କର ରାଜୁତି । ଅନ୍ୟପଟେ ମିନାବଜାର ଓ ବିଭିନ୍ନ ପ୍ରଦର୍ଶନୀ ପାଇଁ ଦୂର ଦୂରାନ୍ତରୁ ଲୋକେ ଆସିଥାନ୍ତି କ୍ରୟ ବିକ୍ରୟ ପାଇଁ ଯାହାଫଳରେ ଧନୁଯାତ୍ରା ବ୍ୟାପାରର ଏକ ପେଣ୍ଠସ୍ଥଳୀ ମଧ୍ୟ ପାଲଟିଯାଏ ।
ଉଗ୍ରସେନଙ୍କୁ ଗାଦିଚ୍ୟୁତ:
ତେବେ ଉଦ୍ଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ ବାସୁଦେବଙ୍କ ବିବାହ ହୋଇଯାଇଥିବା ବେଳେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି ମହାପ୍ରତାପି କଂସାସୁର । ଦେବକୀଙ୍କ ଅଷ୍ଟମ ଗର୍ଭ ହେବ କଂସର ମୃତ୍ୟୁର କାରଣ ଦୈବବାଣୀ ହେବା ପରେ କଂସ ବ୍ୟସ୍ତ ବିବ୍ରତ ହୋଇପଡ଼ିଛି । ଦେବକୀ ବାସୁଦେବଙ୍କୁ ବନ୍ଦୀ କରି କାରାଗାର ପ୍ରେରଣ କରିଛି କଂସ ।
ଆକାଶରୁ ଶୁଭିଲା ଦୈବୀ ବାଣୀ:
ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ କୁହାଯାଉଥିବା ବରଗଡ଼ ଧନୁଯାତ୍ରର ପ୍ରଥମ ଦିବସରେ ମଥୁରାର ମହାରାଜ ଉଗ୍ରସେନ ଝିଅ ଦେବକୀର ବିବାହ ପାଇଁ ଏକ ସୁଯୋଗ୍ୟ ବରପାତ୍ର ଭାବେ ବାସୁଦେବଙ୍କ ପ୍ରସ୍ତାବ ପାଇଛନ୍ତି । ଅବିଳମ୍ବେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି ଉଗ୍ରସେନ୍ ଏହାପରେ ରାଜକୀୟ ଆଡ଼ମ୍ବର ସହ ଦେବକୀ ଓ ବାସୁଦେବଙ୍କ ବିବାହ ଆୟୋଜିତ କରାଯାଇଛି ସ୍ଥାନୀୟ ତଲିପଡ଼ା ସ୍ଥିତ ରାମଜୀ ମନ୍ଦିର ଠାରେ । ତେବେ ଦେବକୀ ବାସୁଦେବଙ୍କ ବିବାହକୁ ନେଇ ସାରା ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରିଆସିଛନ୍ତି ମହାରାଜ କଂସ, ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇ ଥିବାରୁ ଦୁଃଖିତ ହୋଇପଡ଼ିଛନ୍ତି କଂସ । ତାପରେ ମଧ୍ୟ ଭଉଣୀ ଦେବକୀଙ୍କୁ ଶାଶୁଘରେ ଛାଡ଼ିଦେବା ପାଇଁ ଆନନ୍ଦର ସହ ବାହାରି ଥିବା ବେଳେ ଠିକ୍ ଏତିକି ବେଳେ ଶୁଭିଛି ଦୈବବାଣୀ..ରେ ରେ କଂସ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ହେବ ତୋର ମୃତ୍ୟୁର କାରଣ" ଦୈବବାଣୀ ଶୁଣି କଂସ ଅତ୍ୟନ୍ତ କ୍ରୋଧିତ ହୋଇପଡ଼ିଛନ୍ତି ଯୁବରାଜ କଂସ ।
କ୍ରୋଧରେ ସେ ଦେବକୀ, ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରିଦେଇଥିବା ବେଳେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ଆହୋରଣ କରିଛନ୍ତି ମଥୁରା ନଗରୀର ରାଜସିଂହାସନ ଏବଂ ଉଗ୍ରସେନଙ୍କୁ କରିଛନ୍ତି ରାଜ କଟୁଆଳ । କଂସଙ୍କ ରାଜଭିଷେକ ପରେ ମନ୍ତ୍ରୀ ପରିଷଦ ଉଲ୍ଲସିତ ହୋଇପଡ଼ିଥିବା ବେଳେ ସମସ୍ତଙ୍କ ମନରଂଜନ ପାଇଁ ଆୟୋଜନ କରାଯାଇଛି ନୃତ୍ୟଗୀତ କାର୍ଯ୍ୟକ୍ରମ |
ଏହା ମଧ୍ୟ ପଢନ୍ତୁ: କେବଳ ବାପା-ମାଙ୍କ ଖୁସି ପାଇଁ…ଦଣ୍ଡ ପକାଇ ନୟାଗଡରୁ ପୁରୀ ଯାତ୍ରା କରୁଛନ୍ତି ସୁଶୀଲ ପଶୁବଳୀରେ ରକ୍ତରଞ୍ଜିତ ହେଲା ସୁଲିଆ ପୀଠ, ମାନସିକ ପୂରଣ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ |
ଆଜି ରଙ୍ଗମହଲ ଉଦଘାଟନ:
ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଦ୍ୱିତୀୟ ରାତ୍ରୀରେ (25 ଡିସେମ୍ବର) ମଥୁରାବାସୀଙ୍କ ମନୋରଂଜନ ସକାଶେ ରଙ୍ଗମହଲର ଉଦ୍ଘାଟନ କରିବେ ମହାରାଜ କଂସ । ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସଙ୍କ ଭୟରେ ବାସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା ଉଗ୍ରସେନ ସହ ଭେଟ ଏବଂ ଯଶୋଦା ଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହେବ ।
ଏନେଇ ବରଗଡ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ କହିଛନ୍ତି, ‘78ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ ହୋଇଛି । ଆସନ୍ତୁ ଧନୁଯାତ୍ରା ଉପଭୋଗ କରନ୍ତୁ ।’
ଇଟିଭି ଭାରତ, ବରଗଡ

